ଚେନାନୀ-ନାସରୀ ଟନେଲ

News Story - Posted on 2017-05-11

ନମିତା ତିୱାରୀ

 

ଉପତ୍ୟକାର ମନୋରମ ତଥା କମନୀୟ ଦୃଶ୍ୟ, ତୁଷାର ଆଚ୍ଛାଦିତ ଗିରିଶୃଙ୍ଗ, ଶୋଭାଦୀପ୍ତ ସବୁଜିମା ଓ ସୁଉଚ୍ଚ ବୃକ୍ଷରାଜି ବାସ୍ତବରେ ଜାମ୍ମୁକାଶ୍ମୀର ଛବିକୁ ମନଲୋଭା କରିପାରିଛି। ସଡକ ପଥରେ ଜାମ୍ମୁରୁ ଶ୍ରୀନଗର ଯାତ୍ରା ଅତ୍ୟନ୍ତ ମନମୁଗ୍ଧକର। ଏତେ ସବୁ ପ୍ରାକୃତିକ ଦୃଶ୍ୟ ଭରି ରହିବା ସତ୍ୱେ ପଥ କିନ୍ତୁ କଷ୍ଟକର ଓ ସୁଦୀର୍ଘ। କୁଣ୍ଡଳାକାର ରାସ୍ତା ଓ ପ୍ରତିକୂଳ ପାଣିପାଗରେ ରାସ୍ତା ଅବରୋଧ ଯାତ୍ରାରେ ପ୍ରତିବନ୍ଧକ ସାଜିଥାଏ। କିନ୍ତୁ ଏହି ସମସ୍ୟା ଉଭେଇ ଯାଇଛି ଉଦ୍ଧାମପୁର ନିକଟରେ ୯.୨ କିମି ଲମ୍ୱର ଚେନାନୀ-ନାସରୀ ସୁଡଙ୍ଗ ପଥ ଖୋଲିଯିବା ପରେ। ଏହି ସୁଡଙ୍ଗ ପଥରେ ଯାତ୍ରା କେବଳ ଆରାମଦାୟକ ନୁହେଁ ବରଂ ରାସ୍ତାର ଦୂରତା ମଧ୍ୟ ହ୍ରାସ ପାଇଛି। ଏହି ପଥରେ ଯିବା ଚାଳକମାନଙ୍କ ପାଇଁ ମଧ୍ୟ ଆନନ୍ଦ ଦାୟକ।

 

ଏହି ସୁଡଙ୍ଗ ପଥ ନିମନ୍ତେ ଉଦ୍ଧାମପୁର ଏବଂ ରାମବନ ମଧ୍ୟରେ ୧,୨୦୦ ମିଟର ଦୈର୍ଘ୍ୟ କଷ୍ଟକର ହିମାଳୟ ଗିରିପଥ ଖନନ କରିବାକୁ ପଡିଛି। ଚେନାନୀ-ନାସରୀ ସୁଡଙ୍ଗ ପଥ କେବଳ ଦେଶର ଦୀର୍ଘତମ ଟନେଲ ନୁହେଁ ବରଂ ଏସୀଆର ଦୀର୍ଘତମ ଦ୍ୱିପଥ ବିଶିଷ୍ଟ ରାଜପଥ ଟନେଲ। ଭାରତ ସରକାରଙ୍କ ମେକ ଇନ‌୍‍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ପ୍ରୋତ୍ସାହନର ଏହା ଏକ ଉତ୍ତମ ଉଦାହରଣ। ୯.୨ କିମିର ଏହି ଟନେଲଟି ଟୁଇନ ଟ୍ୟୁବ ସବୁ ଦିନିଆ ରାସ୍ତା। ଏହି ପ୍ରକଳ୍ପଟି ଜାତୀୟ ରାଜପଥ ୪୪ ଏବଂ ପୁରୁଣା ଜାତୀୟ ରାଜପଥ ୧- ଏର ଅଂଶ ବିଶେଷ। 

 

୯ କିଲୋମିଟର ଲମ୍ୱର ଏହି ମୁଖ୍ୟ ସୁଡଙ୍ଗ ପଥଟିକୁ ଦୁଇ ଥାକିଆ କରାଯାଇଛି। ମୁଖ୍ୟ ସୁଡଙ୍ଗର ବ୍ୟାସ ୧୩ ମିଟର। ଏଥି ସହ ସମାନ୍ତରଳ ଭାବେ ୬ ମିଟରର ସୁରକ୍ଷା ସୁଡଙ୍ଗ ମଧ୍ୟ  କରାଯାଇଛି। ନିୟମିତ ବ୍ୟବଧ୍ୟାନରେ ୨୯ଟି କ୍ରସ ରାସ୍ତାକୁ ଏହି ଦୁଇ ଟ୍ୟୁବ ସହ ସଂଯୋଗ କରାଯାଇଛି।

 

ସୁଡଙ୍ଗର ଦକ୍ଷିଣ ଓ ଉତ୍ତର ପାର୍ଶ୍ୱରେ ଦୁଇଟି କ୍ଷୁଦ୍ର ସେତୁ ନିର୍ମାଣ କରାଯାଇଛି ଏବଂ ଚାରି ଲେନ ବିଶିଷ୍ଟ ଆପ୍ରୋଚ ରୋଡ ଟୋଲ ପ୍ଲାଜାର ଉଭୟ ପାର୍ଶ୍ୱରେ ରହିଛି। ଏହି ବାଇ ଡାଇରେକ୍ସନାଲ ଟନେଲରେ ବାୟୁ ଚଳପ୍ରଚଳର ଉତ୍ତମ ବ୍ୟବସ୍ଥା କରାଯାଇଛି। ୮ ମିଟର ବ୍ୟବଧାନର ମୁକ୍ତବାୟୁ ପ୍ରବେଶର ବ୍ୟବସ୍ଥା କରାଯାଇଥିବା ବେଳେ ୧୦୦ ମିଟର ବ୍ୟବଧାନରେ ବାୟୁ ନିଷ୍କାସନର ବ୍ୟବସ୍ଥା କରାଯାଇଛି। ସୁଡଙ୍ଗରେ ପୂର୍ଣ୍ଣ ସମନ୍ୱିତ ନିୟନ୍ତ୍ରଣ ପ୍ରଣାଳୀ ଜରିଆରେ ବାୟୁ ଚଳପ୍ରଚଳ, ଯୋଗାଯୋଗ, ବିଦ୍ୟୁତ ଯୋଗାଣ, ଏସଓଏସ କଲବକ୍ସ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ରଖାଯାଇଛି। ସୁଡଙ୍ଗ ଭିତରେ ଉତ୍ତମ ଟ୍ରାଫିକ ବ୍ୟବସ୍ଥା ସହ ସୁଡଙ୍ଗକୁ ସ୍ମାର୍ଟ କଂଟ୍ରୋଲ କରାଯାଇଛି। ଏହାର ପରିଚାଳନା ପାଇଁ ଲୋକଶକ୍ତିର ଆବଶ୍ୟକତାକୁ ଦୂର କରାଯାଇଛି। ସୁଡଙ୍ଗରେ ଆଡଭାନ‌୍‍ସ ସ୍କାନର ବ୍ୟବସ୍ଥା ରହିଛି। ଫଳରେ ସୁରକ୍ଷା ପ୍ରତି ଥିବା ବିପଦକୁ ଏଡାଇ ଦିଆଯାଇଛି। ବିଶ୍ୱରେ ଏହିପରି ଅଳ୍ପ କେତେକ ପୂର୍ଣ୍ଣ ସମନ୍ୱିତ ସୁଡଙ୍ଗ ନିୟନ୍ତ୍ରଣ ଟନେଲ ଥିବାର ବିଶେଷଜ୍ଞମାନେ କହିଛନ୍ତି।

 

ଏହି ସୁଡଙ୍ଗ ମଧ୍ୟ ଦେଇ ଯାତାୟତ କରୁଥିବା ପ୍ରତିଟି ଯାନବାହାନ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ସଂପୂର୍ଣ୍ଣ କମ୍ପୁଟରୀକରଣ ବ୍ୟବସ୍ଥା କରାଯାଇଛି। ସୁଡଙ୍ଗର ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ସେନସର ରହିଛି। ଯଦ୍ୱାରା ସର୍ବୋଚ୍ଚ ଉଚ୍ଚତା ୫ ମିଟର ମଧ୍ୟରେ ଥିବା ଗାଡିକୁ ପ୍ରବେଶ ଅନୁମତି ମିଳିପାରିବ। ସୁଡଙ୍ଗରେ ମୋବାଇଲ ନେଟୱାର୍କ ସୁବିଧା ନିମନ୍ତେ ଏୟାରଟେଲ, ଆଇଡିଆ ଏବଂ ବିଏସ‌୍‍ଏନ‌୍‍ଏଲ ପ୍ରଚଳନ ବ୍ୟବସ୍ଥା କରାଯାଇଛି। ଏହାଛଡା ସୁଡଙ୍ଗ ଭିତରେ ୯୨.୭ ଏଫ‌୍‍ ଏମ‌୍‍ ରେଡିଓ ଚ୍ୟାନେଲର ସୁବିଧା ମଧ୍ୟ ରହିଛି। ସୁଡଙ୍ଗ ପଥକୁ ଅତ୍ୟନ୍ତ ନିରାପଦ ଓ ସବୁ ଋତୁ ଉପଯୋଗୀ କରିବା ପାଇଁ ଏହି ଚେନାନୀ-ନାସରୀ ଟନେଲକୁ ଡିଜାଇନ କରାଯାଇଛି। ସଡକ ପଥ ଅପେକ୍ଷା ଏହି ସୁଡଙ୍ଗ ପଥରେ ଜାମ୍ମୁ ଓ ଶ୍ରୀନଗର ଯାତ୍ରା ଦ୍ୱାରା ଦୁଇ ଘଂଟା ସମୟ କମ ହୋଇପାରିବ। ଏହା ଛଡା ପ୍ରତିକୂଳ ପାଣିପାଗ ବେଳେ ଭୂସ୍ଖଳନ, ତୁଷାରପାତ, ଅଙ୍କାବଙ୍କା ରାସ୍ତାରେ ଦୁର୍ଘଟଣାର ସମ୍ଭାବନ ମଧ୍ୟ ଦୂର କରାଯାଇପାରିଛି। ଏହି ସୁଡଙ୍ଗ ପଥରେ ଯାତାୟତ ଦ୍ୱାରା ଦୈନିକ ୨୭ ଲକ୍ଷ ଟଙ୍କାର ଇନ୍ଧନ ସଂଚୟ ହୋଇ ପାରିବ। ଏହି ସୁଡଙ୍ଗ ଜାମ୍ମୁ ଓ ଶ୍ରୀନଗର ମଧ୍ୟରେ ୩୦ କିଲୋମିଟର ଦୂରତା ହ୍ରାସ କରିପାରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରି କରିବାବେଳେ ମଧ୍ୟ ବହୁ ସଂଖ୍ୟକ ଗଛ କଟାହେବାରୁ ବର୍ତ୍ତି ଯାଇଛି।

 

ମେକ ଇନ‌୍‍ ଇଣ୍ଡିଆ ଏବଂ ମେଡ ଇନ‌୍‍ ଇଣ୍ଡିଆ କାର୍ଯ୍ୟକ୍ରମରେ ନିର୍ମିତ ଏହି ସୁଡ଼ଙ୍ଗ ପଥ ପ୍ରକଳ୍ପ ଏକ ଐତିହାସିକ ମାଇଲ ଖୁଂଟ। ଆଇଏଲଆଣ୍ଡଏଫ‌୍‍ଏସ‌୍‍ ନାମକ ଏକ ଭାରତୀୟ କମ୍ପାନୀ ଏହାକୁ ନିର୍ମାଣ କରିଛନ୍ତି। ଏହି ପ୍ରକଳ୍ପରେ ୨ ହଜାରରୁ ଉର୍ଦ୍ଧ୍ୱ ଅଣ କୁଶଳୀ ଓ କୁଶଳୀ ଜାମ୍ମୁ କାଶ୍ମୀର ଯୁବକଙ୍କୁ କାମ ଯୋଗାଇ ଦିଆଯାଇପାରିଛି। ୯୪ ପ୍ରତିଶତ କାର୍ଯ୍ୟ ଶକ୍ତି ରାଜ୍ୟରୁ ନିଆଯାଇଛି ବୋଲି ଆଇଏଲଆଣ୍ଡଏଫ‌୍‍ଏସ‌୍‍ ସୂତ୍ରରୁ ଜଣାଯାଇଛି। ଏହା ଦ୍ୱାରା ପଟନିଟପରେ କେବଳ ପରିବେଶ ସୁରକ୍ଷା କରାଯାଇ ପାରି ନାହିଁ ବରଂ ସମନ୍ୱିତ ଉପାୟରେ ରାସ୍ତା ସଂଯୋଗ ସମ୍ଭବ ହୋଇପାରିଛି। ଏହା ରାଜ୍ୟ ଅର୍ଥନୀତିକୁ ଦୃଢ କରିବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି।

 

ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜପଥର ୧୧ ହଜାର ୫୭୮ ଫୁଟ ଉଚ୍ଚରେ ଆଉ ଏକ ସୁଡଙ୍ଗ ଜୋଜିଲାଠାରେ କରାଯାଉଛି। ଶୀତ ଋୁତରେ ପ୍ରବଳ ତୁଷାରପାତ ଫଳରେ ଡିସେମ୍ୱରରୁ ଏପ୍ରିଲ ମଧ୍ୟରେ ଏହି ସଡକ ପଥ ବନ୍ଦ ହୋଇଯାଏ। କାଶ୍ମୀରଠାରୁ ଲେହ-ଲାଦାଖ ବିଚ୍ଛନ୍ନ ହୋଇଯାଏ। ଏହା କାର୍ଯ୍ୟକ୍ଷମ ହେଲେ କାଶ୍ମୀର ଉପତ୍ୟକାରୁ ଲାଦାଖ ମଧ୍ୟରେ ସବୁ ଋତୁରେ ସଡକ ସଂଯୋଗ ସମ୍ଭବ ହୋଇପାରିବ। ଶିବଙ୍କ ଆବାସ କୈଳାସ-ମାନସରୋବର ଯାତ୍ରା ପାଇଁ ମଧ୍ୟ ଏହି ପଥ ସୁଗମ ହୋଇପାରିବ। ହିମାଳୟ ପର୍ବତକୁ କାଟି ରାସ୍ତା ନିର୍ମାଣ ପାଇଁ ବର୍ତ୍ତମାନ ବଡ ବଡ ମେସିନ ସେଠାରେ କାର୍ଯ୍ୟାରମ୍ଭ କରିଛି। ସୁଡଙ୍ଗ ନିର୍ମାଣ ହୋଇ ପାରିଲେ ଏହି ଅଂଚଳକୁ ପର୍ଯ୍ୟଟକମାନଙ୍କ ଗତିବିଧି ବୃଦ୍ଧି ପାଇବ।

 

ଏତଦ‌୍‍ ବ୍ୟତୀତ ଗଂଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଓ ବଦ୍ରୀନାଥ ଚାରିଧାମ ଯାତ୍ରା ନିମନ୍ତେ ତୀର୍ଥଯାତ୍ରୀମାନେ ଅଧିକ ସୁବିଧାରେ ଯାତାୟାତ କରିପାରିବେ।  ଏଥିପାଇଁ ୧୨,୦୦୦ କୋଟି  ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ସବୁ ନୂଆ ପ୍ରକଳ୍ପ ଦ୍ୱାରା ଜାମ୍ମୁ କାଶ୍ମୀରର ବିକାଶ ହେବା ସହ ସେହି ଅଂଚଳର ଅର୍ଥନୀତି ସୁଦୃଢ ହେବ ଏବଂ ଅଧିକ ନିଯୁକ୍ତି ସୁବିଧାସାଙ୍ଗକୁ ବାଣିଜ୍ୟିକ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top