ସମୟର ସଭାକବି ସଚ୍ଚି ରାଉତରା

News Story - Posted on 2017-05-12

ମାୟାଧର ନାୟକ

 

ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ ରକ୍ଷାକରି ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏବଂ ପ୍ରଗତିବାଦୀ ଆନ୍ଦୋଳନର ପ୍ରମୁଖ ପ୍ରବକ୍ତା ଭାବେ ତାଙ୍କର ଅମ୍ଳାନ ପ୍ରତିଭା ଉଲ୍ଲେଖନୀୟ। ସେ ଥିଲେ କବିଙ୍କର କବି, ସାର୍ଥକ କଥାକାର ଓ ଔପନ୍ୟାସିକ, ପ୍ରଭାବଶାଳୀ ପ୍ରାବନ୍ଧିକ ଓ ସମାଲୋଚକ। ଏକାଧାରରେ କହିବାକୁ ଗଲେ - ଯେଉଁଠି ସମୟ ଓ ସଂଘାତ, ସେଇଠି ସଚ୍ଚି ରାଉତରାୟ।

 

୧୯୧୬ ମଇ ୧୩ ତାରିଖରେ ଜନ୍ମିତ ସଚ୍ଚିବାବୁ ସ୍ୱାଧୀନତା ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ବାମପନ୍ଥୀ ନେତୃତ୍ୱରେ ପରିଚାଳିତ ଚାଷୀ ମୂଲିଆ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ୱାଭାବିକ ଭାବେ ତାଙ୍କର ବିପୁଳ ବୈପ୍ଳବିକ ଅଭିଜ୍ଞତା ଯୋଗୁ କାବ୍ୟକବିତା ବାସ୍ତବମୁଖୀ ଥିଲା। ୧୯୩୯ରେ ‘ରକ୍ତଶିଖା’, ୧୯୪୩ରେ ‘ଉଠ ଜାଗ ଭୋକିବନ୍ଦୀ’କୁ ଇଂରେଜ ଶାସକ ବାଜ୍ୟାପ୍ତ କରିଥିଲେ। ୧୯୩୮ରେ ତାଙ୍କର ବୈପ୍ଳବିକ କାବ୍ୟ ‘ବାଜି ରାଉତ’କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରୋଜୀରେ ‘ନାଉରିଆପିଲା ଓ ଅନ୍ୟାନ୍ୟ କବିତା’ ମର୍ମରେ ଅନୁବାଦ କରିଥିଲେ। ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠା ଲାଭ କରିଥିଲେ।

 

ଅତ୍ୟାଧୁନିକ ଓଡ଼ିଆ କାବ୍ୟସାହିତ୍ୟରେ ସେ ଜଣେ ଅଗ୍ରଗାମୀ ପଥପ୍ରଦର୍ଶକ। କାବ୍ୟକବିତା ଓ ଗଳ୍ପ କ୍ଷେତ୍ରରେ ତାଙ୍କର ସଂଗ୍ରାମୀ ଚିନ୍ତାଧାରା ଓ ପରୀକ୍ଷାନିରୀକ୍ଷା ସମକାଳୀନ ଓ ପରବର୍ତ୍ତୀ ଓଡ଼ିଆ ଲେଖକମାନଙ୍କୁ ପ୍ରଭାବିତ କରିଥିବାର ଦେଖାଯାଏ। ସ୍ୱାଧୀନତା ଆନ୍ଦୋଳନରେ ପ୍ରଭାବିତ ହୋଇ ସେ ମାର୍ଜିତ ଭାଷା, କଥ୍ୟ ଭାଷା ଓ  ଲୋକଭାଷାର ସମନ୍ୱୟରେ ଅତ୍ୟନ୍ତ ସରଳ, ସହଜ ଓ ସୁନ୍ଦର ଭାବରେ ବିପ୍ଳବର ବାର୍ତ୍ତା ପ୍ରସାରକୁ ତ୍ୱରାନ୍ୱିତ କରିଥିଲେ। ପ୍ରଥମେ ପାରମ୍ପରିକ ଛନ୍ଦରେ କାବ୍ୟକବିତା ରଚନା କରୁଥିଲେ, ପରବର୍ତ୍ତୀ ଅବସ୍ଥାରେ ‘ପାଣ୍ଡୁଲିପି’ରେ ଗଦ୍ୟକବିତାର ଅଗ୍ରଣୀ ସାଧକ ଭାବେ ପରିଚିତ ହେଲେ।

 

କବି ଆଧୁନିକ ଓଡ଼ିଆ ସାହିତ୍ୟରେ ନୂତନ ଚିନ୍ତାଚେତନାର ଅଗ୍ରଦୂତ ଥିଲେ। ଭଞ୍ଜୀୟ ପରମ୍ପରାକୁ ଜଳାଞ୍ଜଳି ଦେଇ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କର ଯେଉଁ ପ୍ରୟାସ ଥିଲା, ତାହାର ଉତ୍ତରଣ ସତ୍ୟବାଦୀ ଓ ସବୁଜ କବିଙ୍କ ମଧ୍ୟରେ ଦେଖିବାକୁ ମିଳେ। ସାମନ୍ତବାଦୀ ଚିନ୍ତା ଓ ଚେତନାକୁ ଭାଙ୍ଗି ଚୂରମାର‌୍‍ କରି ପରିବର୍ତ୍ତିତ କାବ୍ୟଧାରା ସୃଷ୍ଟି କରିବାରେ କବିଙ୍କ ଦୁଃସାହସିକ ପଦକ୍ଷେପ ସର୍ବତ୍ର ପ୍ରଶଂସନୀୟ। ନବ୍ୟ ପ୍ରକରଣ, ସଂଗ୍ରାମୀ ଭାଷାର ବୈଚିତ୍ର୍ୟ, ସଂଘର୍ଷର ବିଷୟବସ୍ତୁ, ଗଣସଂସ୍କୃତି ପ୍ରତି ଆନ୍ତରିକତା ଯୋଗୁ ସଚ୍ଚିବାବୁ ସମୟର ସଭାକବି ଭାବେ ପରିଚିତ ହେଲେ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଓଡ଼ିଶାରେ କାବ୍ୟକବିତାରେ ଯଦି କେହି ଆଣିଥାଏ, ସେ ହେଉଛନ୍ତି ସଚ୍ଚି ରାଉତରାୟ। ମହାଯୁଦ୍ଧ ସମୟରେ ବିଦେଶୀ ସାହିତ୍ୟରେ ଯେଉଁ ପରିବର୍ତ୍ତନପ୍ରବଣ ଧାରା ସୃଷ୍ଟି ହୋଇଥିଲା, କବି ସେସବୁ ଚିନ୍ତାଚେତନାକୁ ହୃଦୟଙ୍ଗଙ୍ଗମ କରି ନୂତନ ପରୀକ୍ଷାନିରୀକ୍ଷା କରି ସଫଳ ହେଲେ। ତାଙ୍କର ପ୍ରୟୋଗବାଦୀ କବିତା ମାର୍କ୍ସ ଓ ଫ୍ରୟେଡୀୟ ଧାରାରେ ଅଭିନବ ଦିଗ୍‌ଦର୍ଶନ ଦେବାରେ ସଫଳ ହେଲା।

 

ସଚ୍ଚି ରାଉତରାୟ ୧୬ ବର୍ଷ ବୟସରୁ କବିତା ଲେଖା ଆରମ୍ଭ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି କବି ପିଲାବେଳୁ ଜଣାପଡ଼ୁଥିଲେ। ସ୍ୱାଧୀନତା ପୂର୍ବରୁ କବିଙ୍କ ‘ପାଥେୟ’ ୧୯୩୨, ‘ପୂର୍ଣ୍ଣିମା’ ୧୯୩୩, ‘ଚିତ୍ରଗ୍ରୀବ’ (ଉପନ୍ୟାସ) ୧୯୩୫, (ଏହା ଏକ ସମ୍ପୂର୍ଣ୍ଣ ନାୟିକାବିହୀନ ଉପନ୍ୟାସ ଏବଂ ଏଥିରେ ବିଶେଷକରି ମାର୍କ୍ସବାଦର ସେ ବିଶ୍ଳେଷଣ କରିଛନ୍ତି) ‘ବାଜି ରାଉତ’ ୧୯୩୮, ‘ପଲ୍ଲୀଶ୍ରୀ’ ୧୯୪୦, ‘ପାଣ୍ଡୁଲିପି’ ୧୯୪୭, ‘ମାଟିର ତାଜ’ ୧୯୪୭, ‘ମଶାଣିର ଫୁଲ’ (ଗଳ୍ପ) ୧୯୪୭ ରଚନା କରି ସମସ୍ତ ରାଜ୍ୟ, ଦେଶ, ବିଦେଶରେ ଜଣେ ଖ୍ୟାତନାମା କବି ଭାବେ ପରିଚିତ ହେଲେ।

 

ସ୍ୱାଧୀନତା ପରେ ଅଭିଯାନ ୧୯୪୮, ହସନ୍ତ ୧୯୪୮, ଛାଇ (ଗଳ୍ପ) ୧୯୪୮, ଭାନୁମତୀର ଦେଶ (କବିତା - ୧୯୪୯), ସ୍ୱଗତ ୧୯୫୮, କବିତା ୧୯୬୨, ଏସିଆର ସ୍ୱପ୍ନ ୧୯୬୯, କବିତା ୧୯୬୯, କବିତା ୧୯୭୧, କବିତା ୧୯୭୪, ସାହିତ୍ୟରେ ମୂଲ୍ୟବୋଧ (ସମାଲୋଚନା) ୧୯୭୪, କବିତା ୧୯୮୩, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ ୧୯୮୩, ସାହିତ୍ୟ ବିଚାର ଓ ମୂଲ୍ୟବୋଧ (ସମାଲୋଚନା) ୧୯୮୩, ଆଧୁନିକ ସାହିତ୍ୟର କେତେକ ଦିଗ ୧୯୮୩, କବିତା ୧୯୮୫, କବିତା ୧୯୮୭, କବିତା ୧୯୯୦, ନୂତନ ଗଳ୍ପ ୧୯୯୦, ଜୟଦେବ ଓ ରାମାୟଣ ବନାମ ମହାଭାରତ (ଆଲୋଚନା), ଉତ୍ତରକକ୍ଷ (ପ୍ରଥମ ଭାଗ) ଆତ୍ମଚରିତ, ୧୯୯୮, ଉତ୍ତରକକ୍ଷ (ଦ୍ୱିତୀୟ ଭାଗ) ଆତ୍ମଚରିତ ୨୦୦୦ ଇତ୍ୟାଦି ୩୧ ଖଣ୍ଡ କାବ୍ୟ କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା ଏବଂ ଆତ୍ମଚରିତ ଦେଶବାସୀଙ୍କୁ ଭେଟି ଦେଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ସଚ୍ଚି ରାଉତରାୟ ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡ ପ୍ରକାଶ କରିଛନ୍ତି। ଆହୁରି ଅନେକ ପାଣ୍ଡୁଲିପି ସଚ୍ଚିବାବୁ ଛାଡ଼ିଯାଇଛନ୍ତି। ସରକାର ଦ୍ୱିତୀୟ ଖଣ୍ଡ ପ୍ରକାଶ କରିବାକୁ ବୋଧେ ଭୁଲି ଯାଇଛନ୍ତି !

 

ସଚ୍ଚିବାବୁଙ୍କର ବହୁ କାବ୍ୟକବିତା, ଇଂରାଜୀ, ହିନ୍ଦୀ, ତେଲୁଗୁ ଓ ପଞ୍ଜାବୀ ଭାଷାରେ ଅନୁବାଦ ହୋଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ଲାଭ କରିଛି। ସମୟର ସଭାକବି ସଚ୍ଚି ରାଉତରାୟ କେନ୍ଦ୍ର ସାହିତ୍ୟ ଏକାଡେମୀ, ପଦ୍ମଶ୍ରୀ ଉପାଧି ୧୯୬୨, ଜ୍ଞାନପୀଠ ପୁରସ୍କାର ୧୯୮୬, ନେହେରୁ ପୁରସ୍କାର ଭଳି ବହୁ ସ୍ୱୀକୃତି ଓ ସମ୍ମାନ ପାଇଛନ୍ତି।

 

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାଣ୍ଡ ପରେ ଦେଶବ୍ୟାପୀ ସୂର୍ଯ୍ୟାସ୍ତର ଛାୟା ଘେରି ଯାଇଥିଲା। ଯେଉଁ ସଚ୍ଚିବାବୁ ଅଗ୍ନିକଣାର କବି ଥିଲେ, ସେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାକୁ ଦେଖି ଅନ୍ଧକାର ମଧ୍ୟରେ ଘୂରି ବୁଲିଲେ। କବିତା ୧୯୬୨ ପଚମାନ ସାମାଜିକ ବ୍ୟବସ୍ଥାର ପ୍ରତିବିମ୍ୱନ ଭାବରେ ବ୍ୟକ୍ତିକୈନ୍ଦ୍ରିକ ହୋଇଗଲା। ଆଜି ସେ ନାୟକ ନାହାନ୍ତି - ସବୁ ନିଖୋଜ ନାୟକ, ଖାଲି ହତାଶା ଓ ନିରାଶାର ଅନ୍ଧକାର ମଧ୍ୟରେ ସଚ୍ଚିବାବୁ ପୂର୍ବ ସ୍ମୃତିକୁ ସୁମରଣା କରି ଅନେକ ଦୁଃଖ ପାଇଛନ୍ତି। ପାଣ୍ଡୁଲିପିରେ ଦୁଇଟି ଧାରା - ଲୋହିତ ଓ ଧୂସର ଥିଲା। ଯେଉଁ ସଚ୍ଚିବାବୁ ‘ମାର ତୁ ଯେତେ ଗୁଳି’ ଗାଉଥିଲେ, ପରବର୍ତ୍ତୀ ଅବସ୍ଥାରେ ‘ତେଣୁ ମୁଁ ତ ଭଗ୍ନଜାନୁ, ଖସିପଡେ଼ ମୋର ରାଇଫଲ’ ଗାଇଲେ। ଏହା ସଚ୍ଚି ରାଉତରାୟଙ୍କ ସାରସ୍ୱତ ବ୍ୟର୍ଥତା ନୁହେଁ, ଏହା ହେଉଛି ପ୍ରକୃତରେ ସମୟର ସଭାକବିଙ୍କ ମାଧ୍ୟମରେ ଆମ ସାମାଜିକ-ରାଜନୀତିକ-ସାଂସ୍କୃତିକ ଅଧଃପତନର ଅର୍ଦ୍ଧସତ୍ୟ!

 

ସଚ୍ଚି ରାଉତରାୟ ହେଉଛନ୍ତି ଏକମାତ୍ର ଭାରତୀୟ କବି, ଯାହାଙ୍କ କବିତାର କେନ୍ଦ୍ରବିନ୍ଦୁ ହେଉଛି ସମୟ। ଏହି ସମୟର ମହାପ୍ରବାହକୁ ସେ ଅନୁଭବ କରିଛନ୍ତି ନାଆଁ ନଜଣା ମଫସଲ ମାଟିରୁ ନାଉଁଆ ନଗରୀ ଓ ମହାନଗରୀଯାଏଁ ସବୁଠି। ସମୟକୁ ସେ ଚିହ୍ନିଛନ୍ତି ନାନା ଚୌହଦିରେ - ଚେତନାର ଚଉଛକରେ - ରାଜସାହୀ ଶାସନତନ୍ତ୍ର ବିରୋଧରେ ପ୍ରଜା ଆନ୍ଦୋଳନର ପ୍ରଖର ପର୍ଯ୍ୟାୟ ଦେଇ ଭାରତୀୟ ମହାଜାତିର ମୁକ୍ତିସଂଗ୍ରାମ ପର୍ଯ୍ୟନ୍ତ ଏକ ସୁବିସ୍ତୃତ ସମୟର ସେ ସର୍ବମାନ୍ୟ ସଭାକବି। ‘ଛୋଟ ମୋର ଗାଆଁଟି’ର ଭଙ୍ଗା ଡିହଠୁ ଦଙ୍ଗାବିଧ୍ୱସ୍ତ ନୂଆଖାଲିର ନକ‌୍‍ସା ବେଶ‌୍‍ ନିଖୁଣ ଭାବରେ ଫୁଟି ଉଠିଛି ତାଙ୍କ କବିତାର ନଖଦର୍ପଣରେ, ଫୁଟି ଉଠିଛି ସମୟର ମୁହଁ, ରୂପ ରୂପାନ୍ତରର ରଙ୍ଗବଦଳ। ଯେଉଁଠି ‘ଅଳକା ସାନ୍ୟାଲ‌୍‍’ର ଶେଷ ପଂକ୍ତି ସରିଛି, ସେଇଠୁ ସୁରୁ ହୋଇଛି ‘ପ୍ରତିମା ନାୟକ’ର ବାସ୍ତବ ଜୀବନଯୁଦ୍ଧର ଜଗତ।

 

ସଚ୍ଚି ରାଉତରାୟ ଆଧୁନିକ ଓଡ଼ିଆ କବିତାର ମହାଯୋଦ୍ଧା। ସୁଦର୍ଶନଚକ୍ର ପରି ତାଙ୍କ କବିତାରେ ସେ ସମୟକୁ ଯେପରି ଧାରଣ କରିଛନ୍ତି ନିଜ ଆଗ୍ନେୟ ଅଂଗୁଳି ଅଗରେ! ସତରେ ସେ ସମୟର ସଭାକବି।

 

ଏକଦା ଛାତ୍ର ଆନ୍ଦୋଳନ ସମୟରେ ରେଭନ‌୍‍ଶା କଲେଜର ଛାତ୍ର ପ୍ରଦୀପ୍ତ ମିଶ୍ରଙ୍କ ନିଧନରେ ସେ ଯେପରି ଲେଖିଥିଲେ ‘ଚିରପ୍ରଦୀପ୍ତ’, ସେହିପରି ଏକ ନୂତନ ଦେଶର ଗର୍ଭଯନ୍ତ୍ରଣାକୁ ନେଇ ୧୯୭୧ରେ ଆରମ୍ଭ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ଆତ୍ମାହୁତି ଦେଇଥିବା ଛାତ୍ରୀ ରୋଶନାରା ପାଇଁ ରଚନା କରିଥିଲେ ତାଙ୍କର ଚିରଅମର ପଙ‌୍‍କ୍ତିମାଳା- ‘ମୁଁ ତାର ଶବକୁ ଧରି କାନ୍ଧେ ମୋର, କରୁଅଛି ବିଶ୍ୱ ପ୍ରଦକ୍ଷିଣ !’ ଜୀବଦ୍ଦଶାରେ କବି ରାଉତରାୟ ବାଂଲାଦେଶକୁ ଜଣେ ସାରସ୍ୱତ ରାଷ୍ଟ୍ରଦୂତ ଭାବରେ ଯାଇ ରୋଶନାରା ସଂପର୍କିତ ଏ କବିତାକୁ ପାଠ କରୁଥିବା ବେଳେ ପାଇଥିଲେ ପ୍ରଚୁର ପ୍ରଖାତି।

 

ସମୟ ପ୍ରକୃତରେ ସ୍ୱର୍ଣ୍ଣାକ୍ଷରରେ ସ୍ୱାକ୍ଷରିତ ତାଙ୍କ ସାହିତ୍ୟରେ। ରାଜନୀତି, ଅର୍ଥନୀତି, ସଂସ୍କୃତି, ସମାଜର ପରିବର୍ତ୍ତନ ତାଙ୍କ କାବ୍ୟ କବିତାରେ ପ୍ରଥମେ ସ୍ପଂଦିତ ହୋଇଉଠିଥିଲା। ବିଦ୍ରୋହ, ବିପ୍ଳବ, ଆନ୍ଦୋଳନର ଅଂଗୀକାରବଦ୍ଧ କବି ତାଙ୍କ ଉତ୍ତର ଯୌବନରେ ଗଣହତ୍ୟା, ଦଙ୍ଗା, ଆତଙ୍କବାଦ, ରକ୍ତପାତ ଓ ଅବକ୍ଷୟକୁ ନିଜ ପରିବର୍ତ୍ତିତ କାବ୍ୟଧାରାରେ ଆବହ ସଂଗୀତ ରୂପେ ପରିଗ୍ରହଣ କରି କମ‌୍‍ ବିକ୍ଷୁବ୍ଧ ଓ ବ୍ୟଥିତ ହୋଇନାହାନ୍ତି ! ସଂଗ୍ରାମର ସମୟ ପରେ ସେ ଅନୁଭବ କରିଛନ୍ତି ସନ୍ଧିକାଳ ଓ ଶୂନ୍ୟକାଳ ! ରୂପ ଦେଇଛନ୍ତି ଏସବୁକୁ ନିଜ ରଚନାକର୍ମରେ ।

ଆଜି ସଚ୍ଚି ରାଉତରାୟ ନାହାଁନ୍ତି। ଆଜି ଧୂଳିମାଟିର କଥା ନାହିଁ, ମୁକ୍ତ ଅର୍ଥନୀତି ଓ ବଜାର ସଭ୍ୟତାର ଜୟଜୟକାର। ଯେଉଁଠି ସବୁ ଦିଗର ଶେଷ, ସେଇଠି ଦିଗନ୍ତ। ସବୁ ସତ୍ତ୍ୱେ ଓଡ଼ିଶା ମାଟି, ପାଣି, ପବନଶ, ସଚ୍ଚିବାବୁଙ୍କୁ ସବୁଦିନେ ସ୍ମରଣ କରୁଥିବ। ଦେଶବିଦେଶରେ ତାଙ୍କ ସାହିତ୍ୟ ପ୍ରତିଭାକୁ ଅବମାନନା କରିବାକୁ କେହି ସାହସ କରିବେନି। ଧନ୍ୟ, ଧନ୍ୟ, ହେ ସମୟର ସଭାକବି - ସଚ୍ଚି ରାଉତରାୟ, ତୁମକୁ ଶତକୋଟି ପ୍ରଣାମ।

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top