ରାତିର କବିତା

News Story - Posted on 2017-05-18

ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

 

ସ୍ମୃତିଜହ୍ନ ଚାଲିଗଲା ପରେ

ନୀରବ ନୀରବ ରାତି ଭାରି ନିଛାଟିଆ

ପଲ୍ଲବେ ପଲ୍ଲବେ ଭରା ଆମନ୍ତ୍ରଣ ନିବିଡ ତମିରେ

ମୁଁ ଏକୁଟିଆ...ଖୁବ୍ ଏକୁଟିଆ !

 

ସ୍ମୃତି ମରେ ରାତି ମରେ ପାହାନ୍ତିଆ କାକର ଟୋପାରେ,

ଏ ପାରିରୁ ଭାସିଯାଇ ଜହ୍ନ ବି ତ ସେ ପାରିରେ ମରେ!

କାହାକୁ ବା ଖୋଜେ ମୁଁ ଯେ ପାଉଁଶ ଭିତରେ?

 

ପାଲଟି ଯାଆନ୍ତି ହେଲେ ନିଶବ୍ଦ ରାତିଟେ,

ଅଂଧାରେ ନିଶ୍ଚିହ୍ନ ଅବା କରନ୍ତି ନିଜକୁ।

କରନ୍ତି ମୁଁ ଆବିଷ୍କାର ନୂଆ ଆଲୋକର

ମାୟାମୁକ୍ତ କାୟା ମୋର ଅଂଧାରରେ ମିଶିବା ବେଳକୁ।

 

କେଉଁ ଏକ କୁହୁକ ବେଳାରେ

ଲକ୍ଷେ ପ୍ରଜାପତି ମତେ ଛୁଇଁଗଲା ପରେ

କିଏ ଥାଏ ଦିଗନ୍ତର ସୀମାରେଖା ପାରେ?

ମେଘମଖା ମୁଲାଏମ ନୀଳ ଅଂଧାରରେ

ଅପହଂଚ ଇଲାକା ସେ କୁହୁକ ବେଳାରେ

କାହିଁକି ବା ଡାକେ ମତେ ନିତି ସପନରେ?

 

ଅତୀନ୍ଦ୍ରିୟ ଉଚ୍ଛ୍ବାସରେ ମୁଁ ଯେବେ ଉତ୍ତାଳ

ସପନ ମୋ ଆଲୋକରେ ହୁଏ ଶତଫାଳ।

ତୁଟିଯାଏ ତନ୍ଦ୍ରା ଆଉ ଫେରେନା ଆଖିରେ

ସାରାରାତି ଜହ୍ନ ମତେ ଉପହାସ କରେ।

 

ଯାଜପୁର ରୋଡ଼, ଯାଜପୁର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top