ମାଓବାଦ- ଏକ କୁହୁଳା ନିଆଁର ନାଁ ! (୨)

News Story - Posted on 2017-05-19

ମାୟାଧର ନାୟକ

 

ନକ୍ସଲବାଦୀ ଆନ୍ଦୋଳନ ଆଇନ କାନୁନର ସମସ୍ୟା ନୁହେଁ। ଏହା ଏକ ଅର୍ଥନୈତିକ, ସାମାଜିକ ସମସ୍ୟା। ଏହାର ରାଜନୈତିକ ସମାଧାନ ଏକାନ୍ତ ଆବଶ୍ୟକ। ନକ୍ସଲପନ୍ଥୀମାନେ ନିଜକୁ ସଚ୍ଚା କମ୍ୟୁନିଷ୍ଟ ବୋଲି ଜାହିର କରନ୍ତି। ଏ ଦେଶରେ, ଏପରିକି ସମଗ୍ର ବିଶ୍ବରେ ଏବେବି ସଚ୍ଚା କମ୍ୟୁନିଷ୍ଟର ସଂଧାନ ଖୋଜି ପାଇବା କଷ୍ଟକର ହୋଇପଡ଼ିଛି। ପୁଞ୍ଜିବାଦ ସାମ୍ରାଜ୍ୟବାଦକୁ ଧ୍ବଂସ କରି ସମାଜବାଦରୁ ସାମ୍ୟବାଦ ପ୍ରତିଷ୍ଠା କରିବାର ମାର୍ଗ ମହାନ ଦାର୍ଶନିକ କାର୍ଲ ମାକ୍ସ ଦେଖାଇଥିଲେ। ସେହି ମାର୍କ୍ସବାଦୀ ତତ୍ତ୍ବକୁ ଆଧାର କରି ରୁଷିଆରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବରେ ମହାନ ଲେନିନ୍ ୧୯୧୭ ମସିହାରେ ସୋଭିଏତ ରୁଷକୁ ପ୍ରଥମ ସମାଜବାଦୀ ରାଷ୍ଟ୍ର ଭାବେ ଘୋଷଣା କରି ସମଗ୍ର ବିଶ୍ବର ଶ୍ରମିକ ଶ୍ରେଣୀ ପାଇଁ ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲେ।

 

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପରେ ଷ୍ଟାଲିନଙ୍କ ନେତୃତ୍ବରେ ପୂର୍ବ ୟୁରୋପ ଦେଶମାନଙ୍କରେ ସମାଜବାଦୀ ରାଷ୍ଟ୍ରର ଜୟଯାତ୍ରା ଆଗକୁ ଆଗକୁ ବି ଚାଲିଲା। ସମଗ୍ର ବିଶ୍ବ ଦୁଇ ମହାଶିବିରରେ ପରିଣତ ହେଲା- ରୁଷିଆ ନେତୃତ୍ବରେ ସମାଜବାଦୀ ଶିବିର, ଆମେରିକା ନେତୃତ୍ବରେ ପୁଂଜିବାଦୀ ସାମ୍ରାଜ୍ୟବାଦୀ ଶିବିର। ଭାରତ ଭଳି ବିକାଶଶୀଳ, ଅନୁନ୍ନତ ଦେଶମାନେ ଉଭୟ ଶିବିରଠାରୁ ସାହାଯ୍ୟ ସହଯୋଗ ପାଇ ଆସୁଥିଲେ। ଆମ ଦେଶରେ ସ୍ବାଧୀନତା ଲାଭ ପୂର୍ବରୁ ଯେଉଁ ବୈପ୍ଳବିକ- ସାମାଜିକ-ରାଜନୈତିକ ଆନ୍ଦୋଳନ ପ୍ରୟୋଜନ ଥିଲା, ନ୍ୟସ୍ତ ସ୍ବାର୍ଥ ଶୋଷକ-ଶାସକ ଶ୍ରେଣୀର ସୁପରିକଳ୍ପିତ ଷଡ଼ଯନ୍ତ୍ର ଯୋଗୁ ତାହା ସାକାର ହେବା ସମ୍ଭବପର ହୋଇପାରିନଥିଲା।

 

ଉଗ୍ରବାଦୀମାନେ ଗଣତାନ୍ତ୍ରିକ ଆନ୍ଦୋଳନକୁ କ୍ଷତିଗ୍ରସ୍ତ କରନ୍ତି। ବିପ୍ଳବ ସଫଳ କରିବା ପାଇଁ ଧୈର୍ଯ୍ୟ ଦରକାର। ଅଧୈର୍ଯ୍ୟ ବିପ୍ଳବୀମାନେ କୌଣସି ଦିନ ବିପ୍ଲବକୁ ସଫଳ କରିନାହାଁନ୍ତି। ଅତିବିପ୍ଳବୀମାନେ ଯେତେବେଳେ ଆପଣଙ୍କୁ ଏକମାତ୍ର ସଚ୍ଚା କମ୍ୟୁନିଷ୍ଟର ଡୁଙ୍ଗୁରା ବାଡ଼ାନ୍ତି ସେତେବେଳେ ବହୁ ଉପଦଳ ସୃଷ୍ଟି ହୁଏ। ଉପଦଳମାନେ ପରସ୍ପରକୁ ଖତମ୍ କରିବା କାର୍ଯ୍ୟରେ ଅଯଥା ସମୟ ବରବାଦ କରନ୍ତି। ବିପ୍ଳବୀମାନଙ୍କର ବ୍ୟକ୍ତିବାଦ, ଅହଂକାର, ଗର୍ବ, ହାମବଡ଼ା ନୀତି ବିପ୍ଳବକୁ କ୍ଷତିଗ୍ରସ୍ତ କରେ। ବ୍ୟକ୍ତିବାଦ ଅଂହକାର ମଣିଷର ଶତ୍ରୁ। ନିଜ ଭିତର ଶତ୍ରୁକୁ ହତ୍ୟା ନକରି ବାହାର ଶତ୍ରୁ ବିରୋଧରେ ଲଢ଼ିବା ଭାରି କଠିନ। ପୁଞ୍ଜିବାଦୀ ରାଷ୍ଟ୍ରଶକ୍ତି ଏକ ଭୟଙ୍କର ବିକଟାଳ ରାକ୍ଷାସ। ତାହା ବିରୋଧରେ ଲଢ଼ିବାକୁ ହେଲେ ଶୋଷିତ ନିଷ୍ପେସିତ ଜନଗଣଙ୍କର ସଚେତନତା, ଲୌହ ଦୃଢ଼ ସାଂଗଠନିକ ଶକ୍ତି ଏକାନ୍ତ ଆବଶ୍ୟକ। ଲୁଚିଛପି କେତେଟା ଦେଶଦ୍ରୋହୀଙ୍କୁ ହତ୍ୟା କଲେ, ସଂଗେ ସଂଗେ ଶୂନ୍ୟସ୍ଥାନ ପୂରଣ ହୋଇଯାଏ। ଗଛଡାଳ ପତ୍ର ଯେତେ ଭାଙ୍ଗ, ଗଛ ମରିବ ନାହିଁ। ସଂପୂର୍ଣ୍ଣ ଚେର ଓପାଡ଼ି ଦେଲେ ହିଁ ଗଛ ମରିଯିବ। ସେହିଭଳି ଶୋଷଣମୂଳକ ପୁଞ୍ଜିବାଦୀ ବିଷ ବୃକ୍ଷର ଚେର ଉପାଡ଼ିବା ପାଇଁ ଏକମାତ୍ର ସଚେତନ, ସଂଗଠିତ, ଐକ୍ୟବଦ୍ଧ ଜନଗଣ ସକ୍ଷମ। ମାଓବାଦୀ ହୁଅନ୍ତୁ କି ବାମପନ୍ଥୀ ହୁଅନ୍ତୁ ଏକଥା ଭୁଲିଗଲେ ଚଳିବ ନାହିଁ।

 

ଆଜି ତମାମ୍ ଭାରତବର୍ଷ ଏକ ଏରକା ଅରଣ୍ୟ ଏବଂ ଭାରତୀୟ ମହାଜାତି ନବ୍ୟ ଯଦୁବଂଶରେ ପରିଣତ। ବିଶ୍ବାସହୀନତାର ବିଷାକ୍ତ ବଳୟ ମଧ୍ୟରେ ଅଟକବନ୍ଦୀ ଭାରତବର୍ଷର ଆତ୍ମା। ତା’ ମନରେ ମରଣାନ୍ତକ ମହାଦେଶର ଚାପା କାନ୍ଦଣା, ପ୍ରାଣରେ ପ୍ରାଣରେ ହତାଶାର ହାହାକାର, ଆଗକୁ ଚାଲିବାର ପଣ ଓ ରଣହୁଙ୍କାର ସବୁ ଆଜି ଆସନ୍ନ ପରାଜୟର ଆର୍ତ୍ତନାଦ। ଚାରିପଟର ଚିତ୍ରରେ କଦ୍ଦର୍ମାକ୍ତ କଳଙ୍କର କାଳିମା।

 

ଏ କଳଙ୍କ ଆଜି ଆମ ସମସ୍ତଙ୍କ ପକ୍ଷରେ ଏକ ଆତଙ୍କ, ଚରିଯାଇଛି ଶିରା ପ୍ରଶିରାରେ, ସ୍ନାୟୁ ଓ ସତ୍ତାରେ। ଦୁର୍ନୀତି, ଜାଲିଆତି, ଭ୍ରଷ୍ଟାଚାର, ଘୋଟାଲା, କେଲେଙ୍କାରୀ, ଧୋକାବାଜି, ସ୍କାମ୍ କରୁଛନ୍ତି ଥୋକେ, ମରୁଛନ୍ତି ଲୋକେ। ଏଇ ଥୋକେ ହେଲେ ଆଜିର ତଥାକଥିତ ନବ୍ୟନିୟନ୍ତା, ନେତୃବର୍ଗ ଏବଂ ତାଙ୍କରି ପୃଷ୍ଠପୋଷକତା କଳାକୁବେର ଶ୍ରେଣୀ।

 

ସଂପ୍ରତି ଦୁର୍ନୀତି ଓ ଜାଲିଆତିର କାଇଦା କଟକଣା କୌଶଳରେ ଆମେ ପୃଥିବୀର ଯେକୌଣସି ଦେଶକୁ ଟପିଯିବାକୁ ବସିଲେଣି। ୧୨୫ କୋଟି ଲୋକସଂଖ୍ୟାରେ ଭାରତବର୍ଷ ଏବେ ଅସହାୟ ହୋଇପଡ଼ିଛି। ସବୁ ଦୁର୍ନୀତି, ଜାଲିଆତିକୁ ଧରିବା ପାଇଁ ଆମେ ସୁପ୍ରିମକୋର୍ଟ, ହାଇକୋର୍ଟ, ସିବିଆଇ ପାଖରେ ଅଧିଆ ପଡ଼ୁଛୁ। ସୁପ୍ରିମକୋର୍ଟ, ହାଇକୋର୍ଟରେ ବିଚାର କରୁ କରୁ ଯୁଗ ବଦଳିଯାଉଛି। ସିବିଆଇ କେନ୍ଦ୍ର ସରକାରଙ୍କ ଅଧୀନରେ। ସିବିଆଇରେ ବି ପୁଲିସ୍ ଅଫିସର ଅଛନ୍ତି। ସରକାର ସେମାନଙ୍କ ଉପରେ ଅଙ୍କୁଶ ଲଗାଇଛନ୍ତି। ଆମ ସମ୍ବିଧାନ ଆଇନକାନୁନ ଏକ ଅଡ଼ୁଆ ସୂତା। ତାକୁ ଫିଟାଉ ଫିଟାଉ ଅପରାଧୀମାନେ ଛିଡ଼ାଇ ଦେଉଛନ୍ତି। ସୁପ୍ରିମକୋର୍ଟ/ହାଇକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ତାଙ୍କ ନିର୍ଦ୍ଦେଶକୁ ଯଦି ସରକାର ବେଖାତିର କରନ୍ତି ତା’ହେଲେ ସେ ସରକାର ବିରୋଧରେ ସୁମ୍ରିମକୋର୍ଟ ଅଙ୍କୁଶ ଲଗାଇ ପାରୁନାହାନ୍ତି। ସାକ୍ଷ୍ୟପ୍ରମାଣ ଦେଇ ନିର୍ଦ୍ଦୋଷକୁ ଦଣ୍ଡ ଦେବାର ବହୁ ଘଟଣା ଘଟିଛି। ସାକ୍ଷ୍ୟ ପ୍ରମାଣକୁ ଧମକ ଦେଇ କାଗଜପତ୍ରକୁ ଜାଲିଆତି କରି ଦୋଷୀ କୋର୍ଟରୁ ଖସିଯାଇ ଫୁଲମାଳ ପିନ୍ଧି ସମ୍ବର୍ଦ୍ଧନା ପାଉଛି।

 

ଏହା ହିଁ କ୍ରୁର ବିଡ଼ମ୍ବନା। ଦୁର୍ନୀତି ଦମନ କରିବା ପାଇଁ କୋର୍ଟ କିମ୍ବା ପ୍ରଶାସନ ଚେଷ୍ଟା ଚଳେଇଛନ୍ତି; କିନ୍ତୁ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ଅନୈତିକ ଭାବେ କ୍ଷମତାର ଅପବ୍ୟବହାର କରି ଦୁର୍ନୀତିକୁ ବାଇବାରେ ସାହାଯ୍ୟ କରୁଛନ୍ତି। ଦୁର୍ନୀତିଖୋରମାନଙ୍କୁ ପୁରସ୍କାର ଦେଉଛନ୍ତି। ଏଭଳି ହେଲେ ଦୁର୍ନୀତିର ମୂଳୋତ୍ପାଟନ ସମ୍ଭବ ହେବ କି ? ଏଠାରେ କେବଳ ରାଜନୀତିଆମାନଙ୍କୁ ସଂପୂର୍ଣ୍ଣ ଦାୟୀ କରୁନି, ଏଥିପାଇଁ ପ୍ରଚଳିତ ସମାଜ ବ୍ୟବସ୍ଥା ସଂପୂର୍ଣ୍ଣ ଦାୟୀ। ଦୁର୍ନୀତି, ଭ୍ରଷ୍ଟାଚାର, ଘୋଟାଲା, କେଲେଙ୍କରୀ, ଜାଲିଆତି, ଠକାମୀ ଯୋଗୁ ପ୍ରତି ମୁହୂର୍ତ୍ତରେ ରାଜକୋଷ ଲୁଟ ହୋଇ ଲୁଟେରାମାନଙ୍କ ସିନ୍ଧୁକ ଭର୍ତ୍ତି ହେବାରେ ଲାଗିଛି। ସେହି ସିନ୍ଧୁକକୁ ଜଗିରହିଛନ୍ତି ଆମ ସରକାରୀ ବନ୍ଧୁକଧାରୀମାନେ। ସୀମାପାର ସନ୍ତ୍ରାସବାଦ ଓ ଆତଙ୍କବାଦୀଙ୍କ ଅପେକ୍ଷା ରାଜକୋଷ ଲୁଟେରାମାନେ ଭୟଙ୍କର ଦେଶଦ୍ରୋହୀ। ଆମେ ପ୍ରତିଦିନ ଏହି ଦେଶଦ୍ରୋହୀମାନଙ୍କୁ ସଭାସମିତିରେ ଫୁଲମାଳ ଦେଇ ଅଫିସ ଦପ୍ତର ରାସ୍ତାଘାଟରେ ନମସ୍କାର ହେଉଛୁ। ଧନ୍ୟରେ ଭାରତବର୍ଷ- ଧନ୍ୟ ଭାରତବାସୀ!

 

ସବୁଠାରୁ ଆଶ୍ଚର୍ଯ୍ୟ ଆମ ଦେଶର ଦୁର୍ନୀତି ଓ ଜାଲିଆତି ଆକାଶଛୁଆଁ। ଆମ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା- ହତ୍ୟା, ନାରୀ ନିର୍ଯ୍ୟାତନା- ଶିଶୁ ମୃତ୍ୟୁ ଦ୍ରୁତଗତିରେ ବଢ଼ିଚାଲିଛି। ଆମ ଭିତରେ ଆଦିମ ଯୁଗର ପ୍ରବୃତ୍ତି ବଢ଼ିଚାଲିଚି। ତଥାପି ଆମେ ଗଣତାନ୍ତ୍ରିକ, ପ୍ରଗତିଶୀଳ ଶକ୍ତିଶାଳୀ ବୋଲି ଡିଣ୍ଡିମ ପିଟୁଛେ।

 

ଭାରତରେ ସମ୍ପ୍ରତି ଦୁର୍ନୀତି ଋତୁ ଚାଲିଛି। ଗ୍ରାମରୁ ଗ୍ରାମାନ୍ତର, ନଗରରୁ ମହାନଗର, ଦେଶରୁ ଦେଶାନ୍ତର, ଚିଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଟେକାଟିଏ ଫିଙ୍ଗିଲେ ଯେଉଁଠି ପିବ- ସେ ମାଟିରେ ମଣିଷ ଅର୍ଥ ଆଉ କ୍ଷମତା ପାଇଁ ଦୁର୍ନୀତି ଓ ଜାଳିଆତିର ଜାଲରେ ଛନ୍ଦି ହୋଇଯାଇଛନ୍ତି। ଯେଉଁ ଭୂଇଁରେ ପାଦ ପକାଇଲେ ବି ସେଠି କ୍ଷମତାନ୍ଧ ପାଗଳମାନଙ୍କ ଉଦ୍ଦଣ୍ଡ ଖେମଟା ନାଚରେ ଥଳକୂଳ ଥରହର, ଦୁର୍ବଳଙ୍କ ହାହାକାର, ଅସହାୟଙ୍କ ଆର୍ତ୍ତନାଦ, ଅର୍ଦ୍ଧାହାରୀ, ଅନାହାରୀଙ୍କ ବିକଳ କ୍ରନ୍ଦନ ଆଉ ହତାଶାର ବିକଟାଳ ରୂପ। ଆସନଲୋଭୀ ଶାସନ କଳର ଫମ୍ପା ପ୍ରଚାରରେ, ଭତ୍ତାଭୋଗୀ ବୁଦ୍ଧିଜୀବୀ ବର୍ଗର ସୌଖୀନ ସ୍ଲୋଗାନରେ, ନକଲି ନେତୃତ୍ବର ନୁଖୁରା ଆହ୍ବାନରେ ଅନେକ ବାର ପ୍ରତାରିତ ହୋଇସାରିଛି ଆମର ଏଇ ପ୍ରିୟ ଭାରତବର୍ଷ। ଅବମାନନାର ଅଜସ୍ର ଆଘାତ ମହାନ ଭାରତ ଛାତିରେ ସୃଷ୍ଟି କରିଛି ଶୋଚନୀୟ କ୍ଷତଚିହ୍ନ ସବୁ। ସେ କ୍ଷତର ଜ୍ବାଳା ନା ବୁଝିଛନ୍ତି ସରକାରୀ କଳ- ବୁଦ୍ଧିଜୀବୀ ବର୍ଗ ନା ନବ୍ୟ ଧନୀକସମାଜ ନା ଶିଳ୍ପପତି ଗୋଷ୍ଠୀ ? ଆତ୍ମସ୍ବାର୍ଥ ନ୍ୟସ୍ତ ସ୍ବାର୍ଥର ରାଜନୀତି ଆଜି ଭାରତଭୂଇଁରେ ସୃଷ୍ଟି କରିଛି ଘମାଘୋଟ ଅମାରାତ୍ରି।

 

ଏସବୁ ଭୟଙ୍କର ଦେଶଦ୍ରୋହୀ କାର୍ଯ୍ୟକଳାପରେ ସମସ୍ତେ କାନ୍ଦୁଛନ୍ତି। ସମସ୍ତେ ଟୁପୁରୁଟାପର ହେଉଛନ୍ତି- ହେଲେ ପ୍ରତିକାରର ଉପାୟ ପାଉନାହାନ୍ତି। ସୁପ୍ରିମକୋର୍ଟ- ସିବିଆଇରେ କେତେକ ଜଜ୍ ଅଫିସରଙ୍କୁ ଚାହିଁ ରହିଛନ୍ତି। ଆମେ ଚାହିଁ ଚାହିଁ ଜଳକା ପାଲଟି ଗଲେଣି। ଆଉ ମୁଣ୍ଡରେ ହାତଦେଇ ବସିଲେ ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥିବ। 120 କୋଟି ଲୋକଙ୍କ ଝାଳବୁହା ଧନ- ଟାକ୍ସ ଆକାରରେ ରାଜକୋଷକୁ ଯାଉଛି- ସେହି ରାଜକୋଷକୁ ଅଳ୍ପ କେତେଜଣ ନେତା- ବାବୁ ମିଶି ଚଳୁ କରୁଛନ୍ତି, ସେହି ଦେଶଦ୍ରୋହୀମାନଙ୍କୁ ଆମେ ସମସ୍ତେ ଏକାଠି ହୋଇ ତୁରନ୍ତ ସାବାଡ଼ କରିପାରିବା।

 

ମନେହେଉଛି ଭାରତବର୍ଷ ଆଜି ସେଇ ଚାଳିଶ ଚୋରମାନଙ୍କର ଗୁପ୍ତଗୁମ୍ଫା- ଯେଉଁଠି ଆଜିର ଆଲିବାବାଟିଏ ଭୁଲିଯାଇଛି ସିସେମ୍ ଖୋଲର ଡାକରା। ହଁ, ଡାକରା ଶୁଣାଯାଉ ରାସ୍ତାରେ, ରେସ୍ତୋରାଁରେ, କ୍ଲାସରୁମରେ, ଗ୍ଲାସ୍ ରୁମରେ, ହାଟରେ, ଘାଟରେ, ହାଣ୍ଡିଶାଳରେ। ବାର ବିଶ୍ବର ପଞ୍ଚାକ୍ଷରୀ ଗାରୁଡ଼ି ବିଦ୍ୟା ଭୁରୁଡ଼ି ଭୁଲି, ଗଣତନ୍ତ୍ରର ଗୁମ୍ଫାରୁ ରାଜନୈତିକ ଚାଳିଶ ଚୋରମାନଙ୍କ କଳା ଅର୍ଥନୀତିର ଜାଲିଆତିକୁ ଛିଣ୍ଡାଇ ନ ଦେବା ଯାକେ ଏ ଦେଶ ଓ ଜାତି ରହିଯିବ ଆଗାମୀ ଅନେକ ରାତ୍ରି ବ୍ୟାପୀ ଉତ୍ପୀଡ଼ିତ ଓ ଆତ୍ମପ୍ରବଞ୍ଚିତ।

 

ଏବେଠୁଁ ପ୍ରଶ୍ନର ଉତ୍ତର କେବଳ ବାକ୍ୟରେ ନୁହେଁ, କାର୍ଯ୍ୟରେ ଦେବାକୁ ପ୍ରାଣାନ୍ତକ ପ୍ରୟାସ ଆରମ୍ଭ ନ କଲେ ନୂଆ ସକାଳର ଆହ୍ବାନ ଅଶ୍ରୁଳ ଓ ଅଶ୍ରୁତ ହୋଇ ରହିଯିବ ଭବିଷ୍ୟତ ପାଇଁ। ଭବିଷ୍ୟତର କାଠଗାରେ ଆମେ ଭେଟିବା ଗୋଟିଏ କରୁଣ ଭାରତବର୍ଷର କଙ୍କାଳକୁ।

 

କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଓବାଦୀକୁ ଆତଙ୍କବାଦୀ - ଦେଶଦ୍ରୋହୀ ପ୍ରଚାର କରାଇ ସେମାନଙ୍କୁ ଦମନ କରିବା ପାଇଁ ସୈନ୍ୟବାହିନୀକୁ ଲଗାଇ ଦେଇଛନ୍ତି। କିନ୍ତୁ ପ୍ରକୃତରେ ଦେଶଦ୍ରୋହୀମାନେ ଫୁଲମାଳ ପିନ୍ଧି ସଭାସମିତିରେ ଦେଶପ୍ରେମର ଭାଷଣ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଭିତରେ ଦେଶଦ୍ରୋହୀମାନଙ୍କ ସଂଖ୍ୟା ଶତକଡ଼ା 90 ଭାଗ। ଦେଶରେ ପ୍ରାକୃତିକ ସଂପଦ ଓ କୋଟି କୋଟି ଲୋକଙ୍କର ରକ୍ତବୁହା ସଂପତ୍ତିକୁ ଦେଶଦ୍ରୋହୀମାନେ ଚଳୁ କରୁଛନ୍ତି। ଏମାନଙ୍କୁ ବାଛିବାଛି ସୈନ୍ୟବାହିନୀ ଗୁଳିକରି ହତ୍ୟାକଲେ - ଦେଶ ଠିକ୍ ବାଟକୁ ଆସିବ। ମାଓବାଦୀ ସମସ୍ୟା ଭଳି ଅନେକ ଜୀବନ୍ତ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ।

 

ଯାଜପୁର ରୋଡ୍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top