ବ୍ରାହ୍ମଣୀକୁ ବିଷାକ୍ତ କଲା କିଏ?

News Story - Posted on 2017-05-10

ମାୟାଧର ନାୟକ

 

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ୭୯୯ କିଲୋମିଟର ବ୍ୟାପୀ ବ୍ରାହ୍ମଣୀ, ଖରସ୍ରୋତା ନଦୀ ଜଳ ବିଷାକ୍ତ। ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଳାର ନଦୀକୂଳବାସୀଙ୍କ ପାଇଁ ଭୟଙ୍କର ବିପଦ ଦେଖାଦେଇଛି। କଳକାରଖାନା ଖଣିଖାଦାନ ମାଲିକମାନେ ଲାଭର ପାହାଡ଼ ସୃଷ୍ଟି କରିବା ପାଇଁ ବର୍ଜ୍ୟବସ୍ତୁ, ରାସାୟନିକ ପଦାର୍ଥ ବିଷାକ୍ତ ଜଳ ବ୍ରାହ୍ମଣୀ ଶାଖାନଦୀ ଓ ଉପନଦୀନାଳରେ ବେପରୁଆ ଭାବେ ବର୍ଷ ବର୍ଷ ଧରି ଛାଡ଼ି ଦେଉଥିବାରୁ ଆଜି ଜନଜୀବନ, ଫସଲ ରୋଗାକ୍ରାନ୍ତ। ଶିଳ୍ପପତି, ଶାସକ ଓ ପ୍ରଶାସକଙ୍କ ଅଶୁଭ ମୈତ୍ରୀ ଫଳରେ ଜମି, ଜଳ, ଜଙ୍ଗଲ ପାହାଡ଼, ଖଣିଖାଦାନ, ଦେଶୀ ବିଦେଶୀ କମ୍ପାନୀମାନଙ୍କ ଦଖଲକୁ ଚାଲିଯାଇ ସମଗ୍ର ରାଜ୍ୟରେ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଓଡ଼ିଶା ଭୂମିହୀନ ଭୂଗୋଳରେ ପରିଣତ ହେବାକୁ ଯାଉଛି। ଏଇଭଳି ଅବସ୍ଥା ଆଉ କିଛିଦିନ ଲାଗି ରହିଲେ ଓଡ଼ିଶା କେବଳ ମାନଚିତ୍ରରେ ଥିବ - ମାଟିରେ ନଥିବ।

 

ମଧ୍ୟ ପ୍ରଦେଶର ଶଙ୍ଖ ଓ ଝାଡ଼ଖଣ୍ଡର କୋଏଲ ନଦୀର ମିଳନସ୍ଥଳ ବେଦବ୍ୟାସରୁ ବାହାରିଥିବା ବ୍ରାହ୍ମଣୀନଦୀ, ଶାଖାନଦୀ, ଉପନଦୀ ନାଳରେ ରାଉରକେଲା ଇସ୍ପାତ କାରଖାନା, ବଣେଇର ୨୦ଟି ବଡ଼ ବଡ଼ ସ୍ପଞ୍ଜ‌୍‍ ଆଇରନ‌୍‍ ପ୍ଲାଣ୍ଟ ଓ ଛୋଟ ଛୋଟ ଷ୍ଟିଲ‌୍‍ ମେକିଙ୍ଗ ପ୍ଲାଣ୍ଟ, କଲୁଙ୍ଗା ଶିଳ୍ପାଞ୍ଚଳର ଓଡ଼ିଶା ସିମେଣ୍ଟ କାରଖାନା ତାଳଚେର ଅନୁଗୁଳ ସବୁ କଳକାରଖାନା, ଖଣିଖାଦାନ କଳିଙ୍ଗନଗରର ୧୧ଟି ଇସ୍ପାତ କାରଖାନା ଓ ସୁକିନ୍ଦା ଉପତ୍ୟକାର ୧୪ଟି କ୍ରୋମାଇଟ‌୍‍ ମାଇନସ‌୍‍ ନଈରୁ ପାଣି ନେବା ସଂଗେ ସଂଗେ ୧୫୫ଟି ଶିଳ୍ପାନୁଷ୍ଠାନ ଭୂତଳ ଜଳ ମଧ୍ୟ ଶୋଷି ନେଉଛନ୍ତି। ଯାହା ଫଳରେ ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ପ୍ରମୁଖ ଜିଲ୍ଲାର ବ୍ରାହ୍ମଣୀ ତଥା ତା’ର ଶାଖାନଦୀ ଖରସ୍ରୋତା, ହଂସୁଆ, କେଲୁଅ, ଗେଙ୍ଗୁଟି ଓ ଉପନଦୀ ଡମଶାଳାର ୫୪୧ କିଲୋମିଟର ବ୍ୟାପୀ ଲକ୍ଷ ଲକ୍ଷ ଦୁଇ କୂଳ ଅଧିବାସୀ ଓ ଜୀବଜନ୍ତୁମାନେ ବିଷାକ୍ତ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି। ମତ୍ସ୍ୟ ପ୍ରମୁଖ ଜଳଚର ଜୀବ ଅକାଳ ରୋଗରେ ମୃତ୍ୟୁବରଣ କରୁଛନ୍ତି। ମତ୍ସ୍ୟଜୀବୀମାନଙ୍କ ବେଉସା ବୁଡ଼ିଛି। ଚାଷ ଜମିକୁ ଜଳ ମାଡ଼ିପାରୁନି। ଯେତେବେଳେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସେ, ତାହା ଲୋକଙ୍କ ଦୁଃଖନଦୀ ପାଲଟିଯାଏ। ବନ୍ୟାପରେ ୮ ମାସ ଶୁଖିଲା ରହିବା ଫଳରେ ଦୁଃଖ ଆହୁରି ବଢ଼ିଯାଏ।

 

ଜଳ ବିଶେଷଜ୍ଞ ଓ ପରିବେଶବିତ‌୍‍ମାନେ ବ୍ରାହ୍ମଣୀ-ଖରସୁଆଁ ନଦୀଜଳ ପରୀକ୍ଷା କରି ଯେଉଁ ରିପୋର୍ଟ ଦେଇଥିଲେ, ଜଳ ଅତ୍ୟନ୍ତ ପ୍ରଦୂଷିତ-ବିଷାକ୍ତ ବୋଲି ଜଣାଯାଇଥିଲା। କଳକାରଖାନା, ଖଣିଖାଦାନ ମାଲିକମାନେ ତାଙ୍କ ବର୍ଜ୍ୟବସ୍ତୁକୁ ବିଶୋଧନ କରି ପାଣିରେ ଛାଡ଼ିବା ଏବଂ ମଇଳା ପାଣିକୁ ଟ୍ରିଟମେଣ୍ଟ କରି ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଥିଲା। ଭାରତ ସରକାର, ଓଡ଼ିଶା ସରକାର ଏ ରିପୋର୍ଟ ପାଇ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରତିକାର କରୁନାହାଁନ୍ତି। ଯାହା ଫଳରେ ୪୫ଟି ପାୱାରପ୍ଲାଣ୍ଟରେ ୧୧୧୩୭୭ ଟନ‌୍‍ ପାଉଁଶ ନିର୍ଗତ ହେଉଛି। ୩୭ ଷ୍ଟିଲପ୍ଲାଣ୍ଟରୁ ବର୍ଷକୁ ୪୧୬୫୫୬ ମେଟ୍ରିକ‌୍‍ ଟନ‌୍‍ ବର୍ଜ୍ୟବସ୍ତୁ ବାହାରୁଛି। ଆଲୁମିନିୟମ‌୍‍ ପ୍ଲାଣ୍ଟରୁ ୯୮୬୪୦ ଟନ‌୍‍ ଅତ୍ୟନ୍ତ ବିଷାକ୍ତ ମଇଳା ବାହାରୁଛି। ଏ ସମସ୍ତ ବର୍ଜ୍ୟବସ୍ତୁ ରାସାୟନିକ ପଦାର୍ଥ, ବିଷାକ୍ତ ପାଉଁଶ, ଜଳକୁ ବିଶୋଧନ କରିବାର ଲକ୍ଷଣ ଦେଖାଯାଉନି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ଚତୁର୍ଥ ପ୍ରଦୂଷିତ ଅଞ୍ଚଳ ଭାବେ ସୁକିନ୍ଦାକୁ ଚିହ୍ନଟ କରାଯାଇଛି। ଦେଶର ସପ୍ତମ ସଂକଟାପନ୍ନ ପ୍ରଦୂଷିତ ସହର ଭାବେ ତାଳଚେର, ଅନୁଗୁଳକୁ ଚିହ୍ନଟ କରାଯାଇଛି। ଏଇ ଦୁଇ ସ୍ଥାନରେ ବ୍ୟାପକ ବୃକ୍ଷଛେଦନ କରାଯାଇଛି। ସୁନ୍ଦରଗଡ଼, ଅନୁଗୁଳ, ଢ଼ୋଙ୍କାନାଳ, ଯାଜପୁର ଜିଲ୍ଲାର କଳକାରଖାନାର ଭୂତଳ ଜଳବ୍ୟବହାର ଏବଂ ଖଣିଖାଦାନ ଖୋଳା ଯୋଗୁ ଏହିସବୁ ଜିଲ୍ଳାରେ ପ୍ରାକୃତିକ ଝରଣା ବନ୍ଦ ହୋଇଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଭୂତଳ ଜଳବ୍ୟବହାର ଯୋଗୁଁ ଝରଣା ଧାର ଶୁଖିଯାଉଛି। ଯେଉଁସବୁ ଧାରରେ ଜଳ ଆସୁଛି ତାହା ବ୍ୟବହାରଯୋଗ୍ୟ ନୁହେଁ। ନଈନାଳ ଶଯ୍ୟାରେ  ବାଲିମାଟି ପୋତି ହୋଇ ଜଳଧାରଣ କ୍ଷମତା ହରାଇଲାଣି। ବିଶେଷ କରି ବ୍ରାହ୍ମଣୀ-ଖରସ୍ରୋତା ନଦୀରୁ ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଯେଉଁସବୁ କେନାଳୀକରଣ କରାଯାଇଥିଲା, ସେଥିରୁ ଅଧିଂକାଶ ପୋତି ହୋଇଗଲାଣି। କେନାଲକୁ ଆଧାର କରି ଯେଉଁସବୁ ନାଳ କରାଯାଇଥିଲା - ବନ୍ଧ ବନ୍ଧାଯାଇଥିଲା - ସେସବୁ ଅକାମି ହୋଇଗଲାଣି। ବ୍ରାହ୍ମଣୀ ଖରସ୍ରୋତା ନଦୀରୁ ଚାଷଜମିକୁ ଜଳଯୋଗାଣ ସାତ ସପନ ହୋଇଯାଇଛି।

 

ନଈରେ ପାଣିର ସୁଅ ଛୁଟୁଥିଲେ ମଧ୍ୟ ନଦୀ ଦୁଇକୂଳ ଜମିରେ ଟୋପେ ପାଣି ନାହିଁ। ସେଇ ଆକାଶର ବର୍ଷା ଉପେର ଚାଷୀ ନିର୍ଭର କରୁଛି। ବର୍ଷା ନାହିଁ ତ ଫସଲ ନାହିଁ - ଫସଲ ନାହିଁତ ଖାଦ୍ୟ ନାହିଁ - ଖାଦ୍ୟ ନାହିଁ ତ ଅନାହାର - ଚାଷୀ ଆତ୍ମହତ୍ୟା। ଓଡ଼ିଶାର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିବାରୁ ନଦୀନାଳ କେନାଲମାନଙ୍କର ଅବଦାନ ରହିଛି। କେବଳ କୃଷି ନୁହେଁ ପାନୀୟ, ଗାଧୋଇବା, ମାଛଧରି ଜୀବନ ଜୀବିକା ନିର୍ଭର କରନ୍ତି। ଏଣେ ଲାଗିପାତି ସମସ୍ତେ ଜଙ୍ଗଲ ପାହାଡ଼ ନଣ୍ଡା କଲେ, ଝରଣା ଶୁଖିଲା - ଜଳଧାରା କମିଲା। ବର୍ଷାଦିନ ଛାଡ଼ି ଅନ୍ୟ ସମୟରେ ନଈନାଳ ଶୁଖିଲା। ଏଥିରୁ କ’ଣ ନିସ୍ତାର ନାହିଁ? ଏ ସରକାର କାହାର ? ଚାଷୀର ନା ଶିଳ୍ପର !

 

ଜଳ ହିଁ ଜୀବନ। ସଭ୍ୟତାର ଆରମ୍ଭ ନଦୀ କୂଳରୁ। ଏବେ ଜଳର ଉପଯୋଗିତା ନେଇ ଦେଶର ବିଭିନ୍ନ ଆଭ୍ୟନ୍ତରୀଣ କନ୍ଦଳ ସୃଷ୍ଟି ହୋଇସାରିଛି, ହେଉଛି ମଧ୍ୟ। ଦିନେ ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଲାଗିଯାଇପାରେ। ବ୍ରାହ୍ମଣୀ-ଖରସ୍ରୋତାରୁ ଯେତେ ଶିଳ୍ପ ସଂସ୍ଥା ପାଣି ନେଉଛନ୍ତି - ସେମାନେ ସରକାରକୁ କେତେ ଟିକସ‌୍‍ ଦେଉଛନ୍ତି ? କାରଖାନା ଖଣିର ଦୂଷିତ ଜଳ ଶୋଧନ ପାଇଁ କି କି ପଦକ୍ଷେପ ନେଉଛନ୍ତି, ଯଦି ବିଶୋଧନ ପ୍ରତିକାର ବ୍ୟବସ୍ଥା ନେଇନାହାଁନ୍ତି, ତାହେଲେ କ୍ଷତିପୂରଣ କେତେ ଦେଇଛନ୍ତି - ଏ ସମ୍ପର୍କରେ କୌଣସି ସରକାରୀ ତଥ୍ୟ ନାହିଁ। ଏପରିକି ବିଧାନସଭାରେ ଜଳସେଚନ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ୧୫୫ ଶିଳ୍ପସଂସ୍ଥା ଭୂତଳ ଜଳ ବ୍ୟବହାର କରୁଛନ୍ତି - ଏକ ପ୍ରଶ୍ନ ଉତ୍ତରରେ କହିଛନ୍ତି। କିନ୍ତୁ କେଉଁ ଶିଳ୍ପ କେତେ ଭୂଜଳ ଜଳ ବ୍ୟବହାର କରୁଛନ୍ତି, ତା’ର ହିସାବ ନାହିଁ। କେତେ ଜଳ ଚୋରୀ ହେଉଛି- ତା’ର ଜବାବ ନାହିଁ।

 

ବ୍ରାହ୍ମଣୀ-ଖରସ୍ରୋତା ଜଳ ପ୍ରଦୂଷଣକୁ ରୋକିବା ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଇଛନ୍ତି ? ନଦୀରେ ଯେଉଁ ପରିମାଣରେ ଜଳ ଯାଉଥିଲା - ଆଉ ଯାଉନି। ଜଳଧାରଣ କ୍ଷମତା କମିଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗର କୌଣସି ଯୋଜନା ନାହିଁ।

 

ତାଳଚେର ତାପଜ ବିଦ୍ୟୁତ‌୍‍ କେନ୍ଦ୍ର, ଅନୁଗୁଳ ଏନ‌୍‍.ଟି.ପି.ସି., କଳିଙ୍ଗନଗର, ଜିନ୍ଦଲ ଷ୍ଟେନଲେସ‌୍‍ ଷ୍ଟିଲ‌୍‍ର ପାଉଁଶ ପୋଖରୀ ବିଷର ଭଉଁରୀ ସୃଷ୍ଟି କରିଛି। କିଛିବର୍ଷ ତଳେ ଅନୁଗୁଳ ତାଳଚେର ଶିଳ୍ପାଞ୍ଚଳର ପାଉଁଶ ପୋଖରୀ ବନ୍ଧଭାଙ୍ଗି ନନ୍ଦିରା ନଈରେ  ବୋହିଯାଇ ବ୍ରାହ୍ମଣୀରେ ପ୍ରବେଶ କଲା, ଜଳ ବିଷାକ୍ତ କରିଦେଲା। ବାଟଘାଟରେ ବିଷାକ୍ତ ପାଉଁଶର ପ୍ରସ୍ତରଣ ଦେଖାଦେଲା- ଜନଜୀବନ, ଫସଲ ବରବାଦ‌୍‍ ହେଲା। ସେହିପରି ସୁକିନ୍ଦା ଖଣି ଅଞ୍ଚଳରୁ ଡମଶାଳା ନଈରେ ମଇଳା କ୍ରୋମ ପାଣି ଓ ବିଷାକ୍ତ ରାସାୟନିକ ପଦାର୍ଥ ମିଶି ପାଣିରେ ମିଶି ଭୁବନ ପାଖରେ ବ୍ରାହ୍ମଣୀରେ ମିଶିଲା। ସୁକିନ୍ଦାରୁ ଭୁବନ ପର୍ଯ୍ୟନ୍ତ ପ୍ରାୟ ୨୦ଟି ପଞ୍ଚାୟତବାସୀଙ୍କ ଫସଲ ଉଧାଇଲା ନାହିଁ। ବିଷାକ୍ତ ପାଣି ବ୍ୟବହାର କରି ଜନଜୀବନ, ପଶୁପକ୍ଷୀ ରୋଗାକ୍ରାନ୍ତ ହୋଇପଡୁଛନ୍ତି।

 

ତା’ ହେଲେ ବ୍ରାହ୍ମଣୀ ଖରସୁଆଁ ଜଳର ଜହରରୁ ରକ୍ଷା ପାଇବା କେମିତି ? ଚାଷକୁ ପାଣି ମାଡ଼ିବ କିପରି ? ନଈ ମା’କୁ ଆମେ ସୁରକ୍ଷା ଦେବା କିପରି ? ରୋଗର କାରଣ ନ ଖୋଜି ଯେତେ ଔଷଧ ଦେଲେବି ରୋଗ ଭଲ ହେବନି। ଡାକ୍ତର ଯେତେବଡ଼ ହେଉ ରୋଗୀ ମରିବା ସାର ହେବ।

 

ଓଡ଼ିଶାର ଅର୍ଥନୀତି କୃଷି ଉପରେ ନିର୍ଭର କରେ। ଏଥିପାଇଁ ନଦୀମାନଙ୍କର ଅବଦାନ ରହିଛି। ନଦୀ ଜଳକୁ ସମ୍ପୂର୍ଣ୍ଣ ଭାବେ କୃଷି ପାଇଁ, ଜନସାଧାରଣଙ୍କ ବ୍ୟବହାର ନିମିତ୍ତ ସୁରକ୍ଷା କରାଯାଉ। ଅତ୍ୟଧିକ ଭୂତଳ ଜଳ ବ୍ୟବହାରରେ ଭୂକମ୍ପନ ସୃଷ୍ଟି ହେଉଛି। ବର୍ଷା ଜଳକୁ ମଧ୍ୟ ଫଳପ୍ରଦ ବ୍ୟବହାର କରାଯାଉ। ପୁରାଣର ପଞ୍ଚଭୂତ - ମୂର୍ତ୍ତିକା, ଉତ୍ତାପ, ଜଳ, ବାୟୁ, ଆଲୋକର ଅବକ୍ଷୟ ଘଟୁଛି। ଜୀବନ ପାଇଁ ଅତ୍ୟନ୍ତ ଦରକାରୀ ଜଳର ସୁରକ୍ଷା ନକଲେ ସଭ୍ୟତା ବିକଳାଙ୍ଗ ହେବା ସଂଗେ ସଂଗେ ଲୋପ ପାଇଯିବ। ପ୍ରଥମେ କଳକାରଖାନା-ଖଣିଖାଦାନ ମାଲିକମାନଙ୍କୁ ଜବତ କରିବାକୁ ହେବ। ସେମାନେ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ପରିଚାଳନା ବୈଜ୍ଞାନିକ ପଦ୍ଧତିରେ କଲେ - ବର୍ଷକ ଭିତରେ ବ୍ରାହ୍ମଣୀ-ଖରସୁଆଁ ପାଣି କାଚ ଭଳି ସଫା ହେବ - ପାନୀୟ ଉପଯୋଗୀ, ଚାଷ ପାଇଁ କେନାଲୀକରଣ କରି ଜଳଯୋଗାଣ, ମାଛ ହାଉଯାଉ ହେବେ। ହଜାର ହଜାର ଲୋକ ଜୀବନ ଧାରଣ ପାଇଁ ଉପାୟ ପାଇଯିବେ। ଏସବୁ କରିବାକୁ ହେଲେ ସରକାର ଓ କଳକାରଖାନା-ଖଣିଖାଦାନ ମାଲିକମାନଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ସରକାର ପୋତିହୋଇ ଯାଇଥିବା ନଦୀନାଳକୁ ଖନନ କରନ୍ତୁ। ବ୍ରାହ୍ମଣ ନଦୀରୁ ରେଙ୍ଗାଲି ଜଳଯୋଜନା, ମହାନଦୀରୁ ଯୋବ୍ରା ବ୍ୟାରେଜ ଭଳି ଖରସ୍ରୋତାରୁ ଯୋକଡ଼ିଆ ବ୍ୟାରେଜ ନିର୍ମାଣ କରିବାକୁ ହେବ। ଏବେ ନଈକୂଳିଆ ଲୋକେ ଭୟଙ୍କର ବିପଦକୁ ସାମ୍ନା କଲେଣି। ଅଶାନ୍ତି ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେବାକୁ ଆଉ ବେଶି ଡେରି ନାହିଁ।

 

ବର୍ତ୍ତମାନ ଉପକୂଳବର୍ତ୍ତୀ ଓଡ଼ିଶା ପାଇଁ ଏକ ଜରୁରୀ ଆହ୍ୱାନ - ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ। ସେପଟେ ମହାନଦୀ ପାଣି ପାଇଁ  ପଟୁଆର ସଜା ହେଲାଣି, ହୀରାକୁଦ ପାଣି ପାଇଁ ଲଢ଼େଇ ଚାଲିଛି। ଋଷିକୁଲ୍ୟା ପାଣି ପାଇଁ ବିଦ୍ରୋହ ଦେଖାଦେଲାଣି। ଏପଟେ  ବ୍ରାହ୍ମଣୀ ନଦୀଜଳର ବିଶୁଦ୍ଧତା ପାଇଁ ଆରମ୍ଭ ହେବ ସଂଗଠିତ ଜନଆନ୍ଦୋଳନ। ଆଗକୁ  ସମୟ ଭୟଙ୍କର - ମୁକାବିଲା ହେବ ମାଟି ମଣିଷ ଓ ମାଲିକ ଶ୍ରେଣୀ ମଧ୍ୟରେ। ସରକାର କୁବେରତନ୍ତ୍ରର କିଣାକିଙ୍କର ନହୋଇ ବୃହତ୍ତର ଜନସ୍ୱାର୍ଥ ନିମନ୍ତେ ଓଡ଼ିଶା-ବାସୀଙ୍କର ସପକ୍ଷତା କରିବେ କି ?

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top