ପ୍ରେମିକା ବୀରାଙ୍ଗନା!

News Story - Posted on 2017-05-18

ଜୀବନରେ ଯାହା ଘଟେ କଳାରେ ତାହା ଚିତ୍ରିତ ହୁଏ। ଏହା ଏକ ବହୁ ପ୍ରଚଳିତ କଥା। ସେଥିପାଇଁ ଅନେକ ବଲିଉଡ଼ ଫିଲ୍ମରେ ଆପଣ ଦେଖିଥିବେ ଘର ଲୋକଙ୍କ ଆକଟ ନମାନି ପ୍ରେମିକମାନେ ପ୍ରେମିକାକୁ ଅପହରଣ କରି ବାହା ହୋଇଥାଏ। ପୁରାଣରେ ମଧ୍ୟ ଏମିତି ଅନେକ କାହାଣୀ ରହିଛି। ତେବେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କୁ ଅପହରଣ କରିବା କଥା କେବେ ଶୁଣିଛନ୍ତି? ତାହା ପୁଣି ବାହା ବେଦିରୁ?

 

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲା ମୌଦାହା ଟାଉନରେ ଏମିତି ଏକ ଘଟଣା ଘଟିଛି। ପ୍ରେମିକ ବେଦିରେ ବସି ବାହା ହେଉଥିବାବେଳେ ପ୍ରେମିକା ପିସ୍ତଲ ହସ୍ତେ ସେଠାରେ ପହଂଚି ତାଙ୍କୁ ଏକ ଏସୟୁଭିରେ ଅପହରଣ କରିନେଇଛନ୍ତି।

 

ପୁଲିସ ସୂଚନା ଅନୁସାରେ ଅଶୋକ ଯାଦବ ଜଣେ ଡାକ୍ତରଙ୍କ କ୍ଲିନିକରେ କାମ କରନ୍ତି। ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେମାନେ ପରସ୍ପରକୁ ବିବାହ କରିବାକୁ ଶପଥ ନେଇଥିଲେ।

 

କିନ୍ତୁ କିଛି ଦିନ ପରେ ଅଶୋକଙ୍କ ପରିବାର ଲୋକେ ତାଙ୍କର ବାହାଘର ହମିରପୁର ଭବାନୀପୁର ଗାଁର ଅନ୍ୟ ଜଣେ ଝିଅ ସହିତ ସ୍ଥିର କରିଦେଲେ। ଏହା ପରେ ଅଶୋକ ଆଉ ପୂର୍ବ ପ୍ରେମିକା ସହିତ ଯୋଗାଯୋଗ ରଖିଲା ନାହିଁ। ସେ ଫେସବୁକ ଓ ହ୍ୱାଟସଆପ ମେସେଜର ଉତ୍ତର ବି ଦେଲାନି।

 

ଏହା ଭିତରେ ଗତ ସୋମବାର ରାତିରେ ମୌଦାହାରେ ବରଯାତ୍ରୀ ପହଂଚିଥିଲେ ଓ ଅଶୋକର ମାଙ୍ଗଳିକ କାର୍ଯ୍ୟ ଚାଲିଥିଲା। ବାହାଘର ମଝିରେ ଠିକ ତା’ର ପୂର୍ବତନ ପ୍ରେମିକା ଏକ ଏସ୍‌ୟୁଭି ଗାଡ଼ିରେ ଆଉ କେଇ ଜଣ ଲୋକଙ୍କୁ ଧରି ପହଂଚିଲା ଓ ପିସ୍ତଲ ଧରି ସିଧାସଳଖ ବେଦିରେ ଯାଇଁ ବରବେଶରେ ଥିବା ଅଶୋକକୁ ସାମ୍ନା କଲା।

 

‘ପ୍ୟାର‌୍‍ ମୁଝସେ କିୟା ଔର ଶାଦି କିସି ଔର ସେ କରୋଗେ, ୟହ ହମ‌୍‍ ବରଦାସ୍ତ ନେହି କରେଙ୍ଗେ।’ କହିଲା ଯୁବତୀ ଏବଂ ଅଶୋକର କଲାର‌୍‍ ଧରି ତାକୁ ଘୋଷାଡ଼ି ନେଇ ଗାଡ଼ିରେ ବସାଇ ଚମ୍ପଟ ମାରିଲା।

 

ଏହା ପରେ ଯଥାରୀତି ପୁଲିସ ଆସିଲା, ତଦନ୍ତ କଲା ଓ ଅଶୋକର ସାନ ଭାଇକୁ ଗିରଫ କଲା। ପୁଲିସର ବିଶ୍ୱାସ ଯେ ଏହା ବୋଧେ ଏକ ଅପହରଣ ନାଟକ ଥିଲା! ନହେଲେ ଏତେ ଲୋକଙ୍କ ସାମ୍ନାରୁ ଜଣେ ଯୁବତୀ କେମିତି ଜଣେ ବୟଃପ୍ରାପ୍ତ ଯୁବକକୁ ଅପହରଣ କଲା? କେହି ରୋକିଲେ ନାହିଁ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top