ତାପଜ ବିଦ୍ୟୁତ ସ୍ୱପ୍ନ ଭାଙ୍ଗୁଛି କି?

News Story - Posted on 2017-05-11

ଓଡ଼ିଶାରେ ଚମକ ହରାଉଛି ତାପଜ ବିଦ୍ୟୁତ ପ୍ରକଳ୍ପ। ଗୋଟିଏ ପରେ ଗୋଟିଏ କମ୍ପାନୀ ରାଜ୍ୟରେ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବରୁ ଓହରି ଯାଇଛନ୍ତି। ଟାଟା ପାୱାର ପରେ ଇତିମଧ୍ୟରେ ବିଜିଆର ଏନର୍ଜି ସିଷ୍ଟମ୍ସ ଏବଂ କଳିଙ୍ଗ ଏନର୍ଜି ଆଣ୍ଡ ପାୱାର କମ୍ପାନୀ ସେମାନଙ୍କର ପ୍ରସ୍ତାବିତ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବରେ ଡୋରି ବାନ୍ଧି ଦେଇଥିବା ସରକାରଙ୍କୁ ଜଣେଇଛନ୍ତି।

 

ରାଜ୍ୟର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁରଠାରେ ୧୩୨୦ ମେଗାୱାଟ ଶକ୍ତି ଉତ୍ପାଦନ କ୍ଷମତା ରଖିଥିବା ଏକ ତାପଜ ବିଦୁତ୍ୟ କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା ଚେନ୍ନାଇର ବିଜିଆର ଗୋଷ୍ଠୀ। ପ୍ରକଳ୍ପରେ ୬,୨୮୭.୯୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଥିଲା। ସେହିପରି ଓଡ଼ିଶାର ଏକ ଘରୋଇ କମ୍ପାନୀ କଳିଙ୍ଗ ଏନର୍ଜି ଆଣ୍ଡ ପାୱାର ୪୨୬୧.୨୭ କୋଟି ଟଙ୍କା ବ୍ୟୟରେ ୧୦୦୦ ମେଗାୱାଟ ଉପିାଦନ କ୍ଷମତା ବିଶିଷ୍ଟ ଏକ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲା। ଏ ଦୁଇ ସଂସ୍ଥା ଏ ଦୁଇ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ସହିତ ୨୦୦୯ ମସିହାରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

 

ଏନେଇ ଶକ୍ତି ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କୋଇଲା ଖଣି କିମ୍ୱା କୋଇଲା ଯୋଗାଣ ଲିଗ୍ଧେଜ ବିନା ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବା ସମ୍ଭବ ନୁହେଁ ବୋଲି ଏ ଦୁଇ କମ୍ପାନୀ ଲିଖିତ ଆକାରରେ ଜଣାଇଛନ୍ତି। ତା’ଛଡ଼ା ରାଜ୍ୟରେ ଏବେ ବିଦ୍ୟୁତ ଶୁଳ୍କ ଅତ୍ୟଧିକ ପ୍ରତିଯୋଗିତା ସଂପନ୍ନ ହୋଇଥିବାବେଳେ ରାଜ୍ୟ ସରକାର ନବୀକୃତ ଓ ନୂତନ ଶକ୍ତି ସୂତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏ ଦୁଇଟି ପ୍ରକଳ୍ପ ପ୍ରସ୍ତାବରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସେମାନେ ସରକାରଙ୍କୁ ଲିଖିତ ଆକାରରେ ଜଣେଇ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ନିଜ ଆଡ଼ୁ ଏସ‌୍‍ସାର ପାୱାର ଓ ବିଜୟ ଫେରୋ ପାୱାର ପ୍ରକଳ୍ପ ନେଇ ହୋଇଥିବା ବୁଝାମଣାପତ୍ରର ନବୀକରଣ କରି ନାହାନ୍ତି। ଏ ଦୁଇ ସଂସ୍ଥା ବୁଝାମଣାପତ୍ର ସ୍ୱାକ୍ଷର କଲା ପରେ ପ୍ରକଳ୍ପ ନେଇ ଆଗ୍ରହ ନଦେଖାଇବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଟାଟା ପାୱାର ମଧ୍ୟ ରାଜ୍ୟରେ ତାହାର ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବରୁ ଓହରି ଯାଇଛି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟକୁ ବିଦ୍ୟୁତ ବଳକା ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ନେଇ ରାଜ୍ୟ ସରକାର ୨୦୦୦ରୁ ୨୦୧୪ ମଧ୍ୟରେ ୩୦ଟି ବିଦ୍ୟୁତ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏସବୁ ପ୍ରକଳ୍ପରୁ ୩୭,୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉପିାଦିତ ହେବ ବୋଲି ଘୋଷଣା କରାଯାଇଥିଲା। ଏଗୁଡ଼ିକ ମଧ୍ୟରୁ କେବଳ ବେଦାନ୍ତ ଗୋଷ୍ଠୀର ଷ୍ଟେର୍ଲାଇଟ ଏନର୍ଜି, ଇଣ୍ଡ-ବାରାଥ, ଜିଏମର ଏନର୍ଜି ଏବଂ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଆଦି ଚାରିଟି ପ୍ରକଳ୍ପରୁ ଉପିାଦନ ଆରମ୍ଭ ହୋଇଛି। ଅନ୍ୟ ପ୍ରକଳ୍ପଗୁଡ଼ିକ କୋଇଲା ଖଣି, କୋଇଲା ଯୋଗାଣ ପ୍ରତିଶ୍ରୁତି ଆଦି ନପାଇ ପ୍ରକଳ୍ପ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top