ଜଗା ଟଙ୍କା ବି ଖାଇଗଲେ!

News Story - Posted on 2017-05-16

କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ କର୍ପସ ପାଣ୍ଠିରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଛି। କିନ୍ତୁ ରାଜ୍ୟ ସରକାର କିମ୍ୱା ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏହା ଓଡ଼ିଆ ଜାତିର ଏକ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅତି କମ‌୍‍ରେ ଦୁଇ ଘଣ୍ଟା ଆଲୋଚନା କରାଯାଉ ବୋଲି ସେ ଦାବି କରିଛନ୍ତି।

 

ଗଣମାଧ୍ୟମକୁ ବିଜୟ କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ପ୍ରତି ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ତାହାର ଅଡିଟ କରାଇ ଦିଆଯାଉ ନଥିଲା। ଭାରତର କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ଏ ବାବଦରେ ଅନେକ ଥର ଲେଖିିବା ପରେ ଶେଷରେ ରାଜ୍ୟ ସରକାର ସେଥିପାଇଁ ଅନୁମତି ଦେଇଥିଲେ। କିନ୍ତୁ ଅଡିଟ ସମୟରେ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କଲା ନାହିଁ ବୋଲି ସିଏଜି ରିପୋର୍ଟ ଦେଇଛନ୍ତି। ୨୦୧୫ ଡିସେମ୍ୱର ୨୧ ତାରିଖରେ ଆକାଉଣ୍ଟାଣ୍ଟ ଜେନେରୋଲ ତାଙ୍କର ଅଡିଟ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଓ ଆଇନ ବିଭାଗକୁ ପ୍ରଦାନ କରିଛନ୍ତି।

 

ବିଜୟ କହିଛନ୍ତି ଯେ ଏହି ରିପୋର୍ଟ ଅନୁସାରେ ୨୦୧୫ ସେପ୍ଟେମ୍ୱର ସୁଦ୍ଧା ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ୩୨୨ କୋଟି ଟଙ୍କା ଜମା ଥିଲା। ବିନା କୌଣସି ଯୋଜନାରେ ଓ କମ‌୍‍ ସୁଧରେ ଏହାକୁ ଜମା ରଖାଯାଇଥିବାରୁ ସୁଧ ବାବଦରେ କେବଳ ୬୬ କୋଟି ଟଙ୍କାର କ୍ଷତି ହୋଇଛି। ସ୍ଥାୟୀ ଜମାକୁ ପୁନର୍ବାର ସ୍ଥାୟୀ ଜମାରେ ପରିଣତ କରାନଯିବାରୁ ୪.୫୫ କୋଟି ଟଙ୍କାର କ୍ଷତି ହୋଇଛି। ହୁଣ୍ଡି ଓ ଜମିରୁ ମିଳୁଥିବା ରାଜସ୍ୱ ୫ ବର୍ଷରେ ୧୬ ପ୍ରତିଶତ ହ୍ରାସ ପାଇଛି।

 

ଏହା ବ୍ୟତିତ ଶ୍ରୀମନ୍ଦିର ପ୍ରଶାସନ ଅତ୍ୟନ୍ତ ବେଆଇନ ଭାବେ କର୍ପସ ପାଣ୍ଠି ଟଙ୍କା ପୁରୀ ବସ‌୍‍ ଷ୍ଟାଣ୍ଡର ଉନ୍ନତି କରଣ ଓ ପୁରୀ ସହରର ରାସ୍ତା ନିର୍ମାଣରେ ମଧ୍ୟ ବିନିଯୋଗ କରିଥିବା ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି। ଏସବୁ କାମ ସାଧାରଣତଃ ରାଜ୍ୟ ସରକାରଙ୍କ ପାଣ୍ଠିରେ ହୋଇଥାଏ।

 

ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଅଡିଟ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଅଡିଟରମାନଙ୍କୁ ଉପଯୁକ୍ତ ସହାୟତା କରି ନାହାନ୍ତି। କ୍ୟାଶ ବୁକ‌୍‍ ଓ ରେକର୍ଡ଼ ଇତ୍ୟାଦି ଦିଆଯାଇ ନାହିଁ। ଯେତିକି ଦାଖଲ ହୋଇଛି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଶ୍ରୀମନ୍ଦିର ପ୍ରଶାସନ ଉପଯୁକ୍ତ ପଦ୍ଧତି ଅନୁସାରେ ଆୟବ୍ୟୟ ରେକର୍ଡ଼ ରଖି ନାହାନ୍ତି।

 

ଶ୍ରୀମନ୍ଦିର ଆଇନର ୧୮ ଧାରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର ବାର୍ଷିକ ବିବରଣୀ ପ୍ରତି ବର୍ଷ ସାର୍ବଜନୀନ ହେବା କଥା। କିନ୍ତୁ ଗଲା ୧୫ ବର୍ଷ ଧରି ଏହାକୁ ସରକାର ଚପାଇ ରଖିଛନ୍ତି। ଏବେ ସିଏଜି ରିପୋର୍ଟରେ ମନ୍ଦିର ପାଣ୍ଠିରେ ଏଭଳି ବଡ଼ ଧରଣର ଅନିୟମିତତା ନେଇ ମନ୍ତବ୍ୟ ଦିଆଯାଇଥିବାରୁ ସରକାର ତାହା ଉପରେ ପୂର୍ଣ୍ଣାଙ୍ଗ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ। ସେବାୟତମାନଙ୍କର ଛୋଟ ଛୋଟ ଭୁଲ ପାଇଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସରକାର ଓ ପ୍ରଶାସନ ଶ୍ରୀଜଗନ୍ନାଥଙ୍କର ୧୦୦ କୋଟି ଟଙ୍କା ହଡ଼ପ କରିଥିବା ଅଫିସରଙ୍କ ବିରୋଧରେ ନିଷ୍କ୍ରିୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

 

ଜିଏସଟି ବିଲ‌୍‍ ପାଶ‌୍‍ କରିବାକୁ ସରକାର ବିଧାନସଭାର ଏକ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ସେହି ଅଧିବେଶନରେ ଏ ବିଷୟରେ ଅତି କମରେ ଦୁଇ ଘଣ୍ଟା ଆଲୋଚନା କରିବାକୁ ସେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

 

ତେବେ ବିଜୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି କର୍ପସ ଫଣ୍ଡ ଟଙ୍କା ସୁରକ୍ଷିତ ଅଛି। ସେଥିରେ କୌଣସି ଅନିୟମିତତା ହୋଇନାହିଁ। ସେହିପରି ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି ଏହି ରିପୋର୍ଟ ଅନୁଧ୍ୟାନ କରିବ। ଯଦି କିଛି ଅନିୟମିତତା ଥାଏ ତେବେ ପିଏସି କାର୍ଯ୍ୟନୁଷ୍ଠାନ ସୁପାରିଶ କରିବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top