ଦୁର୍ନୀତି ନିୟନ୍ତ୍ରଣ ପାଇଁ ଇଚ୍ଛାଶକ୍ତି

News Story - Posted on 2017-05-12

ପ୍ରିୟଦର୍ଶୀ ଦତ୍ତ

 

ଦେଶରୁ ଦୁର୍ନୀତିର  ସମ୍ଭାବନାକୁ ସମାପ୍ତ କରିବା ପାଇଁ ୨୦୧୪ ନିର୍ବାଚନ ଇସ୍ତାହାରରେ ଭାରତୀୟ ଜନତା ପାର୍ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦେଇଥିଲା। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଜନ ଜାଗରଣ, ବୈଷୟିକ ଜ୍ଞାନ କୌଶଳ ଉପରେ ଆଧାରିତ ଇ- ଶାସନ ବ୍ୟବସ୍ଥା ଉପରେ ଆଧାରିତ ନୀତିଗତ ନିଷ୍ପତି, କର ବ୍ୟବସ୍ଥାକୁ ତର୍କ ସଂଗତ ଏବଂ ସହଜ କରିବା ଏବଂ ସବୁ କ୍ଷେତ୍ରରେ ପ୍ରକ୍ରିୟା ଓ କାର୍ଯ୍ୟ ପ୍ରଣାଳୀକୁ ସୁଗମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହ କଳାଧନର ଉତ୍ପତ୍ତିକୁ ହ୍ରାସ କରିବା, ବିଦେଶୀ ବ୍ୟାଙ୍କ ଏବଂ ବେନାମୀ ଆକାଉଣ୍ଟରେ ଗୁପ୍ତରେ ରଖା ଯାଇଥିବା କଳାଧନକୁ ଠାବ କରିବା ଏବଂ ଫେରାଇ ଆଣିବା, ବର୍ତ୍ତମାନର ଆଇନରେ ପରିବର୍ତ୍ତନ କରି ନୂଆ ଆଇନ ପ୍ରଣୟନ କରିବା, କଳାଧନ ସଂପର୍କରେ ସୂଚନା ପାଇଁ ବିଦେଶୀ ସରକାରଙ୍କ ସହଯୋଗ ଲୋଡିବା ଆଦି ଅନେକ  ପ୍ରତିଶ୍ରୃତି ଦିଆଯାଇ ଥିଲା। ଏହି ସବୁ ପଦକ୍ଷେପ ହେଉଛି ଏନ‌୍‍ଡିଏ ସରକାରଙ୍କ ସଫଳତାର ଗୋଟିଏ ମାପଦଣ୍ଡ। ଇତି ମଧ୍ୟରେ ସରକାର ତାଙ୍କର ଅଧାରୁ ଅଧିକ କାର୍ଯ୍ୟକାଳ ପୂରଣ କରି ଏବେ ଚତୁର୍ଥ  ବର୍ଷରେ ପହଂଚିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।

 

ପୂର୍ବତନ ସରକାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ  ବିଭିନ୍ନ ପ୍ରକାର ଦୁର୍ନୀତି ପାଇଁ ବଦନାମ ହୋଇଥିଲେ। ୨୦୦୯ ମସିହାରେ ବିଦେଶରେ ଗଚ୍ଛିତ ଥିବା ଭାରତୀୟମାନଙ୍କ କଳାଧନ ସଂପର୍କରେ ରାମ ଜେଠ‌୍‍ ମାଲାନୀ ଓ ଅନ୍ୟ କେତେଜଣ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଲୋକପାଳ ବିଧେୟକକୁ ନେଇ ଆନ୍ନା ହଜାରେଙ୍କ ଆନ୍ଦୋଳନ ସରକାରଙ୍କୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଥିଲା। ଏହା ପରେ ବିଦେଶରେ ଥିବା କଳାଧନ ସଂପର୍କରେ ଠାବ ଓ ଯାଂଚ ପାଇଁ ୟୁପିଏ ସରକାର ୨୦୧୧ ମସିହା ମେ’ ମାସରେ ଏକ ୯ ଜଣିଆ କମିଟି ଗଠନ କରିଥିଲେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି କମିଟି ଗଠନ କରା ଯାଇଥିଲା। ଏହାର ଠିକ‌୍‍ ଏକ ବର୍ଷ ପରେ ଅର୍ଥାତ‌୍‍ ୨୦୧୨ ମେ ମାସରେ କଳାଧନ ଉପରେ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ୨୦୧୧ ଜୁଲାଇ ୪ ରେ ରାମ ଜେଠ‌୍‍ ମାଲାନୀ ଏବଂ ଅନ୍ୟ ବନାମ କେନ୍ଦ୍ର ସରକାର ମାମଲାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ‌୍‍ଆଇଟି) ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା  ସତ୍ତ୍ବେ ଏସ‌୍‍ଆଇଟି ଗଠନ କ୍ଷେତ୍ରରେ ୟୁପିଏ ସରକାର ଉଦାସୀନତା ପ୍ରଦର୍ଶନ କରିବା କାରଣରୁ ଏ କ୍ଷେତ୍ରରେ ତିନି ବର୍ଷ ଗଡି ଯାଇଥିଲା।

 

ଅନ୍ୟପକ୍ଷରେ ଏନ‌୍‍ଡିଏ ସରକାର ଶାସନ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୦୧୪ ମେ ୨୭ ରେ କଳାଧନ ବିରୋଧରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ ପାଇଁ ନିଷ୍ପତି ନେଲେ। ଅବସରପ୍ରାପ୍ତ ବିଚାରପତି ଆର. ବି. ଶାହାଙ୍କ ଅଧ୍ୟକ୍ଷତାରେ ଏହି ଏସ‌୍‍ଆଇଟି ଗଠନ କରାଗଲା। ଜଷ୍ଟିସ‌୍‍ ଅରଜିତ‌୍‍ ପଶାୟତଙ୍କୁ ଏହାର ଉପାଧ୍ୟକ୍ଷ କରାଗଲା। ଅଦ୍ୟାବଧି ଏସ‌୍‍ଆଇଟି ପକ୍ଷରୁ ଏ ସଂପର୍କରେ ଛ’ ଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରାଯାଇଛି। ଏସ‌୍‍ଆଇଟିର ଅଧିକାଂଶ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏସ‌୍‍ଆଇଟିର ସୁପାରିସକୁ ଆଧାର କରି ସରକାର ୩ ଲକ୍ଷ ଟଙ୍କାର ଅଧିକ ପରିମାଣର ଅର୍ଥର ନଗଦ ଦେଣନେଣକୁ ବେଆଇନ ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଘୋଷଣା କରିଛନ୍ତି। ସେହି ପରି ୧୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନଗଦ ଜମା ରଖିବାକୁ ବେଆଇନ ଘୋଷଣା କରିବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି। ଏସ୍‌ଆଇଟି ଗଠନ ପରେ ଅଦ୍ୟାବଧି ୭୦ ହଜାର କୋଟି ଟଙ୍କାର କଳାଧନ ଠାବ କରାଯାଇପାରିଛି ବୋଲି ଜଷ୍ଟିସ‌୍‍ ପଶାୟତ କହିଛନ୍ତି। ସେଥିମଧ୍ୟରେ ଭାରତୀୟମାନଙ୍କ ଦ୍ୱାରା ବିଦେଶରେ ଜମା ହୋଇଥିବା ୧୬ ହଜାର କୋଟି ଟଙ୍କାର ଅର୍ଥ ରାଶି ଅନ୍ତର୍ଭୁକ୍ତ।

 

ଗତ ତିନିବର୍ଷର ଶାସନ ବ୍ୟବସ୍ଥାକୁ ବିଚାର କଲେ ଜଣାଯାଏ ଯେ, ଏନଡିଏ ସରକାର ସ୍ୱଚ୍ଛ ଶାସନ ଦେଇ ପାରିଛନ୍ତି। ଏହି ସମୟ ମଧ୍ୟରେ ସରକାରଙ୍କ ଉପରେ କୌଣସି ପ୍ରକାର ଦୁର୍ନୀତିର ଛିଟା ପଡିନାହିଁ। ଅନ୍ୟପକ୍ଷରେ ୟୁପିଏ ସରକାର ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଶାସନକାଳ ମଧ୍ୟରେ ସଂପୂର୍ଣ୍ଣରୂପେ ଦୁର୍ନୀତିଗ୍ରସ୍ତ ହୋଇ ପଡିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ନିଜର ଭାବମୂର୍ତ୍ତିକୁ ସ୍ୱଚ୍ଛ ଓ ନିର୍ମଳ ରଖି ନାହାଁନ୍ତି ବରଂ ସେ ନିଜ ସରକାରକୁ ମଧ୍ୟ ପୂରା ନିୟନ୍ତ୍ରଣରେ ରେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମୁଁ ଖାଇବି ନାହିଁ କିମ୍ୱା କାହାରିକୁ ଖୁଆଇ ଦେବି ନାହିଁ’ ଘୋଷଣା ଉପରେ ବିଶ୍ୱାସ କରିଛନ୍ତି।

 

ଦେଶରୁ ଦୁର୍ନୀତି ଓ କଳାଧନର ବିଲୋପ ପାଇଁ  ସରକାର ଅନେକଗୁଡିଏ ଆଇନଗତ ପ୍ରଶାସନିକ ଏବଂ ବୈଷୟିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇନଗତ ଭାବେ କଳାଧନ (ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି) ଦେଣନେଣ (ନିଷେଧ) ସଂଶୋଧନ ବିଧେୟକ ୨୦୧୬, ପ୍ରତିଭୂତ ଆଇନ ସଂଶୋଧନ, ୨୦୧୪ ଏବଂ ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ (ଉତ୍ତରଦାୟିତ୍ୱ ବିଧେୟକ ଆଇନ) ୨୦୧୭ ଇତ୍ୟାଦି ଅନ୍ତର୍ଭୁକ୍ତ।

 

କଳାଧନ (ଅଘୋଷିତ ବିଦେଶୀ ଆୟ ଏବଂ ସମ୍ପତ୍ତି) ତଥା କର ଅଧିନୀୟମ ୨୦୧୫ ଅନୁଯାୟୀ ୬୪୮ଟି ଘୋଷଣା ଜରିଆରେ ୪୧୬୪ କୋଟି ଟଙ୍କା ମୂଲ୍ୟର ଅଘୋଷିତ ବିଦେଶୀ ସମ୍ପତ୍ତି   ଠାବ ହୋଇ ପାରିଛି। ସେହିପରି  ୨୦୧୬  ଡିସେମ୍ୱର ୩୦ ସୁଦ୍ଧା ୬୪୨୭୫ ଟି ଘୋଷଣା ଦ୍ୱାରା ଆୟ ଘୋଷଣା ଯୋଜନା (ଆଇଡିଏସ) ଜରିଆରେ ୬୫୨୫୦ କୋଟି ଟଙ୍କାର ଅଘୋଷିତ ଆୟ ସଂପର୍କରେ ସୂଚନା ମିଳିପାରିଛି।

 

୨୦୦୦ରୁ ୨୦୧୫ ମଧ୍ୟରେ ମରିସସ ମାଧ୍ୟାମରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଜରିଆରେ ଏକ ତୃତୀୟାଂଶ ରାଶି ମିଳିପାରିଛି। ମରିସସ‌୍‍ ଜରିଆରେ ଭାରତରେ ମନିଲଣ୍ଡରିଂ ଓ କଳାଧନର ରାଉଣ୍ଡ ଟ୍ରିପିଂ ପାଇଁ ଉଦ୍ୟମ କରାଯାଉଥିବା ନେଇ ସନ୍ଦେହ ଥିଲା। ଏଥିପାଇଁ ୨୦୧୬ ମେ’ ୧୧ ରେ ମରିସସ‌୍‍ ସଂଗେ ଭାରତ ତିନି ଦଶକ ଧରି ଚାଲି ଆସୁଥିବା ଡବଲ ଟାକ୍ସେସନ‌୍‍ ଆଭଏଡେନ୍ସ ଏଗ୍ରିମେଂଟ (ଡିଟିଏଏ) ଉପରେ ପୁନଃ ବିଚାର କରିଥିଲା। ଏହି ସରକାରଙ୍କ ଶାସନ କାଳରେ ନୂତନ କର ବ୍ୟବସ୍ଥା ଦ୍ୱାରା ରାଉଣ୍ଡ ଟ୍ରିପିଙ୍ଗ ସମ୍ଭାବନାକୁ ସମାପ୍ତ କରି ଦିଆଗଲା। 

 

ଯଦିଓ ପୂର୍ବତନ ସରକାର ଲାଭାର୍ଥୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି)ର ସୁଯୋଗ ଦେଇଥିଲେ, ତେବେ ଅଧିକାଂଶଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିବା କାରଣରୁ ସମସ୍ତଙ୍କୁ ସୁବିଧା ମିଳି ପାରୁନଥିଲା। ଫଳରେ ବେଇମାନୀ ଓ ଚୋରୀକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ସଫଳ ହୋଇ ପାରୁନଥିଲା। ତେବେ ଏନ‌୍‍ଡିଏ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ‌୍‍ଜେଡିୱାଇ) ଦ୍ୱାରା ଗରୀବ ଲୋକଙ୍କ ବ୍ୟାଙ୍କ ସହ ଯୋଡିବା  କାର୍ଯ୍ୟରେ ଯଥେଷ୍ଟ ସୁଫଳ ମିଳିପାରିଲା। ଏପର୍ଯ୍ୟନ୍ତ ଏହି ଯୋଜନା ଜରିଆରେ ୨୮.୩୮ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇ ପାରିଛି। ଏହା ଫଳରେ ଡିବିଟି  ଏବଂ ପାଣ୍ଠିର ଇଲୋକଟ୍ରୋନିକ ହସ୍ତାନ୍ତରଣ ଦ୍ୱାରା ଗରୀବ ଜନସାଧାରଣଙ୍କ ବାସ୍ତବିକ ସୁଫଳ ମିଳିଛି। ଏଥି ପୂର୍ବରୁ ଏପରି କେବେ କରାଯାଇ ନଥିଲା। ଏନ‌୍‍ଡିଏ ସରକାର ଖୁବ‌୍‍ ଉତ୍ସାହ ଓ ଆନ୍ତରିକତାର ସହ ଆଧାର କାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପୂର୍ବତନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏହା ଉପରେ ଆଇନ ପ୍ରଣୟନ କ୍ଷେତ୍ରରେ ବିଫଳ ହୋଇଥିଲେ। କିନ୍ତୁ ବର୍ତ୍ତମାନର ସରକାର ଏକ ଦୃଢ ଆଧାର ଅଧିନିୟମ ୨୦୧୬ ପ୍ରଚଳନ କରିଛନ୍ତି। ଆଶା କରାଯାଉଛି ଜିଏଏମ‌୍‍ (ଜନ ଧନ ଆଧାର ମୋବାଇଲ) ବ୍ୟକ୍ତିଗତ ଦେଣନେଣ କ୍ଷେତ୍ରରେ ସଂପୂର୍ଣ୍ଣ ଉତ୍ତରଦାୟୀ ହୋଇ ପାରିବ।

 

କଳାଧନର ସମାପ୍ତ ପାଇଁ ବିମୁଦ୍ରୀକରଣ ଜରିଆରେ ସରକାର ପାଂଚ ଶହ ଏବଂ ଏକ ହଜାର ଟଙ୍କିଆ ନୋଟକୁ ଅଚଳ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କଳାଧନର ଏକ ବଡ ଅଂଶ ଏହି ନୋଟ ଜରିଆରେ ଲିକ୍ୟୁଡି ମୋଡରେ ରଖା ଯାଇଥିବା ବିଶ୍ୱାସ କରାଯାଉଥିଲା। ବିମୁଦ୍ରୀକରଣ ଯୋଗୁଁ ଏହି ଅର୍ଥର ଏକ ବଡ  ଅଂଶ ଘୋଷଣା କରାଯାଇ ପାରିଲା। ତେବେ ସରକାର କଳାଧନ ସଂପର୍କରେ  ସରକାରୀଭାବେ ଘୋଷଣା କଲେ, ବିମୁଦ୍ରୀକରଣର ପ୍ରଭାବ ଓ ଏହାର ସ୍ପଷ୍ଟ ଚିତ୍ର ମିଳି ପାରିବ। ନଗଦ ଦେଣନେଣକୁ ନିରୁତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବିମୁଦ୍ରୀକରଣକୁ ଏକ ବଡ ପଦକ୍ଷେପ ରୂପେ ବ୍ୟବହାର କରିଛନ୍ତି। ସରକାର ସମଗ୍ର ଦେଶରେ ଅନେକ ଡିଜିଧନମେଳା ଓ ୟୁନାଇଟେଡ  ପେମେଂଟ ଇଂଟର ଫେସ‌୍‍ (ୟୁପିଆଇ) ଆଧାରରେ ମୋବାଇଲ ଆପ ଭୀମ (ଭାରତ ଇଂଟରଫେସ‌୍‍ ଫର ମନି)ର ବ୍ୟବହାର କରୁଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top