ରାଜନୀତି କରିବେ ରଜନୀକାନ୍ତ!

News Story - Posted on 2017-05-20

ଖୁବଶୀଘ୍ର ରାଜନୀତିରେ ଯୋଗଦେଇ ପାରନ୍ତି ସୁପର ଷ୍ଟାର ରଜନୀକାନ୍ତ। ଏନେଇ ସେ ନିଜର ପ୍ରଶଂସକମାନଙ୍କୁ ସଂକେତ ଦେଇଛନ୍ତି। ତାଙ୍କ ଉପରେ ଚାପ ପକାଉଥିବା ପ୍ରଶଂସକମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ସେମାନେ ନିଜନିଜ କର୍ତ୍ତବ୍ୟ କ୍ଷେତ୍ରକୁ ଫେରିଯାଆନ୍ତୁ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତୁ। ରଜନୀକାନ୍ତ କହିଛନ୍ତି, ‘ବ୍ୟବସ୍ଥାଟି ଦୁର୍ନୀତିଗ୍ରସ୍ତ, ଆମକୁ ତାହା ବଦଳାଇବାକୁ ହେବ।’

 

ସମବେତ ପ୍ରଶଂସକଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଆସୁଥିବା ନକାରାତ୍ମକ ମନ୍ତବ୍ୟ ନେଇ ସେ ଚିନ୍ତିତ ନୁହନ୍ତି। ରାଜନୀତିରେ ବଢ଼ିବାକୁ ହେଲେ ବିରୋଧୀଙ୍କ ଆବଶ୍ୟକତା ଅଛି। ସେ ତାଙ୍କର ଉଦବୋଧନ ମଧ୍ୟରେ ତାମିଲନାଡ଼ୁର ବିରୋଧୀ ଦଳ ନେତା ଏମକେ ଷ୍ଟାଲିନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଦକ୍ଷ ପ୍ରଶାସକ ହୋଇପାରିବେ। ଅମ୍ୱୁମଣି ରାମଦୋସଙ୍କୁ ସେ ଜଣେ ଜ୍ଞାନୀ ଭାବେ ବର୍ଣ୍ଣନା କରିଛନ୍ତି।

 

ନିଜକୁ ଜଣେ ସଚ୍ଚା ତାମିଲ ବୋଲି ପରିଚୟ ଦେଇ ସେ କହିଛନ୍ତି ଯେ ସେ ତାଙ୍କ ଜୀବନର ପ୍ରଥମ ୨୩ ବର୍ଷ କର୍ଣ୍ଣାଟକରେ କଟେଇଥିଲେ ବି ୪୪ ବର୍ଷ ହେଲା ତାମିଲନାଡ଼ୁରେ ବଢ଼ିଛନ୍ତି। ତାମିଲ ଲୋକଙ୍କ ସ୍ନେହ ସୌହାର୍ଦ୍ଦ୍ୟ ତାଙ୍କୁ ବଡ଼ କରିଛି। ମୋ ବାପାଙ୍କ ସମେତ ମୋ ପୂର୍ବପୁରୁଷ ସମସ୍ତେ ତାମିଲ ଥିଲେ। ଆପଣମାନେ ଯଦି ମୋତେ ତାମିଲନାଡ଼ୁରୁ ବାହାର କରିଦେବେ ତେବେ ମୁଁ ଅନ୍ୟ କେଉଁ ରାଜ୍ୟକୁ ଯିବି ନାହିଁ, ସିଧା ହିମାଳୟ ପଳାଇବି ବୋଲି କହିଛନ୍ତି ଫିଲ୍ମରେ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀ ପାଇଁ ବିଖ୍ୟାତ ରଜନୀକାନ୍ତ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top