ନାମଲେଖା ଋତୁ- ସକ୍ରିୟ ଦଲାଲ!

News Story - Posted on 2017-05-16

ହେମାଙ୍ଗ ପ୍ରସାଦ ରାଉଳ

 

ଶିକ୍ଷାଦାନ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥାଇ ମଧ୍ୟ ବେସରକାରୀ କଲେଜଗୁଡ଼ିକ ବେଲଗାମ‌୍‍ ଭାବେ ଚାଲିଛି। ବାରମ୍ୱାର ଖବରକାଗଜରେ ପ୍ରକାଶ ପାଇବା ପରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଏବଂ ଉକ୍ତ କଲେଜଗୁଡ଼ିକ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ପଛରେ ରହସ୍ୟ କ’ଣ ତାହା ଏକ ବିରାଟ ପ୍ରଶ୍ନବାଚୀ।

 

ବ୍ରହ୍ମପୁର ସହର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବହୁ ବେସରକାରୀ ଯୁକ୍ତ ୨ କଲେଜ‌୍‍ ରହିଥିବା ବେଳେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶରେ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ନାହିଁ। ତଥାପି ଏମାନେ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା ପ୍ର୍ରତିଶ୍ରୁତି ଦେଇ ଭିତ୍ତିଭୂମି ଥିବା ଦର୍ଶାଇ ନାମ ଲେଖାଇବା ପାଇଁ ପ୍ରବର୍ତ୍ତାଉଛନ୍ତି। ସେହିଭଳି ସମର‌୍‍ କୋର୍ସ ନାମରେ ଅଭିଭାବକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିଜ କଲେଜ‌୍‍କୁ ଡ଼ାକିଆଣି ପିଲାମାନଙ୍କୁ ଶିକ୍ଷା ନାମରେ ବିମୋହିତ କରି ମାସେକାଳ ଅତି ଯତ୍ନ ସହକାରେ ରଖି ପରବର୍ତ୍ତି ସମୟରେ ଏମାନଙ୍କୁ ଜିଆ ପକାଇ କେରାଣ୍ଡି ଧରିବା ନୀତିରେ ଶୋଷଣ କରି ଚାଲିଥାନ୍ତି। ଅଭିଭାବକମାନେ ଏସବୁକୁ ନଦେଖି ତାଙ୍କର ଚତୁର କଥାରେ ବିମୋହିତ ହୋଇ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପଠାଇଥାନ୍ତି। କିନ୍ତୁ ପରବର୍ତ୍ତ ସମୟରେ ଛାତ୍ରଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ଏବଂ ଉପାୟଶୂନ୍ୟ ହୋଇ ବସୁଛନ୍ତି। ଅଧିକ ଫିସ‌୍‍ ଦେଇ ନାମଲେଖାଇ ମଧ୍ୟ ଉପଯୁକ୍ତ ଶିକ୍ଷକଙ୍କ ଅଭାବ ଯୋଗୁଁ କପି କରି ପାସ‌୍‍ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯିବା ସହ ବିଭିନ୍ନ ସମୟରେ ପ୍ରଶ୍ନପତ୍ର ପ୍ରଘଟ କରୁଥିବା ନଜିର‌୍‍ ରହିଛି।

 

ବ୍ରହ୍ମପୁର ସହରର ବିଭିନ୍ନ ବେସରକାରୀ କଲେଜ‌୍‍ ଗୁଡ଼ିକର ନିଜସ୍ୱ କୋଠା ମଧ୍ୟ ନାହିଁ। ଶିକ୍ଷାକୁ ବ୍ୟବସାୟର ଏକ ସରଳ ମାଧ୍ୟମ କରିଛନ୍ତି କଲେଜ‌୍‍ ମାଲିକମାନେ। ଭିତ୍ତିଭୂିମି ସୃଷ୍ଟି କରିବା ସହ ନିଜସ୍ୱ କୋଠାର ଆବଶ୍ୟକ କାଗଜପତ୍ର ବିଭାଗ ନିକଟରେ ଦାଖଲ କରିବା ପାଇଁ ୨୦୧୪ ମସିହା ନଭେମ୍ୱର ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା। ତେବେ ଉକ୍ତ ସମୟ ମଧ୍ୟରେ ମାତ୍ର କିଛି କଲେଜ‌୍‍ ସେମାନଙ୍କ ଆବଶ୍ୟକ କାଗଜପତ୍ର ବିଭାଗ ନିକଟରେ ଦାଖଲ କରିଥିବା ବେଳେ ଅନ୍ୟ ସମସ୍ତ କଲେଜ‌୍‍ କାଗଜପତ୍ର ଦାଖଲ କରନଥିବା ସ୍ଥାନୀୟ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଥିଲା। ତେବେ ନଭେମ୍ୱର ମାସ ୩୦ ତାରିଖ ମଧ୍ୟରେ ପୂର୍ବରୁ ଯଥେଷ୍ଟ ସମୟ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରଦାନ କରାଯାଇଥିଲେ ସୁଦ୍ଧା ଏଗୁଡ଼ିକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଏ ସଂପର୍କରେ ଉକ୍ତ କଲେଜ‌୍‍ ଗୁଡ଼ିକ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ସଂପର୍କରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ ଏ ସଂପର୍କରେ ସରକାର ଆବଶ୍ୟକ କରିଥିବା ରିପୋର୍ଟ ପ୍ରଦାନ କରିବେ ଏବଂ ସରକାର ତଥା ମାଧ୍ୟମିକ ଶିକ୍ଷା ପରିଷଦ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

 

ତେବେ ଗତ ଡ଼ିସେମ୍ୱର ମାସ ୨୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ଏ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟର ସମସ୍ତ ରେସିଡେ଼ନ୍ସିଆଲ‌୍‍ ଏବଂ ସେଲ‌୍‍ଫ‌୍‍ ଫାଇନାନ୍ସ କଲେଜ‌୍‍ ଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ। ରିପୋର୍ଟ ପ୍ରଦାନ ପାଇଁ ସମୟ ଦିଆଯାଇଥିଲା। ଉକ୍ତ ଭିତ୍ତିଭୂମି ମଧ୍ୟରେ କଲେଜ‌୍‍ଗୁଡ଼ିକର ବର୍ତ୍ତମାନର ସ୍ଥିତି, ପାଠ୍ୟକ୍ରମ, ପାଠାଗାର, କମନ‌୍‍ରୁମ‌୍‍, ପାଇଖାନା ଏବଂ ନାମଲେଖା ଫିସ‌୍‍ ଆଦି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିଦ୍ଦେର୍ଶ ହୋଇଥିଲା। ସେହିଭଳି କଲେଜ‌୍‍ କୋଠା ନିଜସ୍ୱ ଜମିରେ ପ୍ରତି। ହୋଇଛି କି ନାହିଁ, କେତେଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀ କିମ୍ୱା ଅସ୍ଥାୟୀ ଏବଂ କଲେଜ‌୍‍କୁ କେବେଠାରୁ ସ୍ୱୀକୃତି ମିଳିଛି ପ୍ରଭୃତି ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ରିପୋର୍ଟ ଦାଖଲ ସମୟସୀମା ପୂରିବାକୁ ବସିଛି। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ’ଣ ରିପୋର୍ଟ ପ୍ରଦାନ କରିଛନ୍ତି ଏବଂ ଭିତ୍ତିଭୂମି ନଥିବା କଲେଜ‌୍‍ ଗୁଡ଼ିକ ବିରୂଦ୍ଧରେ ଉଚ୍ଚ ଶିକ୍ଷା ବିଭାଗ କିଭଳି ଆଭିମୁଖ୍ୟ ଦେଖାଉଛନ୍ତି ତାହା ସମୟ ସାପେକ୍ଷ।


ପ୍ରତିକ୍ରିୟା

Upendra Panda - Email: pdukp@yahoo.com - Posted on 2017-05-16 14:32:54

Good story, keep it up

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top