କ୍ରାନ୍ତିର କ୍ରୋଡ଼ପତ୍ରରେ କ୍ରୋମାଇଟ୍‌

News Story - Posted on 2017-05-14

ମାୟାଧର ନାୟକ

 

ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ୱାେୱ, କାଜାକ‌୍‍ସ୍ଥାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡ଼ିଶାବାସୀ ନୁହଁନ୍ତି ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ ପଥର ବିଶେଷ ଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶି ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ। ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି ସେଥିରେ କ୍ରୋମାଇଟ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ। ବଲବ‌୍‍ ବେରିଙ୍ଗଠାରୁ ଆରମ୍ଭ କରି କ୍ରୋମ ମିଶ୍ରିତ ଇସ୍ପାତରେ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ।

 

ଓଡ଼ିଶାର ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ କଟକ ଜିଲ୍ଲାରେ ଥିବା କ୍ରୋମପଥର, ଫେରୋକ୍ରମ, କ୍ରୋମକନସେଣ୍ଟେଟ‌୍‍ ଖଣି ଓ ପ୍ଲାଣ୍ଟ‌୍‍ରୁ ଆମେରିକା, ଇଂଲଣ୍ଡ, ଇଉରୋପ, ଚୀନ, ଜାପାନ, ଦକ୍ଷିଣ କୋରିଆ, ସୁଇଜରଲାଣ୍ଡ, ପେରୁ, ନେଦରଲାଣ୍ଡ, ସ୍ପେନ, ୟୁଏଇ, ଥାଇଲାଣ୍ଡ, ତାଇୱାନ, ମେକ୍ସିକୋ, କୋରିଆ, ଇଣ୍ଡୋନେସିଆ, ଇଜିପ୍ଟ, ଚିଲି, ବେଲଜିୟମ, ବାଂଲାଦେଶ, ଦୁବାଇ, ମାଲେସିଆ ପ୍ରମୁଖ ଦେଶକୁ ରପ୍ତାନୀ ହେଉଛି। ଏହି ୨୩ଟି ଦେଶ ମଧ୍ୟରୁ ସବୁଠୁ ବେଶି ପରିମାଣରେ ଚୀନ‌୍‍ କ୍ରୋମପଥର ଓ ଫେରୋକ୍ରମ କିଣୁଛି। ତା’ପଛକୁ ଜାପାନ, ପରେ ପରେ ଆମେରିକା ରହିଛି।

 

ଜାପାନରେ ଆଦୌ କ୍ରୋମପଥର ନାହିଁ, କିନ୍ତୁ ସୁକିନ୍ଦାରୁ କ୍ରୋମାଇଟ କିଣି ସ୍ଥାନାଭାବରୁ ସମୁଦ୍ରରେ ବୁଡାଇ ରଖୁଛି। ଆମେରିକାରେ ମଧ୍ୟ କ୍ରୋମାଇଟ ନାହିଁ। ସେ ସୁକିନ୍ଦାରୁ କ୍ରୋମାଇଟ ନେଇ ଯୁଦ୍ଧ ସଂରଜାମ ନିର୍ମାଣ କରି ସାରାବିଶ୍ୱକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଛି। ଚୀନ‌୍‍ ତା’ ଦେଶର ଲୁହାଖଣି ଆଦୌ ଖୋଳୁନି। ଆଗାମୀ ୧୦୦ ବର୍ଷ ପାଇଁ ଭବିଷ୍ୟତ ପିଢ଼ିଙ୍କ ନିମିତ୍ତ ସାଇତି ରଖୁଛି। ସୁକିନ୍ଦାରୁ ସବୁଠୁ ବେଶୀ କ୍ରୋମାଇଟ‌୍‍ ଚୀନ‌୍‍ କିଣୁଛି। କେବଳ କ୍ରୋମପଥର ନୁହେଁ, ଲୁହାପଥର ଟନ ଅଢ଼େଇଶହ ଟଙ୍କାରୁ ପାଞ୍ଚହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ କିଣି ନେଉଛି। ଚୀନ‌୍‍ ବର୍ତ୍ତମାନ ବ୍ୟବସାୟରେ ଜାପାନକୁ ଟପି ଆମେରିକାକୁ ପଛରେ ପକାଇ ଦେବାକୁ ପ୍ରବଳ ଉଦ୍ୟମ ଜାରି ରଖିଛି।

 

ଦଧିଚିର ଅସ୍ଥି ଯାହାକୁ ନେଇ ବଜ୍ର। ଏ କ୍ରୋମାଇଟ ହେଉଛି କଳିକାଳର ଦଧିଚି ହାଡ ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚୀନ ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ।

 

ଏବେ ଆମେରିକା ସୁକିନ୍ଦା କ୍ରୋମାଇଟ‌୍‍ର ସ୍ୱାଦ ଚାଖିସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ।

 

ଯେଉଁ ଦେଶର ଖଣିଜ କଂଚାମାଲ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା। ଆମେ ସେହି ହତଭାଗା ଭାରତୀୟ, ଲକ୍ଷ ଲକ୍ଷ ବର୍ଷ ଧରି ଆମ ମାଟି ତଳେ ଗଚ୍ଛିତ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ବିଦେଶକୁ ଶାଗମାଛ ମୂଲ୍ୟରେ ବିକ୍ରି କରିଦେଉଛେ।

 

ପୁଣି ଓଡ଼ିଶା- ଆମେ ଓଡ଼ିଆମାନେ ଆହୁରି ହତଭାଗା।

 

ଆମ ରାଜ୍ୟ ଧନୀ ହେଲେ ବି ଆମେ ସବୁ ଗରିବ, ପଛୁଆ ରାଜ୍ୟରେ ଗଣା ହେଉଛେ। ଓଡ଼ିଶା ମା’ର ଗର୍ଭ ଖୋଳି ଖଣିଜପଦାର୍ଥକୁ ଶସ୍ତାରେ ବିକିଦେଉଛେ। ଆମ ଲୋକମାନେ ଖଣିଜପଦାର୍ଥ କହିଲେ – ବିଶେଷ କିଛି ବୁଝୁ ନଥିଲେ କି ଜାଣି ନଥିଲେ। ଏବେ ଖଣିଚୋରୀରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଶଦ୍ରୋହୀମାନେ ଲୁଟି ନେଇଛନ୍ତି ବୋଲି ହୋହାଲ୍ଲା ହେବାରୁ ଲୋକେ ଟିକେ ହେଜିଲେଣି।

 

ପୁଣି ସୁକିନ୍ଦା ଖଣି ଉପରେ ଆମେରିକାର ଶାଗୁଣା ନଜର ପଡିଛି ବୋଲି ଶୁଣିଲା କ୍ଷଣି ଲୋକେ ଚମକି ପଡୁଛନ୍ତି।

 

ସୁକିନ୍ଦା ଉପତ୍ୟକାର ଖଣି ଅଞ୍ଚଳରେ ଚୋର, ଡକାୟତ, ମାଫିଆ ଗୋଷ୍ଠୀର ରାଜ ଚାଲିଥିଲା, ଏବେ ମାଓବାଦୀଙ୍କ ମେଳି ଚାଲିଛି। ପୁଣି ଆତଙ୍କବାଦୀଙ୍କ ଆକ୍ରମଣ, ଅର୍ଥ ପୂରା ଖଣିଅଞ୍ଚଳକୁ ଧ୍ୱଂସ କରିଦେଲେ ଆଉ ବେଶ କିଛି ବର୍ଷ ପାଇଁ କ୍ରୋମାଇଟ ଉତ୍ତୋଳନ ହୋଇପାରିବ ନାହିଁ। ଭୌଗୋଳିକ ଅବସ୍ଥାନ ବଦଳିଯିବ। ଭିତ୍ତିଭୂମି ଯାହା ବର୍ଷବର୍ଷ ଧରି ପ୍ରସ୍ତୁତ ହୋଇଥିଲା ତାହା ନଷ୍ଟ ହୋଇଯିବ।

 

ଆପଣମାନଙ୍କର ସ୍ମରଣଥିବ, ୨୦୦୧ ସେପ୍ଟେମ୍ୱର ୯ ତାରିଖରେ ଆମେରିକାର ବିଶ୍ୱବାଣିଜ୍ୟ କ୍ରେନ୍ଦ ଉପରେ ଅଲକାଏଦାର ଆକ୍ରମଣପର ଓସାମା ବିନ‌୍‍ ଲାଦେନ ଆମେରିରକାକୁ ଧ୍ୱଂସ କରିଦେବାକୁ ଘୋଷଣା କରିଥିଲେ। ଆମେରିକା ଛାନିଆ ହୋଇ ବିଶ୍ୱର ୫୦ଟି ଦେଶକୁ ଏକାଠି କରି ନିୟୁତ ନିୟୁତ ଡଲାର ଖର୍ଚ୍ଚ କରିଥିଲା। ଏବେ ବି କରୁଛନ୍ତି। ଦେଶେଦେଶେ ଯୁଦ୍ଧ ଲଗାଇଦେଇ ନିଜେ ଆମେରିକା ଅନ୍ୟଦେଶରେ ପଶି ଯୁଦ୍ଧ କରି ଧନସଂପତ୍ତି ବୋହିଆଣୁଛି। ଏଥିପାଇଁ ଅତ୍ୟାଧୁନିକ ଅସ୍ତ୍ର ଆବଶ୍ୟକ- ସେଇ ଯୁଦ୍ଧାସ୍ତ୍ର ବିନା କ୍ରୋମାଇଟରେ ନିର୍ମାଣ ଅସମ୍ଭବ। ତେଣୁ ସୁକିନ୍ଦା କ୍ରୋମାଇଟ ଆମେରିକାର ଅସ୍ତ୍ରବ୍ୟବସାୟ, ଆତ୍ମରକ୍ଷା ଓ ଆକ୍ରମଣ ପାଇଁ ନମ୍ୱର ୱାନ‌୍‍ ଚାହିଦା।

 

ତେବେ ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ ଅଛି ତାହା ବେପରୁଆ ଭାବେ ଉତ୍ତୋଳନ କରି- ବିକ୍ରି କରୁଥିଲେ କି ଚୋରୀ କରୁଥିଲେ- ତାହା ଦିନେ ଶେଷ ହୋଇଯିବ। ସେତେବେଳେ ସୁକିନ୍ଦା ଖଣି ଅଞ୍ଚଳ ‘ଭୂତଳ ଅଞ୍ଚଳ’ରେ ପରିଣତ ହେବ। ବର୍ମାରେ ଗଚ୍ଛିତ ଡିଜେଲ, ପେଟ୍ରୋଲ ଶେଷ ହୋଇଗଲାପରେ ଯାହା ଅବସ୍ଥା ହେଲା ସୁକିନ୍ଦା କ୍ରୋମାଇଟ ସରିଗଲେ - କ’ଣ ହେବ ଏବଠୁ କହିହେବନି।

 

କ୍ରୋମାଇଟ ଯଦି ମାଟି ଉପରେ ବାଲିଗୋଡ଼ି ଭଳି ଥୁଆ ହୋଇଥାନ୍ତା କେବେଠୁଁ ଶେଷ ହୋଇସାରନ୍ତାଣି। କ୍ରୋମାଇଟ ଅଛି ସାତତଳ ପଂକ ଭିତରେ ମାଟିତଳ ଗୋଦାମରେ। ଉପରେ ଜଂଗଲ, ଗଛମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର। କ୍ରୋମାଇଟ ବାହାର କରିବାକୁ ହେଲେ ଜଂଗଲ ଧ୍ୱଂସ କରିବାକୁ ହେବ - ଝରଣାର ଗତିପଥ ବଦଳାଇ ଦେବାକୁ ହେବ - ମାଟି କାଦୁଅ ଖୋଳିବାକୁ ହେବ - ଖଣିରେ ପାଣି ଭର୍ତ୍ତିହେଲେ -ପାଣି କାଢ଼ି ନଈନାଳକୁ ଛାଡ଼ିବାକୁ ହେବ- ଆଉ ଅନେକ ଅନେକ କାର୍ଯ୍ୟ ଅକାର୍ଯ୍ୟ କରିବାକୁ ହେବ - ଏସବୁ ହେଲେ କ୍ରୋମାଇଟ ‘ମହାପ୍ରଭୁ’ ପଦାକୁ ଆସିବେ। ସେହି କ୍ରୋମାଇଟ ମହାପ୍ରଭୁଙ୍କୁ ଧଳା କାଗଜ କଲମରେ ବିକିବେ, କଳାରେ ଦଶଗୁଣ ବିକିବେ। ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ। ସେଇ ଲାଭ ଟଙ୍କାରୁ ପାଞ୍ଚ ଦଶ ଭାଗ ‘ଭୋଗ’ ବଣ୍ଟାରେ ଯିବ।

 

ଆମ ଓଡ଼ିଶାରେ ମାତ୍ର ସାତଆଠଟି ଲୁହାପଥର ଖଣି ଚୋରୀ ଖୋଳତାଡ଼ ହେବାରୁ ୩ ଲକ୍ଷ କୋଟି ଟଙ୍କା କେହିକେହି ୫ ଲକ୍ଷ କୋଟି ଟଙ୍କା ଦୁର୍ନୀତି ଶତାବ୍ଦୀର ମହାଦୁର୍ନୀତି ବୋଲି କହୁଛନ୍ତି। ୩୨ ପ୍ରକାର ଖଣିଜ ସଂପଦରୁ ମାତ୍ର ୧ ପ୍ରକାର ଲୁହାପଥର ଖଣି ପୁଣି ମାତ୍ର ୭/୮ଟି ଖଣିରେ ଯଦି ଏତେ ବିପୁଳ ପରିମାଣରେ ଚୋରୀ ହୋଇଥାଏ, ତା’ହେଲେ ଅତ୍ୟନ୍ତ ମୂଲ୍ୟବାନ ଖଣିଜ ସଂପଦ କ୍ରୋମାଇଟ, କୋଇଲା, ହୀରାମୋତି, ମାଣିକ, ସୁନା, ବକ୍ସାଇଟ, ମାଂଗାନିଜ ପ୍ରମୁଖ ୩୧ ପ୍ରକାର ଖଣିଜ ପଦାର୍ଥର ପ୍ରାୟ ଏକହଜାର ଖଣିରୁ କେତେ ଚୋରିହୋଇଥିବ ଅନୁମାନ କରନ୍ତୁ।

 

ଏଇସବୁ ଚୋରା ଖଣିଜ ସଂପଦ କେବଳ କ’ଣ ଭାରତ ଭିତରେ ବିଭିନ୍ନ ରାଜ୍ୟକୁ ୧୦ ଭାଗ ଯାଉଛି, ବାକି ୯୦ ଭାଗ ଜଳପଥରେ ବିଦେଶକୁ ଚାଲାଣ ହେଉଛି। ନେତା ଅଫିସରଙ୍କର ଏ କାରସାଦିକୁ ଧରିବ କିଏ ? କେବଳ ଖଣିଚୋରି ବନ୍ଦ କରିଦେଲେ-ଜାତୀୟ ସମ୍ପତ୍ତି ହରିଲଉଟ‌୍‍ କରୁଥିବା ଦେଶଦ୍ରୋହୀଙ୍କୁ ଧରି ଫାଶୀ ଦେଇଦେଲେ ଭାରତ ବଂଚିଯିବ - ଓଡ଼ିଶା ଭାରତର ଧନୀ ରାଜ୍ୟରେ ଗଣାହେବ।

 

ତେବେ ଦେଶଦ୍ରୋହୀ, ବିଦେଶୀ ଶକ୍ତିଙ୍କ ଦାଉରୁ କ୍ରୋମାଇଟକୁ ରକ୍ଷା କରିବାକୁ ହେବ। ଆମେରିକାର କିଛି ସମର୍ଥକ ଆମ ଓଡ଼ିଶା ଓ ଭାରତରେ ଅଛନ୍ତି, ସେମାନେ ସୁକିନ୍ଦା ଉପତ୍ୟକାରେ ଗୁପ୍ତ ଆଡ୍ଡା କରିଛନ୍ତି। ସୁକିନ୍ଦା କ୍ରୋମାଇଟ ପାଇଁ ଆମେରିକା ପାଗଳ। ସୁକିନ୍ଦାରୁ ଆମ ନେତାମାନଙ୍କୁ ହସେଇ ଖେଳେଇ କ୍ରୋମାଇଟ ବୋହି ନେବାକୁ ଟ୍ରାନସ‌୍‍ପୋର୍ଟର ଟ୍ରକବାଲା, ଏପରିକି ମାଟିତଳେ ତଳେ ପାଇପରେ ପାରାଦ୍ୱୀପ ବନ୍ଦରକୁ ଚାଲାଣ କରିବାପାଇଁ ଆମେରିକା-ଚୀନ‌୍‍ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ଆମେ ମୁଣ୍ଡରେ ହାତଦେଇ ବସିଛେ - ନିଦରେ ଘୁଙ୍ଗୁଡ଼ି ମାରୁଛେ। ଆଉ ବେଳ ନାହିଁ। ଉଠନ୍ତୁ। ଜାଗନ୍ତୁ। ଆମ କ୍ରୋମାଇଟକୁ ଆମେ ରକ୍ଷା କରିବା। ଓଡ଼ିଶା-ଭାରତ- ଆମ ଦେଶ, ଆମ ରାଜ୍ୟ ଆମେରିକା, ଚୀନ, ଜାପାନଠାରୁ ଧନଶାଳୀ ନିଶ୍ଚୟ ହେବ। ହେବ ଆହୁରି ଶକ୍ତିଶାଳୀ।

 

ବେଳହୁଁ ସାବଧାନ ନହେଲେ ନେଡ଼ିଗୁଡ଼ କହୁଣିକି ବୋହିଯିବ। କ୍ରୋମାଇଟ‌୍‍ ଚୋରା ଚାଲାଣକୁ ଆଉ ପ୍ରଶ୍ରୟ ନଦେଇ ସୁକିନ୍ଦା ଉପରେ ଶୋଷକ ଶାଗୁଣାମାନଙ୍କ ନଖଚିହ୍ନକୁ ନିଶ୍ଚିହ୍ନ କରିବାର ପ୍ରକ୍ରିୟା ଆରମ୍ଭ ହେଉ ଏଥର। ନହେଲେ ଆଗକୁ ମହାବିପଦ। ଏ ବିପଦର ବିପିାତରୁ ଆସନ୍ତାକାଲି ଉପୁଜିବ ବିପ୍ଳବ - ମହାବିପ୍ଳବ।

 

ହଁ, କାଲି କ୍ରାନ୍ତିର କ୍ରୋଡପତ୍ରରେ କ୍ରୋମାଇଟ‌୍‍ !

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top