ପତିତ ପୁଷ୍ପଗିରିର ସଂରକ୍ଷଣ ଜରୁରୀ

News Story - Posted on 2017-05-10

ଶୁଭେନ୍ଦୁ କୁମାର ଭୂୟାଁ

 

ଯାଜପୁର ଜିଲ୍ଲାର ରତ୍ନଗିରି, ଉଦୟଗିରି ଓ କଟକ ଜିଲ୍ଲାର ଲଳିତଗିରିଠାରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀଠାରୁ ଏକ ପ୍ରମୁଖ ତଥା ପ୍ରସିଦ୍ଧ ବୌଦ୍ଧ ବିହାର ଗଢ଼ିଉଠିଥିଲା। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ଅର୍ଥାତ‌୍‍ ଓଡିଶାରେ ଭୌମକର ବଂଶୀୟ ରାଜାମାନଙ୍କର ରାଜତ୍ୱ ପୂର୍ବରୁ ବୌଦ୍ଧଧର୍ମର ପ୍ରାଧାନ୍ୟ କେତେକ ସୀମାନ୍ତ ଅଂଚଳରେ ହିଁ ରହିଥିଲା। ଖ୍ରୀଷ୍ଟୀୟ ପଂଚମ ଓ ଷଷ୍ଠ ଶତାବ୍ଦୀରେ ବ୍ରାହ୍ମଣ୍ୟ ଧର୍ମାବଲମ୍ୱୀଙ୍କ ସହିତ ବୌଦ୍ଧ ଭିକ୍ଷୁମାନଙ୍କର ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ। ତାହା ହୋଇ ନଥିଲେ ଏ ରାଜ୍ୟର ସୀମାନ୍ତ ଅଂଚଳରେ ବୌଦ୍ଧ ବିହାରମାନ ପ୍ରତିଷ୍ଠା ଲାଭ କରିବା ଆଦୌ ସମ୍ଭବ ହୋଇନଥାନ୍ତା। ଉତ୍କଳରେ ଭୌମକର ବଂଶୀୟ ରାଜାମାନେ ହିଁ ବୌଦ୍ଧ ଧର୍ମକୁ ପୁନରୁଜ୍ଜୀବିତ କରି ବହୁ ବୌଦ୍ଧ ଚୈତ୍ୟ ଓ ବିହାର ସମେତ ଶିକ୍ଷାନୁଷ୍ଠାନ ତଥା ଆଶ୍ରମମାନ ନିର୍ମାଣ କରିଥିଲେ। ସେମାନଙ୍କ ପୁନର୍ଗଠନର ଫଳସ୍ୱରୂପ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଭଳି ବିଶ୍ୱବିଖ୍ୟାତ ବୌଦ୍ଧ ଧର୍ମପୀଠଗୁଡ଼ିକର ଅଭ୍ୟୁଦୟ ଘଟିଥିଲା। ଭୌମକର ବଂଶୀୟ ପ୍ରଥମ ରାଜା ଉନ୍ମତ୍ତ କେଶରୀ ‘ପରମ ଉପାସକ’ ଓ ‘ପରମ ସୌଗତ’ ଉପାଧିରେ ଭୂଷିତ ହୋଇ ଉତ୍କଳରେ ବୌଦ୍ଧଧର୍ମକୁ ରାଜଧର୍ମ ରୂପେ ମଧ୍ୟ ଘୋଷଣା କରିଥିଲେ। ଗୌରବର ବିଷୟ, ବୌଦ୍ଧଧର୍ମର ଇତିହାସରେ ପ୍ରଥମ ବୌଦ୍ଧ ରୂପେ ଖ୍ୟାତିଲାଭ କରିଥିବା ତପସୁ ଓ ଭଲ୍ଲିକ ନାମକ ଦୁଇଜଣ ବଣିକ ହିଁ ଥିଲେ ଉତ୍କଳୀୟ। ସେ ଯାହା ହେଉ, ବୌଦ୍ଧଧର୍ମକୁ ବିଶ୍ୱବ୍ୟାପୀ କରିବାରେ କଳିଙ୍ଗ ଉତ୍କଳର ଗୌରବମୟ ଅବଦାନ ଆଜି ବି ସ୍ମରଣୀୟ।

 

ଓଡ଼ିଶାର ଏହି ପ୍ରମୁଖ ବୌଦ୍ଧପୀଠଗୁଡ଼ିକୁ ବିଖ୍ୟାତ ଚୀନ ପରିବ୍ରାଜକ ହୁଏନସୀଂ ପରିଦର୍ଶନ କରିଥିଲେ। ଖ୍ରୀଷ୍ଟୀୟ ୬୨୯ରେ ୨୬ ବର୍ଷ ବୟସ୍କ ଯୁବକ ହୁଏନ‌୍‍ସାଂ ସୁଦୂର ଚୀନ‌୍‍ ଦେଶରୁ ଭାରତ ଅଭିମୁଖେ ଯାତ୍ରାରମ୍ଭ କରି ୬୩୯ ଖ୍ରୀ.ଅ.ରେ ନାଳନ୍ଦାଠାରେ ପହଂଚିଥିଲେ। ସପ୍ତମ ଶତାବ୍ଦୀରେ ଏହି ବିଶ୍ୱପ୍ରସିଦ୍ଧ ବୌଦ୍ଧ ବିହାରଗୁଡ଼ିକୁ ସେ ପରିଭ୍ରମଣରେ ଆସିଥିଲେ। ୧୮୬୯ ଖ୍ରୀଷ୍ଟାବ୍ଦରେ ଲଳିତଗିରି ଓ ଉଦୟଗିରି ବୌଦ୍ଧବିହାରଗୁଡ଼ିକ ପ୍ରଥମେ ତତ‌୍‍କାଳୀନ ଯାଜପୁରର ଉପଖଣ୍ଡ ଅଧିକାରୀ ସି.ଏସ‌୍‍. ବାନାର୍ଜୀଙ୍କ ଦୃଷ୍ଟିକୁ ଆସିବା ପରେ ବ୍ରିଟିଶ ସରକାରଙ୍କ କଟକସ୍ଥିତ କଲେକ୍ଟର ଜନ‌୍‍ ବୀମ‌୍‍ସଙ୍କୁ ଜଣାଇ ଦିଆଯାଇଥିଲା। ତା’ପରେ ଜନ୍‌ ବିମ‌୍‍ସଙ୍କ ସହିତ ଏକ ଉଚ୍ଚ ଅଫିସର ସ୍ତରୀୟ ଦଳ ଜଳପଥରେ ଯାଇ ଉଦୟଗିରିରୁ ଅନେକ ବୌଦ୍ଧ ସ୍ଥାପତ୍ୟ, ଦ୍ୱାରବନ୍ଧ ଓ ବୌଦ୍ଧମୂର୍ତ୍ତି କଟକକୁ ସ୍ଥାନାନ୍ତରିତ କରିଥିଲେ। 

 

୧୮୯୦ ମସିହାରେ ଏମ‌୍‍.ଏମ‌୍‍. ଚକ୍ରବର୍ତ୍ତୀ ନାମକ ଅନ୍ୟ ଜଣେ ଉପଖଣ୍ଡ ଅଧିକାରୀ ରତ୍ନଗିରି ବୌଦ୍ଧ ବିହାରକୁ ଦେଖିଥିଲେ। ୧୯୫୮ ମସିହାରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ସଂରକ୍ଷଣ ବିଭାଗ ପକ୍ଷରୁ ଡକ୍ଟର ଦେବଳା ମିତ୍ରଙ୍କ ନେତୃତ୍ୱରେ ରତ୍ନଗିରିଠାରେ ପ୍ରଥମ ଉତ‌୍‍ଖନନ ଆରମ୍ଭ ହୋଇଥିଲା ଏବଂ ଏଠାରୁ ବିପୁଳ ପରିମାଣର ପ୍ରତ୍ନତାତ୍ତ୍ୱିକ ବୌଦ୍ଧାବଶେଷ ଆବିଷ୍କୃତ ହୋଇଥିଲା। ଆବିଷ୍କୃତ ରତ୍ନଗିରି ବୌଦ୍ଧ ମହାବିହାରର ସମ୍ମୁଖରେ ରହିଛି ଏକ ପ୍ରସ୍ତର ତୋରଣ। ସେହି ସୁଶୋଭିତ ତୋରଣ ଦ୍ୱାରରେ ଚକ୍ରପାଣି, ଜମ୍ୱାଳ ପ୍ରଭୃତି ବୌଦ୍ଧ ଦେବଗଣଙ୍କର ମୂର୍ତ୍ତି ରହିଛି। ତୋରଣ ଦ୍ୱାର ପଛରେ କଟାପଥର ଆଚ୍ଛାଦିତ ଆୟତାକାରର ଅଗଣା। ଏହାର ପରିଧି ପ୍ରାୟ ୯୦ ବର୍ଗଫୁଟ। ଏହାର ଚତୁଃପାର୍ଶ୍ୱରେ ରହିଛି ୨୪ଟି ପ୍ରକୋଷ୍ଠ, ଯେଉଁଠାରେ ବୌଦ୍ଧ ଶ୍ରମଣ ବା ଦେଶ ବିଦେଶରୁ ଆସୁଥିବା ଶିକ୍ଷାର୍ଥୀମାନେ ବାସ କରୁଥିଲେ। ବିହାର ସାମ୍ନାରେ ଗୋଟିଏ ଛୋଟ ତୋରଣ ଅଛି। ତୋରଣ ଦ୍ୱାରରେ ବୌଦ୍ଧ ଦେବତା ମୈତ୍ରେୟ ଓ ଦ୍ୱାରପାଳଙ୍କ ବିଗ୍ରହ ସ୍ଥାପିତ। ବିହାର ମଧ୍ୟରେ ଥିବା ମୁଖ୍ୟ ଉପାସନା ଗୃହ ମଧ୍ୟରେ ରହିଛି ଭୂମିସ୍ପର୍ଶ ମୁଦ୍ରାରେ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟ ପଦ୍ମପାଣି ଧ୍ୟାନୀବୁଦ୍ଧମୂର୍ତ୍ତି। ମୂର୍ତ୍ତ ପାର୍ଶ୍ୱରେ ଅବଲୋକିତେଶ୍ୱର ପଦ୍ମପାଣି ଓ ଚକ୍ରପାଣିଙ୍କ ମୂର୍ତ୍ତି ମଧ୍ୟ ରହିଛି।

 

ପ୍ରଥମ ବିହାରର ପାର୍ଶ୍ୱରେ ରହିଛି ଏକ କ୍ଷୁଦ୍ର ଦ୍ୱିତୀୟ ବୁଦ୍ଧବିହାର। ପ୍ରଧାନ ବିହାରଠାରୁ ଏକ ସଂକୀର୍ଣ୍ଣ ପଥ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଦ୍ୱିତୀୟ ବିହାରରେ ରହିଛି ୧୮ଟି ପ୍ରକୋଷ୍ଠ ଓ ମୁଖ୍ୟ ଉପାସନା ଗୃହରେ ରହିଛି ଅନ୍ୟଏକ ବୌଦ୍ଧବିଗ୍ରହ। ରତ୍ନଗିରିର ଖନନ ଫଳରେ ବହୁ ବୌଦ୍ଧ ଦେବାଦେବୀ ଓ ବୁଦ୍ଧଙ୍କର ବ୍ରୋଞ୍ଜ ନିର୍ମିତ ମୂର୍ତ୍ତି ଆବିଷ୍କୃତ ହୋଇଥିଲା। ଏଠାରୁ ମିଳିଥିବା ହେରୁକ, କୁରୁକୁଲ୍ଲ, ବୈଶ୍ରାବଣ ଓ ଅପରାଜିତା ତାରାଙ୍କର ମୂର୍ତ୍ତି ଭାରତ ବର୍ଷରେ ମଧ୍ୟ ବିରଳ। ରତ୍ନଗିରିର ବିଶିଷ୍ଟ ଅବଦାନ ହେଲା ଟେରାକୋଟା ବା ପୋଡ଼ାମାଟିର ଛାପଯୁକ୍ତ ସିଲ‌୍‍। ସେଥିରେ ‘ଶ୍ରୀ ରତ୍ନଗିରି ମହାବିହାର ଆର୍ଯ୍ୟ ଭିକ୍ଷୁ ସଂଘ’ ବୋଲି ଲେଖା ହୋଇଛି। ରତ୍ନଗିରିରୁ ଆବିଷ୍କୃତ ବହୁ ମୂଲ୍ୟବାନ ସ୍ଥାପତ୍ୟ କୃତି କଲିକତା ଓ ପାଟଣା ସଂଗ୍ରହାଳୟକୁ ସ୍ଥାନାନ୍ତରିତ ହୋଇଯାଇଛି। ରତ୍ନଗିରି ପାହାଡ଼ ଉପରେ ରହିଛି ବହୁ ପୁରାତନ ମହାକାଳଙ୍କର ବିଗ୍ରହ। ମହାକାଳ ହେଉଛନ୍ତି ଗଣେଶଙ୍କ ପରି ଲମ୍ୱୋଦର। ବର୍ତ୍ତମାନ ସେ ହିନ୍ଦୁ ଦେବତା ରୂପେ ପୂଜନୀୟ। ରତ୍ନଗିରିରେ ଥିବା ବିଶାଳ ସ୍ତୁପଟି ରହିଛି ମହାବିହାରର ସମ୍ମୁଖରେ। ରତ୍ନଗିରିର ଅନେକ ମୂର୍ତ୍ତି ଏବେ ନିକଟବର୍ତ୍ତୀ ଗ୍ରାମମାନଙ୍କରେ ବୃନ୍ଦାବତୀ ରୂପରେ ପୂଜା ପାଉଛନ୍ତି। ରତ୍ନଗିରିର ବହୁ ପୁରାତନ ମହାକାଳ ମନ୍ଦିରଟିକୁ ଭାଙ୍ଗି ଏକ ନୂତନ ମନ୍ଦିର ନିର୍ମାଣ ଦୀର୍ଘବର୍ଷ ଧରି ହୋଇସାରିଥିଲେ ମଧ୍ୟ ବିଗ୍ରହ ଏଯାବତ‌୍‍ ସ୍ଥାନାନ୍ତରିତ ହୋଇନାହାନ୍ତି।

 

ବଡ଼ଚଣା ବ୍ଳକ ଅନ୍ତର୍ଗତ ଉଦୟଗିରି ହେଉଛି ରତ୍ନଗିରି ନିକଟରେ ଥିବା ଅନ୍ୟ ଏକ ପ୍ରମୁଖ ବୌଦ୍ଧବିହାର। ଉଭୟ ବିହାର ମଧ୍ୟରେ ଆନୁମାନିକ ଦୂରତା ପ୍ରାୟ ୬ କିଲୋମିଟର ହେବ। ୧୯୮୬ ମସିହା ଜାନୁୟାରୀ ୧ ତାରିଖଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂରକ୍ଷଣ ବିଭାଗ (ଏ.ଏସ‌୍‍.ଆଇ.) ପକ୍ଷରୁ ଏହାର ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଠାରୁ ଆବିଷ୍କୃତ ସ୍ତୁପଟିର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ମୂର୍ତ୍ତିଗୁଡ଼ିକର ନାମ ହେଲା ଯଥାକ୍ରମେ ଅକ‌୍‍ସୋବ୍ୟ, ଅମିତାଭ, ମଞ୍ଜୁଶ୍ରୀ ଓ ରତ୍ନସମ୍ଭବ। ପ୍ରସ୍ତର ନିର୍ମିତ ଏହି ସ୍ତୂପ ସମୁଦ୍ର ପତ୍ତନଠାରୁ ୪୭ ଫୁଟ ଉଚ୍ଚରେ ଅବସ୍ଥିତ। ଖନନ ଫଳରେ ୧୫ ଇଞ୍ଚ ଲମ୍ୱ ଓ ୧ ଫୁଟ‌୍‍ ଓସାରର ବହୁ ପୋଡ଼ାଇଟା ମଧ୍ୟ ବାହାରିଛି। ଏଠାରୁ ଆବିଷ୍କୃତ ହୋଇଛି ମାଧବପୁର ଓ ସିଂହପ୍ରସ୍ଥ ବୌଦ୍ଧ ମହାବିହାର । ସ୍ତୁପର ଉତ୍ତର ପଶ୍ଚିମ ଓ ଦକ୍ଷିଣ ଉତ୍ତର କୋଣରେ ଏହି ଦୁଇଟି ବିହାର ରହିଛି। ଏହି ବିହାରର ଲମ୍ୱ ୪୫ ଫୁଟ ଓ ଓସାର ୪୫ ଫୁଟ। ଏଠାରୁ ସନ୍ଧାନ ମିଳିଥିବା ଜମ୍ୱାଳ, ଅପରାଜିତା, ଜଟାମୁକୁଟ ଅବଲୋକିତେଶ୍ୱର ଓ ଦେବୀ ହାରତି (ଜମ୍ୱାଳଙ୍କ ପତ୍ନୀ) ପ୍ରଭୃତି ମୂର୍ତ୍ତି ୮-୯ ଶତାବ୍ଦୀର ପ୍ରାଚନୀ ବୌଦ୍ଧକୀର୍ତ୍ତି। ୧୯୭୧ ମସିହାରେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର କେତେକ ଅନଭିଜ୍ଞ କର୍ମଚାରୀ କେନ୍ଦ୍ରୀୟ ବିଭାଗର ଅନୁମତି ନ ଦେଇ ସ୍ତୂପର ପୂର୍ବଭାଗକୁ ଖୋଳି ନଷ୍ଟ କରିଦେଇଥିଲେ।

 

ଏହି ବୌଦ୍ଧପୀଠର ଅନ୍ୟତମ ଆକର୍ଷଣ ହେଲା ଚତୁଃପାର୍ଶ୍ୱ ପଥର ଚଟାଣ ଆଚ୍ଛାଦିତ ଏକ ଗଭୀର କୂପ। ଏହାର ଆନୁମାନିକ ପ୍ରସ୍ତ ଓ ଦୈର୍ଘ୍ୟ ପ୍ରାୟ ୧୪ ଫୁଟ‌୍‍। କୂପର ସୋପାନ ଶ୍ରେଣୀ ସମ୍ମୁଖରେ ପାଲି ଭାଷାରେ ଲିଖିତ କିଛି ଅଂଶ ଦୃଷ୍ଟିଗୋଚର ହୁଏ। ବିଗତ ୧୯୮୭ ମସିହା ମାର୍ଚ୍ଚ ମାସରେ ଉଦୟଗିରିଠାରେ ଉତ‌୍‍ଖନନ ଫଳରେ ଇତିହାସ ପ୍ରସିଦ୍ଧ ‘ମାଧବପୁର ବୌଦ୍ଧ ମହାବିହାର’ ଓ ପରବର୍ତ୍ତୀ ସମୟରେ ପଂଚରଥ ଶୈଳୀରେ ନିର୍ମିତ ଦ୍ୱିତଳ ସିଂହପ୍ରସ୍ଥ ବୌଦ୍ଧ ମହାବିହାର ଆବିଷ୍କୃତ ହୋଇଥିଲା। ମାଧବପୁର ମହାବିହାର (ବିଶ୍ୱବିଦ୍ୟାଳୟ) ଆର୍ଯ୍ୟଭିକ୍ଷୁ ସଂଘ ଭଗବାନ ବୁଦ୍ଧ ଜନ୍ମ ନେବାର ପ୍ରାୟ ୧୨୦୦ ବର୍ଷ ପରେ (କେତେକ ଐତିହାସିକଙ୍କ ମତରେ ଅଷ୍ଟମ ବା ନବମ ଶତାବ୍ଦୀରେ) ପ୍ରତିଷ୍ଠିତ ହୋଇଥିଲା। କେତେକ ମୂର୍ତ୍ତି ଦେହରେ ଦେବନାଗରୀ ଭାଷାରେ ଶ୍ଳୋକ ମଧ୍ୟ ଲିପିବଦ୍ଧ ହୋଇଛି। ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଉଦ୍ଧାର କରାଯାଇଥିବା ଶିଳାଲେଖ, ସ୍ତମ୍ଭ, ସ୍ତୂପ, ଚତୁର୍ଭୂଜାକାର ବିହାର, ସ୍ଥାପତ୍ୟ ଓ କଳାଖଚିତ ବିଗ୍ରହ, ଖପରା, ସିଲ‌୍‍, ସୁରେଇ, ଚିଲମ, ମାଟିନଳୀ, ଜଳ ନିଷ୍କାସନ ପାଇଁ ପଥର ଓ ପୋଡ଼ାମାଟି ନଳୀ ଓ ବିଭିନ୍ନ ପ୍ରକାର କମପକା ଟାପୁଆ ଇଟା ଅନ୍ୟତମ। ଏଠାରୁ ଆବିଷ୍କୃତ ଅନ୍ୟ ଏକ ବିରଳ ବୌଦ୍ଧ ସ୍ଥାପତ୍ୟ ହେଲା ଏକ ବିଶାଳ ଚୈତ୍ୟଗୃହ କମ୍ପ୍ଳେକ୍ସ। ଉପଯୁକ୍ତ ସଂରକ୍ଷଣ ଅଭାବରୁ ଉଦୟଗିରିର ବୌଦ୍ଧ କୀର୍ତ୍ତି ଏବେ ନଷ୍ଟ ହେବାକୁ ବସିଲାଣି। ଉତ‌୍‍ଖନନର ୩୦ ବର୍ଷ ପରେ ମଧ୍ୟ ଏହି ବିରଳ କୀର୍ତ୍ତିରାଜି ଆଜି କଳାପଲିଥିନି ତଳେ ଘୋଡ଼ା ହୋଇ ସମ୍ପୂର୍ଣ୍ଣ ଅବହେଳିତ ଭାବରେ ଦଣ୍ଡାୟମାନ।

 

ଏହି ଅଂଚଳର ତୃତୀୟ ବୌଦ୍ଧବିହାର ମାହାଙ୍ଗା ଥାନାର ଲଳିତଗିରିଠାରେ ଅବସ୍ଥିତ। ଅସିହା ଗିରିମାଳା ମଧ୍ୟରୁ ବିରୂପା-ଚିତ୍ରୋତ୍ପଳା ନଦୀ ଉପତ୍ୟକାରେ ଲଳିତଗିରି ବୌଦ୍ଧପୀଠର ଅବସ୍ଥିତି ସ୍ୱତନ୍ତ୍ର, ଯାହାକି ଓଡ଼ିଶାର ବୌଦ୍ଧ ସନ୍ନ୍ୟାସୀମାନଙ୍କର ଏକ ପ୍ରଧାନ ପୀଠ ଥିଲା। ଲଳିତଗିରି ବ୍ୟତୀତ ନିକଟସ୍ଥ ସୁଖଭା (ଶୁଖୁଆପଡ଼ା) ଓ ପାରାଭାଡ଼ି ପାହାଡ଼ର ପଶ୍ଚିମ ପାଦଦେଶରେ ହାତୀଖୋଲଠାରୁ ମଧ୍ୟ ଅନେକ ଶିଳ୍ପ ଭାସ୍କର୍ଯ୍ୟ ସଂଗ୍ରହ କରାଯାଇଛି।

 

ଲଳିତଗିରିରୁ ଆବିଷ୍କୃତ ଲାଲ ରଙ୍ଗର ଚିତ୍ରିତ ମାଟିପାତ୍ର ବ୍ୟତୀତ ପ୍ରାଚୀନ ସାମଗ୍ରୀ ମଧ୍ୟରେ ପୁରୀକୃଷ୍ଣ ମୁଦ୍ରା ଏବଂ ଗୁପ୍ତଯୁଗୀୟ ଏକ ସ୍ୱର୍ଣ୍ଣମୁଦ୍ରା ଅନ୍ୟତମ। ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୧୯୭୭ ମସିହାରେ ହୋଇଥିବା ଉତ‌୍‍ଖନନରୁ ଧ୍ୱଂସସ୍ତୂପ ଏବଂ ବିଧିବଦ୍ଧ ଇଟା କାରୁକାର୍ଯ୍ୟ ସମ୍ୱନ୍ଧରେ ସମ୍ୟକ‌୍‍ ଧାରଣା ମିଳିଥିଲା। ଧ୍ୱଂସାବଶେଷ ସୌଧର ପୂର୍ଣ୍ଣାଙ୍ଗ ପରିପ୍ରକାଶ ପାଇଁ ଭୁବନେଶ୍ୱରସ୍ଥିତ ପ୍ରତ୍ନତତ୍ତ୍ୱ କାର୍ଯ୍ୟାଳୟ ୧୯୮୫ ମସିହାଠାରୁ ଖନନ କାର୍ଯ୍ୟ ଆରମ୍ଭ କରି ୧୯୮୭ ମସିହାରେ ୧୨ ମିଟର ବ୍ୟାସଯୁକ୍ତ ଏକ ସ୍ତୁପ ଆବିଷ୍କାର କରିଥିଲେ। ସେହିପରି ସ୍ତୁପର ପର୍ବ ପଟରୁ ୨ଟି ଗୁପ୍ତଯୁଗୀୟ ପେଟିକା ଓ ତନ୍ମଧ୍ୟରୁ ସ୍ୱର୍ଣ୍ଣ ଓ ରୌପ୍ୟପାତ୍ର ଗଢ଼ା ହୋଇ ବୁଦ୍ଧଙ୍କ ପବିତ୍ର ଦେହାବଶେଷ (ଅସ୍ଥି) ଆବିଷ୍କୃତ ହୋଇଛି। ନିର୍ମାଣ ସମୟରେ ଏହି ସ୍ତୂପର ଉଚ୍ଚତା ଥିଲା ୨୫ ଫୁଟ। ତୃତୀୟ ଶତାବ୍ଦୀର ନାଗାଜୁର୍ନ କୋଣ୍ଡା ଅନୁଶାସନରେ ବର୍ଣ୍ଣିତ ଯେ, ପୁଷ୍ପଗିରି ହିଁ ସମ୍ଭବତଃ ଲଳିତଗିରି ଅଟେ। ଲଳିତଗିରି ଖନନବେଳେ ମାଟି ହାଣ୍ଡିରେ କିଛି ଅଂଶବିଶେଷ ମିଳିଛି, ଯାହାକି ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ବେଳର ଓ ତାହା ଭାରତର ପଶ୍ଚିମାଞ୍ଚଳରେ ନିର୍ମିତ ହୋଇଥିବାର ସୂଚନା ମିଳେ। ୧୯୮୮ ମସିହାରେ ଆରମ୍ଭ ହୋଇଥିବା ଉତ‌୍‍ଖନନ ଫଳରେ ସେଠାରୁ ଚୈତ୍ୟଗୃହ ସ୍ତୂପ ଆବିଷ୍କୃତ ହୋଇଥିଲା। ବୌଦ୍ଧ ସଂସ୍କୃତି ଓ ସଭ୍ୟତାର ଏହି ସୁପ୍ରସିଦ୍ଧ ସ୍ତୁପ କେବଳ ନାଗାଜ୍ଜୁର୍ନକୋଣ୍ଡା ଉତ‌୍‍ଖନନରୁ ଆବିଷ୍କୃତ ହୋଇଥିବ ବୋଲି ଜଣାଯାଇଛି। ଏଠାରେ ଏକ ମୂର୍ତ୍ତିର ପାଦଦେଶରେ ପାଲି ଭାଷାରେ ‘ରଣଧୀରସ୍ୟ’ ବୋଲି ଉଲ୍ଲେଖ ଥିବାର ଦେଖାଯାଏ। ଏହା ତତ‌୍‍କାଳୀନ କୌଣସି ରାଜାଙ୍କର ନାମ ହୋଇଥାଇପାରେ ବୋଲି ପ୍ରତ୍ନତତ୍ତ୍ୱବିଦ‌୍‍ମାନେ ଆଶା କରନ୍ତି। ଲଳିତଗିରିର ସର୍ବୋତ୍ତମ ଆବିଷ୍କାର ହେଉଛି ବୁଦ୍ଧଙ୍କ ଦେହାସ୍ଥି ଥିବା ବିରଳ ରେଲିକ୍ସ କାସକେଟ‌୍‍। ଲଳିତଗିରି ପାହାଡ଼ର ଶିଖରଦେଶରେ ଥିବା ବୌଦ୍ଧ ସ୍ତୁପରୁ ଆବିଷ୍କୃତ ହୋଇଥିଲା ପୂର୍ବଭାରତର ଏହି ଗୌରବମୟ କୀର୍ତ୍ତି। ଏହା ଏବେ ଏ.ଏସ‌୍‍.ଆଇ.ର ଭୁବନେଶ୍ୱର ସଂଗ୍ରହାଳୟରେ ପଡ଼ିରହିଛି। ଲଳିତଗିରିଠାରେ ନିର୍ମିତ ହେଉଥିବା ନୂତନ ସଂଗ୍ରହାଳୟରେ ଏହା ସ୍ଥାନ ପାଇଲେ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ, ଗବେଷକ ଓ ସାଧାରଣ ଲୋକଙ୍କର ଆଗମନ ବୃଦ୍ଧି ପାଇବ।

 

ରାଜ୍ୟର ପ୍ରମୁଖ ବୌଦ୍ଧ ପର୍ଯ୍ୟଟନମାନଚିତ୍ରରେ ସ୍ଥାନିତ ହୀରକ ତ୍ରିଭୂଜ ବଳୟର ଏହି ତିନି ବୌଦ୍ଧବିହାର ବହୁ ଚର୍ଚ୍ଚିତ ‘ପୁଷ୍ପଗିରି’ ବୌଦ୍ଧବିହାର କି ନୁହେଁ, ସେ ସମ୍ପର୍କରେ ବୌଦ୍ଧଧର୍ମ ଗବେଷକଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ବର୍ତ୍ତମାନ ମଧ୍ୟ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି ଓ ଉଦୟଗିରିଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ ସେ ସଂପର୍କରେ କିଛି ସୂଚନା ଦେବା ସମିଚୀନ ନୁହେଁ ବୋଲି କେତେକ ଐତିହାସିକ ମତ ଦିଅନ୍ତି। ପାରମ୍ପରିକ ଶିଳ୍ପ ଓ ସ୍ଥାପତ୍ୟକୁ ବହନ କରୁଥିବା ମନ୍ଦିରମାଳିନୀ ଏହି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ନେଇ ‘ସ୍ୱର୍ଣ୍ଣ ତ୍ରିଭୁଜ’ ଗଠନ କରାଯାଇଥିବା ଭଳି ବୌଦ୍ଧ ସଂସ୍କୃତିର ଏହି ମନୋରମ ବିହାର ପୁଷ୍ପଗିରିକୁ ନେଇ ‘ହୀରକ ତ୍ରିଭୁଜ’ର ପରିକଳ୍ପନା କରାଯାଇଛି। କେନ୍ଦ୍ର ସରକାର ପ୍ରାଚୀନ ଦୁମୂର୍ଲ୍ୟ ଭାସ୍କର୍ଯ୍ୟର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଥିଲେ ମଧ୍ୟ ଏହି ପ୍ରସିଦ୍ଧ ତିନି ବୌଦ୍ଧବିହାର ଏବେବି ଅବହେଳାର ଶିକାର ହୋଇ ପଡ଼ିରହିଛି। ଏହାର ଉପଯୁକ୍ତ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ, ସ୍ଭୋନ୍ଦର୍ଯ୍ୟକରଣ, ପାରିପାର୍ଶ୍ୱିକ ଉନ୍ନତି ଓ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆନ୍ତରିକ ଆଗ୍ରହ ପ୍ରକାଶ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ। ଲଳିତଗିରି, ଉଦୟଗିରି ଓ ରନିଗିରି ଭଳି ବିଶ୍ୱବିଖ୍ୟାତ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଏବେବି ଅନେକ ପ୍ରାଚୀନ ଓ ଦୁମୂର୍ଲ୍ୟ ଶିଳାଲେଖ ଓ ମୂର୍ତ୍ତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଏଗୁଡ଼ିକର ସଂରକ୍ଷଣ ପାଇଁ କାର୍ଯ୍ୟାରମ୍ଭ କରାଯିବା ଅତ୍ୟନ୍ତ ଜରୁରୀ।

 

ସଦସ୍ୟ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ

ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର, ଦୂରଭାଷ : ୯୪୩୭୨୨୬୭୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top