ମାଓବାଦୀ ସାହିତ୍ୟ ଜରୁରୀ!

News Story - Posted on 2017-05-11

ମାୟାଧର ନାୟକ

 

ଯେକୌଣସି ବିପ୍ଳବ, ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାପାଇଁ ସାହିତ୍ୟର ଆବଶ୍ୟକତା ଏକାନ୍ତ ଜରୁରୀ। ପ୍ରତିକୂଳ ପରିସ୍ଥିତିରେ ବଣଜଂଗଲ, ପାହାଡ଼ ପର୍ବତ, ଗୁମ୍ଫାରେ ଗରିଲା ଯୁଦ୍ଧବେଳେ ସବୁବେଳେ ନେତାମାନେ ପାଖରେ ନଥାନ୍ତି- ସେତେବେଳେ ମନକୁ ଶକ୍ତ କରି ବୁଦ୍ଧିବାଟ କୌଶଳ ପାଇଁ ସାହିତ୍ୟର ଆବଶ୍ୟକତା ଯୁଗେଯୁଗେ ରହିଆସିଛି। ଭାରତବର୍ଷର ମୁକ୍ତି ଆନ୍ଦୋଳନ ସମୟରେ ଅନେକ ସାହିତ୍ୟ ସୃଷ୍ଟି ହୋଇଥିଲା। ମାଓବାଦୀମାନେ ନିଜର ସାହିତ୍ୟ ସୃଷ୍ଟି ନକଲେ, ବୌଦ୍ଧିକ ବିକାଶ ପାଇଁ ଆଗଭର ନହେଲେ କେବଳ ତତ୍ତ୍ୱର ଗୂଢ଼ରହସ୍ୟକୁ ବୁଝିନପାରି ଖାଲି କର୍ମ କରିଗଲେ ଅନ୍ଧଦିଗନ୍ତ ଆଡ଼କୁ ମୁହାଁଇ ଯାଇପାରନ୍ତି।

 

ମାଓବାଦୀମାନେ ତାଙ୍କ ମୂଳ ଦର୍ଶନତତ୍ତ୍ୱକୁ ମାର୍କ୍ସବାଦୀ, ଲେନିନ‌୍‍ବାଦୀ, ମାଓବାଦୀ ଦର୍ଶନରୁ ଆଣିଛନ୍ତି। ସେମାନଙ୍କୁ ସବୁଠୁ ବେଶୀ ମାଓବାଦୀ ଦର୍ଶନ ପ୍ରଭାବିତ କରିଥିବାରୁ ସେମାନେ ଆପଣାକୁ ମାଓବାଦୀ ଆଖ୍ୟା ଦେଇ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଅବଶ୍ୟ ଫିଡାଲ କାଷ୍ଟ୍ରୋ, ଚେଗୁଆଭରାଙ୍କ ଗରିଲା ଯୁଦ୍ଧ ସେମାନଙ୍କୁ ପ୍ରଭାବିତ କରିଛି।

 

ଯେଉଁସବୁ ମାଓବାଦୀ ମୂଳନେତାମାନେ ମାର୍କସବାଦକୁ ଭାରତମାଟିରେ ପ୍ରୟୋଗ କରିବାପାଇଁ ଅକ୍ଳାନ୍ତ ଶ୍ରମ ସ୍ୱୀକାର କରିଯାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଜୀବିତ ନାହାଁନ୍ତି। ଏବେ ଯେଉଁମାନେ ଅଛନ୍ତି ବା ନୂଆନୂଆ ବାହାରୁଛନ୍ତି, ସେମାନେ ତତ୍ତ୍ୱ ଅପେକ୍ଷା କର୍ମକୁ ବେଶୀ ଜୋର ଦେଉଛନ୍ତି। ଏଠାରେ କହି ରଖେ, କେବଳ ତତ୍ତ୍ୱ ଜାଣି କର୍ମ ନକଲେ ସେ ବନ୍ଧ୍ୟା, ପୁଣି କେବଳ କର୍ମ କରି ତତ୍ତ୍ୱ ଜ୍ଞାନ ନଜାଣିଲେ ସେ ଅନ୍ଧ। ବନ୍ଧ୍ୟା, ଅନ୍ଧ ହେବା ଅପେକ୍ଷା ତତ୍ତ୍ୱ ଓ କର୍ମର ସମ୍ମିଶ୍ରଣରେ କ୍ଲିନ‌୍‍ ଓ ଗ୍ରୀନ (ସ୍ୱଚ୍ଛ ଓ ସବୁଜ) ହେବା ଏକାନ୍ତ ଜରୁରୀ।

 

ବିପ୍ଳବୀ ତତ୍ତ୍ୱର କଠିନତାକୁ ବହୁ କର୍ମୀ ଏପରିକି ନେତାଏ ସୁଦ୍ଧା ବୁଝିବା କଷ୍ଟକର ହୋଇପଡେ଼; ପୁଣି ଯେଉଁମାନେ ପାଠଶାଠ ବେଶୀ ପଢ଼ିନାହାଁନ୍ତି - ସେମାନଙ୍କ ପାଇଁ ତତ୍ତ୍ୱ ଅବୋଧ୍ୟ ହୋଇପଡେ଼। ଯାହାଫଳରେ ସେମାନେ ନା ତତ୍ତ୍ୱକୁ ଭଲଭାବେ ବୁଝନ୍ତି ନା ଭଲଭାବେ କର୍ମ କରନ୍ତି - ସେମାନେ ଏକପ୍ରକାର କଇଁଛିଆ ପାଲଟିଯାଆନ୍ତି।

 

ସବୁବେଳେ ପାଠୁଆମାନେ ଯେ ବିପ୍ଳବୀ ହେବେ, ଏଭଳି କିଛି ତଥ୍ୟ ଏ ପୃଥିବୀରେ ନାହିଁ। କୋଟିକୋଟି ଅପାଠୁଆ ମଧ୍ୟ ବିପ୍ଳବର ଆଗୁଆବାହିନୀ ହୋଇଛନ୍ତି। ପ୍ରତ୍ୟେକ ବିପ୍ଳବକୁ ଆଗେଇନେବାପାଇଁ ବୈପ୍ଳବିକ କବି, ଗାଳ୍ପିକ, ଔପନ୍ୟାସିକ ମଧ୍ୟ ସୃଷ୍ଟି ହୋଇଛନ୍ତି। ସେମାନଙ୍କ କଲମ ଆଟମବମ‌୍‍ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ବିପ୍ଳବୀ ସାହିତ୍ୟକୁ ପଢ଼ିପଢ଼ାଇ, ବୁଝିବୁଝାଇବାରେ ମଧ୍ୟ ଅଧିକାଂଶ ଲାଗିପଡନ୍ତି। ଯେଭଳି ରାମାୟଣ, ମହାଭାରତକୁ ପଢ଼ାଯାଏ, ବୁଝାଯାଏ କିମ୍ୱା ଯାତ୍ରା, ଥିଏଟର, ସିନେମାରେ ପରିବେଷଣ କରାଯାଏ, କି ମୂର୍ଖ କି ପାଠୁଆ ସମସ୍ତେ ବୁଝନ୍ତି ହେଜନ୍ତି, ତେଜନ୍ତି ଆଉ ମନଭରି ମଧ୍ୟ ଉପଭୋଗ କରି ହୃଦୟଙ୍ଗମ କରନ୍ତି।

 

ସାହିତ୍ୟର ସଂଜ୍ଞା ମଧ୍ୟ ଅଛି। ଯେତେସବୁ ସାହିତ୍ୟ କୋଟି କୋଟି ଟନ କାଗଜକାଳିରେ ଛପାଯାଇ ଏଇ ବିଶ୍ୱରେ ବିତରଣ କରାଯାଉଛି - ସେ ସାହିତ୍ୟ କାହାର? କାହାପାଇଁ ସୃଷ୍ଟି କରାଯାଉଛି ? ସେ ସାହିତ୍ୟ ଶାସକର ନା ଶୋଷିତର? ତେଣୁ ଶୋଷିତର ସାହିତ୍ୟ କ୍ୱଚିତ ରଚନା ହେଉଥିବାରୁ ତାହା ବେଶୀ ଆଦୃତ ହୁଏ। ଅଧିକାଂଶ ଶାସକସ୍ୱାର୍ଥପାଇଁ ଲିଖିତ ସାହିତ୍ୟ ଓଜନ ହୋଇ ଠୁଙ୍ଗା ପ୍ରସ୍ତୁତି କରାଯାଏ।

 

ଆମେ ଆନ୍ତର୍ଜାତୀୟ, ଜାତୀୟ ସାହିତ୍ୟ କ୍ଷେତ୍ରକୁ ନଯାଇ ଆମ ରାଜ୍ୟର ସାହିତ୍ୟ କଥା ଏଠି ବିଚାରିବା। ଦି’ଜଣ ମଣିଷ। ଜଣେ ଅପାଠୁଆ, ଅନ୍ଧ, କନ୍ଧକବି ଭୀମଭୋଇ ଆଉ ଜଣେ ପାଠୁଆ, ତତ୍ତ୍ୱଜ୍ଞାନ କର୍ମରେ ନିପୁଣ ସାମ୍ୟବାଦୀ ସାହିତ୍ୟର ସ୍ରଷ୍ଟା ଭଗବତୀ ଚରଣ ପାଣିଗ୍ରାହୀ। ଏ ଦି’ଜଣ ଆଜି ଏ ଧରାପୃଷ୍ଠରେ ନଥିଲେ ମଧ୍ୟ ସେମାନଙ୍କ ପଦେଗୀତ, ଗୋଟିଏ ଗଳ୍ପ ଆଜି ବି ବିପ୍ଳବୀମାନଙ୍କୁ ମାଓବାଦୀମାନଙ୍କୁ ଉଦ‌୍‍ବୁଦ୍ଧ କରିଆସୁଛି।

 

ଭୀମଭୋଇଙ୍କ ପଦେଗୀତ, ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ / ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାରୀ’ ଗଳ୍ପ ଭଳି ଏବେବି ଓଡ଼ିଆ ସାହିତ୍ୟରେ ସୃଷ୍ଟି ହୋଇପାରିନି। ପଦେ ଗୀତ, ଛୋଟ ଏକ ଗଳ୍ପର ନାୟକ ଘିନୁଆ କୋଟିକୋଟି ଲୋକଙ୍କ ମନପ୍ରାଣକୁ ଛୁଇଁଛି। ଏ କବିତା, ଗଳ୍ପ ଆଜି ଓଡ଼ିଶାରେ ସୀମାବନ୍ଧ ହୋଇ ନାହିଁ - ବିଶ୍ୱ ଦରବାରରେ ପହଞ୍ଚିଯାଇଛି। ଏଇଭଳି ସାହିତ୍ୟ ଯଦି ବହୁଲେଖକଙ୍କ କଲମମୂନରୁ ବାହାରିଥାନ୍ତା, ତା’ହେଲେ ସମାଜର ପ୍ରଗତି ଦିଗରେ ଅବଶ୍ୟ ସହାୟକ ହୋଇପାରୁଥାଆନ୍ତା।

 

ଏହି ଲେଖକର ଖଣ୍ଡେ ବହି ‘ଏ ପଥ ପାନିପଥ’ ମାଓକ୍ୟାମ୍ପରୁ ଉଦ୍ଧାର ହୋଇଥିଲା ବୋଲି ସଂବାଦପତ୍ରରେ ପ୍ରକାଶ ପାଇଥିଲା। ଅବଶ୍ୟ ସରକାର ଏ ଲେଖକକୁ ବାନ୍ଧି ନଥିଲେ। କିନ୍ତୁ ଲେନିନ କୁମାର ‘ନିସାନ‌୍‍’ ପତ୍ରିକାରେ ମାଓବାଦୀ ତତ୍ତ୍ୱ ପ୍ରଚାର ଏବଂ ପ୍ରଚାରପତ୍ର ଛପାଉଛନ୍ତି ବୋଲି ଅଭିଯାଗରେ ଗିରଫ ହେଲେ। ଏଇଭଳି ଅନେକ ନଜିର ଇତିହାସରେ ରହିଛି।

 

ସାହିତ୍ୟ ଏଭଳି ଏକ ବିଷୟ ଯାହାକୁ ଦୁନିଆରେ କେହି ରୋକିପାରିବେ ନାହିଁ କି କାରାଗାରରେ ବନ୍ଦୀ କରିପାରିବେ ନାହିଁ। କେବଳ ଛପାହୋଇ ବହି ହୋଇଗଲେ ନୁହେଁ, ଲୋକମୁଖରେ ପ୍ରଚାରିତ ଅଶାନ୍ତି ଅସନ୍ତୋଷର ଭାଷା ହିଁ ବିପ୍ଳବୀ ସାହିତ୍ୟର ଦାୟିତ୍ୱ ବହନ କରେ। ଆଜି ସେ ସକ୍ରେଟିସ ନାହାଁନ୍ତି, ଯିଏ ସତ୍ୟ ପାଇଁ ବିଷପାନ କରିଥିଲେ। ଆଜି ପ୍ରୟୋଜନ ହଜାର ହଜାର ସକ୍ରେଟିସ‌୍‍, ହଜାର ହଜାର ବିପ୍ଳବୀ ସାହିତ୍ୟିକ, ଯେଉଁମାନଙ୍କ କଲମ ମୂନରେ; ଚିନ୍ତା ଚେତନାରେ ସୃଷ୍ଟି ହେବ ପ୍ରଳୟ, ମହାପ୍ରଳୟ। ହେଉ ବିପର୍ଯ୍ୟୟ, ନିଶ୍ଚୟ ଦିନେ ହାତପାହାନ୍ତାରେ ଆସିଯିବ ଜୟଜୟ।

 

ମାଓବାଦୀ ସାହିତ୍ୟ କିଏ ଲେଖିବେ? ଲେଖିବେନାହିଁ ତଥାକଥିତ ତାଲିକାଧୀନ ଲେଖକବର୍ଗ। ଲେଖକ ସେଇ ହଜାରହଜାର ଘରଛଡ଼ା ଏକଦା-ତରୁଣମାନଙ୍କ ମଧ୍ୟରୁ କେତେକେ - ଯେଉଁମାନେ ଆଜି ବି ସମାଜ ବଦଳାଇବାର ଠିକଣା ଖୋଜିବାରେ ବ୍ୟସ୍ତ - ଏଇ ମାଓବାଦୀ ମାର୍ଗରେ। ମାଓବାଦୀ ସାହିତ୍ୟ ମାଓବାଦୀ ହିଁ ଲେଖିବେ - ଆଜିର ସଂଶୋଧନବାଦୀ କି ବାମମାର୍ଗୀ ବୁଦ୍ଧିଜୀବୀ କି ଲେଖକ ନୁହନ୍ତି। ସରକାରକୁ ନିଜର ଦାବୀ କେବଳ ଗୁପ୍ତ ପ୍ରଚାରପତ୍ର କି ଦୂରଭାଷ ଦ୍ୱାରା ନୁହେଁ, ଏଇ ସାହିତ୍ୟ ମାର୍ଫତ‌୍‍ ମଧ୍ୟ ଅବଗତ କରାଯାଇପାରେ - ଏହି ଭିତ୍ତିରୁ ହିଁ ପ୍ରସ୍ତୁତ ହେଉ ମାଓବାଦୀ ସାହିତ୍ୟ। ଏ ସାହିତ୍ୟକୁ ସରକାର ନିଷିଦ୍ଧ ବା ବାଜ୍ୟାପ୍ତ ନକରି ଗଣତାନ୍ତ୍ରିକ ଅଧିକାର ଦୃଷ୍ଟିରୁ ଜନସମାଜ ନିମନ୍ତେ ପ୍ରସାରିତ ହେବାର ସୁଯୋଗ ଦିଅନ୍ତୁ। ଲୋକେ ବୁଝନ୍ତୁ, ଖୋଦ‌୍‍ ସରକାର ବି ବୁଝନ୍ତୁ - କ’ଣ ପାଇଁ ସାମାଜିକ ପରିବର୍ତ୍ତନର ଏକ ସଶସ୍ତ୍ର ଧାରା ସଂପ୍ରତି ସଂତ୍ରାସ ସଂଚାର କରିବା ଦିଗରେ ଏକମୁଖୀନ। ଚଟକଣା କି କଟକଣା ଦ୍ୱାରା କୌଣସି ସମସ୍ୟାର ସମାଧାନ ନାହିଁ - ଏହା ସରକାର ଓ ମାଓବାଦୀ ଉଭୟପକ୍ଷ ଏବେ ବୁଝିବାର ବେଳ ଆସିଲାଣି। ମଝିରେ ମଧ୍ୟସ୍ଥମାନଙ୍କୁ ରଖି ଗଣମାଧ୍ୟମରେ ହଟଚମଟର ହରଫ‌୍‍ ସୃଷ୍ଟି କରାନଯାଉ - ବରଂ ମାଓବାଦୀ ସାହିତ୍ୟ ହିଁ ହେଉ ସରକାର ଓ ମାଓବାଦୀଙ୍କ ମଧ୍ୟରେ ଅସଲ ମଧ୍ୟସ୍ଥ।

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top