ଖାଦ୍ୟଦ୍ରବ୍ୟ ଦର କମିବ!

News Story - Posted on 2017-05-19

ସାମଗ୍ରୀ ଓ ସେବା କର ଲାଗୁ ହେଲା ପରେ କମିବ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର। ଏସବ ସାମଗ୍ରୀ ଉପରେ ସର୍ବନିମ୍ନ ଜିଏସଟ ବା ସାମଗ୍ରୀ ଓ ସେବା କର ଲାଗୁ ହେବ ବୋଲି ଘୋଷଣା କରିଛନ୍ତି କର ଦର ନିର୍ଦ୍ଧାରଣ ପାଇଁ ଗଠିତ ହୋଇଥିିବା ଜିଏସଟି ପରିଷଦ। ପରିଷଦର ବୈଠକରେ ୧୨୦୫ଟି ସାମଗ୍ରୀ ଓ ସେବା ଉପରେ କର ଦର ଧାର୍ଯ୍ୟ ହୋଇଛି। ଜାମ୍ମୁକାଶ୍ମୀର ରାଜଧାନୀ ଶ୍ରୀନଗରରେ ଏହା ଘୋଷଣା କରିଛନ୍ତି ପରିଷଦର ଅଧ୍ୟକ୍ଷ ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି।

 

ପୂର୍ବରୁ ପରିଷଦ ସମଗ୍ର ଦେଶ ପାଇଁ ଚାରି ଥାକିଆ ଜିଏସଟି ଦର ଧାର୍ଯ୍ୟ କରିଥିଲା। ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ୫, ୧୨, ୧୮ ଓ ୨୮ ପ୍ରତିଶତ ଜିଏସଟ ଧାର୍ଯ୍ୟ ହେବ ବୋଲି ସ୍ଥିର ହୋଇଥିଲା। ମେ ୧୮ ବୈଠକରେ ୧୨୦୫ ସେବା ଓ ସାମଗ୍ରୀ ଉପରେ ଭିନ୍ନଭିନ୍ନ ଜିଏସଟି ଦର ଧାର୍ଯ୍ୟ ହୋଇଛି। ବିଭିନ୍ନ ରାଜ୍ୟର ଦାବିକୁ ଗ୍ରହଣ କରି ପରିଷଦ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉପରେ ସବୁଠୁଁ କମ‌୍‍ ଦର ଧାର୍ଯ୍ୟ କରିଛନ୍ତି। ପରିଷଦ ଏହାର ପରବର୍ତ୍ତୀ ବୈଠକରେ ଅନ୍ୟ ୬ଟି ଜିନିଷ ଉପରେ କର ଧାର୍ଯ୍ୟ କରିବ।

 

ଜିଏସଟି ପରିଷଦ ଧାର୍ଯ୍ୟ କରିଥିବା କର ଦର ଅନୁସାରେ ଖାଦ୍ୟଶସ୍ୟ, ଗୁଡ଼ ଓ ଦୁଗ୍ଧକୁ ଜିଏସଟିରୁ ସଂପୂର୍ଣ୍ଣ ବାଦ ଦିଆଯାଇଛି। ଚିନି, ଚା, କଫି, ରସଗୋଲା ଓ ଗୋଲାପଜାମୁ ଭଳି ଭାରତୀୟ ମିଠାଇ ଓ ଖାଇବା ତେଲ ଉପରେ ସର୍ବନିମ୍ନ ୫ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଛି। କୋଇଲା ଉପରେ ମଧ୍ୟ ୫ ପ୍ରତିଶତ ଜିଏସଟି ପଡ଼ିବ। ଏହା ସହିତ ଟନ‌୍‍ ପିଛା ୪୦୦ ଟଙ୍କାର ଲେଭି ଦେବାକୁ ହେବ। କେଶ ତୈଳ, ସାବୁନ, ଦାନ୍ତଘଷା ପେଷ୍ଟ ଆଦି ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସଟ ଧାର୍ଯ୍ୟ ହୋଇଛି। ଏହା ସହିତ ପୁଂଜି ଓ ଶିଳ୍ପ ସାମଗ୍ରୀ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ।

 

ସେହିପରି କ୍ଷୁଦ୍ର କାର‌୍‍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ। ଏହା ଉପରେ କିଛି ସେସ‌୍‍ ମଧ୍ୟ ପଡ଼ିବ। ତେବେ ବିଳାସପୂର୍ଣ୍ଣ କାର‌୍‍ ଉପରେ ଏହି ହାରର ଜିଏସଟି ସହିତ ୧୫ ପ୍ରତିଶତ ସେସ‌୍‍ ଲାଗୁ ହେବ। ଏୟାର କଣ୍ଡିସନର, ଫ୍ରିଜ‌୍‍ ଆଦି ବିଳାସପୂର୍ଣ୍ଣ ଉପଭୋକ୍ତା ସାମଗ୍ରୀ ଉପରେ ମଧ୍ୟ ୨୮ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଛି। ଏବେ ଏସବୁ ଦ୍ରବ୍ୟ ଉପରେ ୩୦-୩୧ ପ୍ରତିଶତ କର ଆଦାୟ ହେଉଥିବାରୁ ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେଲେ ଏସବୁର ଦର କିଛି ପରିମାଣରେ କମିବ ବୋଲି କହିଛନ୍ତି ରାଜସ୍ୱ ସଚିବ ହସମୁଖ ଆଧିଆ।

 

ଆଧିଆ କହିଛନ୍ତି ଯେ ମୋଟ ୧୨୧୧ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ। ଏବେ ୧୨୦୫ ଜିନିଷ ଉପରେ କରଧାର୍ଯ୍ୟ ହୋଇଛି। ଶୁକ୍ରବାର ବୈଠକରେ ସୁନା ଓ ଅନ୍ୟ କେତେକ ଦ୍ରବ୍ୟ ଉପରେ ଜିଏସଟି ଧାର୍ଯ୍ୟ କରିବେ। ତାଙ୍କ ସୂଚନା ଅନୁସାରେ ମୋଟ ୧୨୧୧ ଆଇଟମ ମଧ୍ୟରୁ ୭ ପ୍ରତିଶତ ଆଇଟମ ଉପରେ ଜିଏସଟି ଲାଗୁ ହେବ ନାହିଁ, ୧୪ ପ୍ରତିଶତ ସେବା ଓ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ, ୧୭ ପ୍ରତିଶତ ଆଇଟମ ଉପରେ ୧୨ ପ୍ରତିଶତ ଜିଏସଟି ହିସାବ ହେବ, ୪୩ ପ୍ରତିଶତ ଆଇଟମ ଉପରେ ୧୮ ପ୍ରତିଶତ ଓ ୧୯ ପ୍ରତିଶତ ଆଇଟମ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ।

 

ଜିଏସଟି ଲାଗୁ ହେଲା ପରେ ବର୍ତ୍ତମାନ ପ୍ରଚଳିତ ଥିବା ମୋଟ ୧୬ଟି ଟିକସ ଆଉ ଆଦାୟ ହେବ ନାହିଁ। ଏଥିମଧ୍ୟରେ କେନ୍ଦ୍ରର ଅବକାରୀ ଶୁଳ୍କ, ସେବା କର ଓ ରାଜ୍ୟଗୁଡ଼ିକର ଭାଟ‌୍‍ ଓ ମନୋରଂଜନ କର ଆଦି ଅନ୍ତର୍ଭୁକ୍ତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୫୪ ମସିହାରେ ଫ୍ରାନ୍ସ ପ୍ରଥମେ ଜିଏସଟି ଲାଗୁ କରିଥିଲା। ଏହା ଭିତରେ ଜର୍ମାନୀ, ଇଟାଲୀ, ଇଂଲଣ୍ଡ, ଦକ୍ଷିଣ କୋରିଆ, କାନାଡ଼ା, ଜାପାନ, ଅଷ୍ଟ୍ରେଲିଆ, ରୁଷିଆ, ଚୀନା ଓ ସାଉଦି ଆରବ ସମେତ ବହୁ ଦେଶ ଜିଏସଟି ଲାଗୁ କରି ସାରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top