ମା’ ହେଲେ ମିଳିବ କ୍ଷତିପୂରଣ!

News Story - Posted on 2017-05-18

ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି। ଏହା ଦେଶର ପ୍ରତ୍ୟେକ ଜିଲାରେ ୧.୧.୨୦୧୭ରୁ ପିଛିଲା ଭାବେ ଲାଗୁ କରାଯିବ। ୩୧.୧୨.୨୦୧୬ରେ ଦେଶକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ।

 

ମାତୃତ୍ୱ ଲାଭ କାର୍ଯ୍ୟକ୍ରମରେ ଶ୍ରମ ହାନି ପାଇଁ କ୍ଷତିପୂରଣ ବାଦରେ ନଗଦ ଅର୍ଥ ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ସହିତ ଉଚିତ ପୋଷଣରୁ ବଂଚିତ ହେବେ ନାହିଁ। ୧.୧.୨୦୧୭ ରୁ ୩୧.୩.୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିବା ଏହି ପ୍ରସ୍ତାବରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଂଶ ମିଶି ମୋଟ ୧୨,୬୬୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ୭୯୩୨ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଅଂଶ ବାବଦକୁ ଦିଆଯିବ।

 

ଶ୍ରମ ହାନି କ୍ଷେତ୍ରରେ ନଗଦ ଅର୍ଥ ପ୍ରଦାନ କରାଗଲେ ଜଣେ ଗର୍ଭବତୀ ମହିଳା ନିଜର ପ୍ରଥମ ଶିଶୁର ପ୍ରସବ ପୂର୍ବରୁ ଏବଂ ପରେ ନିଜର ଯତ୍ନ ନେଇପାରିବେ ଏବଂ ଆବଶ୍ୟକ ବିଶ୍ରାମ କରିପାରିବେ। ପ୍ରଦାନ କରାଯାଉଥିବା ନଗଦ ଅର୍ଥ ପ୍ରୋତ୍ସାହନ ଦ୍ୱାରା ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କର କୁପୋଷଣ ପ୍ରଭାବ ହ୍ରାସ ପାଇବ।

 

ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ ଯେଉଁମାନେ କେନ୍ଦ୍ର ଏବଂ ରାଜ୍ୟ ସରକାର, ସାର୍ବଜନୀନ କ୍ଷେତ୍ରରେ ନିୟମିତ ରୋଜଗାର କରୁଥିବେ କିମ୍ୱା ଆଇନଗତ ଭାବେ ସମାନ ସୁବିଧା ପ୍ରାପ୍ତ କରୁଥିବେ, ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ କରାଯିବ। ଯୋଜନା ଅନୁଯାୟୀ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ତାଙ୍କ ପ୍ରଥମ ଜୀବନ୍ତ ସନ୍ତାନ ପାଇଁ ତିନୋଟି ପର୍ଯ୍ୟାୟରେ ଏମଡବ୍ଲୁସିଡି ଦ୍ୱାରା ୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ମାତୃତ୍ୱ ଲାଭ ସୁବିଧା ଅଧୀନରେ ବର୍ତ୍ତମାନର ଅନୁମୋଦନ ଅନୁସାରେ ସଂସ୍ଥାଗତ ପ୍ରସବ ପାଇଁ ଥିବା ଆର୍ଥିକ ସୁବିଧା ପ୍ରଦାନ କରାଯିବ ଯାହାଦ୍ୱାରା ଜଣେ ମହିଳା ୬ ହଜାର ଟଙ୍କା ପାଇବେ।

 

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ଯୋଗ୍ୟ ବିବେଚିତ ମା’ଙ୍କୁ ତିନୋଟି ପଯ୍ୟାର୍ୟରେ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଗର୍ଭାବସ୍ଥାର ପ୍ରାରମ୍ଭିକ ପଂଜୀକରଣ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗର୍ଭଧାରଣର ୬ ମାସ ପରେ ପରୀକ୍ଷଣ କଲେ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଶିଶୁ ଜନ୍ମର ପଂଜୀକରଣ, ଶିଶୁ ଜନ୍ମ ପରେ ବିସିଜି, ଓପିଭି, ଡିପିଟି ଏବଂ ହେପାଟାଇଟିସ-ବି ଏବଂ ବିକଳ୍ପ ବା ସମାନ ଟୀକା ପ୍ରଦାନ କରାଯାଇଥିଲେ ଆଉ ୨ ହଜାର ଟଙ୍କା ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରାଯିବ।

 

ଏହାବ୍ୟତୀତ ସଂସ୍ଥାଗତ ପ୍ରସବ ପାଇଁ ପ୍ରଚଳିତ ମାତୃତ୍ୱ ଲାଭ ସୁବିଧା ଅଧୀନରେ ଥିବା ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଏହି ଅର୍ଥ ଡିବିଟି ପଦ୍ଧତିରେ ଦିଆଯିବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top