ଲଟେରି ହେଲା ଟିକସମୁକ୍ତ!

News Story - Posted on 2017-05-20

ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଲାଗୁ ହେବ ନାହିଁ ସାମଗ୍ରୀ ଓ ସେବା କର ବା ଜିଏସଟି। ସହିପରି ଲେଟରି ମଧ୍ୟ ଜିଏସଟିରୁ ବାଦ ପଡ଼ିଛି। ଏହା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଜିଏସଟି ପରିଷଦ ବୈଠକରେ ବିଭିନ୍ନ ସେବା ପାଇଁ ଜିଏସଟି ଦର ଧାର୍ଯ୍ୟ ହୋଇଥିିବାବେଳେ ସୁନା, ସିଗାରେଟ ଓ ବିଡ଼ି ପରି କେତେକ ସାମଗ୍ରୀ ଉପରେ ଜିଏସଟି ଧାର୍ଯ୍ୟ ହୋଇପାରି ନାହିଁ। ଆସନ୍ତା ଜୁନ‌୍‍ ୩ ତାରିଖରେ ବସୁଥିବା ପରିଷଦ ବୈଠକରେ ଏହା ଧାର୍ଯ୍ୟ ହେବ।

 

ଏଠାରେ ଅନୁଷ୍ଠିତ ହୋଇଥିିବା ଜିଏସଟି ପରିଷଦ ବୈଠକରେ ବିଭିନ୍ନ ସେବା ଉପରେ ଜିଏସଟ ହାର ଧାର୍ଯ୍ୟ ହୋଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଜିଏସଟିରୁ ବାଦ ଦିଆଯାଇଥିବାବେଳେ ପରିବହନ ସେବା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିଷଦର ଦୁଇ ଦିନିଆ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗଣମାଧ୍ୟମକୁ କହିଛନ୍ତି ଯେ ଟେଲିକମ ଓ ଆର୍ଥିକ ସେବା କ୍ଷେତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ। ପରିବହନ ସେବା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ। ଓଲା ଓ ଉବେର କାର‌୍‍ ସେବା ସମେତ ଶସ୍ତା ବିମାନ ସେବା କ୍ଷେତ୍ରରେ ମଧ୍ୟ ଏହି ହାର ଲାଗିବ। କିନ୍ତୁ ବିଜିନେସ ଶ୍ରେଣୀ ବିମାନଯାତ୍ରା ଉପରୁ ୧୨ ପ୍ରତିଶତ ହାରରେ ଜିଏସଟି ଆଦାୟ ହେବ।

 

ବିନା ଏସି ସୁବିଧାରେ ଟ୍ରେନ ଯାତ୍ରା ଉପରେ ଜିଏସଟି ଲାଗୁ ହେବ ନାହିଁ। କିନ୍ତୁ ଏସି ଟ୍ରେନ ଯାତ୍ରା ଉପରେ ୫ ପ୍ରତିଶତ ଜିଏସଟି ହିସାବ ହେବ। ଏ ବାବଦରେ ପୂର୍ଣ୍ଣାଙ୍ଗ ବିବରଣୀ ଦେଇ ରାଜସ୍ୱ ସଚିବ ହସମୁଖ ଆଧିଆ କହିଛନ୍ତି ଯେ ମେଟ୍ରୋ, ଲୋକାଲ ଓ ହଜ‌୍‍ ଯାତ୍ରା ପରି ଧାର୍ମିକ ଟ୍ରେନ‌୍‍ ଯାତ୍ରା ଉପରେ ଜିଏସଟି ଲାଗୁ ହେବ ନାହିଁ।

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶୀତତାପ ନିୟନ୍ତ୍ରଣ ବା ଏସି ସୁବିଧା ନଥିବା ରେସ୍ତୋରାଁରେ ଖାଦ୍ୟ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ। ଏସି ରେସ୍ତୋରାଁ ଓ ବାର‌୍‍ ସୁବିଧା ଥିବା ରେସ୍ତୋରାଁ ପାଇଁ ଏହି ହାର ୧୮ ପ୍ରତିଶତ ଧାର୍ଯ୍ୟ ହୋଇଥିବାବେଳେ ପଞ୍ଚ ତାରକା ହୋଟେଲର ଖାଦ୍ୟ ଉପରେ ୨୮ ପ୍ରତିଶତ ଜିଏସଟି ହିସାବ ହେବ। ତେବେ ବାର୍ଷିକ ୫୦ ଲକ୍ଷରୁ କମ‌୍‍ କାରବାର କରୁଥିିବା ରେସ୍ତୋରାଁ ପାଇଁ ଏହି ହାର ୫ ପ୍ରତିଶତରେ ସୀମୀତ ରହିବ।

 

ସିନେମା, ଜୁଆ ଓ ବାଜି ଆଦି ମନୋରଂଜନ ସେବା କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଲାଗିବ। ଏହି ସେବା କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ସେବା ଓ ମନୋରଂଜନ କର ଆଉ ଆଦାୟ ହେବ ନାହିଁ। ତେବେ ରାଜ୍ୟ ସରକାରଗୁଡ଼ିକ ସିନେମା ଟିକେଟ ଉପରେ ଲେଭି ଲାଗୁ କରିବାର ସୁବିଧା ଥିବାରୁ ସିନେମା ଟିକଟ ଦର କମିବାର ସମ୍ଭାବନା ନାହିଁ।

 

ଦିନକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଉଥିବା ହୋଟେଲ ଓ ଲଜ‌୍‍ଗୁଡ଼ିକୁ ଜିଏସଟି ପରିସରରୁ ବାଦ ଦିଆଯାଇଛି। କିନ୍ତୁ ଦିନକୁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଉଥିବା ହୋଟେଲ ଓ ଲଜ‌୍‍ ଉପରେ ୧୨ ପ୍ରତିଶତ, ୨୫୦୦-୫୦୦୦ ଟଙ୍କା ଚାର୍ଜ ନେଉଥିବା ହୋଟେଲ ଓ ଲଜ‌୍‍ ଉପରେ ୧୮ ପ୍ରତିଶତ ଏବଂ ତା’ଠାରୁ ଅଧିକ ନେଉଥିିବା ହୋଟେଲ ଓ ଲଜ‌୍‍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ।

 

ରଙ୍ଗଦେବା ପରି କାମ ଠିକା ଉପରେ ୧୨ ପ୍ରତିଶତ ଜିଏସଟି ହିସାବ ହେବ। ଫ୍ଲିପକାଟ‌୍‍ର୍, ସ୍ନାପଡିଲ ପରି ଇ-କମର୍ସ ସଂସ୍ଥା ଗ୍ରାହକଙ୍କଠାରୁ ୧ ପ୍ରତିଶତ ଟିସିଏସ ଆଦାୟ କରିବେ। ଲଟେରି ଉପରେ ଜିଏସଟି ଲାଗୁ ହେବ ନାହିଁ।

 

ଗଣମାଧ୍ୟମକୁ ଜେଟଲି କହିଛନ୍ତି ଯେ ବିଭିନ୍ନ ସେବା ଓ ସାମ୍ରଗୀ ଉପରେ ଜିଏସଟି ହାର ସ୍ଥିର କରିବା ସମୟରେ ସରକାର ମୁଦ୍ରାସ୍ପୀତି ଯେପରି ନବଢ଼ିବ ତାହା ନିଶ୍ଚିତ କରିଛନ୍ତି। ଜୁଲାଇ ପହିଲାରୁ ସାରା ଦେଶରେ ଜିଏସଟି ଲାଗୁ ହେଲା ପରେ ବଜାରରେ ଦର ସୂଚକାଙ୍କ ବଢ଼ିବ ନାହିଁ।

 

ତେବେ ଆଜିର ବୈଠକରେ ମଧ୍ୟ ସୁନା, ସିଗାରେଟ ଓ ବିଡ଼ି ପରି କେତେକ ଦ୍ରବ୍ୟ ଉପରେ ଜିଏସଟି ହାର ସ୍ଥିର ହୋଇପାରି ନାହିଁ। ଜୁନ‌୍‍ ୩ ତାରିଖରେ ବସୁଥିବା ପରିବର୍ତ୍ତୀ ଜିଏସଟି ପରିଷଦରେ ଏହା ସ୍ଥିର ହେବ ବୋଲି ଜେଟଲି କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top