ବିକାଶର ନଗ୍ନ ନମୁନା!

News Story - Posted on 2017-05-17

ସୂର୍ଯ୍ୟମଣି ମିଶ୍ର

 

ବିକାଶର ନଦୀ ବହୁଛି। କିନ୍ତୁ ଏହି ନଦୀ ଶୁଖିଯାଇଛି, ଅର୍ଥାତ୍ ଏହି ବିକାଶ ନଦୀରେ ପାଣି ନାହିଁ। ପ୍ରଧାନମନ୍ତ୍ରୀ ଆଦର୍ଶ ଯୋଜନା ମାଧ୍ୟମରେ ବିକାଶ ଗାଁ ବାଟ ଦେଇ ସହରରେ ପହଞ୍ଚିବ ବୋଲି ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରାମୀଣ ଭାରତବାସୀଙ୍କୁ ପ୍ରତିବଦ୍ଧତାର ପ୍ରତିଶ୍ରୁତି ଦେଇଥିଳେ। କିନ୍ତୁ ନା ଗାଁର ବିକାଶ ନଦୀରେ ବିକାଶର ସ୍ରୋତ ପ୍ରବାହିତ ହେଉଛି ନା ସହରରେ? ସବୁଠି ଶୁଖିଲା ଶୁଖିଲା ଲାଗୁଛି। କଳାବାଳ ଏବଂ କଳାଧନ ସମୟ ଆସିଲେ ଧଳା ହୋଇଯାଏ। ବୋଧହୁଏ ଏହି ପ୍ରକ୍ରିୟା ନୀତି ଅନୁଯାୟୀ ସମୟ ଆସିଲେ ବିବାଶ ଆପେ ଆପେ ଆସିଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସହଯୋଗୀ ଓ ସହକର୍ମୀ ମତ ଦେଉଛନ୍ତି। ଭୀମ‍୍‌ଆପ‍୍‌ ପରେ ଦୁର୍ଯ୍ୟୋଧନଆପ‍୍‌ କେବେ ଆସିବ ଓ ଏହି ବାଟ ଦେଇ ଯୁବବର୍ଗ ବିକାଶର ସ୍ୱରୂପକୁ ଦେଖିବେ ବୋଲି ଅନେଇ ରହିଛନ୍ତି। ଏହି ସମୟରେ ମୋଦିଭକ୍ତମାନେ ଯୁବବର୍ଗଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସହ ଆଉ ଏକ ଶବ୍ଦ ଯୋଡ଼ି ଆହ୍ୱାନ ଦେଉଛନ୍ତି, ଉଠ, ଜାଗ ବିକାଶର ସ୍ୱାଦୁ ଚାଖିବା ଯାଏଁ ଲାଇନ‍୍‌ରେ ଠିଆହୋଇ ରହିଥାଅ।

 

ସୂଚନା ଅନୁଯାୟୀ, ଭାରତର ଏକ ପ୍ରତିଶତ ଲୋକଙ୍କ ପାଖରେ ଦେଶର ମୋଟ ସଂପଦର ୫୮.୪ ପ୍ରତିଶତ ରହିଛି। ଆଉ ୧୦ ପ୍ରତିଶତ ମହାଧନୀଙ୍କୁ ମିଶାଇଲେ ଦେଶର ମୋଟ ସଂପଦର ୮୦.୭ ପ୍ରତିଶତ ସଂପତ୍ତି ଏହି ମହାଧନୀଙ୍କ କବ‍୍‌ଜାରେ ରହିଥିବା ସ୍ପଷ୍ଟ ହୁଏ। ଦେଶରେ ବିକାଶ ଠାରୁ ନିମ୍ନରେ ଥିବା ୫୦ ପ୍ରତିଶତ ଲୋକ ଦେଶର ମୋଟ ସଂପଦରେ ଏମାନଙ୍କର ଭାଗିଦାରିତା ମାତ୍ର ଏକପ୍ରତିଶତ। ପ୍ରତିଦିନ ଦେଶରେ ୯ ହଜାର ଶିଶୁ ଅପପୁଷ୍ଟି ଓ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ୟୁନିସେଫ୍ର ରିପୋର୍ଟ ଅନୁଯାୟୀ ଅପପୁଷ୍ଟିର ଶିକାର ହେଉଥିବା ବିଶ୍ୱର ମୋଟ ଶିଶୁଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଭାରତ। ଏହିପରି ଦେଶରେ ୫୦ ପ୍ରତିଶତ ମହିଳା ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ। ୧ ଫେବୃଆରୀ ୨୦୧୭ ଦେଶର ବଜେଟ‍୍‌ ସଂସଦରେ ଆଗତ ହେବା ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ପେସ‍୍‌ କରାଯାଇଥିଲା। ଏହି ରିପୋର୍ଟରେ ସରକାର ସ୍ୱୀକାର କରିଛନ୍ତି ଯେ, ପ୍ରତିବର୍ଷ ହାରାହାରି ୯୦ ଲକ୍ଷ ଲୋକ ଖାଦ୍ୟ, ବସ୍ତ୍ର ଭଳି ମୌଳିକ ଆବଶ୍ୟକତା ପୂରଣ ପାଇଁ ଘର ଛାଡ଼ି ସ୍ଥାନାନ୍ତର ହେଉଛନ୍ତି। ଦେଶର ୩୬ କୋଟିରୁ ଅଧିକ ଲୋକ ବସ୍ତିର ଝୁମ୍ପୁଡ଼ିରେ ଏବଂ ଫୁଟପାଥରେ ରହୁଛନ୍ତି। ଏମାନଙ୍କ ପାଇଁ ଘର ସାତ ସପନ। ମୋଦି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୫ରୁ ୨୦୨୨ ମଧ୍ୟରେ ୨କୋଟି ଘର ନିର୍ମାଣ କରାଯିବ। ପ୍ରତିବର୍ଷ ହାରାହାରି ୩୦ ଲକ୍ଷ ଘର ନିର୍ମାଣ କରାଯାଇ ଗୃହହୀନଙ୍କୁ ଘର ଯୋଗାଇ ଦିଆଯିବ। ଜୁଲାଇ ୨୦୧୬ରେ ସରକାରୀ ରିପୋର୍ଟ ଉପରେ ଆଖି ପକାଇଲେ ଯେଉଁ ସୂଚନା ମିଳେ ତାହା ହେଲା ଏହି ସମୟ ମଧ୍ୟରେ ମାତ୍ର ୧୯,୨୫୫ ଘର ନିର୍ମାଣ ଶେଷ ହୋଇଛି।

 

ଏହିପରି ସରକାରଙ୍କର ପ୍ରତିଶ୍ରୁତି ଥିଲା ପ୍ରତିବର୍ଷ ଦୁଇକୋଟି ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ। ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଦେଶରେ ୩୦ କୋଟିରୁ ଅଧିକ ଯୁବବର୍ଗ ବେକାର। ଏହି ସମୟରେ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ନିଜର ପ୍ରତିଶ୍ରୁତି ତ ପାଳନ କରିପାରିନାହାନ୍ତି, ଅନ୍ୟ ପକ୍ଷରେ ରେଳ ଷ୍ଟେସନକୁ ଘରୋଇକରଣ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶର ହବିବ‍୍‌ ଗଞ୍ଜ ରେଳ ଷ୍ଟେସନକୁ ପ୍ରଥମକରି ଘରୋଇକରଣ କରାଯାଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ୪୦୦ ରେଳଷ୍ଟେସନକୁ ପ୍ରାଇଭେଟ‍୍‌-ପବ୍ଲିକ୍-ପାର୍ଟନର‍୍‌ସିପ‍୍‌ (ପିପିପି)କରିବେ। ଏହା ମଧ୍ୟରେ ସରକାରୀ ଶିକ୍ଷାକ୍ଷେତ୍ରକୁ ବ୍ୟବସାୟୀକରଣ ଓ ଘରୋଇକରଣ ମୁହାଁ କରାଯାଉଛି। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ୧୧ ପ୍ରତିଶତ ଫିସ‍୍‌ ବୃଦ୍ଧି ଏହାର ଏକ ଉଦାହରଣ। ହୁଏତ ଏହି ଫିସ‍୍‌ ବୃଦ୍ଧିକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସରକାର ଏହି ବିରୋଧକୁ ଦମନ କରିବାକୁ ଯାଇ ୫୮ ଛାତ୍ରଛାତ୍ରୀଙ୍କ ନାମରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ବିରୋଧ ଆହୁରି ଜୋର‍୍‌ ଧରିବାରୁ ଶେଷରେ ଏହି ମାମଲାକୁ ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ତେବେ ସରକାରଙ୍କ ନୀତିରେ ପରିବର୍ତ୍ତନ ହୋଇନାହିଁ। ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବକୁ ଦୂର କରାଯାଉନାହିଁ। ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବା ପାଇଁ ଅର୍ଥ ବରାଦ କରାଯାଉନାହିଁ। ବରଂ ଶିକ୍ଷା କ୍ଷେତ୍ରରୁ ଅର୍ଥ କାଟ‍୍‌ କରାଯାଉଛି।

 

ଦେଶରେ ଆଉ ଯେଉଁ ପ୍ରତିକୁଳ ଚିତ୍ରଟି ଦେଖିବାକୁ ମିଳୁଛି ତାହା ହେଲା, ଅସ୍ତ୍ରଶସ୍ତ୍ର ବେପାର। ଏହି ବେପାରରେ ଆମେରିକା ଭଳି ସାମ୍ରାଜ୍ୟବାଦୀ ରାଷ୍ଟ୍ରର ପୁଞ୍ଜିପତିମାନଙ୍କୁ ମୁନାଫା ଗୋଟାଇବା ପାଇଁ ଦେଶର ବଜାରକୁ ମୁକୁଳା କରାଯାଇଛି। ଏଇଠି ଅଟକିନି ପୁଞ୍ଜିପତିଙ୍କ ବେପାର। ତେଲ ଓ ଗ୍ୟାସ‍୍‌ ବେପାର ସହ ଆଦାନିଙ୍କ ଭଳି ପୁଞ୍ଜିପତିଙ୍କୁ ଯୋଡ଼ି ଦିଆଯାଇଛି। ଦରଦାମ‍୍‌ ବୃଦ୍ଧି ଓ ବେକାର ବୃଦ୍ଧି ଉପରେ ସରକାରଙ୍କର ଲଗାମ‍୍‌ ନାହିଁ। ସରକାର ପ୍ରତିଶ୍ରୁତି ଦେଇଥିଲେ ଶାସନକୁ ଆସିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦରଦାମ‍୍‌ ହ୍ରାସ ହେବ। କିନ୍ତୁ  ଏହା ପାଳନ କରିପାରିନାହାନ୍ତି। ତେଣୁ ନିଜର ବିଫଳତାକୁ ଢାଙ୍କିବା ପାଇଁ ଫାସିଷ୍ଟ୍ ଧର୍ମକୁ ଆପଣେଇଥିବା ମନେହୁଏ। ଫାସିଷ୍ଟର ଧର୍ମ ହେଲା ଭେଦଭାବ ଆଧାରରେ ସାଧାରଣ ନାଗରିକଙ୍କୁ ବିଭାଜିତ କରିବା। ଜନଗଣ ବିଭାଜିତ ହେଲେ ମତ ଏକ ହେବନାହିଁ। ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରାଯାଇପାରିବନାହିଁ। ସରକାର ଚତୁରତାର ସହିତ ଏହି ବିଭେଦତାର ନୀତିକୁ ନକଲି ରାଷ୍ଟ୍ରଭକ୍ତି, ଦଙ୍ଗା, ହତ୍ୟା, ମାଡ୍ପିଟ‍୍‌ ଭଳି ବିନାଶକାରୀ ଖେଳକୁ ଆପଣେଇଛନ୍ତି।

 

ଦୀର୍ଘ ୨୫ରୁ ୨୬ ବର୍ଷ ହେଲା ଦେଶରେ କେତେବେଳେ ମନ୍ଦିର ନିର୍ମାଣ, କେତେବେଳେ ଲଭ୍ ଜେହାଦୀ, କେତେବେଳେ ଗୋ ସୁରକ୍ଷା, କେତେବେଳେ ତଥାକଥିତ ଦେଶଦ୍ରୋହ ବନାମ‍୍‌ ଦେଶଭକ୍ତି ନାମରେ ଉନ୍ମାଦ ପରିସ୍ଥିତି ସୃଷ୍ଟି କରାଯାଉଛି। ପୁଞ୍ଜିପତିବର୍ଗ ନିଜ ସଂକଟରୁ ବର୍ତ୍ତିବା ପାଇଁ ହିଟଲର ଓ ମୁସୋଲିନଙ୍କ ଫାସିଜିମ‍୍‌ ଫର୍ମୁଲାକୁ ଆପଣେଇଥାନ୍ତି। ଆଜି ଦିନରେ ପୁଞ୍ଜିପତି ଶ୍ରେଣୀ ଏହି ଫର୍ମୁଲାକୁ ଭାରତରେ ଆପଣେଇଛନ୍ତି। ପୁଞ୍ଜିପତି ବର୍ଗଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ସରକାର ଭଳି ଆଜିର ବିଜେପି ନେତୃତ୍ୱାଧୀନ ସରକାର ଉଦାରୀକରଣ ଅର୍ଥନୀତି ମାଧ୍ୟମରେ ପୁଞ୍ଜିପତିବର୍ଗର ପୁଞ୍ଜିର ମୁନାଫା ପାଇଁ ସୁରକ୍ଷିତ ପରିବେଶ ତିଆରି କରିଛନ୍ତି। ଫଳରେ ଦେଶର ବିକାଶର ଯେଉଁ ପର୍ବ ସରକାର ପାଳନ କରୁଛନ୍ତି ତାହା କେବଳ ପୁଞ୍ଜିପତିବର୍ଗଙ୍କ ହିତ ପାଇଁ ଓ ଦେଶର ୭୦ ପ୍ରତିଶତ ଲୋକଙ୍କ ଅହିତ ପାଇଁ କାର୍ଯ୍ୟକାରୀ କରାଯାଉଛି। ଧର୍ମ, ନକଲି ଦେଶପ୍ରେମ ଏବଂ ମିଛ ମୋକଦ୍ଦମା ମାଧ୍ୟମରେ ପୁଞ୍ଜିବାଦୀ ଲୁଟର ରାସ୍ତାକୁ ସୁଗମ କରାଯାଉଛି। ପୁଲିସ ଦମନ, ଜବରଦଖଲ, ବେକାରି, ଦରଦାମ‍୍‌ ବୃଦ୍ଧି ଭଳି ସମସ୍ୟାକୁ ନେଇ ଦେଶର ୯୦ ପ୍ରତିଶତ ଲୋକ ଶିକାର ହେଉଛନ୍ତି। କିନ୍ତୁ ଏହି ୯୦ ପ୍ରତିଶତ ଲୋକଙ୍କୁ ପରସ୍ପର ମଧ୍ୟରେ ଧର୍ମ, ଜାତି ବା ସାମ୍ପ୍ରଦାୟିକତ ଭିତ୍ତିରେ ବିଭାଜିତ କରାଯାଉଛି। ମାତ୍ର ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ୯୦ ପ୍ରତିଶତ ଲୋକଙ୍କ ସଂପତ୍ତିକୁ ଲୁଟ‍୍‌ କରୁଛନ୍ତି। ୯୦ ପ୍ରତିଶତ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ମନ୍ଦିର ଓ ମସ‍୍‌ଜିଦ‍୍‌, ଧାର୍ମିକ ବିବାଦ ଓ ସଂସ୍କୃତି ନାମରେ ବିଭେଦତାର ମଞ୍ଜି ବୁଣାଯାଇଛି। କିନ୍ତୁ ପୁଞ୍ଜିପତିବର୍ଗର ଏହି ବିଭେଦତାର ବିଷମଞ୍ଜିବୁଣାର କାରଣକୁ ୯୦ ପ୍ରତିଶତ ଲୋକ ବୁଝିପାରୁନାହାନ୍ତି। ଫଳରେ ଏହି ସଂଖ୍ୟକ ଲୋକ ଶୋଷଣ ଏବଂ ନିର୍ଯାତନାର ଶିକାର ହେଉଛନ୍ତି।

 

ଆଜି ଦିନରେ ସରକାରୀ ଦଳରେ ଥିବା ନେତାଙ୍କ ଆର୍ଥିକ, ସାମାଜିକ ଓ ସାମ୍ପ୍ରଦାୟିକ ନୀତିକୁ ବୁଝିବାର ସମୟ ଆସିଛି। ଯୁବବର୍ଗ ଟିଭି ଚାନେଲରେ ପ୍ରସାରିତ ଖବରକୁ ବିଶ୍ୱାସକୁ ନେବା ପରିବର୍ତ୍ତେ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ଉଚିତ୍ ହେବ। ଏହିପରି ଧର୍ମର ଠିକାଦାର, ନେତା ଓ ମନ୍ତ୍ରୀଙ୍କ ଭ୍ରମଜାଲରୁ ବାହାରି ଆସି ପ୍ରକୃତ ସତ୍ୟର ସନ୍ଧାନ କରିବାର ସମୟ ଆସିଛି। ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବାସ୍ତବ ପ୍ରସଙ୍ଗକୁ ନେଇ ଏକାଠି ହେବାର ସମୟ ଆସିଛି। ଏକାଠି ହେଲେ ହିଁ ପୁଞ୍ଜିବାଦୀ ଶୋଷଣର ପାଚେରୀକୁ ଭଙ୍ଗାଯାଇପାରିବ। ଆଜି ଦିନରେ ଯୁବବର୍ଗ ସରକାରଙ୍କୁ ପ୍ରଶ୍ନ ପଚାରିବା ଉଚିତ ଓ ଉତ୍ତର ଆଣିବା ପ୍ରାସଙ୍ଗିକ ହେବ। ସରକାରଙ୍କ ପାଇଁ ପ୍ରଶ୍ନ ଧର୍ମ ମଣିଷ ତିଆରି କରିଛି ନା ଭଗବାନ? ପୁଞ୍ଜିପତିଙ୍କ ଧନ ବଢୁଛି କିପରି ?  ଅନ୍ଧ ବିଶ୍ୱାସ ଅତୁଟ ରହିଛି କାହିଁକି ? ବୈଜ୍ଞାନିକ ଚେତନାର ବିକାଶ ହେଉନି କାହିଁକି? ହିନ୍ଦୁ, ମୁସଲିମ‍୍‌, ଶିଖ୍, ଖ୍ରୀଷ୍ଟିଆନ‍୍‌ଙ୍କ ଭିତରେ ଥିବା ମୌଳବାଦୀକୁ ସରକାରୀ ପ୍ରୋତ୍ସାହନ ମିଳୁଛି କି ନାହିଁ? ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ‍୍‌ ହ୍ରାସ ଘଟୁନି କାହିଁକି? ଯୁବବର୍ଗଙ୍କୁ ମିଳିଛି କେତେ ସଂଖ୍ୟକ ନିଯୁକ୍ତି? ଗଙ୍ଗା ମା’ କେବେ ହେବେ ସ୍ୱଚ୍ଛ? ବୁଲେଟ‍୍‌ ଟ୍ରେନ‍୍‌ର କେତୋଟି କୋଚ‍୍‌ର ନିର୍ମାଣ ଶେଷ ହେଲାଣି? ମେକ୍ ଇନ‍୍‌ ଇଣ୍ଡିଆର ପରିଣାମ କ’ଣ? କେତେ ଦାଗୀ ନେତା ଜେଲ‍୍‌ ଗଲେଣି? ସ୍ମାର୍ଟ ଅଫ୍ ଇଣ୍ଡିଆର ସ୍ଥିତି କ’ଣ? ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କେତେ ଗାଁ ଖୁସିରେ ଅଛନ୍ତି? ବିଦେଶରୁ କେତେ କଳାଧନ ମିଳିଛି? ନୋଟ ବନ୍ଦୀ ଦ୍ୱାରା ଆତଙ୍କବାଦ ଓ ନକ୍ସଲବାଦ କେତେ ନିୟନ୍ତ୍ରଣ ହୋଇଛି। ପାର୍ଟି ନାଁରେ  କଳାଧନ ଅର୍ଜନକାରୀ କେତେଜଣ ନେତା ଜେଲ‍୍‌ ଗଲେଣି? କେତେ ସ୍କୁଲ, କଲେଜ ଓ ହସ୍ପିଟାଲ ସରକାର ଖୋଲିଛନ୍ତି? କୃଷକ ଓ ଆତ୍ମହତ୍ୟା କେତେ ବନ୍ଦ୍ ହୋଇଛି? କେତେ ନଦୀ ସଂଯୋଗ ହେଉଛି? ବ୍ୟାଙ୍କର  ଅଚଳ ସମ୍ପତ୍ତି କେତେ ସଚଳ ହୋଇଛି। ପୁଞ୍ଜିପତିବର୍ଗ ବ୍ୟାଙ୍କରୁ ଋଣ ନେଇ ଫେରାଉନାହାନ୍ତି କାହିଁକି? କାହିଁକି ଅର୍ଥନୈତିକ ଅସମତା ବଢି ଚାଲିଛି। ଏହା କ’ଣ ବିକାଶର  ନିଚ୍ଛକ ସ୍ଥିତି ଓ ସ୍ୱରୂପ? ଏହି ପ୍ରଶ୍ନର ଉତ୍ତର ଖୋଜିବା ଆଜି ଦିନରେ ସବୁଠୁ ବଡ଼ ପ୍ରସଙ୍ଗ ହେବା ଉଚିତ୍ ନିଶ୍ଚୟ।

 

ଭିଆଇପି ସଂସ୍କୃତି ଅସୁସ୍ଥ ମୂଲ୍ୟବୋଧର ବାର୍ତ୍ତା ଦିଏ। ଅହଂକାର ଆଣିଥାଏ। ଏହି ସମୟରେ ଶାସକଶ୍ରେଣୀ ମୁହଁରୁ ଶୁଣିବାକୁ ମିଳିଥାଏ, ଚାଷୀ ବିଦ୍ନପର ପାତ୍ର, ଆଉ ଯୁବବର୍ଗ ଅଳସୁଆ। ଯାହା ଆଜିଦିନରେ ଶାସକ ଶ୍ରେଣୀ ପାଖରୁ ଦେଖିବାକୁ ମିଳୁଛି। ହଜିଯାଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଚେତନା। ସବୁଠି ବିକାଶ ଖୋଜା ଚାଲିଛି। ବିକାଶ ଆଉ ମାତ୍ର ହାତ ପାଆନ୍ତାରେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ହିନ୍ଦୁ ରାଷ୍ଟ୍ରବାଦର ଜୟ ଜୟକାର କରୁଥିବା ଏବଂ ଧର୍ମନିରପେକ୍ଷ ରାଷ୍ଟ୍ରକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆଗଭର ଆତ୍ମଘୋଷିତ ଦେଶଭକ୍ତମାନେ ଶୁଣାଇଚାଲିଛନ୍ତି।

 

ଭୁବନେଶ୍ୱର, ସଂପର୍କ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top