ସବୁ ଦୋଷ ଯମର! ଯମ କିଏ?

News Story - Posted on 2017-05-13

ଶରତ ପଥାଳ

 

ବହୁ ଚର୍ଚ୍ଚିିତ କଳିଙ୍ଗନଗର ଗୁଳିକାଣ୍ଡର ନ୍ୟାୟିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି। ତଦନ୍ତ କମିସନ ରିପୋର୍ଟରେ ଗୁଳିକାଣ୍ଡ ପାଇଁ କେହି ଦୋଷୀ ନୁହଁନ୍ତି, ଏଣୁ କାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ‌୍‍ କରାଯାଇନି। ଏଭଳି ସୂଚନା ଗୁରୁବାର ଗୃହ ବିଭାଗ ସଚିବ ପ୍ରକାଶ କରିବା ପରେ ଦେଖାଯାଇଛି ଅସନ୍ତୋଷର ପ୍ରତିକ୍ରିୟା। ନିହତ ପରିବାରର ଲୋକମାନେ କହୁଛନ୍ତି ତା’ହେଲେ ସେମାନେ ମଲେ କେମିତି? ସେମାନଙ୍କ ମୃତ୍ୟୁ ପାଇଁ ଟାଟା କମ୍ପାନୀ, ପୁଲିସ ଓ ରାଜ୍ୟ ସରକାର ଯଦି ଦାୟୀ ନୁହନ୍ତି ଦାୟୀ ତେବେ କିଏ? ଯମ? ଯମ କିଏ?

 

ଗୁଳିକାଣ୍ଡରେ ସହିଦ‌୍‍ ହୋଇଥିବା ଆଟି ଜାମୁଦାର ବିଧବା ପତ୍ନୀ ହାରା ଜାମୁଦା ତାଙ୍କ ପ୍ରକାଶିତ ଅସନ୍ତୋଷରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦୋଷୀ କରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଖୋଲା ଖୋଲି କହିଛନ୍ତି, କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ୧୪ ଜଣ ମୃତ୍ୟୁବରଣ କରିବା ସତ୍ୱେ କେହି ଦୋଷୀ ହେଲେନି କେମିତି? ମୃତ ଆଦିବାସୀ କ’ଣ ମନକୁ ମନ ମରିଗଲେ ନା ବିଷ ପିଇ ମଲେ ବୋଲି ପ୍ରଶ୍ନ କରିଛନ୍ତି ହାରା।

 

ଜମି ପାଇଁ ସରକାର ପୁଲିସ ଲଗଇ ବିସ୍ଥାପନକୁ ବିରୋଧ କରୁଥିବା ଆଦିବାସୀଙ୍କୁ ଗୁଳିକରି ମାରିଦେଲେ। ଗୁଳିକାଣ୍ଡ ସମୟରେ ସରକାରଙ୍କ କୁଚକ୍ରାନ୍ତ ଯୋଗୁ ୬ ଜଣ ଆଦିବାସୀଙ୍କ ହାତ ପାପୁଲି କାଟି ଦିଅଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଗୋବରଘାଟି କ୍ଲବ ଘରେ ଟିଣ ବାକ୍ସରେ ସିଲ‌୍‍ ହୋଇରହିଛି। ଏଣୁ ୬ ଜଣ ଆଦିବାସୀଙ୍କ ପୂର୍ଣ୍ଣାଙ୍ଗ ଶବ ସତ୍କାର ହୋଇନି। ହାରା କହିଛନ୍ତି, ମୋ’ ଛୁଆ ବାପ ଛେଉଣ୍ଡ ହୋଇଗଲେ। ପୁଲିସ ଗୁଳିରେ ମୋ’ ସ୍ୱାମୀଙ୍କ ସହ ୧୩ ଜଣ ଆଦିବାସୀ ଟଳିପଡ଼ିଲେ। କିନ୍ତୁ ତଦନ୍ତ ରିପୋର୍ଟରେ ସମସ୍ତେ ସୁନା ମୁଣ୍ଡା ହେଲେ କେମିତି? ତଦନ୍ତ କମିସନ କି ପ୍ରକାର ତଦନ୍ତ କରୁଥିଲେ ଯେ ବିଶ୍ୱ ଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ କେହି ବି ଜଣେ ଦୋଷୀ ହେଲେନି?

 

କେବଳ ହାରା ନୁହଁ ବିସ୍ଥାପନକ‌୍‍ୁ ବିରୋଧ କରି ଆଦିବାସୀଙ୍କ ନେତୃତ୍ୱ ନେଉଥିବା ରବି ଜାରିକା ମଧ୍ୟ କମିସନଙ୍କ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅନ୍ୟତମ ଆଦିବାସୀ ନେତା ବାବୁଲି ହାଇବ୍ରୁ ରିପୋର୍ଟରେ ଆଦିବାସୀ ଏବଂ ସହିଦ ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯାଇନି ବୋଲି କହିଛନ୍ତି। କମିସନ ରିପୋର୍ଟକୁ ନେଇ ରାଜଧାନୀରେ ବିରୋଧୀ ଦଳ ନେତା ନାପସନ୍ଦ କରିଥିବା ବେଳେ କଳିଙ୍ଗନଗର ଶିଳ୍ପାଂଚଳରେ ମଧ୍ୟ କମିସନଙ୍କ ରିପୋର୍ଟକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରାଯାଇଛି। କମିସନ ତାଙ୍କ ରିପୋର୍ଟରେ ସରକାରଙ୍କୁ କେତେକ ସୁପାରିଶ‌୍‍ କରିଥିବା ବେଳେ ସର୍ବସମ୍ମୁଖରେ ଭୋର ସମୟରେ ଆଦିବାସୀଙ୍କ ଉପରେ କ’ଣ ସ୍ୱର୍ଗରୁ ଗୁଳିବର୍ଷଣ ହୋଇଥିଲା କି ବୋଲି ପ୍ରଶ୍ନ ୁଠିଛି।

 

କିଛି ଆଦିବାସୀ ନେତା ସରକାର ଏବଂ ଟାଟା ଇଙ୍ଗିତରେ କମିସନ ରିପୋର୍ଟ ପେସ‌୍‍ କରିଥିବାର ଅଭିଯୋଗ କରିଛନ୍ତି। ଏହି ରିପୋର୍ଟ ସହିଦ‌୍‍ ପରିବାର ପାଇଁ କୁଠାରଘାତ ବୋଲି କୁହାଯାଉଛି। ଜମି ଦେବୁନୁ ବୋଲି ଜିଦ‌୍‍ ଧରି ପୁଲିସ ସହ ମୁହାଁ ମୁହିଁ ହୋଇଥିବା ଆଦିବାସୀଙ୍କ ଉପରେ ଗୁଳି ଚଳାଇବାକୁ ନିଦ୍ଦେର୍ଶ ଦେଇଥିବା ସେତେବେଳର ଜିଲାପାଳ ଶାଶ୍ୱତ ମିଶ୍ର ଏବଂ ଏସପି ବିନୟତୋଷ ମିଶ୍ର କ’ଣ ନିର୍ଦ୍ଦୋଷ? ନା ସେମାନଙ୍କ ସେମାନଙ୍କ ନିର୍ଦ୍ଦେଶରେ ଆଦିବାସୀଙ୍କ ଉପରେ ଗୁଳିବର୍ଷଣ କରିଥିବା ପୁଲିସ ବାହିନୀ ନିର୍ଦ୍ଦୋଷ? ଏପରିକି ଆଦିବାସୀଙ୍କ ତୀରମାଡ଼ରେ ମୃତ୍ୟୁ ବରଣ କରିଥିଲେ ଜଣେ ପୁଲିସ ହାବିଲଦାର। ତାଙ୍କୁ ହତ୍ୟା କରିଥିବା ଆଦିବାସୀ କ’ଣ ଦୋଷୀ ନୁହଁନ୍ତି? ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ରିପୋର୍ଟରେ ଚକ୍ରାନ୍ତ କରାଯାଇଛି ବୋଲି ସହିଦ ପରିବାରଙ୍କ ପକ୍ଷରୁ ଉଠାଯାଇଛି ଅଭିଯୋଗ।

 

ପ୍ରକାଶ ଥାଉକି ୨୦୦୬ ମସିହା ଜାନୁଆରୀ ୨ ତାରିଖ କଳିଙ୍ଗନଗର ରକ୍ତରଞ୍ଜିତ ହୋଇପଡ଼ିଥିଲା। ଟାଟା ଷ୍ଟିଲ‌୍‍ କଳିଙ୍ଗନଗରରେ ଇସ୍ପାତ ଶିଳ୍ପ ସ୍ଥାପନ ପାଇଁ ଚାନ୍ଦିଆ, ଗୋବରଘାଟି, ଖୁରୁଣ୍ଟି ପଂଚାୟତର ଗାଡ଼ପୁର ପ୍ରଭୂତି ଅଂଚଳରୁ ୪ ହଜାର ଏକର ଜମି ଇଡ଼‌୍‍କୋ ଯୋଗାଇ ଦେଇଥିଲା। ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭରୁ ସ୍ଥାନୀୟ ଆଦିବାସୀମାନେ ପ୍ରକଳ୍ପକୁ ବିରୋଧ କରୁଥିଲେ। ବିସ୍ଥାପନ ବିରୋଧୀ ଜନମଂଚ ପତାକା ତଳେ ସମସ୍ତେ ଏକାଠି ହୋଇ ଜମି ଅଧିଗ୍ରହଣ କରାଇ ଦେଇନଥିଲେ। ହେଲେ ଶିଳ୍ପ ସପକ୍ଷରେ ଥିବା ରାଜ୍ୟ ସରକାର କୌଣସି ମତେ କଳିଙ୍ଗନଗରରେ ଟାଟା ପ୍ରକଳ୍ପର ସ୍ଥାନାନ୍ତରଣ ପାଇଁ ରାଜି ନଥିଲେ। ବ୍ୟାପକ ପୁଲିସ ଏବଂ ମାଜିଷ୍ଟେଟ‌୍‍ଙ୍କ ଉପସ୍ଥିତିରେ ଚିହ୍ନଟ ଜମି ଉପରେ ପାଚେରୀ ନିର୍ମାଣ କରିବାକୁ ୨୦୦୬ ଜାନୁଆରୀ ୨ ତାରିଖରେ ହୋଇଥିବା ଉଦ୍ୟମକୁ ବିସ୍ଥାପନ ବିରୋଧୀ ଜନମଂଚ ସଶସ୍ତ୍ର ବିରୋଧ କରିଥିଲା। ନୀଳାଚଳ ଇସ୍ପାତ କାରଖାନା ସମ୍ମୁଖ ଖୁରୁଣ୍ଟିର ଚମ୍ପାକୋଇଲା ଠାରେ ପ୍ରକଳ୍ପ ବିରୋଧୀ ଆଦିବାସୀ ଏବଂ ବନ୍ଧୁକଧାରୀ ପୁଲିସ ମଧ୍ୟରେ ସଂଘର୍ଷ ଘଟିଥିଲା।

 

ଆଦାବାସୀଙ୍କ ତୀରମାଡ଼କୁ ପୁଲିସର ଗୁଳିରେ ଜଣେ ପୁଲିସ ହାବିଲଦାର ଗୋପ ମହାନ୍ତି ସମେତ ୧୨ ଜଣ ଆଦିବାସୀ ଟଳି ପଡ଼ିଥିଲେ। ବାମିଆଘୋଠର ଜଙ୍ଗା ଜାରିକା(୨୦), ରାମ ଚନ୍ଦ୍ର ଜାମୁଦା (୩୬), ଲାଣ୍ଡୁ ଜାରିକା(୨୯), ଚାନ୍ଦିଆର ମୁକ୍ତା ବାଙ୍କିରା( ୪୦), ବନ ବାଦରା( ୨୫), ଆଟି ଜାମୁଦା(୩୨. ଗୋବରଘାଟ ଭଗବାନ‌୍‍ ସଏ( ୨୫), ବାଲିଗୋଠର ରଙ୍ଗଲାଲ ମୁଙ୍ଗେୟା(୪୧),ବେଲହୁରୀର ସୁଦାମ ବାରଲା(୨୨), ଚମ୍ପାକୋଇଲା ଗୋବିନ୍ଦ ଲାଗୁରୀ (୧୨), ଦେଓଗୀ ତିରିଆ(୪୨), ଗାଡ଼ପୁରର ରାମ ଗାଗରାଇ(୪୦) ପ୍ରାଣବଳି ଦେଇଥିଲେ। ପରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

 

ସେତେବେଳେ ଦିଲ୍ଲୀରୁ ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ନେତା ଏହି ଘଟଣା ନେଇ କାରଖାନା ନିର୍ମାଣକୁ ବିରୋଧ କରିଥିଲେ। ଦେଶ ବିଦେଶରୁ ବହୁ େସ୍ୱଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଜନମଂଚ ଆନ୍ଦୋଳନକୁ ତେଜିଆନ କରିଥିଲେ। ଆଦିବାସୀମାନେ ଦୈତାରୀ-ପାରାଦୀପ ରାସ୍ତାକୁ ଦୀର୍ଘ ୧୪ ମାସ କାଳ ଅବରୋଧ କରି ରଖିଥିଲେ। ସଂପୃକ୍ତ ଘଟଣାକୁ ନେଇ ରାଜ୍ୟ ସରକାର ତଦନ୍ତ କମିସନ ବସାଇଥିଲେ। ପ୍ରଥମେ ଜଷ୍ଟିସ‌୍‍ ଏ.ଏସ‌୍‍ ନାଇଡ଼ୁଙ୍କୁ କମିଶନ ଭାବେ ନିଯୁକ୍ତି ଦିଆଯାଇଥିଲା। ନାଇଡ଼ୁ କମିସନ ୧୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବାକୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୪୫ ଜଣଙ୍କ ସାକ୍ଷ୍ୟଗ୍ରହଣ କରିଥିଲେ। କମିଶନ ୧୧ ଥର ଶୁଣାଣି କରିବା ସହ ୨ ଥର ଘଟଣାସ୍ଥଳ ଏବଂ କଟକ ବଡ ଡାକ୍ତରଖାନା ପରିଦର୍ଶନ କରିଥିଲେ।

 

ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, କଂଗ୍ରେସ ନେତା ଶରତ ରାଉତ, ସିପିଆଇ(ଏମ.ଏଲ) ନେତା କ୍ଷୀତିଶ ବିଶ୍ୱାଳ, ରାଜେନ୍ଦ୍ର ଷଡଙ୍ଗୀଙ୍କଠାରୁ ମଧ୍ୟ ଏହି ସମୟରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ରହିଥିବା ଜନମଂଚର ୨ ନେତା ଚକ୍ରଧର ହାଇବ୍ରୁ, ରବୀନ୍ଦ୍ର ଜାରିକା, ଟାଟା କମ୍ପାନୀର ମହାପ୍ରବନ୍ଧକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଏସ‌୍‍.ପି, ଜିଲାପାଳଙ୍କ ସମତେ ଗୁଳିକାଣ୍ଡ ପାଇଁ ନିଦ୍ଦେର୍ଶ ଦେଇଥିବା ମାଜିଷ୍ଟ୍ରେଟ‌୍‍ଙ୍କ ବୟାନ ରେକର୍ଡ କରାଯାଇଥିଲା। ନାଇଡୁ କମିଶନ ତଦନ୍ତୁ ନିର୍ଣ୍ଣାୟକ ମୋଡ ଆଡକୁ ଆଗେଇ ନେଉଥିବାବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ରାୟ  ମୁତାବକ  ସରକାର ନାଇଡ଼ୁ କମିଶନଙ୍କୁ ୨୦୦୭ ମସିହା ମଇ ମାସରେ ଅପସାରଣ କରିନେଇଥିଲେ।

 

ପରେ ୨୦୦୮ ମସିହା ଜାନୁଆରୀରେ ସରକାର ଅବସରପ୍ରାପ୍ତ ଜଷ୍ଟିସ ପ୍ରସନ୍ନ କୁମାର ପାତ୍ରଙ୍କୁ କମିଶନ ଭାବେ ନିଯୁକ୍ତି  ହୋଇଥିଲେ। ଜଷ୍ଟିସ ପାତ୍ର କମିସନ କଳିଙ୍ଗନଗରକୁ ଆସିବା ସହ କେତେକଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ତେବେ ରାଜ୍ୟ ସରକାର ତାଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦେବାପରେ ତାଙ୍କ ତଦନ୍ତ ଅଧାରେ ଅଟକିଗଲା। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଜଷ୍ଟିସ ପ୍ରଦ୍ୟୁମ୍ନ କିଶୋର ମହାନ୍ତିଙ୍କୁ କମିଶନ ଭାବେ ନିଯୁକ୍ତି ଦିଆଗଲା ପରେ ମାନ୍ୟବର କମିଶନ କଳିଙ୍ଗନଗର ଗସ୍ତ କରିବା ସହ ଏକାଧିକ ପର୍ଯ୍ୟାୟରେ ଶତାଧିକଙ୍କ ସାକ୍ଷ୍ୟଗ୍ରହଣ କରିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top