ମଦୁଆ ଭାଙ୍ଗିଲେ ଜଳକ୍ରୀଡ଼ା ଭିତ୍ତି

News Story - Posted on 2017-05-13

 

ମେ ୧୧ ତାରିଖ ଗୁରୁବାର ବିଳମ୍ୱିତ ରାତିରେ ୫୦ରୁ ଅଧିକ ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ର ଧରି  କୋଣାର୍କ-ପୁରୀ ବେଳାମାର୍ଗସ୍ଥ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟ କ୍ୟାମ୍ପରେ ପଶି କର୍ମଚାରୀଙ୍କୁ ଧମକ ଦେବା ସହ ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରି ନଷ୍ଟ କରି ଦେଇଛନ୍ତି। ଏ ନେଇ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟର ଦୁଇଜଣ କର୍ମଚାରୀ ପ୍ରକାଶ ପରିଡା ଓ ସନାତନ ବେହେରା ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

ଏହି ଦୁଇଜଣ କର୍ମଚାରୀ ସେମାନଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି କି ଗୁରୁବାର ରାତି ପ୍ରାୟ ୧ଟା ୩୦ ମିନିଟ ସମୟରେ ୫୦ରୁ ଅଧିକ ମୁହଁରେ କପଡା ବନ୍ଧା ଦୁର୍ବୃତ୍ତ ମଦ୍ୟପାନ କରି ହାତରେ ଠେଙ୍ଗା, ଭୁଜାଲି, କଟୁରୀ ଓ କୁରାଡୀ ଧରୀ କ୍ୟାମ୍ପରେ ପଶି ଆମକୁ ଆଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଏମାନଙ୍କ ଉତ‌୍‍ପାତରେ ଆମେ ନିରୁପାୟ ଓ ଭୟଭୀତ ହୋଇ ଜୀବନ ବିକଳରେ ସେହି ସ୍ଥାନ ଛାଡି ଦେଇଥିଲୁ। ଏହାପରେ ଦୁବୃର୍ତ୍ତମାନେ କଳିଙ୍ଗ ଡାଇଭରର୍ସ ଫାଉଣ୍ଡେସନ ଟ୍ରଷ୍ଟର କ୍ୟାମ୍ପ ପରିସରରେ ଥିବା ୬ ବଖରା ଚାଳ ଘରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଗୋଟିଏ  ସ୍କୁଟର ବୋଟ, ଗୋଟିଏ ସ୍ପିଡ‌୍‍ ବୋଟ, ୮ଟି ସପିଙ୍ଗ ବୋର୍ଡ, ୨ଟି କାଇକିଂ ବୋର୍ଡ, ମାସ୍କ ସର୍କଲ, ଲାଇଫି ଜାକେଟ ସମେତ ଜଳ କ୍ରୀଡା ପାଇଁ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି। ଏହାର ଆନୁମାନିକ ମୁଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସେମାନେ ଦର୍ଶାଇଛନ୍ତି।

 

ଦୁବୃର୍ତ୍ତମାନଙ୍କ ଏହି ଆକ୍ରମଣ ସମୟରେ ସେମାନଙ୍କ ମଧ୍ୟରୁ ଖାଲକଟାପାଟଣା ଗାଁର ଦୁଇଜଣ ଯୁବକ ଟୁକୁନା ନାୟକ, ନିଲୁ ନାୟକ ଏବଂ ଟିକନା ଗ୍ରାମର ଦୁଇଜଣ ଯୁବକ ଦୁର୍ଯ୍ୟୋଧନ ଦାସ ଓ ପ୍ରକାଶ ବେହେରାଙ୍କୁ ଦୁଇ ଅଭିଯୋଗକାରୀ ଚିହ୍ନି ପାରିଥିବା ସେମାନେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ସାମୁଦ୍ରିକ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ୮/୧୭ରେ ଏକ ମାମଲାରୁଜୁ କରାଯାଇ ତନାଘନା ଆରମ୍ଭ କରିଦେଇଛନ୍ତି। ଗିରଫ ଭୟରେ ୪ ଅଭିଯୁକ୍ତଙ୍କ ସମେତ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ଦାଶ କହିଛନ୍ତି।

 

ଏଠାରେ ସୁଚନା ଥାଉକି ଜଳ କ୍ରୀଡା ପାଇଁ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ମା’ ରାମଚଣ୍ଡୀଙ୍କ ପୀଠ ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍କୁବା ଡ଼ାଇଭର ସବୀର ବକ୍ସଙ୍କ ଦ୍ୱାରା ୨୦୧୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନ ଟ୍ରଷ୍ଟ। ଏଠାରେ ଜଳକ୍ରୀଡ଼ା ସଂପର୍କରେ ‘ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ’ (ଏନ.ଡି.ଆର.ଏଫ.) ଓ ବନବିଭାଗର କର୍ମଚାରୀ, ଅଗ୍ନିଶମ, ଲାଇଫଗାର୍ଡ େସ୍ୱଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ, ବିଦେଶାଗତ ଅତିଥିମାନଙ୍କୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶି ଓ ବଙ୍ଗୋପସାଗରର ଉଚ୍ଚଜୁଆର ଅଞ୍ଚଳର ଜଳରାଶିରେ ସବୀର ବିଭିନ୍ନ ପ୍ରକାର ଡାଇଭିଂ କୌଶଳ ଶିକ୍ଷା ଦେଇ ଜାତୀୟ ଆନ୍ତର୍ଯାତୀୟ ସ୍ଥରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଠାରେ ପ୍ରଶିକ୍ଷଣ ନେଇଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ପ୍ରକୃତିକ ବିପର୍ଯୟ ସମୟରେ ଉନ୍ନତ ମାନର ଜ୍ଞାନ କୌଶଲ ପ୍ରୟୋଗ କରି ବିପନ୍ନ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ ଓ ସହଯୋଗ କରିବାର ନୂତନ ଜ୍ଞାନ କୌଶଳ ଏହି ଶିବିରରୁ ଶିକ୍ଷାଲାଭ କରୁଥିବା ବେଳେ କଳିଙ୍ଗ ଡାଇଭର୍ସ ଫାଉଣ୍ଡେସନରେ ଜଳ କ୍ରୀଡାର ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ କମାଲ ଦେଖାଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top