ମୋଦିଙ୍କ ବିକାଶ ଖୋଜା!

News Story - Posted on 2017-05-13

ସୂର୍ଯ୍ୟମଣି ମିଶ୍ର

 

ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ବି ବିକାଶ ସମସ୍ତଙ୍କ ପାଇଁ ଅପହଞ୍ଚ। ଏଇଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟଥିତ ହୋଇପଡ଼ିଛନ୍ତି। ତାଙ୍କ ବ୍ୟଥାର କଥା ହେଉଛି କାହିଁକି ସମସ୍ତଙ୍କର ବିକାଶ ନହେବ? ସମସ୍ତଙ୍କ ବିକାଶ ପାଇଁ ତାଙ୍କର ନାରା ହେଉଛି ‘ସବ‍୍‌ କା ସାଥ୍, ସବ‍୍‌ କା ବିକାଶ’। ହୁଏତ ସମସ୍ତଙ୍କ ବିକାଶ ପାଇଁ ସେ ଶ୍ରୀ ମୋଦି ଉଦ୍ୟମ କରୁଛନ୍ତି। କିନ୍ତୁ ବିକାଶ ଯେପରି କେଉଁଠି ହଜିଯାଇଛି, କେବଳ ଦେଶର ୧୦୦ ଜଣ ମହାଧନୀଙ୍କ ପାଖରେ ବିକାଶର ଠିକଣା ଅଛି। ମୋଦିଜୀ ଖୋଜୁଛନ୍ତି ବିକାଶକୁ ଖୋଜିଆଣି ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା। କିନ୍ତୁ ସର୍ଜିକାଲ‍୍‌ ଷ୍ଟ୍ରାଇକ୍ ପରେ ବିକାଶ ହଜିଯାଇଛି, ଖୋଜି ପାଉନାହାନ୍ତି। ଏଇଥିପାଇଁ ‘ସବ‍୍‌ କା ସାଥ୍, ସବ‍୍‌ କା ବିକାଶ’ ଭ୍ରମ ସୃଷ୍ଟି କରିଛି। ଏବେ ପ୍ରଶ୍ନ ଉଠୁଛି ମୋଦିଜୀ  ସମସ୍ତଙ୍କ ବିକାଶ କହୁଛନ୍ତି, ତେବେ ଏଇ ସମସ୍ତେ କିଏ? ଯାହାଙ୍କ ସୁନିଶ୍ଚିତ ବିକାଶ ହେବ। ବିକାଶକୁ ଖୋଜିବା ଆଗରୁ ଯୋଗୀ ଆଦିତ୍ୟନାଥ ରୋମିଓଙ୍କୁ ଖୋଜିଲେ। ଏହାପରେ ବେଆଇନ କଂସେଇଖାନା ଖୋଜାଗଲା। ଏବେ ପୁଣି ଲାଲ‍୍‌ବତୀ ହଟାଇବା ଅଭିଯାନ ବିକାଶର ଫେରିବା ବାଟରେ ପାଚେରୀ ହୋଇ ଠିଆହୋଇଗଲା କି? ଏହି ସମୟରେ ପୁଣି ସୀମାନ୍ତରେ ପାକିସ୍ତାନପଟୁ ଗୁଳି ଚାଲିଲା। ଏହାପରେ ଛତିଗଡ଼ର ବସ୍ତରରେ ନକ୍ସଲବାଦୀଙ୍କ ଦ୍ୱାରା ଯବାନ ଶହୀଦ ହେଲେ।

 

ଏଭଳି ଗୋଟିଏ ପରେ ଗୋଟିଏ ପ୍ରତିକୂଳ ପରିସ୍ଥିତିର ଚିତ୍ର ଦେଖି ବିକାଶ ଉଭାନ‍୍‌ ହୋଇଗଲା! ଏହାମଧ୍ୟରେ ଛତିଶଗଡ଼ରେ ସଡ଼କ ନିର୍ମାଣ, କାଶ୍ମୀର‍୍‌ରେ ସୁଢ଼ଙ୍ଗ ନିର୍ମାଣ କାର୍ଯ୍ୟକୁ ବିକାଶ ସହ ଯୋଡ଼ି ଦିଆଯାଇଛି। ସ୍ମାର୍ଟ ସିଟି, ଡିଜିଟାଲ‍୍‌ ଇଣ୍ଡିଆ, ସ୍କିଲ‍୍‌ ଇଣ୍ଡିଆ, ମେକ୍ ଇନ‍୍‌ ଇଣ୍ଡିଆ ମାଧ୍ୟମରେ  ଦେଶର କୌଣସି ଅଞ୍ଚଳ ସଂଯୋଗ ବିହୀନ ରହିବ ନାହିଁ। ସମସ୍ତ ଯୁବବର୍ଗ ଦକ୍ଷ ହେବେ ଓ ନିଯୁକ୍ତି ପାଇବେ। ଏହି ଭରସା ମୋଦିଜୀ ଦେଇଛନ୍ତି। ଏହାତ ବିକାଶ। କିଏ କହୁଛି ବିକାଶ ଦେଶରୁ ସମସ୍ତଙ୍କ ପାଇଁ ହଜିଯାଇଛି? ଏଇଥି ପାଇଁ ତ ମାସକୁ ମାସ ବିକାଶ ସରକାରଙ୍କ ସହ, ସରକାରଙ୍କ ପାଇଁ, ସରକାରଙ୍କ ଉଦ୍ଦେଶ୍ୟରେ ରହିଛି ବୋଲି ‘ମନ‍୍‌କୀ ବାତ୍’ ଶୁଣାଉଛନ୍ତି ମୋଦିଜୀ।

 

ଗତ ଅପ୍ରେଲ ୩୦, ୨୦୧୭ ରବିବାର ଦିନ ନିଜର ‘ମନ‍୍‌କୀ ବାତ୍’ (୩୧ତମ ସଂସ୍କରଣ) ମାସିକ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ପ୍ରତ୍ୟେକ ଲୋକ ମହତ୍ତ୍ୱପୂର୍ଣ୍ଣ ଅଟନ୍ତି। ସେଇଥିପାଇଁ ସରକାର ନ୍ୟୁ ଇଣ୍ଡିଆ ନିର୍ମାଣ ପାଇଁ ତଥାକଥିତ ଭିଆଇପିମାନଙ୍କ ଗାଡ଼ିରୁ ନାଲିବତୀ ହଟାଇ ଦେଇ ଦେଶର ୧୨୫ କୋଟି ଅର୍ଥାତ୍ ସମସ୍ତ ଭାରତୀୟ ସରକାରଙ୍କ ପାଇଁ ଭିଆଇପି ବୋଲି ସାବ୍ୟସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ‘ମନ‍୍‌କୀ ବାତ୍’ କାର୍ଯ୍ୟକ୍ରମରେ ସମସ୍ତ ଦେଶବାସୀଙ୍କୁ ‘ନ୍ୟୁ ଇଣ୍ଡିଆ’ର ଭାଗିଦାର ହେବା ପାଇଁ ଆହ୍ୱାନ ଜଣାଇଛନ୍ତି। ବିଶେଷତଃ ଦେଶର ଯୁବବର୍ଗଙ୍କୁ କମ୍ଫର୍ଟ ଜୋନ‍୍‌ (ସୁବିଧାଜନକ ଅବସ୍ଥା)ରୁ ବାହାରି ଜୀବନର ନୂଆ ଅନୁଭବ ହାସଲ ପାଇଁ ଆହ୍ୱାନ ଜଣାଇଛନ୍ତି। ‘ମନ‍୍‌କୀ ବାତ୍’ରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କୁ ନୂଆ ସ୍ଥାନ ଦେଖିବା, ନୂଆ କାମ କରିବା, ନୂଆ ଅନୁଭୂତି ଅର୍ଜନ କରିବା ଏବଂ ‘ଭୀମ‍୍‌ ମୋବାଇଲ‍୍‌ ଆପ‍୍‌’ ବ୍ୟବହାର କରିବା ପାଇଁ ଏହି ଅବସରରେ ଆହ୍ୱାନ ଜଣାଇଛନ୍ତି। ନୂଆ ଜ୍ଞାନ ଓ ଦକ୍ଷତା ଆହରଣ ଯୁବବର୍ଗଙ୍କ ପାଇଁ ଅତୀବ ଆବଶ୍ୟକ ନିଶ୍ଚୟ। ତେବେ ଦେଶର ଯୁବବର୍ଗଙ୍କ ପାଇଁ ଏହି ପରିବେଶ ସରକାର ସୃଷ୍ଟି କରିପାରିଛନ୍ତି କି?

 

ପ୍ରଧାନମନ୍ତ୍ରୀଙ୍କ ମନ‍୍‌କୀ ବାତ୍ ନିଶ୍ଚୟ ଶ୍ରୁତିମଧୁର ଓ ଉପାଦେୟ ମଧ୍ୟ। ତେବେ ପ୍ରଧାନମନ୍ତ୍ରୀ ନିଜର ମନ‍୍‌ କୀ ବାତ୍‌ରେ ଦେଶରେ ହ୍ରାସ ପାଉଥିବା ରୋଜଗାର ପ୍ରସଙ୍ଗ ଉପରେ କିଛି କହିନଥିଲେ। ଭାରତର ଜନସଂଖ୍ୟା ୧୨୫ କୋଟିରୁ ଅଧିକ। ଏହି ମୋଟ ଜନସଂଖ୍ୟା ମଧ୍ୟରୁ ଦୁଇ ତୃତୀୟାଂଶ ହେଉଛନ୍ତି ୩୫ ବର୍ଷ ବୟସରୁ କମ‍୍‌। ଭାରତରେ ବିଶ୍ୱର ସର୍ବାଧିକ ଯୁବବର୍ଗ ରହିଛନ୍ତି। କିନ୍ତୁ ଏହି ଯୁବବର୍ଗଙ୍କ ପାଇଁ ରୋଜଗାର ବଜାରର ସମ୍ଭାବନା କମ‍୍‌। ତେବେ ପ୍ରଧାନମନ୍ତ୍ରୀ ନିଜର ମନ‍୍‌କୀ ବାତ୍ରେ ପ୍ରତ୍ୟେକ ଯୁବବର୍ଗ ଯେ ଜଣେ ଜଣେ ସଫଳ ଉଦ୍ୟୋଗ ହୋଇପାରିବେ ନାହିଁ! ଦେଶରେ ପ୍ରତିବର୍ଷ ଲକ୍ଷାଧିକ ଯୁବବର୍ଗ ରୋଜଗାର ଖୋଜୁଛନ୍ତି। ଏହି ଯୁବବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି କିଛି ଦିଶା ଓ ନିର୍ଦ୍ଦେଶ ଦେଇନାହାନ୍ତି, ଯାହାକୁ ନେଇ ଉଦ୍ୟୋଗ ଦୌଡ଼ରେ ଥିବା ଏବଂ ରୋଜଗାର ବା ନିଯୁକ୍ତି ଅନ୍ୱେଷଣରେ ଥିବା ଯୁବବର୍ଗଙ୍କୁ ହତାଶ କରିଛି।

 

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଆର୍ଥିକ ବର୍ଷରେ ଦେଶରେ ୩.୪ ଲକ୍ଷ ରୋଜଗାର ସୃଷ୍ଟି ହୋଇଛି ବୋଲି ସରକାର ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ପୂର୍ବବର୍ତ୍ତୀ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଅର୍ଥାତ୍ ୨୦୦୯ରୁ ୨୦୧୪ ମଧ୍ୟରେ ବାର୍ଷିକ ଯେତିକି ରୋଜଗାର ସୃଷ୍ଟି ହେଉଥିଲା, ୨୦୧୪ ବର୍ଷର ରୋଜଗାର ସୃଷ୍ଟି ତାହାର ଅଧା। ବସ୍ତ୍ର ଉଦ୍ୟୋଗ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଗତ ୩ ବର୍ଷରେ ରୋଜଗାର ହ୍ରାସ ପାଇଛି। ଚମଡ଼ା, ଅଟୋମୋବାଇଲ‍୍‌, ରତ୍ନ ଏବଂ ଆଭୂଷଣ, ପରିବହନ, ଖଣି ଭଳି କ୍ଷେତ୍ରରେ ରୋଜଗାର ଦ୍ରୁତ ହ୍ରାସ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏନେଇ ନିଜର ମନ‍୍‌ କୀ ବାତ୍‌ରେ ନିରବ ରହିଛନ୍ତି। ଦେଶରେ ବର୍ଷକୁ ବର୍ଷ ବେକାରଙ୍କ ସଂଖ୍ୟା ବଢ଼ିଚାଲିଛି। ସରକାରଙ୍କ ନିଯୁକ୍ତି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରୁନାହିଁ। ପ୍ରତିଭାଧାରୀ ଯୁବବର୍ଗ (ଡାକ୍ତର, ଇଞ୍ଜିନିୟର‍୍‌, ସୂଚନା ଓ ପ୍ରଯୁକ୍ତି ଡିଗ୍ରୀଧାରୀ) ନିଯୁକ୍ତିର ସୁଯୋଗ ନପାଇ ଦେଶ ଛାଡ଼ି ବାହାର ଦେଶକୁ ପଳାଉଛନ୍ତି। ଏପରିକି ବୈଜ୍ଞାନିକଙ୍କ ପଳାୟନ ଦେଶ ପାଇଁ ଚିନ୍ତାର ବିଷୟ ହୋଇଥିଲେ ହେଁ ପ୍ରଧାନମନ୍ତ୍ରୀ ନିଜର ମନ‍୍‌କୀ ବାତ୍‌ରେ ଏହି ପ୍ରସଙ୍ଗ ଉଲ୍ଲେଖ କରିନାହାନ୍ତି। ଦେଖିବାକୁ ମିଳୁଛି ଦେଶରେ ଉଚ୍ଚତର ଶିକ୍ଷା ସଂସ୍ଥାନରୁ ଅଧିକରୁ ଅଧିକ ପ୍ରତିଭାଧାରୀ  ଆଉ ପୂର୍ବଭଳି ବାହାରୁନାହାନ୍ତି। ଏକ ରିପୋର୍ଟ ଅନୁଯାୟୀ ଦେଶର ୧୨୨ଟି ଘରୋଇ ଇଞ୍ଜିନିୟରିଂ କଲେଜ୍‌ ସରକାରୀ ପ୍ରୋତ୍ସାହନ ଓ ସହଯୋଗ ଅଭାବରୁ ବନ୍ଦ ହୋଇଛି। ଏହି ବନ୍ଦ ତାଲିକାରେ ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା ଆଗରେ ରହିଛି।

 

ପ୍ରଧାନମନ୍ତ୍ରୀ ମୋଦି ଏପରି ଏକ ସମୟରେ  ମନ‍୍‌କୀ ବାତ୍‌ରେ ଯୁବବର୍ଗଙ୍କୁ ନୂଆ ସ୍ଥାନ ବୁଲିବା ଓ ନୂଆ ଅନୁଭୂତି ଅର୍ଜନ କରିବା, ନୂଆ ଜ୍ଞାନ ଓ ଦକ୍ଷତା ଆହରଣ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି, ଯେଉଁ ସମୟରେ କୋଟି କୋଟି ଯୁବବର୍ଗ କାମ ଅନ୍ୱେଷଣରେ ରାତିଦିନ ଏକ କରିଛନ୍ତି। ଭୋକ ଉପାସରେ ଏ ଦପ୍ତର, ସେ ଦପ୍ତର ବୁଲି ଚାକିରିଟିଏ ଦିଅ ବୋଲି ଆବେଦନ ଜଣାଉଛନ୍ତି। ଲକ୍ଷାଧିକ ଯୁବବର୍ଗ ଉଦ୍ୟୋଗ କରି ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାଙ୍କରେ ଆବେଦନ ପତ୍ର ଜମାକରି  ଋଣ ନପାଇ ବର୍ଷ ବର୍ଷ ଅପେକ୍ଷା ପରେ ବିଷାଦଗ୍ରସ୍ତ ଜୀବନ ବିତାଉଛନ୍ତି। ସରକାରଙ୍କ ପାଖରେ ଏହି ବିଷାଦଗ୍ରସ୍ତ ଯୁବବର୍ଗଙ୍କ ପରିସଂଖ୍ୟାନର ରିପୋର୍ଟ ଅଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ନିଜର ସଦ୍ୟତମ ୩୧ତମ ମନ‍୍‌କୀ ବାତ୍‌ରେ ଏହି ବିଷାଦଗ୍ରସ୍ତ ଯୁବବର୍ଗ କିପରି ଆନନ୍ଦଯୁକ୍ତ ହେବେ, ସେନେଇ କିଛି କହିନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ନୂତନ ଭାରତ ନିର୍ମାଣରେ ସମସ୍ତଙ୍କ ଭାଗିଦାରିତା ଉପରେ ଗୁରୁତ୍ୱ୍ରଆରୋପ କରିଛନ୍ତି। ଯେପରି ପୂର୍ବରୁ ସେ କହିଥିଲେ, ‘ସବ‍୍‌କା ସାଥ୍, ସବ‍୍‌କା ବିକାଶ’। ସମସ୍ତେ କିପରି ନୂତନ ଭାରତ ବା ନ୍ୟୁ ଇଣ୍ଡିଆ ନିର୍ମାଣରେ ଭାଗିଦାର ହେବେ, ସେନେଇ ସୂତ୍ର ଓ ମନ୍ତ୍ର ଦେଇନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭୟ, ଭୋକ, ଭ୍ରଷ୍ଟାଚାର ମୁକ୍ତ ଭାରତ ନିର୍ମାଣ ପାଇଁ ପୂର୍ବରୁ ମୋଦିଙ୍କ ଆହ୍ୱାନ ଦେଶବାସୀ ଭୁଲିନାହାନ୍ତି। ଏବେ ପୁଣି ନ୍ୟୁ ଇଣ୍ଡିଆ ନିର୍ମାଣର ଆହ୍ୱାନ ଦେଶବାସୀଙ୍କ ପାଇଁ କେବଳ ଏକ ଉପଦେଶ ହୋଇପାରେ, କିନ୍ତୁ ଏହାର କାର୍ଯ୍ୟକାରିତା ବା କାର୍ଯ୍ୟାନ୍ୱୟନ ନେଇ ପ୍ରଶ୍ନ ଉଠୁଛି। କାରଣ ଦେଶରେ ଆର୍ଥିକ ବିଷମତାର ଚିତ୍ର ସହ ଯୋଡ଼ିହୋଇ ରହିଛି ସାମାଜିକ ବୈଷମ୍ୟ। ଏହାର ନିରାକରଣ ନକରି ନ୍ୟୁ ଇଣ୍ଡିଆ ନିର୍ମାଣ ହେବ ବା କିପରି? ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଦେଶର ଯୁବବର୍ଗ, କିପରି କେଉଁ ସୂତ୍ରରେ ଏକାଠି ହୋଇ ନୂଆ ଭାରତ ନିର୍ମାଣର ଭାଗିଦାର ହେବେ?

 

ଆଜି କେବଳ ଦେଶର ଯୁବବର୍ଗ ନୁହନ୍ତି, ସମସ୍ତ ସାଧାରଣ ନାଗରିକ ମୋଦିଜୀଙ୍କ ଠାରୁ ଶୁଣିବାକୁ ଚାହୁଁଛନ୍ତି ‘ମନ‍୍‌କୀ ବାତ୍’ରେ ବିକାଶର ପରିସଂଖ୍ୟାନ। ଦୁର୍ନୀତି ବିରୁଦ୍ଧରେ କି ପଦକ୍ଷେପ ନେଇଛନ୍ତି, ଦୁର୍ନୀତି କେତେ ହଟିଛି- ତାହାର ପରିସଂଖ୍ୟାନ, ଜାଣିବାକୁ ଚାହୁଁଛନ୍ତି କେବେ ତାଙ୍କ ବ୍ୟାଙ୍କଖାତାରେ ଜମା ହେବ ୧୫ ଲକ୍ଷ ଟଙ୍କା ଯାହା କଳାଧନ ଉଦ୍ଧାରରୁ ଅଣାଯାଇଛି! ଭୟ, ଭୋକ ଓ ଭ୍ରଷ୍ଟାଚାରର ଅନ୍ତ କ’ଣ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଦ୍ୱାରା ହୋଇପାରିବ, କ’ଣ ଭଗବାନ ଶ୍ରୀରାମ ସନ୍ତୁଷ୍ଟ ହେଲେ ବିକାଶ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ? କ’ଣ ଦେଶରେ ବଢ଼ୁଥିବା ଆତଙ୍କବାଦ ଓ ନକ୍ସଲବାଦର ହିଂସା ଦୂର ହୋଇପାରିବ? ଏ ସଂପର୍କରେ ମାସିକ ମନ‍୍‌କୀ ବାତରେ ମୋଦିଜୀ ସୂଚନା ଦେଲେ ହୁଏତ ସାଧାରଣ ନାଗରିକଙ୍କ ମନରେ ଦେଖାଦେଇଥିବା ଅସମାଧିତ ପ୍ରଶ୍ନ ଦୂର ହୋଇପାରନ୍ତା। ମୋଦିଜୀ କେବେ ଏ ସଂପର୍କରେ ସୂଚନା ଦେବେ ନିଜର ମନ‍୍‌କୀ ବାତ୍ କାର୍ଯ୍ୟକ୍ରମରେ, ତାହାକୁ ଅପେକ୍ଷା ରଖିଛନ୍ତି ସାଧାରଣ ନାଗରିକ!

 

ଭୁବନେଶ୍ୱର, ଫୋନ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top