ମୌସୁମୀ କେବେ ଆସିବ ଓଡ଼ିଶା?

News Story - Posted on 2017-05-15

 

ସ୍ୱାଭାବିକ ସମୟର ୩ ଦିନ ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଂଚିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ସ୍ୱାଭାବିକ ସମୟର ୩ ଦିନ ଆଗରୁ ସମଗ୍ର ନିକୋବର ଦ୍ୱୀପକୁ ଆଚ୍ଛାଦିତ କରିଯାଇଛି ଦକ୍ଷିଣପଶ୍ଚିମ ମୌସୁମୀ। ଏହା ସହିତ ଆଣ୍ଡାମାନ ସମୁଦ୍ରକୁ ମଧ୍ୟ ଘେରିଯାଇଛି ମୌସୁମୀ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜିରେ ମୌସୁମୀ ସାଧାରଣତଃ ମେ ୧୭ ତାରିଖରେ ପହଂଚିଥାଏ। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ମୌସୁମୀ ପହଂଚିବା ପରେ ସ୍ବାଭାବିକ ଭାବେ ପୂର୍ଣ୍ଣତଃ ମୌସୁମୀ ନିର୍ଭରଶୀଳ ଓଡ଼ିଶାର ଚାଷୀ ଜାଣିବାକୁ ଚାହିଁଲେଣି ସେଠାରୁ ଓଡ଼ିଶାରେ କେବେ ପହଞ୍ଚିବ ମୌସୁମୀ?

 

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣପଶ୍ଚିମ ବାୟୁ ଘନୀଭୂତ ଓ ସୁଦୃଢ଼ ହେବା ଏବଂ ଲଗାତାର ବୃଷ୍ଟିପାତ ହେତୁ ଦକ୍ଷିଣପୂର୍ବ ବଙ୍ଗୋପସାଗରର କେତେକ ଅଂଚଳ, ନିକୋବର ଦ୍ୱୀପ, ସମଗ୍ର ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରର କେତେକ ଅଂଚଳରେ ଆଗୁଆ ପହଂଚିଯାଇଛି ମୌସୁମୀ। ତେବେ ଏହା ଯେ କେରଳରେ ମଧ୍ୟ ଆଗୁଆ ପହଂଚିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜି ରମେଶ।

 

କେରଳରେ ସାଧାରଣତଃ ଜୁନ ପହିଲାରେ ମୌସୁମୀ ପହଂଚିଥାଏ। କେରଳରେ ମୌସୁମୀ ପହଂଚିଲେ ସରକାରୀ ଭାବେ ଭାରତରେ ମୌସୁମୀ ପହଂଚିଲା ବୋଲି ଧରାଯାଏ। କେରଳରେ ମୌସୁମୀ ପହଂଚିଲେ ସେଠାରୁ କେବେ କେଉଁ ରାଜ୍ୟକୁ ମୌସୁମୀ ଗତି କରେ ତାହା ମଧ୍ୟ ଗଣନା କରାଯାଏ। ରମେଶ କହିଛନ୍ତି ଯେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ଆଗୁଆ ପହଂଚିଲା ମାନେ ଯେ କେରଳରେ ଆଗୁଆ ପହଂଚିବ ତାହା କହିହେବ ନାହିଁ। କେରଳରେ ମୌସୁମୀ ବର୍ଷ ଆରମ୍ଭ ହେବାର ଦୁଇ ସପ୍ତାହ ଭିତରେ ଓଡ଼ିଶାରେ ଆରମ୍ଭ ହୁଏ ବର୍ଷ ଋତୁ। ଓଡ଼ିଆ ପାଞ୍ଜି ଅନୁସାରେ ରଜ ସଂକ୍ରାନ୍ତିଠାରୁ ଓଡ଼ିଶାରେ ବର୍ଷା ଋତୁ ଆରମ୍ଭ ହୁଏ। ସେବେଠୁଁ ଆରମ୍ଭ ହୁଏ ଚତୁର୍ମାସ୍ୟା। ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ ଚାରି ମାସ ଓଡ଼ିଶାରେ ବର୍ଷା ହୋଇଥାଏ। ରଜରୁ ଆସେ ଆଷାଢ଼।

 

କେରଳରେ ଜୁନ ପହିଲାର ମୌସୁମୀ ପହଂଚିଲେ ଓଡ଼ିଶାରେ ଜୁନ ୧୪-୧୫ ଆଡ଼କୁ ପହଂଚିବା କଥା। ଯଦି ଏଥର ତା’ ଆଗରୁ ମୌସୁମୀ କେରଳ ସ୍ପର୍ଶ କରେ ତେବେ ସେହି ଅନୁସାରେ ଓଡ଼ିଶାରେ ଆଗୁଆ ମୌସୁମୀ ପହଂଚିପାରେ।

 

ଘରୋଇ ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟର ମୁଖ୍ୟ ପାଣିପାଗ ବିଶେଷଜ୍ଞ ମହେଶ ପାଲାବତ କହିଛନ୍ତି କେରଳରେ ଦିନେ ଦୁଇ ଦିନ ଏପଟସେପଟ ହୋଇ ଜୁନ‌୍‍ ପହିଲା ସୁଦ୍ଧା ମୌସୁମୀ ପହଂଚିବାର ଯଥେଷ୍ଟ ସମ୍ଭାବନା ଅଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ଅଧିକ ଘନୀଭୂତ ହୋଇ ସମଗ୍ର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା କରାଇବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ ଭାରତର କୃଷି ଅର୍ଥନୀତିରେ ଦକ୍ଷିଣପଶ୍ଚିମ ମୌସୁମୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଉପରେ ଦେଶର ଶହେ କୋଟି ଲୋକଙ୍କ ଜୀବନ ଜୀବିକା ନିର୍ଭରଶୀଳ। ଭାରତର ମୋଟ ଘରୋଇ ଉପିାଦ ବା ଜିଡିପି ଉପରେ ମଧ୍ୟ ଏହାର ବଡ଼ ଧରଣର ପ୍ରଭାବ ରହିଛି। ଭାରତର ଅଧିକାଂଶ କୃଷକ ମୌସୁମୀ ଉପରେ ନିର୍ଭର କରିଥାନ୍ତି।

 

ଏପ୍ରିଲ ୧୮ ତାରିଖରେ ଭାରତୀୟ ପାଣିପାଗ ବିଭାଗ କହିଥିଲା ଯେ ଏଥର ମୌସୁମୀ ଋତୁରେ ସ୍ୱାଭାବିକ ବୃଷ୍ଟିପାତ ହେବ। ବିଭାଗର ସୂଚନା ଅନୁସାରେ ୫୦ ବର୍ଷ ହାରାହାରି ହିସାବରେ ଏଥର ୯୬ରୁ ୧୦୪ ପ୍ରତିଶତ ବୃଷ୍ଟିପାତର ସମ୍ଭାବନା ରହିଛି। ସେତେବେଳେ ଭାରତୀୟ ଉପମହାଦେଶରେ ଆଂଶିକ ମାତ୍ରାରେ ଏଲ ନିନୋ ପ୍ରଭାବ ପଡ଼ିବ ବୋଲି କୁହାଯାଇଥିଲା। କିନ୍ତୁ ପରେ ଭାରତୀୟ ପାଣିପାଗ ବିଭାଗ ଏଲ‌୍‍ ନିନୋ ଆଶଙ୍କା ଦୂର କରି କହିଥିଲା ଯେ ଏଥର ଏଲ ନିନୋ ଆସିଲା ବେଳକୁ ଭାରତରେ ମୌସୁମୀ ଋତୁ ଅଧା ସରି ଯାଇଥିବ। ତେଣୁ ବୃଷ୍ଟିପାତ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। ଅଧିକନ୍ତୁ ଗତ ବୁଧବାର ଭାରତୀୟ ପାଣିପାଗ ବିଭାଗର ମହାନିଦ୍ଦେର୍ଶକ କେଜି ରମେଶ ପୂର୍ବ ଆକଳନରେ କିଛି ସଂଶୋଧନ କରି କହିଥିଲେ ଯେ ଏବର୍ଷ ଭାରତରେ ସ୍ୱାଭାବିକରୁ ଅଧିକ ପରିମାଣରେ ବର୍ଷା ହୋଇପାରେ। ଏଲ ନିନୋ ଦୁର୍ବଳ ହୋଇଥିବାରୁ ଅଧିକ ମୌସୁମୀ ଆଶା କରାଯାଏ। ତେବେ କେରଳରେ ମୌସୁମୀ ପହଂଚିବା ପରେ ଏନେଇ ଅଧିକ ସ୍ପଷ୍ଠ ଓ ସଠିକ ଆକଳନ କରାଯାଇ ପାରିବ ବୋଲି ରମେଶ କହିଥିଲେ।

 

ସ୍କାଇମେଟର ମହେଶ ପାଲାବତଙ୍କ ଆକଳନ ହେଲା ଏଥର ୯୭-୯୮ ପ୍ରତିଶତ ମୌସୁମୀ ବୃଷ୍ଟିପାତ ହେବ। କୌଣସି ପରିସ୍ଥିତିରେ ବି ମୌସୁମୀ ୧୦୦ ବୃଷ୍ଟିପାତ ୧୦୦ ପ୍ରତିଶତ ଟପିବ ନାହିଁ। ତାଙ୍କ ଆକଳନ ଅନୁସାରେ ଏଥର ପୂର୍ବ ଓ କେନ୍ଦ୍ର ଭାରତରେ ସ୍ୱାଭାବିକ ବୃଷ୍ଟପାତ ହେବ। କିନ୍ତୁ ପଞ୍ଜାବ, ହରିଆନା, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳରେ କିଛିଟା ଦୁର୍ବଳ ରହିବ। ଏହି ଅଂଚଳରେ ଗତ ଦୁଇ ବର୍ଷ ଧରି ସ୍ୱାଭାବିକ ହାରଠାରୁ କମ‌୍‍ ବର୍ଷା ହୋଇଛି। ତେବେ ଏହି ଅଂଚଳରେ ଜଳସେଚନର ସୁବିଧା ଥିବାରୁ ଚାଷ ଉପରେ ଦୁର୍ବଳ ମୌସୁମୀର ଅଧିକ ପ୍ରଭାବ ପଡ଼ିବ ନାହିଁ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top