ମାଓବାଦ- ଏକ କୁହୁଳା ନିଆଁର ନାଁ!

News Story - Posted on 2017-05-17

ମାୟାଧର ନାୟକ

 

ଭାରତବର୍ଷର ବିପ୍ଳବର ଇତିହାସରେ ନକ୍ସଲବାଦୀ ଆନ୍ଦୋଳନ ଗୋଟାଏ କୁହୁଳା ନିଆଁର ନାଁ ଯାହା ଆଜି ବି ଛପି ରହିଛି ପାଉଁଶ ତଳେ। ପୁଣି କେବେ କେବେ ସେହି ପାଉଁଶ ତଳର ନିଆଁ ତା’ର ଝୁଲର ଜିହ୍ବା ବିସ୍ତାର କରି ଆତଙ୍କର ଝଲକ ସୃଷ୍ଟି କରିଚାଲିଛି ଆମର ସୁପରିଚିତ ସାମାଜିକ ବେଷ୍ଟନୀ ମଧ୍ୟରେ। ଏ ନିଆଁର ନିର୍ବାପନ ସେତେଦିନ ଯାଏ ଅସମ୍ଭବ, ଯେତେଦିନ ଯାଏ ଆମର ଏ ଶୋଷିତ, ବିକୃତ, ବିକଳାଙ୍ଗ, ଆତ୍ମବିଭକ୍ତ, ବିଖଣ୍ଡିତ ଓ ଭୋଗବାଦୀ ସମାଜ ବ୍ୟବସ୍ଥା କାଏମ ରହିଛି।

  

ସଂପ୍ରତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କର ବିରୋଧୀ ଦଳକୁ ଯେତେ ଭୟ ନାହିଁ; ମାଓବାଦୀମାନଙ୍କୁ ପ୍ରବଳ ଭୟ। ସରକାର ପାହା ଉପରକୁ ଯେଉଁ ଟେକା ଫିଙ୍ଗୁଛନ୍ତି- ତାହା ପଥର ହୋଇ ଫେରିଆସି ସରକାରୀ କଳ-ଦଳ ଉପରେ ପ୍ରଚଣ୍ଡ ଆଘାତ ଦେଇ ଘାଏଲ୍ କରି ପକାଉଛି। ଛାନିଆରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଓବାଦୀମାନେ ଦେଶଦ୍ରୋହୀ ବୋଲି ରଡି ଛାଡୁଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର ରାଜକୋଷରୁ ଲକ୍ଷଲକ୍ଷ କୋଟି ଟଙ୍କା ବରବାଦ ହେଉଛି। ସ୍ଥଳ, ଆକାଶ, ଜଳ ପର୍ଯ୍ୟନ୍ତ ଅର୍ଦ୍ଧ ସାମରିକ ବାହିନୀଠାରୁ ଆରମ୍ଭ କରି ଗ୍ରାମରକ୍ଷୀମାନଙ୍କୁ ନିୟୋଜିତ କରାଯାଉଛି। ସମର ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବାସ୍ତବରେ ଦେଶଦ୍ରୋହୀ କେଉଁମାନେ? ମାଓବାଦୀମାନେ ନା ରାଜକୋଷ ଲୁଟେରାମାନେ? ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଦରକାର। ପ୍ରକୃତରେ ଯିଏ ଦେଶଦ୍ରୋହୀ, ଜନଦ୍ରୋହୀ ସେମାନଙ୍କୁ ଜନ ଦରବାରରେ ଫାସି ବଦଳରେ ଗୁଳିକରି ମାରିଦେବା କିମ୍ବା ବେକ ପର୍ଯ୍ୟନ୍ତ ମାଟିରେ ପୋତି ମୁଣ୍ଡରେ ଚିନି ବୋଳି ଦେଇ ଜନ୍ଦା, ପିମ୍ପୁଡ଼ିଙ୍କ ପାଇଁ ଆହାର କରିଦେବା ଆବଶ୍ୟକ। ଏସବୁ ସମସ୍ୟାର ଚେର ଖୋଜି ବସିଲେ ଆମକୁ ଅଦୂର ଭବିଷ୍ୟତରେ ତଦାରଖ କରିବାକୁ ପଡ଼ିବ ସୁଇସ୍‌ ବ୍ୟାଙ୍କର ଗୁପ୍ତ ଆକାଉଣ୍ଟ- ଯେଉଁଠି ଭାରତବର୍ଷର କଳଙ୍କିତ କୁଳାଙ୍ଗାରମାନେ କୋଟିକୋଟି କଳାଟଙ୍କା ଠୁଳ କରି ମୂଳପୋଛ କରିସାରିଛନ୍ତି ଏ ଦେଶର ଅର୍ଥନୀତିକୁ ! ଏହି ଠୁଳକାରୀ କୁଳପାଂଶୁଳ ବାହିନୀ ଭାରତବର୍ଷର ରାଜନୀତି, ଶିଳ୍ପବାଣିଜ୍ଯଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରକୁ କବଳିତ କରିସାରିଲେଣି। ଏମାନେ ହିଁ ଆମର ଶତ୍ରୁ। ଏଣୁ ଏମାନେ ପଣସ ଖାଇବେ ଆଉ ମାଓବାଦୀଙ୍କ ମୁଣ୍ଡରେ ଅଠା ବୋଳାଯିବ- ଇଏ କି କଥା!

 

ମାଓବାଦୀ ସମସ୍ୟା ବଡ଼ ସମସ୍ୟା ନୁହେଁ। ଏହାଠାରୁ ଆହୁରି ବଡ଼ ବଡ଼ ସମସ୍ୟା ଦେଶରେ ଲାଗି ରହିଛି।

 

ମାଓବାଦୀଙ୍କୁ ପୁଲିସ୍ ଦମନ କରି ପାରୁନି ବୋଲି ସୈନ୍ୟବାହିନୀକୁ ଡକାଯାଉଛି। ଏହାଦ୍ବାରା ଏକ ମାରାତ୍ମକ ଭୁଲ ସରକାର କରିବାକୁ ଯାଉଛନ୍ତି। ସୈନ୍ୟବାହିନୀ ପ୍ରତି ଦେଶବାସୀଙ୍କ ସମର୍ଥନ ରହିଛି। ସେମାନେ ଦେଶର ବହିଃଶତ୍ରୁ ବିରୋଧରେ ଯୁଦ୍ଧ କରନ୍ତି। ସୈନ୍ୟବାହିନୀର ଟ୍ରେଂନି ଅଲଗା-ପୋଲିସ୍ ଟ୍ରେନିଂ ମଧ୍ୟ ଅଲଗା। ସୈନ୍ୟବାହିନୀ ସମ୍ମୁଖ ଯୁଦ୍ଧରେ ମରିବା ଅପେକ୍ଷା ମାରିବାରେ ବେଶି ଦକ୍ଷ। ପୁଲିସ ଶେଷ ପର୍ଯ୍ୟନ୍ତ ନ ମାରି ଅପରାଧୀକୁ ଧରିବାକୁ ଚେଷ୍ଟାକରେ। ଅତି ବିପଦ ପଡ଼ିଲେ ଗୁଳି ଚଳାଏ। ସୈନ୍ୟବାହିନୀ ଯଦି ଦେଶର ଲୋକ ମାଓବାଦୀଙ୍କୁ କେବଳ ହତ୍ୟା କରେ ତା’ହେଲେ ସାଧାରଣ ଲୋକଙ୍କ ଭିତରେ ରହୁଥିବା ମାଓବାଦୀଙ୍କୁ ହୁଏତ ମାରି ନପାରି ନିରୀହ ଲୋକଙ୍କୁ ମାରିଲେ ସମସ୍ୟା ଗୁରୁତର ହେବାକୁ ବାଧ୍ୟ। ସୈନ୍ୟବାହିନୀ ଯଦି ପୁଲିସର ଭୂମିକା ନିଏ ତା’ହେଲେ ଯୁଦ୍ଧ ସମୟରେ ମାରିବା ଅପେକ୍ଷା ବେଶି ମରିବା ହିଁ ସାର ହେବ। ସୈନ୍ୟବାହିନୀ ପ୍ରତି ଦେଶବାସୀଙ୍କ ଆସ୍ଥା କମିବ। ତେଣୁ ସୈନ୍ୟବାହିନୀକୁ ମାଓବାଦୀ ଦମନରେ ନ ଲଗାଇ ଦେଶ ରକ୍ଷାପାଇଁ ରିଜର୍ଭ ରଖାଯାଉ। କେବଳ ବନ୍ୟା, ସୁନାମୀ, ଭୂମିକମ୍ପ, ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ଲଗାଇଲେ ଦେଶବାସୀଙ୍କ ଶ୍ରଦ୍ଧା ସୈନ୍ୟବାହିନୀ ପ୍ରତି ବଢ଼ିବ। ସରକାର ଦୂରଦୃଷ୍ଟିର ସହ ଏସବୁ କଥା ବିଚାରକୁ ନିଅନ୍ତୁ।

 

ମାଓବାଦୀ ସଂପର୍କରେ କିଛି ଆଲୋକପାତ କରୁଛି। ନକ୍ସଲପନ୍ଥୀର ଉତ୍ତରଣ ମାଓବାଦୀ। 1967ରୁ 2010 ଦର୍ୀଘ 43 ବର୍ଷର ସଶସ୍ତ୍ର ସଂଗ୍ରାମ ବହୁ ସ୍ଥାନରେ ବ୍ୟର୍ଥ ହେଲେ ବି ଏ ଗଣସମର ବୃଥା ନୁହେଁ। 1967 ମସିହାରୁ ପଶ୍ଚିମବଙ୍ଗର ନକ୍ସଲବାଡ଼ି ଗାଁରୁ ଯେଉଁ ସଶସ୍ତ୍ର ବିପ୍ଳବ ଆରମ୍ଭ ହୋଇଥିଲା ବହୁ ଉତ୍ଥାନ ପତନ,ଦ୍ବନ୍ଦ୍ବ, ସଂଘାତ, ପୁନର୍ଗଠନ ଓ ନବୀକରଣ ମଧ୍ୟ ଦେଇ ଆଜି ଏହା ଧାରାବାହିକ ଭାବେ ଚାଲିଛି। ନକ୍ସଲପନ୍ଥୀମାନେ ବହୁସଂଖାରେ ବିଭକ୍ତ ହୋଇଛନ୍ତି। କେତେକ ବ୍ୟକ୍ତିକୈନ୍ଦ୍ରିକ, କେତେକ କାଗଜକଲମରେ ଏବଂ ଆଉ କେତେକ ସଂସଦୀୟ ଗଣତନ୍ତ୍ର ଗଣ୍ଡି ଭିତରେ ଆପଣାର ପରିଚୟ ଜାହିରି କରିବାରେ ବ୍ୟସ୍ତ। ଆଜି ମାଓବାଦୀ ସନ୍ତ୍ରାସ ନେଇ କେନ୍ଦ୍ର ଓ 13ଟି ରାଜଞର ଆଖିକୁ ନିଦ ନାହିଁ।

 

1970 ମସିହାରେ ଏଇ ଲେଖକଙ୍କର ରେଭେନ୍ସା କଲେଜ ପୋଷ୍ଟ ଗ୍ରାଜୁଏଟ ହଷ୍ଟେଲର ଏକରୁମରେ ନକ୍ସଲ ଆନ୍ଦୋଳନର ଆଦିଗୁରୁ ଚାରୁ ମଜୁମଦାରାଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା। ଶିକ୍ଷା ବ୍ୟବସ୍ଥାର ବିକଳ୍ପ ସନ୍ଧାନ ପାଇଁ ସାମ୍ରାଜ୍ୟବାଦୀମାନଙ୍କ ବୋଲକରା ମନିଷୀମାନଙ୍କ ମୂର୍ତ୍ତି ଭାଂଗିବା, ସ୍କୁଲ କଲେଜରେ ଗୋଲାମୀ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆତଙ୍କ ସୃଷ୍ଟି କରି ଭଂଗାଭଂଗି କରିବା, ସମାଜକୁ ବଦଳାଇବା ପାଇଁ ସାମ୍ରାଜ୍ୟବାଦୀ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥାକୁ ସଶସ୍ତ୍ର ବିପ୍ଳବ ମାଧ୍ୟମରେ ପରିବର୍ତ୍ତନ କରିବା ପ୍ରମୁଖ ବିଷୟରେ ଆଲୋଚନାରେ ମଁୁ ସନ୍ତୁଷ୍ଟ ହୋଇପାରି ନଥିଲି। ଜନଗଣଙ୍କୁ ସଚେତନ କରି ଦୃଢ଼ ସାଂଗଠନିକ ଗଣଭିତ୍ତି ପ୍ରତିଷ୍ଠା ନହେଲା ପର୍ଯ୍ୟନ୍ତ ସଶସ୍ତ୍ର ବିପ୍ଳବ ଦ୍ବାରା ରାଷ୍ଟ୍ର ବ୍ୟବସ୍ଥାର ପରିବର୍ତ୍ତନ ଅସମ୍ଭବ ବୋଲି ଚାରୁବାବୁଙ୍କୁ କହିଥିଲି। ସେ ମୋ କଥାରେ ସମ୍ମତି ପ୍ରକାଶ କରି ନଥିଲେ କି ମଁୁ ତାଙ୍କ ପଥରେ ଯିବାକୁ ରାଜି ହୋଇନଥିଲି।

 

ସଂପ୍ରତି ଓଡ଼ିଶାରେ ମାଓବାଦୀ ଆନ୍ଦୋଳନର ଚର୍ଚ୍ଚା ଚାରିଆଡ଼େ ଚାଲିଛି। ୟା’ ଭିତରେ ସରକାର ଇସ୍ପାତ କାରଖାନା, ପାୱାରପ୍ଲାଂଟ, ଆଲୁମିନିୟମ୍ ପ୍ଲାଣ୍ଟ, ବନ୍ଦର ଓ ବିଶ୍ବ ସ୍ତରୀୟ ବିଶ୍ବିଦ୍ୟାଳୟ ପ୍ରମୁଖ ପ୍ରତିଷ୍ଠା ପାଇଁ ଦେଶୀ-ବିଦେଶୀ କମ୍ପାନୀମାନେ ପାଖାପାଖି 9 ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏସବୁ କାରଖାନାମାନଙ୍କ ପାଇଁ ଏବଂ ଖଣିପାଇଁ ପାଖାପାଖି 70 ହଜାର ଏକର ଜମି ଦଖଲ କରିବେ। ଏହି ଜମିଗୁଡ଼ିକ ଚାଷୀ, ଆଦିବାସୀମାନଙ୍କର ଏବଂ ବନଜ-ଖଣିଜ ଅଞ୍ଚଳର ଜମି।

 

ପୁରୀ-କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ା ପ୍ରମୁଖ ଜିଲ୍ଲାରେ ଚାଷୀ ବିଶେଷ କରି ଆଦିବାସୀମାନଙ୍କୁ ଉଚ୍ଛେଦ କରାଯାଇ କମ୍ପାନୀମାନଙ୍କୁ ଜମି ଦଖଲ ଦେବାକୁ ସରକାରୀ କଳ ଲାଗିପଡ଼ିଛି। ଯାହାଫଳରେ ବହୁ ସ୍ଥାନରେ ସଶସ୍ତ୍ର ଆନ୍ଦୋଳନ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଏହିସବୁ ପ୍ରତିରୋଧ ଆନ୍ଦୋଳନକୁ ମୂଳରୁ କୌଣସି ଦଳ କିମ୍ବା ନେତା ନେତୃତ୍ବ ଦେଇ ନାହାଁନ୍ତି। ପଶ୍ଚିମବଙ୍ଗର ସିଂଗୁର, ନନ୍ଦୀଗ୍ରାମ ଭଳି ଏସବୁ ସ୍ଥାନରେ ସ୍ବତସ୍ଫୂର୍ତ୍ତ ପ୍ରତିରୋଧ ଆନ୍ଦୋଳନ ଚାଲିଛି। ଏଇସବୁ ଆନ୍ଦୋଳନ ଭିତରେ ମାଓବାଦୀମାନେ ପଶିଯାଇ ତାହାକୁ ସୁଦୃଢ଼ କରିଛନ୍ତି, ଏଥିରେ ସନ୍ଦେହ କରିବାର କିଛିନାହିଁ। ଯଦି ନିୟମଗିରି ପାହାଡ଼ରୁ ଆଦିବାସୀମାନେ 20 କେଜି ଆମ୍ବ ମାତ୍ର 5 ଟଙ୍କାରେ ବେପାରୀମାନଙ୍କୁ ବିକନ୍ତି ଏବଂ ସେଇ ଆମ୍ବ ବେପାରୀମାନେ ବଜାରରେ କିଲୋ 25ରୁ 30 ଟଙ୍କାରେ ବିକି ଲାଭବାନ ହୁଅନ୍ତି ତେବେ ମାଓବାଦୀମାନେ ଆଦିବାସୀଙ୍କ ସ୍ବାର୍ଥ ପାଇଁ ଲଢ଼ିଲେ କ୍ଷତି କ’ଣ ?

 

ଆଦିବାସୀ ଯୁବକ-ଯୁବତୀମାନେ ମାଓବାଦ ପ୍ରତି ଆକୃଷ୍ଟ କାହିଁକି? ଆନ୍ଧ୍ର, ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ଆଦିବାସୀ ଇଲାକାଗୁଡ଼ିକ ଜଂଗଲ ପାହାଡ଼ ଅଞ୍ଚଳରେ ରହିଥିବାରୁ ସରକାରୀ କଳର ଅର୍ଥ ସେଠାରେ ଖର୍ଚ୍ଚ ନକରି ପଡିରହୁଛି। ସରକାର ସେ ସବୁ ଦୁର୍ଗମ ଅଞ୍ଚଳକୁ ଯିବାକୁ ରାଜି ନୁହଁନ୍ତି। ସେ ଅଞ୍ଚଳରେ ଯଦି ଲୋକଙ୍କୁ ମ୍ୟାଲେରିଆ ଜ୍ବର କିମ୍ବା ଝାଡାବାନ୍ତି ରୋଗ ହୁଏ, ପ୍ରଥମେ ମାଓବାଦୀମାନେ ପହଞ୍ଚି ଔଷଧ ଦେବା ଓ ଚିକିତ୍ସା କରିବା ଆରମ୍ଭ କରିଦିଅନ୍ତି। ସରକାରଙ୍କର କାନକୁ କଥା ଯାଏ ନା, ଗଲେ ମଧ୍ୟ ସରକାର ଶୁଣି ନ ଶୁଣିଲା ଭଳି ବ୍ୟବହାର କରନ୍ତି। ଫଳରେ ମାଓବାଦୀମାନଙ୍କ ପ୍ରତି ଆଦିବାସୀମାନଙ୍କର ସ୍ନେହଶ୍ରଦ୍ଧା ବଢିଯାଏ। ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକଳାପ ସେ ସବୁ ସ୍ଥାନରେ ଆରମ୍ଭ କରିଦିଅନ୍ତି। ଆଦିବାସୀ ଯୁବସଂପ୍ରଦାୟ ପ୍ରଶିକ୍ଷଣ ପାଇଁ ଲଢ଼େଇରେ ଜୀବନ ଦେବାକୁ ପଛାନ୍ତି ନାହିଁ।

 

ବାସ୍ତବରେ ଆଦିବାସୀମାନଙ୍କୁ ମାଓବାଦୀ ଆଖ୍ୟାଦେଇ ନିର୍ମୁଳ କରିବାର ଉଦ୍ଦେଶ୍ୟ ହେଉଛି ଯୁଗଯୁଗ ଧରି ଜଙ୍ଗଲ ଖଣିଜ ଅଞ୍ଚଳରେ ଆଦିବାସୀମାନେ ବସବାସ କରୁଛନ୍ତି। ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କ ମୁନଫା ପାଇଁ ସରକାର ଖଣି ଜଙ୍ଗଲ ଦଖଲ ଦେବାପାଇଁ ଆଦିବାସୀକୁ ହତ୍ୟା କରିବାପାଇଁ ପଛାଉ ନାହାଁନ୍ତି।

 

ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର, ଛତିଶଗଡ଼, ଝାରଖଣ୍ଡ ପ୍ରମୁଖ ରାଜ୍ୟରେ ନିର୍ବାଚିତ ସରକାର ପୁଲିସ୍, ସି.ଆର.ପି.ଏଫ., ଅର୍ଦ୍ଧସାମରିକ ବାହିନୀ ଦେଇ ଲକ୍ଷଲକ୍ଷ କୋଟି ଟଙ୍କାରେ ରାଜକୋଷ ଖାଲି କରି ଜମିମାଲିକ, ଆଦିବାସୀଙ୍କୁ ଉଚ୍ଛେଦ କରି ଯେଉଁ ଶିଳ୍ପପତିଙ୍କୁ ଟେକି ଦେଉଛି ସେ ଜମିର ମାଲିକ ସରକାର ନୁହେଁ। ଗରୀବ-ମଧ୍ୟବିତ୍ତ ଚାଷୀ, ଆଦିବାସୀ, ହରିଜନବର୍ଗ ହିଁ ତାହାର ପ୍ରକୃତ ମାଲିକ। ଯେହେତୁ ରାଷ୍ଟ୍ର ସଶସ୍ତ୍ର, ଜନଗଣଙ୍କ ଟିକସ୍ ଟଙ୍କା ଖର୍ଚ୍ଚ କରି ମଣିଷ ମାରିବା ପାଇଁ ଲାଇସେନସ୍ ଦେଇଛି- ସେଥିପାଇଁ ମାଓବାଦୀମାନେ ଯେସାକୁ ତେସା ନୀତି ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି। ଏକବିଂଶ ଶତାବ୍ଦୀରେ ଆଉ ଧନୁତୀର, ତେଂଟା-ବର୍ଚ୍ଛା ଧରି ଲଢ଼ିବା ସମ୍ଭବ ହେଉନଥିବାରୁ ସେମାନେ ବି ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କରିବାକୁ ପଛଉ ନାହାଁନ୍ତି। ପ୍ରସେସନ୍, ବିକ୍ଷୋଭ, ଧାରଣା ଦେଇ ଭିଟାମାଟି ରକ୍ଷାକରିବା ମାଓବାଦୀମାନଙ୍କର ବିଶ୍ବାସ ନାହିଁ। ଆଦିବାସୀମାନଙ୍କୁ ମାଓବାଦୀ ଆଖ୍ୟାଦେଇ ଶିଶୁବୃଦ୍ଧବୃଦ୍ଧାମାନଙ୍କୁ ମାଓବାଦୀ ଆଖ୍ୟାଦେଇ ଜେଲରେ ଭର୍ତ୍ତି କରାଯାଉଛି। ଆଦିବାସୀମାନେ କାହିଁକି ଗଣତନ୍ତ୍ରକୁ ବିଶ୍ବାସ କରିବେ ?

 

ଏବେ ମାଓବାଦୀମାନେ ବିଭିନ୍ନ ରାଜ୍ୟର ଭୌଗୋଳିକ ଅବସ୍ଥାନ, ସାମାଜିକ, ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଦୋଳନ କରୁଛନ୍ତି। ଛତିଶଗଡ଼ରେ ସରକାରୀ ଗୁଣ୍ଡାବାହିନୀ ସାଲୁଆ ଜୁଡମ୍ ସଂଗେ ଯେଉଁ ମାଓବାଦୀମାନେ ଲଢୁଛନ୍ତି ପଶ୍ଚିମବଙ୍ଗ ଲାଲଗଡ଼ରେ ଲଢୁଥିବା ମାଓବାଦୀମାନଙ୍କ କର୍ମକାଣ୍ଡର ଫରକ ଅଛି। ଓଡ଼ିଶାରେ ମଧ୍ୟ ମାଓବାଦୀମାନଙ୍କ କାର୍ଯ୍ୟକଳାପ ଅନ୍ୟ ରାଜ୍ୟର ମାଓବାଦୀମାନଙ୍କ ଅପେକ୍ଷା ସାମାନ୍ୟ ଭିନ୍ନ। ତା’ସତ୍ତ୍ବେ ସବୁରାଜ୍ୟର ମାଓବାଦୀମାନଙ୍କ ମଧ୍ୟରେ ସମନ୍ବୟ ରହିଛି। ବେଳେବେଳେ ମାଓବାଦୀମାନଙ୍କ ସନ୍ତ୍ରାସରେ ସାଧାରଣ ଲୋକ ବଳି ପଡ଼ିଲେ, ଜନଗଣ ଦୁଃଖ ପାଆନ୍ତି। କିନ୍ତୁ ରାଜକୋଷ ଲୁଟେରାମାନଙ୍କୁ ଶୁଳିରେ ଚଢାଇଲେ ଲୋକେ ମନେମନେ ଖୁସି ହୁଅନ୍ତି- ପ୍ରକାଶ୍ୟରେ ହାଲ୍ଲା କରନ୍ତି ନାହିଁ। ଯେଉଁଦିନ ଦେଶଦ୍ରୋହୀ ମନ୍ତ୍ରୀ, ଅଫିସର, ଶିଳ୍ପପତିମାନଙ୍କୁ ସଂହାର କରିବେ ସେଦିନ କ’ଣ ହେବ ଏବେଠୁ କହିହେବନି।

 

ମାଓବାଦୀଙ୍କ ସଶସ୍ତ୍ର ବିପ୍ଳବର ମୂଳଲକ୍ଷ୍ୟ କ’ଣ ? ସେମାନେ ସମାଜବାଦ ପ୍ରତିଷ୍ଠାପାଇଁ ଜୀବନକୁ ପଣ ଲଗାଇ ଦେଇଛନ୍ତି ? ବର୍ତ୍ତମାନ ଭାରତବର୍ଷରେ ପୁଞ୍ଜିବାଦୀ ଶୋଷଣମୂଳକ ସମାଜ ବ୍ୟବସ୍ଥା ଚାଲିଛି। ଏହି ବ୍ୟବସ୍ଥା ବିରୋଧରେ ବାମପନ୍ଥୀମାନେ କାହିଁ କେବେଠୁଁ ସଂଗ୍ରାମ ଆରମ୍ଭ କରି ଏ ପର୍ଯ୍ୟନ୍ତ ସଫଳ ହୋଇପାରୁ ନାହାଁନ୍ତି। ବଂର କମ୍ୟୁନିଷ୍ଟ ଦଳମାନେ ବହୁ ଉପଦଳରେ ବିଭକ୍ତ ହୋଇ ନିଜନିଜ ବିରୋଧରେ ସଂଗ୍ରାମରତ ଯାହାର ପ୍ରଚୁର ଫାଇଦା ନେଉଛନ୍ତି ପୁଞ୍ଜିପତିଶ୍ରେଣୀ।

 

ସାମ୍ରାଜ୍ୟବାଦୀ ବ୍ରିଟିଶର 200 ବର୍ଷ ଗୋଲାମୀ ଖଟିଲା ପରେ ଦୀର୍ଘ 63 ବର୍ଷ ଧରି ସ୍ବାଧୀନ ଭାରତବର୍ଷର କୋଟି କୋଟି ମେହେନତୀ ଜନଗଣ ଏବେବି ପରୋକ୍ଷ ଭାବେ ଗୋଲାମୀରୁ ମୁକ୍ତ ନୁହଁନ୍ତି। ସମଗ୍ର ପୃଥିବୀ ହେଉ କିମ୍ବା ଓଡ଼ିଶା ହେଉ - ଯେଉଁଠି ଅନ୍ୟାୟ ଅତ୍ୟାଚାର, ଶୋଷଣ କଷଣ, ଜୁଲମ-ଅବିଚାର, ବ୍ୟଭିଚାର ନିର୍ଯ୍ୟାତନା ହୋଇଛି, ସେଠି ଅଶାନ୍ତି ଅସନ୍ତୋଷର ବହ୍ନି ବିଭିନ୍ନ ରୂପ ନେଇ ସମାଜଜୀବନରେ ଭୟଙ୍କର ବିସ୍ଫୋରଣ ଘଟାଇଛି। ଭାରତବର୍ଷରେ ଏଇ ବିସ୍ଫୋରଣର ଅନ୍ୟତମ ବହ୍ନିମାନ ଶିଖା ନକ୍ସଲବାଦୀ ଆନ୍ଦୋଳନ। କମ୍ୟୁନିଷ୍ଟ ଆନ୍ଦୋଳନର ମୂଳଉତ୍ସରୁ ବିଚ୍ୟୁତି ଘଟିବାରୁ ତଥାକଥିତ ସାମ୍ୟବାଦୀଙ୍କଠାରୁ ଏମାନେ ଦୂରେଇଯାଇ ସଶସ୍ତ୍ର ବିପ୍ଳବର ପଥ ବାଛିନେଇଥିଲେ ଯାହା ଆଜି ବି ଦିଗହରା, ଦିଶାହରା ହୋଇ କୌଣସି ନା କୌଣସିଠାରେ ଘୂର୍ଣ୍ଣିଝଡ଼ ସୃଷ୍ଟି କରୁଛି। (କ୍ରମଶଃ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top