ମା’

News Story - Posted on 2017-05-14

 ଚାରୁ ଚନ୍ଦନ ଦାଶ

 

ମା’! ଜୀବନରେ କ’ଣ ତୋ ଋଣ ଶୁଝିହେବ? ମା’ ଋଣ କେବେ କିଏ ଶୁଝିପାରେ? ତୁ ପରା ଆମକୁ ଜନ୍ମ ଦେଇଛୁ। ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରିଛୁ। ସେଥିପାଇଁ ପରା ତୁ ମା’। ତୋ ପଣତ ଆଢୁଆଳରେ ସବୁବେଳେ ଆମକୁ ଘୋଡାଇ ରଖିଛୁ। ପିଲାଦିନେ ଆମ ତିନି ଭାଇ ଭଉଣୀଙ୍କ କେତେ ଅଳି ଅଝଟ ସହିଛୁ। ତିନି ଭାଇ ଭଉଣୀଙ୍କ ଠାରୁ ମୁଁ ବେଶୀ ଦୁଷ୍ଟ ଥିଲି ବୋଲି ବେଳେବେଳେ ବାପା ମୋ ଉପରେ ରାଗି ଯାଆନ୍ତି, ହେଲେ ତୁ ...

 

ସତରେ ମା’, ଆଜି ସମୟ ବଦଳିବା ସାଙ୍ଗକୁ ତୋର ଦୁଇ ପୁଅ ବି ବଡ ହୋଇ ଯାଇଛନ୍ତି। ଭାଇ ପାଇଁ ତ କନିଆ ଖୋଜା ବି ଆରମ୍ଭ ହୋଇଗଲାଣି। ବୋହୂ ପରଷା ଖାଇବା ପାଇଁ ତ ତୁ ଗୋଡ ଟେକି ବସିଛୁ। ହେଲେ ମା’ ଆଗରେ ପୁଅ ବଡ଼ ହେବାର ନଜର ଅଛି ହେଲେ ବୁଢ଼ା ହୁଏ ନାହିଁ। ସବୁଦିନ ଛୋଟ ପିଲାଟିଏ ପରି ରହିଥାଏ। ପୁଅ ଯେତେ ବଡ ହେଲେ ବି ନାକରୁ ସିଂଘାଣୀ ବାହାରୁଥିବା ସେଇ ବକଟେ ପିଲା ହୋଇଥାଏ। ହେଲେ ବାସ୍ତବରେ କ’ଣ ସେଇଆ ହୁଏ?

 

ଘର ଛାଡି, ତୋତେ ଛାଡି, ବାପାଙ୍କୁ ଛାଡି ଆଜି ଆମେ ବାହାରେ ରହୁଛୁ। ଦିନେ ନଦେଖିଲେ ଆଖିରୁ ଲୁହ ଝରାଉଥିବା ତୋର ଦୁଇ ପୁଅ ଆଜି ଅନେକ ଦିନ ଧରି ତୋତେ ଦେଖି ପାରୁନାହାନ୍ତି। ଭାଇ ଟିକେ ପାଖରେ ଅଛି ବୋଲି ସପ୍ତାହରେ କି ଦି ସପ୍ତାହରେ ଟିକେ ତୋତେ ଦେଖି କି ଆସୁଛି, ହେଲେ ମୁଁ!

 

ତୋର ମନେ ଅଛି ଯେଉଁଦିନ ମୁଁ ପ୍ରଥମ କରି ଘର ଛାଡି ଭୁବନେଶ୍ୱର ଆସିଥିଲି, ବର୍ଷା ଆଉ ତୋ ଆଖିର ଲୁହ ଭିତରେ କିଛି ଫରକ‌୍‍ ନଥାଏ। ଦୁହେଁ ଅନବରତ ବହିବାରେ ଲାଗିଥାନ୍ତି। ଆଜି ବି ମୁଁ ଘରୁ ଆସିଲେ କେମିତି ଠିକ‌୍‍ସେ ପହଂଚି ଯାଏ, ସେଥିପାଇଁ ତୁ ମା’ଙ୍କୁ ମୁଣ୍ଡିଆ ମାରିଥାଉ। ସତରେ ମା’, ତୁ କେତେ ସରଳ ଆଉ ନିରୀହ!

 

ଆଜି ମୁଁ ରହୁଛି ଘରଠୁ ବହୁତ ଦୂରରେ। ଦେଖିବାକୁ ଇଚ୍ଛା ହେଲେ ବି ଦେଖିପାରୁନି। ତୋ କୋଳରେ ଟିକେ ମୁଣ୍ଡ ରଖି ଶୋଇବାକୁ ଚାହିଁଲେ ବି ଶୋଇପାରୁନି।

 

ଆଜି ମୁଁ ରହୁଛି ଘରଠୁ ବହୁତ ଦୂରର। ଦେଖିବାକୁ ଇଚ୍ଛା ହେଲେ ବି ଦେଖିପାରୁନି। ତୋ କୋଳରେ ଟିକେ ମୁଣ୍ଡ ରଖି ଶୋଇବାକୁ ଯେତେ ଭାବିଲେ ବି ଏଇ ପୋଡାମୁହାଁ ସମୟଟା ତାହା ବି କରାଇବାକୁ ଦେଉନି। ସତେ ଯେମିତି ଏଇ ଯନ୍ତ୍ରଚାଳିତ ଦୁନିଆରେ ତୋର ସେଇ ଦୁଷ୍ଟ ପୁଅ ବି ପେଷି ହୋଇ ଚାଲିଛି। ସତରେ ମା’, ଆଜିକାଲି ଆଉ ଦୁଷ୍ଟାମୀ କରିବାକୁ ବି ଇଚ୍ଛା ହେଉନି। କେମିତି ବା ହବ ଯେ, ଆମେ ପରା ବଡ ହେଇଗଲୁଣି! ତୋର ମନେ ଅଛି, ପିଲାଦିନ ଖାଇବାକୁ ମୁଁ ଅଳି କରୁଥିଲି ବୋଲି ତୁ ବଡ ପାଟିରେ ଚିଲ୍ଲାଉଥିଲୁ। ହେଲେ ଆଜି ଦିନ ଦିନ ଧରି ନଖାଇଲେ ବି କହିବାକୁ କେହି ନାହାନ୍ତି। ରାତି ରାତି ଧରି ତୋତେ ମନେ ପକାଇ ଗୁମୁରି ଗୁମୁରି କାନ୍ଦିଲେ ବି ବୁଝେଇବାକୁ କେହି ନାହାନ୍ତି। ଏଠି ଟଙ୍କା ଦେଲେ ସବୁ ମିଳିବ ହେଲେ ତୋ ଭଲପାଇବା, ସ୍ନେହ କ’ଣ ମିଳିପାରିବ?

 

ଫେରି ଆସନ୍ତାନି ସେଇ ଦିନ! ପୁଣି ଥରେ ଦେହରୁ ଝାଳ ବାହାରିଲେ ତୁ ତୋ ପଣତକାନିରେ ପୋଛି ପକାନ୍ତୁ। ବାପାଙ୍କଠୁ ଗାଳି ଖାଇଲେ ମିଛ ବାହାନା ଦେଖାଇ ପୁଣି ଥରେ ବଂଚାଇ ଦିଅନ୍ତୁ! ଗୁମ‌୍‍ସୁମ‌୍‍ ହେଇ ବସି ରହିଲେ ମୁଣ୍ଡଟାକୁ ଆଉଁଷି ଦେଇ କେତେ ଉଦାହରଣ ସହିତ ପୁଣି ଥରେ ସତେଜ କରିଦିଅନ୍ତୁ!

 

ଇତି

ତୋର ପିଲାମାନେ।

 

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୬୫୮୨୬୩୨୮୫


ପ୍ରତିକ୍ରିୟା

Debi Prasad Mishra - Email: debiprasadmishra.master@gmail.com - Posted on 2017-05-14 12:33:57

Very good

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top