ମୃତ୍ୟୁର ଉପତ୍ୟକା- ଶାନ୍ତି କେବେ?

News Story - Posted on 2017-05-16

ରବି କାନୁନ୍‌ଗୋ

 

କେଇ ଦିନ ତଳେ ଛତିଶଗଡ଼ ସୁକ‌୍‍ମା ଜିଲ୍ଲା ବୁରକାପାଲ ଜଙ୍ଗଲରେ ମାଓବାଦୀମାନେ ଅଚାନକ ଆକ୍ରମଣ କରି ୨୫ ସିଆରପିଏଫ‌୍‍ ଜବାନଙ୍କ ହତ୍ୟା କରିଥିଲେ। ସେମାନଙ୍କ ଆକ୍ରମଣରେ ଆହୁରି ଛଅ ଜଣ ସଙ୍କଟାପନ୍ନ ହୋଇଥିଲେ। ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ଏଠି ମାଓବାଦୀଙ୍କ ସହିତ ଲଢ଼େଇ କରୁ ନ ଥିଲା- ଅଗମ୍ୟ ଅରଣ୍ୟରେ ରାସ୍ତା ତିଆରି କରୁଥିଲା।

 

ଏ କାଣ୍ଡ ଏତେ ନାରକୀୟ ଯେ ତାହା ମର୍ମନ୍ତୁଦ ଏବଂ ଅବର୍ଣ୍ଣନୀୟ। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଯେତେ ଦମ୍ଭରେ ନିନ୍ଦା କରିବା ସମ୍ଭବ, କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଛତିଶଗଡ଼ ପରିଦର୍ଶନରେ ଆସିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ସହୀଦଙ୍କ ବଳିଦାନ ବ୍ୟର୍ଥ ହେବାର ନୁହେଁ। ୨୦୧୪ରେ ଏନ‌୍‍ଡିଏ ସରକାର ଗଠନ ପରେ ସନ୍ତ୍ରାସବାଦୀ ଦେଶରେ ଆକ୍ରମଣ ବଢ଼ିଚି ସିନା, କମିବା ନାଁ ନେଉନାହିଁ। ସରକାରୀ ପ୍ରୟାସ କେବେ ସାର୍ଥକ ହେବ, ସେ କଥା ପ୍ରଧାନମନ୍ତ୍ରୀ ବା ଆଉ କେହି ନେତା କହିନାହାଁନ୍ତି। ଅଭ୍ୟାସଗତ ଭାବେ ଆମେ ଲକ୍ଷ୍ୟ କରିଛୁ ଯେ ଭାରତରେ ସରକାର ସହୀଦ ତିଆରି କରନ୍ତି ଓ ବିପ୍ଳବୀମାନେ ସରକାରୀ ନିଷ୍କ୍ରିୟତାରୁ ହିଁ ସୃଷ୍ଟି ହେଉଥା’ନ୍ତି।

 

ଭାରତରେ ମାଓବାଦୀ ସନ୍ତ୍ରାସ ପ୍ରାୟ ତିରିଶ ବର୍ଷ ଧରି ଭୟାନକ ରୂପ ନେଇ ସାରିଲାଣି। କଥିତ ବିପ୍ଲବୀମାନେ ରାଷ୍ଟ୍ରର ପତନ ଚାହାଁନ୍ତି। ସେମାନଙ୍କ ଆଦର୍ଶ ବା ବିପ୍ଳବର ଗତିପଥ କ’ଣ, ସବୁ ଆଲୋଚନା ଅନୁମାନରେ ଚାଲିଛି। ସରକାର ଓ ସନ୍ତ୍ରାସୀଙ୍କ ଭିତରେ ଯୋଗାଯୋଗ ସ୍ଥାପନ ହୋଇପାରିନି!

 

ଏପ୍ରିଲ ୬, ୨୦୦୮ ଓଡ଼ିଶା ସମେତ ଛଅ ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକରେ ତତ‌୍‍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ, ନକ୍ସଲବାଦ (ମାଓବାଦ) ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠୁ ବଡ଼ ଆହ୍ୱାନ। ଆଜି ବି ଅବସ୍ଥା ତହୁଁ ବଳି ବିପଦ ସୃଷ୍ଟି କରୁଛି।

 

ଯେଉଁ ‘ଭାରତ’କୁ ସରକାରଙ୍କର ପ୍ରବେଶ କମ‌୍‍, ସେଗୁଡ଼ିକ ହିଁ ମାଓବାଦୀଙ୍କ ଟାର୍ଗେଟ ଏରିଆ। ମାଓବାଦୀ ସଂଘର୍ଷ ସହିତ ଏକା ସାଙ୍ଗରେ ସହରୀ ଓ ଅଣସହରୀ- ଏମିତି ଦି’ଟା ଇଣ୍ଡିଆ ବି ତିଆରି ଚାଲିଛି। ସରକାର ଜଡ଼ଭୂତ ଭାବେ ସହରୀ। ଅଣ-ସହରୀ ଇଣ୍ଡିଆକୁ ଶାନ୍ତିରେ ପ୍ରବେଶ କଲାବେଳେ ସରକାର ପାଇଁ ହୁଏତ ସାଙ୍ଗରେ ପୁଲିସ ଦରକାର ପଡେ଼ କିମ୍ୱା ନିଜେ ଉପିାତ କରିବାକୁ ସେ (ସରକାର) ସେଠକୁ ଯା’ନ୍ତି। ଏପରି ସମସ୍ୟା ସହରୀ ଇଣ୍ଡିଆରେ ଖୁବ କମ ଘଟେ।

 

ପ୍ରଧାନମନ୍ତ୍ରୀ ଗତ ବର୍ଷ ନଭେମ୍ୱର ୮ ଦିନ ‘ବିମୁଦ୍ରୀକରଣ’ ଘୋଷଣା କଲାବେଳେ ଏଥିରୁ ଯେତେ ‘ସୁଫଳ’ ମିଳିବ ବୋଲି କହିଥିଲେ, ତହିଁରେ ଥିଲା ପ୍ରମୁଖ ଥିଲା କଳାଧନ ଲୋପ ଓ ସନ୍ତ୍ରାସବାଦର ସଂପୂର୍ଣ୍ଣ ନିରାକରଣ।

 

କଳାଧନ କଥା କ’ଣ ତାହା ଭିନ୍ନ ପ୍ରସଙ୍ଗ, ମାତ୍ର ପ୍ରମାଣିକ ସୂତ୍ରରେ ସନ୍ତ୍ରାସବାଦର ରୂପ ଯେମିତି ଉଗ୍ର ହେଲାଣି ସେଥିରେ ଲୋକେ ସରକାରକୁ ବିଶ୍ୱାସ କରିବେ ନା ଅବିଶ୍ୱାସ? 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top