କିଶୋରୀ ସ୍ୱାସ୍ଥ୍ୟ ସମସ୍ୟା ଓ ପୁଷ୍ଟିସାଧନ

News Story - Posted on 2017-05-11

ସନ୍ତୋଷ ଜୈନ ପାସୀ ଓ ଆକାଂକ୍ଷା ଜୈନ

 

ଆଦ୍ୟ ଯୌବନରୁ ପ୍ରାପ୍ତବୟସ୍କ ମଧ୍ୟରେ କିଶୋରାବସ୍ଥା ହେଉଛି ପରିବର୍ତ୍ତନ ମାର୍ଗ। ଏହି ସମୟ ମଧ୍ୟରେ ଶାରୀରିକ ଗଠନ, ଇନ୍ଦ୍ରିୟାନୁଭୂତି ଏବଂ ମାନସିକ ଆବେଗ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ। ୨୦୧୧ ମସିହା ଜନଗଣନା ଅନୁଯାୟୀ ଭାରତରେ ମୋଟ ଜନସଂଖ୍ୟାର ଏକ ପଂଚମାଂଶ ଅର୍ଥାତ ପାଖାପାଖି ୨୫୩ ନିୟୁତ ହେଉଛନ୍ତି କିଶୋର। ଏମାନଙ୍କୁ ପୁଷ୍ଟିସାଧନ ଓ ଉପଯୁକ୍ତ ମାର୍ଗଦର୍ଶନ ଦେବା ଅତ୍ୟନ୍ତ ଜରୁରୀ। ଜଣେ କିଶୋରୀ କନ୍ୟାର ସ୍ୱାସ୍ଥ୍ୟ ତା ଜୀବନର ପରବର୍ତ୍ତୀ ବର୍ଷ ଗୁଡିକୁ ପ୍ରଭାବିତ କରିଥାଏ। ପୂର୍ଣ୍ଣ ବୟସ୍କ ଜୀବନରେ ଦେଖା ଦେଉଥିବା ବିଭିନ୍ନ ରୋଗର ମୂଳ ହେଉଛି କିଶୋରାବସ୍ଥା। ଅନେକ କ୍ଷେତ୍ରରେ ପ୍ରାକ‌୍‍ କିଶୋରାବସ୍ଥାର ମୃତ୍ୟୁହାରକୁ ପ୍ରତିଶେଧକ ଏବଂ ଚିକିତ୍ସା ଦ୍ୱାରା ନିରାକରଣ କରାଯାଇପାରିବ। ପୁଷ୍ଟିହୀନତା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଖୁବ ଶୀଘ୍ର ଗର୍ଭଧାରଣ କିମ୍ୱା ସନ୍ତାନ ପ୍ରସବ, ଏଚଆଇଭି/ଏଡସ, ଯୌନ ସଂକ୍ରମିତ ରୋଗ, ହିଂସା ଆଦି ସମସ୍ୟା କିଶୋରାବସ୍ଥାରେ ଦେଖାଦେଇଥାଏ। ଏହି କାରଣରୁ କିଶୋରାବସ୍ଥାରେ ଜଣେ ଜୀବନବ୍ୟାପୀ ଅସୁସ୍ଥତା କିମ୍ୱା ଅକ୍ଷମତାର ଶୀକାର ହୋଇପାରେ। ଏହି କାରଣରୁ ୧୩୦ କୋଟି କିଶୋରାବସ୍ଥାରେ ମୃତ୍ୟୁ ମୁଖରେ ପଡିଥାନ୍ତି ବୋଲି ୨୦୧୨ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାଯାଇଛି।

 

୧୯୫୦ ମସିହାଠାରୁ ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି। ବିଶ୍ୱସ୍ତରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ଏବଂ ଏଥିନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହି ଅବସରରେ ବିଭିନ୍ନ ସରକାରୀ ସଂସ୍ଥା ଏବଂ ଏନଜିଓମାନେ ଆନ୍ତର୍ଜାତୀୟ, ଜାତୀୟ ଏବଂ ଆଂଚଳିକ ସ୍ତରରେ ଆଲୋଚନା କରି ସମାଧାନର ସୂତ୍ର କାଢ଼ିଥାନ୍ତି। ଏଥିନେଇ ଚଳିତ ବର୍ଷର ବିଷୟ ଥିଲା ଅବସାଦ।

 

ବିଶ୍ୱସ୍ତରରେ ବିଚାର କଲେ ଭାରତରେ ସର୍ବାଧିକ କିଶୋର ଅଛନ୍ତି। ଏହାକୁ ଏକ ବ୍ୟାପକ ସମ୍ଭାବନା ଦୃଷ୍ଟିରେ ଦେଖିବା ସହ ସଂଖ୍ୟା ଦୃଷ୍ଟିରୁ ସେମାନଙ୍କୁ ଜାତୀୟ ବିକାଶ କ୍ଷେତ୍ରରେ ଏକ ଶକ୍ତି ରୂପେ ବିବେଚନା କରାଯାଉଛି। ତେଣୁ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ଉପରେ ଅଧିକ ପୁଞ୍ଜି ନିବେଶ ହେବା ଆବଶ୍ୟକ। ବିଳମ୍ୱ ବିବାହ, କିଶୋରୀ ଅବସ୍ଥାରେ ମାତୃତ୍ୱ ଲାଭ, ମାତୃ ମୃତ୍ୟୁହାର, ଏଚଆଇଭି ଏବଂ ଏସଟିଆଇ ପରି ସମସ୍ୟାଗୁଡିକୁ ହ୍ରାସ କରାଯିବା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି।

 

କିଶୋରାବସ୍ଥାରେ ଶାରିରୀକ କାର୍ଯ୍ୟକଳାପକୁ ଅଧିକ ବ୍ୟାପକ କରିବା ନିମନ୍ତେ ପୁଷ୍ଟିସାର, ଜୀବସାର, ଖଣିଜ ଆଦି ଶକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି। କିଶୋରାବସ୍ଥାରେ ଖାଦ୍ୟ ଆହରଣ କ୍ଷେତ୍ରରେ ଅନେକ ବ୍ୟତିକ୍ରମ ଦେଖାଦେଇଥାଏ। ଯେପରି କ୍ଷୁଧାହୀନତା, ଅରୁଚି କିମ୍ୱା ଅଧିକ ଖାଦ୍ୟ ଗ୍ରହଣ ଇତ୍ୟାଦି। ଏହା ବ୍ୟତୀତ ଏହି ବୟସରେ ଜଙ୍କଫୁଡ ପ୍ରତି ଅଧିକ ଆକର୍ଷଣ, ବିଶୃଙ୍ଖଳିତ ଜୀବନଶୈଳୀ, ଶାରୀରିକ ନିଷ୍କ୍ରିୟତା ଏବଂ ପୁଷ୍ଟିହୀନତା ଆଦି ସମସ୍ୟା ଉପୁଜିଥାଏ। ଯାହାକି ବୌଦ୍ଧିକ ବିକାଶ କ୍ଷେତ୍ରରେ ବାଧା, ବିଳମ୍ୱରେ ଯୌବନ ପ୍ରାପ୍ତି ଆଦି ଏକାଧିକ ସମସ୍ୟା ସୃଷ୍ଟି କରିଥାଏ। କିଶୋରୀ ଅବସ୍ଥାରେ ଗର୍ଭଧାରଣ କିମ୍ୱା ସନ୍ତାନ ପ୍ରସବ ପରି ସମସ୍ୟା ଯୋଗୁଁ ସାଧାରଣତଃ ୧୫ରୁ ୧୯ ବର୍ଷ ବୟସରେ କିଶୋରୀମାନଙ୍କ ମୃତ୍ୟୁ ଘଟିଥାଏ। ଏପରି କ୍ଷେତ୍ରରେ ଉଭୟ ମା ଏବଂ ନବଜାତ ଶିଶୁର ଜୀବନ ପ୍ରତି ବିପଦ ଦେଖାଦେଇଥାଏ। ୨୦ ବର୍ଷ ବୟସ ପୂର୍ବରୁ ଯଦି କେହି ଗର୍ଭଧାରଣ କରେ ତେବେ ଅଧିକାଂଶ କ୍ଷେତ୍ରରେ ମୃତ ସନ୍ତାନ ଜାତ ହୁଏ କିମ୍ୱା ଜନ୍ମର କିଛି ସପ୍ତାହ ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଥାଏ। ନଚେତ ଶିଶୁଟି କମ ଓଜନର ହେବା ସହ ଜୀବନବ୍ୟାପୀ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ।

ତେଣୁ କ୍ରମାଗତ ଭାବେ ପୁଷ୍ଟିସାଧନ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ସମ୍ପର୍କରେ ସଚେତନ କରାଯାଇ ପାରିଲେ ଏହି ସମସ୍ୟା ସବୁକୁ ନିୟନ୍ତ୍ରଣ କରାଯାଇପାରିବ।

 

ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଅନେକ ଗୁଡିଏ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏ ସବୁ ମଧ୍ୟରେ ପ୍ପରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରକେଏସକେ) ଅନ୍ୟତମ। କିଶୋରାବସ୍ଥାରେ ସ୍ୱାସ୍ଥ୍ୟର ବିକାଶ ପ୍ରତି ଧ୍ୟାନ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୧୪ ଜାନୁଆରୀଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁଷ୍ଟି ସାଧନ, ଅଣ ସଂକ୍ରମଣ ରୋଗ, ଆଘାତ, ମାନସିକ ସ୍ୱାସ୍ଥ୍ୟ ଆଦି ସମସ୍ୟା ଉପରେ କାର୍ଯ୍ୟକ୍ରମ କରାଯାଉଛି।

 

ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପୁର୍ନଗଠନ କରି ଗୋଷ୍ଠୀଭିତ୍ତିକ ହସ୍ତକ୍ଷେପ, ସୁବିଧା ସୁଯୋଗ ଭିତ୍ତିକ ପରାମର୍ଶ ଏବଂ ବ୍ୟବସାୟିକ ଯୋଗାଯୋଗର ପରିବର୍ତ୍ତନ କରାଯାଇ କିଶୋର ସ୍ୱାସ୍ଥ୍ୟ କ୍ଲିନିକକୁ ସୁଦୃଢ଼ କରି ୨୫୩ ନିୟୁତ କିଶୋର-କିଶୋରୀଙ୍କୁ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। କିଶୋର ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ଣ୍ଣ ବ୍ୟବସ୍ଥା ସହ କୁଶଳୀ ପରାମର୍ଶ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ଅସୁରକ୍ଷିତ ପରିବେଶରେ ରହୁଥିବା କିଶୋର-କିଶୋରୀଙ୍କୁ ଏଚଆଇଭି/ଏଡସ ସମ୍ପର୍କୀତ ବିଷୟ ଉପରେ ସଚେତନ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ଧାର୍ଯ୍ୟ ଦିବସ ଓ ସମୟରେ ସବସେଂଟର କ୍ଲିନିକ, ରୁଟିନ ଅନୁଯାୟୀ ଉନ୍ନତ ସେବା ଯୋଗାଇ ଦେବାକୁ ଆରସିଏଚ-୨ ଆଡୋଲସେଂଟ ରି ପ୍ରଡକ୍ଟିଭ ଆଣ୍ଡ ସେକ୍ସୁଆଲ ହେଲ‌୍‍ଥ (ଏଆରଏସଏଚ) କାର୍ଯ୍ୟକ୍ରମ କରାଯାଉଛି। ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତିଷେଧକ, ରୋଗ ନାଶକ ଏବଂ ପରାମର୍ଶ ଜରିଆରେ ଏସବୁର ନିରାକରଣ ବ୍ୟବସ୍ଥା ହୋଇଛି।

 

ସେହିପରି ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପୁଷ୍ଟିକାରକ ସହଯୋଗ, ସୁସ୍ଥ ଜୀବନ ଶୈଳୀ ପରାମର୍ଶ ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମାନବସମ୍ୱଳ ମନ୍ତ୍ରଣାଳୟ ଦ୍ୱାରା କିଶୋର ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ବୟସ ଅନୁଯାୟୀ କିଶୋରମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୂଚନା ଦିଆଯାଉଛି। ବାସ୍ତବ ଜୀବନରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ମୁକାବିଲା ନିମନ୍ତେ ସେମାନଙ୍କୁ ପାଠ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ କୁଶଳୀ ଜ୍ଞାନ ଯୋଗାଇ ଦିଆଯାଉଛି। ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଯୁବ ଓ କିଶୋର ବିକାଶ ଜାତୀୟ କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ଅନୁଯାୟୀ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବା ଗୁଣର ବିକାଶ, ବ୍ୟକ୍ତିତ୍ୱର ବିକାଶ ସେମାନଙ୍କ ଅନ୍ତର୍ନିହିତ ଶକ୍ତିର ବିନିଯୋଗରେ କିପରି ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।

 

କିଶୋରୀ ଶକ୍ତି ଯୋଜନା ଦ୍ୱାରା ୧୧ ରୁ ୧୮ ବର୍ଷ ବୟସର ବାଳିକାଙ୍କ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ନିମନ୍ତେ ବ୍ୟବସ୍ଥା କରାଯାଇଛି। ବାଳିକା ସମୃଦ୍ଧି ଯୋଜନା ଦ୍ୱାରା ବିଦ୍ୟାଳୟ ଗୁଡିକରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ୧୧ ରୁ ୧୮ ବର୍ଷ ବୟସର ଝିଅଙ୍କୁ ବିଦ୍ୟାଳୟ ବାହାରେ ରାଜୀବଗାନ୍ଧୀ ସ୍କିମ ଫର ଏମପାୱାରମେଂଟ ଅଫ ଡେଭଲପମେଂଟ ଗାଲ୍ର୍ସ (ସବଳା)ରେ ସାମିଲ କରାଯାଇଛି। ଏହି ଯୋଜନାରେ ସେମାନଙ୍କୁ ଆଇରନ ଫେଲେଟ ସପ୍ଲିମେଂଟସନ, ପୁଷ୍ଟିସାର, ସ୍ୱାସ୍ଥ୍ୟଶିକ୍ଷା, କିଶୋରୀ ପୁନଃକ୍ଷମ, ଯୌନ ସ୍ୱାସ୍ଥ୍ୟ ଏବଂ କୁଶଳୀ ଜୀବନ ଆଦି ଅନେକ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି। ଏହା ଜାତୀୟ କୌଶଳ ବିକାଶ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ। ରକ୍ତହୀନତା ପରି ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୩ ଜାନୁଆରୀଠାରୁ ଦେଶବ୍ୟାପୀ ସାପ୍ତାହିକ ଆଇରନ ଏବଂ ଫୋଲିକ ଏସିଡ ସପ୍ଲିମେଂଟେସନ (ଡବ୍ଲୁ ଆଇଏଫଏସ) କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୧୩୦ ନିୟୁତ କିଶୋର କିଶୋରୀଙ୍କୁ ଫାଇଦା ପହଚାଂଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗ୍ରାମାଂଚଳର କିଶୋରୀମାନଙ୍କ ମଧ୍ୟରେ ଋତୁସ୍ରାବ ସ୍ୱାସ୍ଥ୍ୟରକ୍ଷା ଲକ୍ଷ୍ୟରେ ଋତୁସ୍ରାବ ସ୍ୱାସ୍ଥ୍ୟ ରକ୍ଷା ଯୋଜନା ଆରମ୍ଭ ହୋଇଛି।

 

ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସୁବିଧା ଯୋଗାଇଦେବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ସେହିପରି ଗ୍ରାମୀଣ ଯୁବକଙ୍କ ପାଇଁ ନେହେରୁ ଯୁବ କେନ୍ଦ୍ର ସଂଗଠନ କରାଯାଇଛି। ଗୋ ୀ ସେବା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ପାଇଁ ଜାତୀୟ ସେବା ଯୋଜନା କରାଯାଇଛି।

 

ସେହିପରି ନାବାଳକମାନଙ୍କୁ ବେଆଇନ ନିଶା କାରବାରରୁ କ୍ଷାନ୍ତ କରିବା ଉଦ୍ଦେଶ୍ୟରେ ନାରକୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରେପିକ ସବଷ୍ଟାନ୍ସ ଆକ୍ଟ ୧୯୮୫ ଲାଗୁ କରାଯାଇଛି। କିଶୋର ଅବସ୍ଥାରେ ଦୁଷ୍କାର୍ଯ୍ୟରୁ ନିବୃତ ରଖିବା ପାଇଁ ଆଗୁଆ ବିବାହ ଓ କିଶୋରୀ ଗର୍ଭଧାରଣ ପରି ସମସ୍ୟାର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଏବଂ ସିନିୟର ସେକେଣ୍ଡାରୀ (ଦ୍ୱାଦଶ ଯୋଜନା) ପର୍ଯ୍ୟନ୍ତ ପିଲାଙ୍କୁ ସେମାନଙ୍କ ଶିକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ରାଇଟ ଅଫ ଚିଲଡ୍ରେନକୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ଛାଡୁଥିବା ୧୫ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ସାକ୍ଷର ଭାରତ ଯୋଜନାରେ ସାମିଲ କରାଯାଉଛି। ଯଦ୍ୱାରା ୨୦୨୫ ମସିହା ବେଳକୁ ସାର୍ବଜନୀନ ସାକ୍ଷରତା ଲକ୍ଷ୍ୟ ହାସଲ କରାଯାଇପାରିବ। ସ୍ୱଚ୍ଛ ଓ ସ୍ୱାସ୍ଥ୍ୟପ୍ରଦ ପରିବେଶ ଲକ୍ଷ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମାନବ ସମ୍ୱଳ ବିକାଶ ଏବଂ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ପସୁସ୍ଥ ବଚେ, ସୁସ୍ଥ ଭାରତଡ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏସବୁ ବ୍ୟତୀତ କିଶୋର-କିଶୋରୀମାନଙ୍କ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ମଧ୍ୟ ଅନେକ ଯୋଜନା ସହାୟତାରେ ଫାଇଦା ପହଂଚାଇବାର ବ୍ୟବସ୍ଥା ହୋଇଛି। ସମସ୍ତଙ୍କ ପାଇଁ ଏବଂ ସବୁ ବୟସ ପାଇଁ ସୁସ୍ଥ ଜୀବନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନିରନ୍ତର ବିକାଶ ଲକ୍ଷ୍ୟ-୩ ରେ ଗୁରୁତ୍ୱ ଦିଆଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top