ଏନ‌୍‍ଏସ‌୍‍ଏସ‌୍‍: ନଟ୍‌ ମି, ବଟ୍‌ ୟୁ!

News Story - Posted on 2017-05-14

ଆଲୋକ ଦେଶୱାଲ

 

ସ୍ବେଚ୍ଛା ଗୋଷ୍ଠୀ ସେବା ଜରିଆରେ ଯୁବକ ଓ ଛାତ୍ରମାନେ ନିଜର ବ୍ୟକ୍ତିତ୍ୱ ଓ ଚରିତ୍ରର ବିକାଶ ଲକ୍ଷ୍ୟ ନେଇ ୧୯୬୯ ମସିହାରେ ଜାତୀୟ ସେବା ଯୋଜନା (ଏନଏସ‌୍‍ଏସ‌୍‍) ଗଠନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ୩୭ଟି ବିଶ୍ୱ ବିଦ୍ୟାଳୟରେ  ଆରମ୍ଭ କରାଯାଇଥିଲା। ଯେଉଁଥିରେ ପାଖାପାଖି ୪୦ ହଜାର ସ୍ୱୟଂସେବୀଙ୍କୁ ସାମିଲ କରାଯାଇଥିଲା। ସମୟକ୍ରମେ ଏହା ଏକ ଅଖିଳ ଭାରତୀୟ କାର୍ଯ୍ୟକ୍ରମର ରୂପ ନେଇଛି। ପ୍ରତି ବର୍ଷ ଏନ‌୍‍ଏସ‌୍‍ଏସ‌୍‍ରେ ସାମିଲ ହେଉଥିବା ଶିକ୍ଷାନୁଷ୍ଠାନଗୁଡିକର ସଂଖ୍ୟା ବଢି ଚାଲିଛି। ବର୍ତ୍ତମାନ ଦେଶର ୩୯ ହଜାର ୬୯୫ ଟି  ଏନ‌୍‍ଏସ‌୍‍ଏସ‌୍‍ ୟୁନିଟରେ ୩୬.୫ ଲକ୍ଷରୁ ଅଧିକ ସ୍ୱଂୟସେବୀ ନିଜକୁ ସାମିଲ କରିପାରିଛନ୍ତି। ଦେଶର ୩୯୧ଟି ବିଶ୍ୱ ବିଦ୍ୟାଳୟ ଯୁକ୍ତଦୁଇ ପରିଷଦ, ୧୬,୨୭୮ଟି କଲେଜ ଓ ବୈଷୟିକ ପ୍ରତିଷ୍ଠାନ ଏବଂ ୧୨,୪୮୩ ଟି ସିନିୟର ସେକେଣ୍ଡାରୀ ସ୍କୁଲ ଏଥିରେ ସଂଶ୍ଲିଷ୍ଟ  ଅଛନ୍ତି। ଏହା ପ୍ରତିଷ୍ଠା ହେବା ଦିନ ଠାରୁ ଅଦ୍ୟାବଧି ୪.୭୮ କୋଟି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। 

 

ପ୍ରତ୍ୟେକ ସ୍ୱୟଂସେବୀ ପ୍ରତିବର୍ଷ ଅତିକମରେ ୧୨୦ ଘଂଟା ଏବଂ ଦୁଇବର୍ଷ ମଧ୍ୟରେ ୨୪୦ ଘଂଟା ସେବା କରିବା ଅନିବାର୍ଯ୍ୟ। ଏନ‌୍‍ଏସ‌୍‍ଏସ‌୍‍ ଦ୍ୱାରା ଗ୍ରହଣ କରାଯାଇଥିବା ଗାଁ, ବସ୍ତି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରିସରରେ ଏହି ଏନ‌୍‍ଏସ‌୍‍ଏସ‌୍‍ ସେବା କାର୍ଯ୍ୟ କରାଯାଇପାରିବ। ବିଶେଷକରି ପାଠପଢା ସମୟ ପରେ, ଛୁଟିରେ ଏନ‌୍‍ଏସ‌୍‍ଏସ‌୍‍ ଶିବିରର ଆୟୋଜନ କରାଯାଏ। ଏହାଛଡା ପ୍ରତି ଏନ‌୍‍ଏସ‌୍‍ଏସ‌୍‍ ୟୁନିଟ ସ୍ଥାନୀୟ ଲୋକଙ୍କୁ ସାମିଲ କରି ଏକ ସ୍ୱତନ୍ତ୍ର ଯୋଜନା ହାତକୁ ନେଇ ଗାଁ ଗଣ୍ଡା, ସହରାଂଚଳ, ବସ୍ତି, ଇଲାକାଗୁଡିକରେ ସାତ ଦିନିଆ ସ୍ୱତନ୍ତ୍ର ଶିବିରର ଆୟୋଜନ କରିଥାନ୍ତି। ପ୍ରତ୍ୟେକ ସ୍ବେଚ୍ଛାସେବୀ ଦୁଇ ବର୍ଷ ମଧ୍ୟରେ ଥରଟିଏ ବିଶେଷ  ଶିବିରରେ ଭାଗନେବା ଜରୁରୀ। ଏହି ପରିପ୍ରେକ୍ଷୀରେ ୫୦ ପ୍ରତିଶତ ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବା ସ୍ୱତନ୍ତ୍ର ଶିବିରରେ ଅଂଶ ଗ୍ରହଣ କରିଥାନ୍ତି।

 

ଗୋଷ୍ଠୀ ପ୍ରାସଙ୍ଗିକ କାର୍ଯ୍ୟକୁ ଏନ‌୍‍ଏସ‌୍‍ଏସ‌୍‍ ୟୁନିଟ ନିଜ କାର୍ଯ୍ୟକ୍ରମରେ ସାମିଲ କରିଥାନ୍ତି। ଗୋଷ୍ଠୀ ବା ସମୁଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ କରାଯାଏ। ବିଶେଷକରି ଶିକ୍ଷା, ସାକ୍ଷରତା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ପୁଷ୍ଟିସାର, ପରିବେଶ ସଂରକ୍ଷଣ, ସାମାଜିକ ସେବା, ମହିଳାମାନଙ୍କ ସ୍ଥିତିରେ ସୁଧାର ଉତ୍ପାଦନ ଭିତ୍ତିକ କାର୍ଯ୍ୟକ୍ରମ, ବିପର୍ଯ୍ୟୟ ବେଳେ ରିଲିଫ ଓ ଥଇଥାନ କାର୍ଯ୍ୟ, ସାମାଜିକ କୁସଂସ୍କାର ବିରୋଧୀ ଅଭିଯାନ, ଡିଜିଟାଲ ଭାରତ, କୌଶଳ ଭାରତ ଯୋଗ ଇତ୍ୟାଦି ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଇଥାଏ। 

 

ଏନ‌୍‍ଏସ‌୍‍ଏସ‌୍‍ ହେଉଛି କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟକ୍ରମ। ରାଜ୍ୟ ସରକାର, କେନ୍ଦ୍ର ଶାସିତାଂଚଳ ଏବଂ ଶିକ୍ଷାନୁଷ୍ଠାନ ହେଉଛି ଏହି କାର୍ଯ୍ୟକ୍ରମର ତିନୋଟି ସ୍ତମ୍ଭ। ଦେଶବ୍ୟାପୀ ୨୯ ହଜାର ଶିକ୍ଷାନୁଷ୍ଠାନ ଜରିଆରେ ଏହି କାର୍ଯ୍ୟକ୍ରମର ପ୍ରଭାବଶାଳୀ ଢଂଗରେ ପରିଚାଳନା କରିବା କେନ୍ଦ୍ର ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷେ ସମ୍ଭବ ନୁହେଁ। ତେଣୁ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ସକ୍ରିୟ ସମନ୍ୱୟ ଓ ସହଯୋଗ, ବୁଝାମଣା ଜରିଆରେ ଏହାର କ୍ରିୟାନ୍ୱୟନ ସମ୍ଭବ। 

 

ଏନ‌୍‍ଏସ‌୍‍ଏସ‌୍‍ର ଉଦ୍ଦେଶ୍ୟ ସେବା ଜରିଆରେ ଜ୍ଞାନ ଆହରଣ। ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ହେଉଛି  ଏନ‌୍‍ଏସ‌୍‍ଏସ‌୍‍ର ଉଦ୍ଦେଶ୍ୟ। ଏହାର ମୂଳ ଉଦ୍ଦେଶ୍ୟ ହେଲା ‘ନଟ୍‌ ମି, ବଟ‌୍‍ ୟୁ’। ଜଣେ ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବୀ ଗୋଷ୍ଠୀ ସମ୍ମୁଖରେ ନିଜକୁ ରଖି କାର୍ଯ୍ୟ କରିଥାଏ। ଏହା ମୂଲ୍ୟଭିତ୍ତିକ ଶିକ୍ଷା ଯାହା ଖୁବ‌୍‍ ଶୀଘ୍ର ମହତ୍ୱପୂର୍ଣ୍ଣ  ହୋଇଥାଏ।

 

ନିଜର ବ୍ୟକ୍ତିତ୍ୱ ବିକଶିତ କରିବା ବ୍ୟତୀତ ଏନ‌୍‍ଏସ‌୍‍ଏସ‌୍‍  ସ୍ବେଚ୍ଛାସେବୀମାନଙ୍କର ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବିଗତ ବର୍ଷ ଗୁଡିକରେ ଏନ‌୍‍ଏସ‌୍‍ଏସ‌୍‍ ୟୁନିଟ‌୍‍ ଗୁଡିକ ପକ୍ଷରୁ ଦେଶର ବିଭିନ୍ନ ଗାଁ-ଗଣ୍ଡା ଓ ବସ୍ତି ଅଂଚଳରେ ୧୨ ହଜାର ୬୨୮ଟି ଶିବିରର ଆୟୋଜନ କରାଯାଇପାରିଛି। ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବୀମାନେ ଶ୍ରମଦାନ କରି ୯୧ ଲକ୍ଷ ଘଂଟା ସ୍ବେଚ୍ଛାସେବା କରିଛନ୍ତି ଏବଂ ୧.୯୮ ଲକ୍ଷ ୟୁନିଟ ରକ୍ତଦାନ ସହ ୧୩.୨୭ ଲକ୍ଷ ଚାରା ରୋପଣ କରିପାରିଛନ୍ତି। ଏହାଛଡା ସ୍ବେଚ୍ଛାସେବୀମାନେ ସ୍ୱାସ୍ଥ୍ୟ, ଚକ୍ଷୁ ଓ ଟୀକାକରଣ କ୍ଷେତ୍ରରେ ୭,୦୫୧ ଟି ଶିବିରର ଆୟୋଜନ କରିପାରିଛନ୍ତି।

               

ଏହାବ୍ୟତୀତ ବିଭିନ୍ନ ସାମାଜିକ ପ୍ରସଂଗରେ ସଚେତନା ସୃଷ୍ଟି ନିମନ୍ତେ ୩୦,୦୧୧ଟି ରାଲିର ମଧ୍ୟ ଆୟୋଜନ କରାଯାଇ ପାରିଛି। ଖାଲି ସେତିକି ନୁହେଁ ଏନ‌୍‍ଏସ‌୍‍ଏନ‌୍‍ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ପାଖାପାଖି ୬ ଲକ୍ଷ ଶିଶୁଙ୍କୁ ପଲ୍ସ ପୋଲିଓ ଟୀକା ଦିଆଯାଇଛି। ସ୍ବେଚ୍ଛାସେବୀମାନେ ସ୍ୱଚ୍ଛ ଭାରତ ମିଶନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏହାଛଡା ଡିଜିଟାଲ ସ୍ୱାକ୍ଷରତାର ପ୍ରସାର ଏବଂ ଯୋଗକୁ ଲୋକପ୍ରିୟ କରାଇବାରେ ମଧ୍ୟ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଗତବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶବ୍ୟାପୀ ପାଖାପାଖି ୧୧.୧୯ ଲକ୍ଷ ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବୀ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

 

ଏନ‌୍‍ଏସ‌୍‍ଏସ‌୍‍ର ପ୍ରସାର ଓ ବିସ୍ତାର ପାଇଁ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି। ବର୍ତ୍ତମାନ ଏନ‌୍‍ଏସ‌୍‍ଏସ‌୍‍ରେ ସାମିଲ ହେଉଥିବା ଛାତ୍ରଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ‌୍‍। ଏନ୍‌ଏସ‌୍‍ଏସ‌୍‍ ପାଇଁ ଆର୍ଥିକ ସହାୟତା ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଉଛି। ଏଥିପାଇଁ ସେଲ୍ଫ ଫାଇନାନ୍ସ ୟୁନିଟ ପ୍ରତିଷ୍ଠା ନିମନ୍ତେ ମଧ୍ୟ ଅନୁମତି ମିଳିଛି। ବିଦ୍ୟାରତ୍ନମାନଙ୍କ ଏନ‌୍‍ଏସ‌୍‍ଏସ‌୍‍ ପ୍ରତି ଆକୃଷ୍ଟ କରିବା ପାଇଁ ୟୁଜିସି ପକ୍ଷରୁ ପ୍ରତି ବିଶ୍ୱବିଦ୍ୟାଳୟରେ ଏହାକୁ ଆଡଭାନ୍ସ ବୈକଳ୍ପିକ ବିଷୟ ରୂପେ ଆରମ୍ଭ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଉତ୍ତମ ସେବା କାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଉଛି। ଏହାବ୍ୟତୀତ ଜାତୀୟ ସ୍ତରରେ ପ୍ରତିବର୍ଷ ଏନ‌୍‍ଏସ‌୍‍ଏସ‌୍‍ ପୁରସ୍କାର ଦିଆଯାଉଛି। ଗଣତନ୍ତ୍ର ଦିବସ ପ୍ୟାରେଡ ଆନ୍ତର୍ଜାତିକ ଯୁବ ଶିବିର, ଦୁଃସାହସିକ ଶିବିର ଅବସରରେ ମଧ୍ୟ ଏହା ପୁରସ୍କାର ଦିଆଯାଉଛି। 

 

ଏନ‌୍‍ଏସ‌୍‍ଏସ‌୍‍ ଜରିଆରେ ବହୁତ ଭଲ କାମ କରାଯାଇ ପାରୁଛି। ଛାତ୍ର ଓ ଯୁବ ଏନ‌୍‍ଏସ‌୍‍ଏସ‌୍‍ ସ୍ବେଚ୍ଛାସେବୀମାନଙ୍କ ଭାରତୀୟ ଏବଂ ସମାଜର ସବୁଠୁ ଗତିଶୀଳ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱ ବଳରେ ଭାରତ ସରକାର ସବକା ସାଥ ସବକା ବିକାଶ ସିଦ୍ଧାନ୍ତ ଦ୍ୱାରା ଏକ ସୁଦୃଢ ଓ ଶକ୍ତିଶାଳୀ ଆଧୁନିକ ଭାରତ ନିର୍ମାଣ ନିମନ୍ତେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ମିଶନକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱରେ ଭାରତକୁ ଉତ୍ପାଦନର ପେଣ୍ଠ ରୂପେ ବିକଶିତ କରିବା ପାଇଁ  ‘ଡିଜିଟାଲ ଇଣ୍ଡିଆ’ ଜରିଆରେ ଭାରତକୁ ଡିଜିଟାଲ ରୂପରେ ସଶକ୍ତ ସମାଜ ଓ ଦୃଢ ଅର୍ଥ ବ୍ୟବସ୍ଥାରେ ରୂପାନ୍ତର କରିବା ପାଇଁ ଅଭିଯାନ ଚାଲୁରହିଛି। ଭାରତୀୟଙ୍କୁ ବିଭିନ୍ନ କ୍ଷେତ୍ରରେ କୂଶଳୀ ଓ ଦକ୍ଷ କରିବା  ଲକ୍ଷ୍ୟରେ ଅର୍ଥ ବ୍ୟବସ୍ଥାକୁ ସୁଦୃୃଢ କରି ବିଦେଶରେ କାମ କରିବା ନିମନ୍ତେ ଭାରତୀୟଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ‘ସ୍କିଲ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଛି।

 

ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ମାର୍ଟ ସିଟି ପ୍ରକଳ୍ପ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ୱଚ୍ଛ ଓ ସବୁଜ ଭାରତର ନିର୍ମାଣ ପାଇଁ  ‘ସ୍ୱଚ୍ଛ ଭାରତ ମିଶନ’  ଓ ‘ସ୍ୱଚ୍ଛ ଗଂଗା ମିଶନ’ର ଶୁଭାରମ୍ଭ କରାଯାଇଛି। କଳାଧନର ମୂଳୋତ୍ପାଟନ ପାଇଁ ଏବଂ ସମାଜରେ ପାରଦର୍ଶିତା ଆଣିବା  ଉଦ୍ଦେଶ୍ୟରେ ଏକ  ନିରନ୍ତର ଏବଂ ନିର୍ଦ୍ଧାରିତ ଅଭିଯାନ ଚାଲୁରହିଛି। ଏହି ଅବସରରେ ଏନ‌୍‍ଏସ‌୍‍ଏସ‌୍‍ ବିଦ୍ୟାର୍ଥୀଙ୍କ ସହ ଲାଭାର୍ଥୀ ମଧ୍ୟ ଯୋଗଦାନ ଦେଇ ପାରିବେ। 

 

ଟାଟା ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ ସୋସିଆଲ ସାଇନ୍ସ (ଟିଆଇଏସ‌୍‍ଏସ‌୍‍) ଦ୍ୱାରା କରାଯାଇଥିବା ମୂଲ୍ୟାୟନ ସର୍ଭେରେ ଏନ‌୍‍ଏସ‌୍‍ଏସ‌୍‍ର ମହତ୍ୱ ଓ ଗୁରୁତ୍ୱକୁ ରେଖାଙ୍କିତ କରାଯାଇଛି। ଏହି ରିପୋର୍ଟର ନିଷ୍କର୍ଷରେ ଟିଆଇଏସଏସ‌୍‍ ଦର୍ଶାଇଛି ଯେ, ଏନ‌୍‍ଏସ‌୍‍ଏସ‌୍‍ ହେଉଛି ଭାରତ ସରକାରଙ୍କ ଏକ ସୁନ୍ଦର ଓ ବୈଷୟିକ ରୂପେ ପ୍ରେରିତ ଯୋଜନା। ଯୁବ ବର୍ଗଙ୍କୁ କାର୍ଯ୍ୟକ୍ଷମ କରାଇବାରେ ଏନ‌୍‍ଏସ‌୍‍ଏସ‌୍‍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିକି ଟିଆଇଏସ‌୍‍ଏସ‌୍‍ ତା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, କଲେଜମାନଙ୍କରେ ଏନ‌୍‍ଏସ‌୍‍ଏସ‌୍‍କୁ ବାଧ୍ୟତାମୂଳକ କରାଯିବା ଉଚିତ‌୍‍। ଏହାକୁ ପାଠ୍ୟକ୍ରମର ଏକ ଅଂଶ ରୂପେ ଏକିକୃତ କରାଯିବା ଆବଶ୍ୟକ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top