ସୋରିଷ ଖୁଆଇ ମାରିବେ କି?

News Story - Posted on 2017-05-13

 

ଦେଶର ଜିନ‌୍‍ ପରିବର୍ତ୍ତିତ ଫସଲ ନିୟନ୍ତ୍ରକ ଜେନେଟିକ ଇଂଜିନିଅରିଂ ଆପ୍ରାଇଜାଲ କମିଟି ବା ଜିଇଏସି ଦେଶରେ ଜିନ‌୍‍ ପରିବର୍ତ୍ତିତ ସୋରିଷ ବା ଜିଏମ ସୋରିଷର ବାଣିଜ୍ୟିକ ବ୍ୟବହାର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି। ସରକାର ଏହି ସୁପାରିଶ ଗ୍ରହଣ କଲେ ସୋରିଷ ହେବ ଦେଶର ପ୍ରଥମ ଜିନ‌୍‍ ପରିବର୍ତ୍ତିତ ଶସ୍ୟ। ତେବେ ଜିନ‌୍‍ ପରିବର୍ତ୍ତିତ ଫସଲକୁ ତୀବ୍ର ବିରୋଧ କରୁଛନ୍ତି ପରିବେଶବିତ। ଏପରିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହବନ୍ଧିତ ଅନେକ ସଂସ୍ଥା ମଧ୍ୟ ଏହାର ବିରୋଧ କରୁଛନ୍ତି। ଜିଏମ ସୋରିଷ ମଣିଷଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଏହାର ଚାଷ ମଧ୍ୟ ପରିବେଶ ଓ ପରିବେଷ୍ଟନୀର ଅନେକ କ୍ଷତି କରିବ ବୋଲି ଦାବି ହେଉଛି।

 

ପରିବେଶ ମନ୍ତ୍ରଣାଳୟକୁ ଯେଉଁ ସୁପାରିଶ ରିପୋର୍ଟ ପଠାଯାଇଛି ତାହା ସକାରାତ୍ମକ, କିନ୍ତୁ କେତେକ ସର୍ତ୍ତ ସହିତ। ଏହା କହିଛି ଜିଇଏସି। ସରକାର ଏହି ସୁପାରିଶ ଗ୍ରହଣ କଲେ ସୋରିଷ ହେବ ଦେଶର ପ୍ରଥମ ଜିନ‌୍‍ ପରିବର୍ତ୍ତିତ ଖାଦ୍ୟଯୋଗ୍ୟ ଶସ୍ୟ। ପୂର୍ବରୁ ବିଟି ବାଇଗଣ ନେଇ ହୋଇଥିବା ଉଦ୍ୟମ ସାମାଜିକ କର୍ମୀ ଓ ବିଶେଷଜ୍ଞମାନଙ୍କର ତୀବ୍ର ବିରୋଧ ପରେ ନିଷ୍ଫଳ ହୋଇଯାଇଛି। ଏବେ ସୁଦ୍ଧା ଦେଶରେ କେବଳ ବିଟି କପା ଚାଷକୁ ଅନୁମତି ମିଳିଛି। ତାହା ବି ଚାଷ ଓ ଚାଷୀଙ୍କ ସମେତ ପରିବେଶ ଓ ପରିବେଷ୍ଟନୀର ଅନେକ କ୍ଷତି କରୁଛି ବୋଲି ବିଭିନ୍ନ ପ୍ରଦେଶରୁ ରିପୋର୍ଟ ମିଳିଛି।

 

ପରିବେଶ ମନ୍ତ୍ରଣାଳୟ ଏନେଇ କହିଛି ଯେ ମେ ୧୧ ତାରିଖ ଜିଇଏସି ବୈଠକରେ ଜିଏମ ସୋରିଷ କଥା ଉଠିଥିଲା। ଏହାର ବାଣିଜ୍ୟିକ ବ୍ୟବହାରକୁ କମିଟି ମଂଜୁରୀ ପ୍ରଦାନ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜିଏମ ସୋରିଷ ବିହନ ବିକଶିତ କରିଛି। ସରକାରଙ୍କ ବିଜ୍ଞପ୍ତି ପରେ ଏହାକୁ ସମଗ୍ର ଦେଶରେ ଚାଷ କରାଯାଇ ପାରିବ।

 

ଜିଇଏସିର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସ ସହବନ୍ଧିତ ସ୍ୱଦେଶୀ ଜାଗରଣ ମଂଚ। ମଂଚ କହିଛି ଯେ ଜିଏମ ସୋରିଷର ବାଣିଜ୍ୟିକ ବ୍ୟବହାରକୁ ଅନୁମତି ଦିଆଗଲେ ତାହା ଆନୁସଙ୍ଗିକ କୃଷି ପ୍ରକ୍ରିୟାକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ। ଅନ୍ୟ କେତେକ ଜିଏମ-ବିରୋଧୀ ବିଶେଷଜ୍ଞ କହିଛନ୍ତି ଯେ ଏଭଳି ସୁପାରିଶ କରି ଜିଇଏସି ପୁଣି ଥରେ ପ୍ରମାଣିତ କରିଛି ଏହା ନାଗରିକମାନଙ୍କର ସ୍ୱାସ୍ଥ୍ୟ ନେଇ ଆଦୌ ଚିନ୍ତିତ ନୁହେଁ। ଏହା ଏକ ଅବୈଜ୍ଞାନିକ ଚିନ୍ତାଧାରା। ସେମାନେ ଦାବି କରିଛନ୍ତି ଯେ ପରିବେଶ ମନ୍ତ୍ରୀ ଅନୀଲ ମାଧବ ବିଜେପିର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରି ଜିଏମ ଖାଦ୍ୟକୁ ଅନୁମତି ଦେବାରୁ କ୍ଷାନ୍ତ ରୁହନ୍ତୁ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଜେନେଟିକ ମାନିପୁଲେସନ ଅଫ କ୍ରପ ପ୍ଲାଣ୍ଟସ ଜିଏମ ସୋରିଷ ବିହନ ବିକଶିତ କରି ଏହାର ପ୍ରଚଳନ ପାଇଁ ୨୦୧୫ ମସିହାରେ ଜିଇଏସିକୁ ଦରଖାସ୍ତ କରିଥିଲା। ଏ ନେଇ ସରକାର ବିଭିନ୍ନ ଗୋଷ୍ଠୀଠାରୁ ମତାମତ ଆହ୍ୱାନ କରିଥିଲେ। ଏ ବାବଦରେ ୭୦୦ ମତ ମିଳିଛି। ସେଥିରୁ କେତେ ଜିଏମ ସୋରିଷ ସପକ୍ଷରେ ଓ କେତେ ବିରୋଧରେ ତାହା ସରକାର ସ୍ପଷ୍ଟ କରିନାହାନ୍ତି। ସରକାର ମଧ୍ୟ ଜିଏମ ବିରୋଧୀ ଏନଜିଓଗୁଡ଼ିକର ମତ ନେଇଥିଲେ। ଏନେଇ ଏକ ସବ‌୍‍ କମିଟି ମଧ୍ୟ ଗଠନ କରାଯାଇଥିଲା। ସବ‌୍‍ କମିଟି ଜିଏମ ସୋରିଷ ସପକ୍ଷରେ ମତ ଦେଇଛି। ତେବେ କୋ-ଆଲିସନ ଫର‌୍‍ ଜିଏମ-ଫ୍ରି ଇଣ୍ଡିଆ ନାମକ ଏକ ସଂସ୍ଥା ଦାବି କରିଛି ଯେ ଏହି ସବ‌୍‍ କମିଟିରେ କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞ ନଥିବାବେଳେ ଏହାର ରିପୋର୍ଟକୁ ବିଜ୍ଞାନସମ୍ମତ ବୋଲି କେମିତି ଗ୍ରହଣ କରାଯିବ?

 

ସ୍ୱଦେଶୀ ଜାଗରଣ ମଂଚର ଆବାହକ ଅଶ୍ୱନୀ ମହାଜନ କହିଛନ୍ତି ଯେ ଯେକୌଣସି ପ୍ରକାର ଜିନ‌୍‍ ପରିବର୍ତ୍ତିତ ଫସଲ ବିରୋଧରେ ଆମେ ଦୃଢ଼ ମତ ଦେଇଆସିଛୁ। ଜିଏମ ସୋରିଷ ଚାଷକୁ ଅନୁମତି ନଦେବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିବୁ। ବିଖ୍ୟାତ ପରିବେଶବିତ‌୍‍ ବନ୍ଦନା ଶିବା ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହା ବେଆଇନ ଏବଂ ଜିଏମ ସୋରିଷ ବିକଶିତ କରିଥିବା ବ୍ୟକ୍ତିମାନେ ବିଜ୍ଞାନର ଜାଲିଆତି କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top