ବିଜୁଙ୍କ ଛୁରାମାଡ଼ରେ ଓଡ଼ିଆ ଲୋପ!

News Story - Posted on 2017-05-09

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

ଓଡ଼ିଆ ଭାଷାଜନନୀ ଅବସ୍ଥା ଏବେ ଅତି ଶୋଚନୀୟ। ସନ ୧୯୬୩ରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବାର ଅବ୍ୟବହିତ ପୂର୍ବରୁ ବିଜୟାନନ୍ଦ ପଟ୍ଟନାୟକ (ବିଜୁ) ଓଡ଼ିଆ ଜାତି ଉପରେ ପ୍ରତିଶୋଧ ନେବା ମତଲବରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକାମୀ କରିଦେବାପାଇଁ ତହିଁର ସଂଶୋଧନ କରାଇ ଇଂରାଜୀ ଭାଷାକୁ ସରକାରୀ ଭାଷା କରାଇଦେଲେ। ଫଳରେ ଓଡ଼ିଆ ଜାତିର ମାତୃଭାଷା ଆଉ ରାଜ୍ୟ ପରିଚାଳନାର ଭାଷା ହୋଇ ରହିଲା ନାହିଁ। ଏହା ମୁମୂର୍ଷୁ ଅବସ୍ଥାରେ ପଡିଥିବା ବେଳେ ଗତ ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦି ମାଡିବସିଥିବା ବିଜୁନନ୍ଦନ ନବୀନ ଓଡ଼ିଆ ଭାଷାକୁ ସଂପୂର୍ଣ୍ଣ ମାରିଦେବାକୁ ଚେଷ୍ଟା ଚଳାଇଛନ୍ତି। ତେଣୁ ପ୍ରତ୍ୟେକ ଓଡ଼ିଆ  ଏହା ସବିଶେଷ ଜାଣିବାର ଅଧିକାର ଅଛି। ଏହି ନିବନ୍ଧରେ ବିଜୁବାବୁ ଓଡ଼ିଆ ଭାଷା ଛାତିରେ ଭୁଷିଥିବା ଛୁରୀ ସଂପର୍କରେ ଉପସ୍ଥାପନା କରାଯାଇଛି।

 

ବିଜୁବାବୁ ପ୍ରତିଶୋଧ ପରାୟଣ ହୋଇ ଓଡ଼ିଆ ଭାଷାକୁ ଛୁରୀ ମାରିଥିଲେ ବୋଲି ମୁଁ କହିଛି। କାହିଁକି ସେ ଏପରି ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ତାହା ଉପରେ ଦୃଷ୍ଟିପାତ କରିବା।

ଦେଶ ସ୍ୱାଧୀନ ହେବା ପୂର୍ବରୁ କୌଣସି ଶିଳ୍ପମାଲିକାନା ନଥିବା, ପେଟ ପୋଷିବାକୁ ଚାକିରି ଉପରେ ନିର୍ଭରଶୀଳ ଥିବା କୌଣସି ଭାରତୀୟ ଯଦି ବିଦେଶୀ ବେପାରୀଙ୍କ ସ୍ଥାନରେ ଦେଶୀ ବେପାରୀ ବନି ଦେଶର ସ୍ୱାଧୀନତାର ଫାଇଦା ଉଠାଇ ଦେଶର ଖଣିଖାଦାନ ଲୁଟ କରିବାକୁ ଓ ଶିଳ୍ପପତି ସାଜି ଧନକୁବେର ହେବାକୁ ଏବଂ କ୍ଷମତା ହାସଲ କରି ବିଦେଶୀ ଶିଳ୍ପପତିଙ୍କ ଦଲାଲୀ କରି ପ୍ରଚୁର ଟଙ୍କା ରୋଜଗାର କରିବାକୁ ରାଜନୀତିରେ ପ୍ରବେଶ କରିଥିଲେ ସେ ଥିଲେ ବିଜୁ ପଟ୍ଟନାୟକ। ସେ ବଞ୍ଚିଥିବା ବେଳେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାବେଳେ ଦୈନିକ ଖବରକାଗଜ ‘ସମ୍ୱାଦ’ରେ ଏ ସଂପର୍କରେ ମୁଁ ସପ୍ରମାଣ ଆଲୋଚନା କରିଥିଲି (ସିଂହାବଲୋକନ, ୧୫/୭/୧୯୯୪)। ଏହାକୁ ସେତେବେଳେ ବିଜୁବାବୁ ବା ତାଙ୍କ ଅନୁଚରମାନଙ୍କ ଭିତରୁ କେହି ବି ଖଣ୍ଡନ କରିବାକୁ ସାହସ କରିନଥିଲେ ଏବଂ ଏପର୍ଯ୍ୟନ୍ତ ବି କେହି ଖଣ୍ଡନ କରିନାହାନ୍ତି, ଯଦିଓ ସରକାରୀ କଳ ଦ୍ୱାରା ତାଙ୍କ ପୁଅଙ୍କ ପ୍ରୀତ୍ୟର୍ଥେ ତାଙ୍କ ଜପାମାଳି ଗଡ଼ିଚାଲିଛି ଦିବାରାତ୍ର।

 

ସେ ନାନା ଅପକୌଶଳ ପ୍ରୟୋଗ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନିଲେ ୧୯୬୧ ଜୁନ‌୍‍ ୨୩ ତାରିଖରେ ଓ ନିଜ ହାତରେ ଖଣି ତଥା ଶିଳ୍ପ ବିଭାଗ ରଖି ଓଡ଼ିଶାକୁ ଲୁଟ କରିବା ଆରମ୍ଭ କଲେ। ରାଜ୍ୟ ଏପରି ଅରାଜକତା ଭିତରକୁ ଠେଲି ହୋଇଗଲା ଯେ, ତାଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ମୁଣ୍ଡ ଟେକିଉଠିଥିଲା ଓଡ଼ିଶାର ଏକ ଯୁଗାନ୍ତକାରୀ ଛାତ୍ର ଆନ୍ଦୋଳନ, ଯହିଁରେ ଓଡ଼ିଶାର ସମସ୍ତ ପ୍ରଗତିକାମୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ଓ ଯାହା ସେତେବେଳେ ସାରା ଓଡ଼ିଶାର ଦେଶପ୍ରେମୀ ଲୋକଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇଥିଲା। ତାଙ୍କୁ ଅଧିକ କାଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରଖିଲେ ଓଡ଼ିଶାରୁ କଂଗ୍ରେସ ଦଳ ତଡ଼ାଖାଇଯିବ ବୋଲି ତହିଁର କେନ୍ଦ୍ରୀୟ ନେତୃତ୍ୱ ଅନୁଭବ କରିଥିଲେ। ତେଣୁ, କିପରି ତାଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରାଯିବ ତାହା ହିଁ ହୋଇଉଠିଥିଲା ଜାତୀୟ କଂଗ୍ରେସର ଚିନ୍ତା। ସେପରି ଅବସ୍ଥାରେ ଦଳୀୟ ଅଧ୍ୟକ୍ଷ ଥିବା କାମରାଜ ନାଦର ଏକ ଯୋଜନା ଭିଆଇଲେ ଯାହାକୁ ତାଙ୍କରି ନାମରେ ନାମିତ କରାଗଲା।

 

କାମରାଜ ଯୋଜନା ଫର୍ମାଟ‌୍‍ରେ ବିଜୁବାବୁ ପଡୁନଥିଲେ ମଧ୍ୟ, ତାଙ୍କ ଦୁର୍ନୀତି ଓ ଦୁରାଚାର ବିରୁଦ୍ଧରେ କ୍ରମାଗତ ମିଳୁଥିବା ଅଭିଯୋଗଗୁଡ଼ିକର ପ୍ରାବଲ୍ୟ ଏତେ ଅଧିକ ଥିଲା ଯେ, ପ୍ରଧାନମନ୍ତ୍ରୀ ନେହେରୁ ସେହି ଯୋଜନା ବାହାନାରେ ତାଙ୍କୁ କ୍ଷମତାଚ୍ୟୁତ କରାଇଥିଲେ (ଓଡ଼ିଶା ରାଜନୀତିର ଇତିହାସ, ଡଃ ଉଦ୍ଧବ ଚରଣ ନାୟକ, ପୃ.୧୫୩)। ତେଣୁ ନିଜର ମୁଖ୍ୟମନ୍ତ୍ରିତ୍ୱ ହରାଇବାପାଇଁ ସେ ସାରା ଓଡ଼ିଆ ଜାତିକୁ ଦାୟୀ ଭାବେ ଠିକାଇଥିଲେ। ତାହା ହିଁ ଥିଲା ଓଡ଼ିଆଙ୍କ ଉପରେ ବିଜୁବାବୁ ପ୍ରତିଶୋଧ ପରାୟଣ ହେବାର ମୂଳକାରଣ।

 

ସେ ବିଦାହେବା ସ୍ଥିର ହୋଇଗଲାପରେ, କଂଗ୍ରେସରେ ଥିବା ସ୍ୱାଧୀନତା ସଂଗ୍ରାମୀମାନେ ପବିତ୍ରମୋହନ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହିଁଲେ। ମାତ୍ର ତାହା ହେଲେ ତାଙ୍କ କଳାକାରନାମା ଧରାପଡିଯିବ ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ଥିବାହେତୁ ସେ ତାଙ୍କ ଏକାନ୍ତ ଅନୁଗତ ବିରେନ‌୍‍ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଚକ୍ରାନ୍ତରେ ଥାଇ କ୍ଷମତା ହସ୍ତାନ୍ତର ପାଇଁ ଅପେକ୍ଷା କରିଥିଲେ ଓ ସେହି ଅବକାଶରେ ଓଡ଼ିଆ ଜାତି ଉପରେ ପ୍ରତିଶୋଧ ନେବାପାଇଁ ତା ଭାଷା ଆଇନର ଛାତି ଉପରେ ଭୁଷି ଦେଇଥିଲେ ସଂଶୋଧନର ଛୁରୀ।

ଓଡ଼ିଆ ଜାତିକୁ ଭୂଆଁ ବୁଲାଇବା ପାଇଁ ଏହି ସଂଶୋଧନରେ ମଧ୍ୟ ଖଞ୍ଜା ହୋଇଥିଲା ଧୂର୍ତ୍ତ କୌଶଳ। ଯଦି ରାଜ୍ୟ ଶାସନରେ ଇଂରାଜୀ ପୁଣି ସରକାରୀ ଭାଷା ହେବ ବୋଲି କୁହାଯାଇଥାଆନ୍ତା ତେବେ ସଂଶୋଧନ ବିଧେୟକଟି ପାରିତ ହେଇପାରି ନଥାନ୍ତା। ଭାଷାପ୍ରେମୀ ଓଡ଼ିଆ ବିଧାୟକମାନେ ସାମଗ୍ରିକ ଭାବେ ତାହାକୁ ବିରୋଧ କରିଥାନ୍ତେ। ତେଣୁ, ସାରା ରାଜ୍ୟରେ ନୁହେଁ, କେବଳ ବିଧାନସଭା ପ୍ରେକ୍ଷାପଟରେ ଇଂରାଜୀ ଭାଷା ସରକାରୀ ଭାଷା ଭାବେ ଚାଲିବ ବୋଲି ସଂଶୋଧନ ଚିଠାରେ ଲେଖା ହୋଇଥିଲା। ଏହାର ଭାଷା ଥିଲା ଏହିପରି- After section 3 of the Orissa Official Language Act, 1954 , the following new section shall be inserted, namely:

“3-A, Notwithstanding the expiration of the period of fifteen years from the commencement of the Constitution of India, the English language may, as from the 26th day of January 1965, continue to be used, in addition to Oriya for the transaction of business in Legislature of the State of Orissa.” (Orissa Act 18 of 1963)

ଏହି ସଂଶୋଧନ ହେତୁ, ବିଧାନସଭା ପାଖରେ ଉତ୍ତରଦାୟୀ ହେଉଥିବା ଶାସନକଳର ଭାଷା ଇଂରାଜୀ ହୋଇଗଲା ଓ ଫଳତଃ ଓଡ଼ିଆ ଭାଷା ମୁମୂର୍ଷୁ ସ୍ଥିତିକୁ ଠେଲିହୋଇଗଲା।

 

କାମରାଜ ଯୋଜନା ବାହାନାରେ ଗାଦି ଛାଡିବାକୁ ଘୋଷିତ ହୋଇସାରିଥିବା ହେତୁ ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡିଶା ସରକାରୀ ଭାଷା ଆଇନ ପରି ସମ୍ୱିଧାନ ପରିସୃଷ୍ଟ ଏକ ଆଇନରେ ୧୯୬୩ରେ ଯେଉଁ ସଂଶୋଧନ ଘଟାଇଲେ ତାହା ଥିଲା ସଂପୂର୍ଣ୍ଣ ଅନୈତିକ, କାରଣ ଦଳୀୟ ସଂଗଠନକୁ ମଜଭୁତ କରିବାପାଇଁ ଅଧିକ ସମୟ ଦେବାକୁ ଡାକରା ଆସିଥିବା ହେତୁ ସେ କ୍ଷମତା ଛାଡୁଥିବା ଯେତେ ପ୍ରଚାରିତ ହେଉଥିଲେ ମଧ୍ୟ, ବାସ୍ତବ କାରଣ ଥିଲା ଭିନ୍ନ।

 

ସେ ନିଜ ଆର୍ଥିକ ଫାଇଦାପାଇଁ ମୁଖ୍ୟମନ୍ତ୍ରୀ ପଦର ନାନା ଦୁରୁପଯୋଗ କରୁଥିବାର ଏତେ ଅକାଟ୍ୟ ଓ ବିପୁଳ ପରିମାଣର ପ୍ରମାଣ କେନ୍ଦ୍ର ନେତୃତ୍ୱ ନିକଟରେ କୁଢେଇହୋଇ ପଡୁଥିଲା ଯେ, ଏବଂ ତାଙ୍କ ଦୁରାଚାର ବିରୁଦ୍ଧରେ ଓଡିଶାରେ ଏପରି ଏକ ଅଦମ୍ୟ, ଜ୍ୱାଳାମୟ ଛାତ୍ର ଆନ୍ଦୋଳନ ଲେଲିହାନ‍୍‌ ହୋଇଉଠିଲା ଯେ, ଓଡିଆ ରାଜନୀତି-ନଭରୁ ସଂପୂର୍ଣ୍ଣ ଅସ୍ତ ହୋଇଯିବା ଭୟରେ ଜାତୀୟ କଗ୍ରେଂସ ଦଳ ତାଙ୍କୁ କାମରାଜ ଯୋଜନା ଆଳରେ କ୍ଷମତାରୁ ବିତାଡ଼ିତ କରିବାକୁ ବ୍ୟଗ୍ର ଥିଲା।

 

ବିଧାନସଭାର ସଜ୍ଜନ ସଦସ୍ୟମାନେ ଅଧିକାଂଶତଃ ଚାହୁଁଥିଲେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଓ ତ୍ୟାଗବୀର ପବିତ୍ରମୋହନ ପ୍ରଧାନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ବିଜୁ ଚାହୁଁଥିଲେ, ତାଙ୍କ ପ୍ରିୟ ଅଂଶୀଦାର ବିରେନ‍୍‌ ମିତ୍ର ତାଙ୍କ ଉତ୍ତରଧିକାରୀ ହୁଅନ୍ତୁ; କାରଣ ତଦ୍ଦ୍ୱାରା ସେ କରିଥିବା ବେଆଇନ କାମଗୁଡିକ ଆଇନ ଆଖିରୁ ଲୁଚି ଯାଇପାରିବ। କଂଗ୍ରେସ ହାଇକମାଣ୍ଡ ସେଥିପାଇଁ ସମ୍ମତ ହେବାକୁ ସମୟ ଲାଗୁଥିଲା ଓ ସେ ଦିଗରେ ପଶ୍ଚିମବଙ୍ଗର ଅତୁଲ୍ୟ ଘୋଷ ଉଦ୍ୟମ ଚଳାଇ ରଖିଥିଲେ। ତେଣୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବଛା ହେବା ପର୍ଯ୍ୟନ୍ତ ସେ କାମଚଳା ସ୍ଥିତିରେ ନାମକୁମାତ୍ର ପଦବୀରେ ଥିଲେ। ଏପରି ଅବସ୍ଥାରେ, ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠତାର ସୁଯୋଗ ନେଇ ଓଡିଶାର ପିଣ୍ଡ-ଆଇନ ଭାବେ ସମ୍ମାନିତ ଓଡିଶା ସରକାରୀ ଭାଷା ଆଇନରେ ସଂଶୋଧନ କରାଇବା ଯେ ଥିଲା ତାଙ୍କ ପକ୍ଷେ ଅତ୍ୟନ୍ତ ଅନୈତିକ ତାହା ପ୍ରଶ୍ନାତୀତ। ମାତ୍ର ସର୍ବବିଧ କାମ କରିବାରେ ବିଜୁଥିଲେ ସିଦ୍ଧହସ୍ତ। ଖାନା କମିଶନ ତାଙ୍କର ବହୁଚର୍ଚ୍ଚିତ ପ୍ରଶାସନିକ ଆଚରଣକୁ ଅନୈତିକ (acts of impropriety) ବୋଲି ଆଖ୍ୟା ଦେଇଛନ୍ତି।

 

ବେଆଇନ ସଂଶୋଧନ

 

ଓଡିଆ ଭାଷାକୁ ଛୁରୀକାବିଦ୍ଧ କରିବାପାଇଁ ବିଜୁ ପଟ୍ଟନାୟକ ଏହି ଯେଉଁ  ସଂଶୋଧନ ଘଟାଇଲେ ତାହା କେବେଳ ଅନୈତିକ ନଥିଲା, ଥିଲା ବି ବେଆଇନ। ଆସନ୍ତୁ ୧୯୬୩ର ସେପ୍ଟେମ୍ୱର ୨୭ ତାରିଖକୁ। ଓଡିଶା ସରକାରୀ ଭାଷା(ସଂଶୋଧନ)ବିଧେୟକ, ୧୯୬୩ (The Orissa Official Language (Amendment) Bill, 1963) ଥିଲା ବିଧାନସଭା ସମ୍ମୁଖରେ।

ଅଧ୍ୟକ୍ଷ  ଗଦାଧର ଦତ୍ତ ଆଦେଶ ଦେଲେ, Biren Mitra to move (ବିରେନ‍୍‌ ମିତ୍ର ଆଗତ କରନ୍ତୁ)। ମିତ୍ର ତାହା କଲେନାହିଁ। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କହିଲେ, Sir, I beg to move the Orissa Official Language (amendment) Bill, 1963, be taken into consideration (ମହାଶୟ,ମୁଁ ପ୍ରାର୍ଥନା କରୁଛି କି, ଓଡିଶା ସରକାରୀ ଭାଷା (ସଂଶୋଧନ)ବିଧେୟକ,୧୯୬୩ ଉପରେ ବିଧାନସଭା ବିଚାର କରୁ। ଅତଏବ, ବିଧାନସଭାରେ ବିରେନ ମିତ୍ର ବିଧେୟକଟିକୁ ଆଗତ କରିନଥିଲେ। ଅଧ୍ୟକ୍ଷଙ୍କ ଆଦେଶକୁ ଭ୍ରୁକ୍ଷେପ ନକରି, ମୁଖ୍ୟମନ୍ତ୍ରୀଭାବେ ଉଭା ହୋଇ, ବିଧିବଦ୍ଧଭାବେ ଆଗତ ହୋଇନଥିବା ସେହି ବିଧେୟକଟି ଉପରେ ବିଧାନସଭା ବିଚାର କରୁ ବୋଲି ବିଜୁ ସେଦିନ ଅଧ୍ୟକ୍ଷକୁ ଏକପ୍ରକାର ବାଧ୍ୟ କରିଥିଲେ।

 

ନିଜ ଅଭିସନ୍ଧି ସପକ୍ଷରେ ବିଜୁ କ’ଣ କହିଥିଲେ ତାହା ପରେ ଅନୁଧ୍ୟାନ କରିବା। ମାତ୍ର ବିଧେୟକଟି ସ୍ୱୟଂ ଯେ କିପରି ବେଆଇନ ଥିଲା, ତହା ପ୍ରଥମେ ଦେଖିବା।

 

ଉପରେ ଏହି ସଂଶୋଧନ-ବିଧେୟକର ଯେଉଁ ଭାଷା ଉଦ୍ଧୃତ ହୋଇଛି, ତାହାର ଆପାତତଃ ଅର୍ଥ ହେଲା- ଓଡିଶା ସରକାରୀ ଭାଷା ଆଇନ, ୧୯୫୪ ଧାରା ୩ପରେ ଏହି ନୂତନ ଧାରା ଯୋଡାହେବ-

 

ଧାରା ୩-କ। ଭାରତୀୟ ସମ୍ୱିଧାନ ପ୍ରବର୍ତ୍ତିତ ହେବାର ପନ୍ଦର ବର୍ଷ ଅତିକ୍ରାନ୍ତ ହୋଇଯିବା ପରେ ବି, ଓଡିଆ ଅଧିକନ୍ତୁ, ଇଂରାଜୀ ଭାଷା ୧୯୬୫ ଜାନୁଆରି ମାସର ୨୬ ତାରିଖ ଠାରୁ ଓଡିଶା ବିଧାନସଭାର କାର୍ଯ୍ୟ ସଂପାଦନରେ ଯଥାବତ୍ ବ୍ୟବହୃତ ହୋଇପାରେ।

 

ପ୍ରାୟ ଦୁଇବର୍ଷ ପରେ ଯାହା ବ୍ୟବହୃତ ହୋଇପାରେ ତାହାକୁ ଏପରି ଅଶୁଦ୍ଧ ଶୈଳୀରେ ପାରିତ କରାଇନେବା ପାଇଁ କ୍ଷମତାର ପ୍ରସ୍ଥାନଦ୍ୱାରରେ ପାଦ ରଖିସାରିଥିବା ବିଜୁ ଏତେ ତରତର ଥିଲେ କାହିଁକି ? ସୁନିଶ୍ଚିତ, ଓଡିଆ ଜାତି ଉପରେ ପ୍ରତିଶୋଧ ନେବାପାଇଁ; କାରଣ, ମୁଖ୍ୟମନ୍ତ୍ରୀ ଗାଦିରେ ବର୍ଷଟିଏ ନପୂରୁଣୁଁ କ୍ଷମତା ବଳରେ ଧନକୁବେର ବନିବାକୁ ତାଙ୍କ ସ୍ୱପ୍ନକୁ ପଦାଘାତ କରି ଯେଉଁ ଓଡିଆ ଜାତି ତାଙ୍କୁ କ୍ଷମତାରୁ ନିକାଲି ଆନ୍ଦୋଳନ ଚଳାଇଥିଲା, ସେହି ଓଡିଆ ଜାତିର ପ୍ରାଣପ୍ରିୟ ଥିଲା ତାର ମାତୃଭାଷା ଓ ସେହି ଭାଷାକୁ ଅକାମୀ କରାଇଦେବା ମାନେ ହେଲା ଓଡିଆ ଜାତିକି ଅଚଳ କରାଇଦେବା।

 

ଏହି ଅବୈଧ ବିଧେୟକର ବିତର୍କରେ କିଏ କ’ଣ କହିଲେ ତାହା ପରେ ଦେଖିବା। ମାତ୍ର ଏହି ବିଧେୟକ କାହିଁକି ଅବୈଧ ଥିଲା ତାହା ପ୍ରଥମେ ଦେଖାଯାଉ।

 

ଆଇନଟି ୧୯୫୪ରେ ପାରିତ ହୋଇ ତତ୍କାଳ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ, କେତେକ ବୈଷୟିକ କାରଣ ହେତୁ କେଉଁ ବିଭାଗରେ କେଉଁ ତାରିଖରୁ ତାହା ଅଲଂଘ୍ୟ ହେବ ତାହା ପରବର୍ତ୍ତୀ ଅଧିସୂଚନା ଦ୍ୱାରା ଧାର୍ଯ୍ୟ ହେବ ବୋଲି ବିଧିକୃତ ହୋଇଥିଲା। ସେହି ବିଧାନସଭାରେ ସଭ୍ୟ ଥିବା ବିଜୁ ଆମ ଭାଷାପ୍ରତି ଏତେ ବୀତସ୍ପୃହ ଥିଲେ ଯେ, ସେ ସେହି ଐତିହାସିକ ବିତର୍କରେ ଅଂଶଗ୍ରହଣ କରି ନଥିଲେ। ମାତ୍ର ସେ ଜାଣିଥିଲେ, ଅଧିସୂଚନା ଦ୍ୱାରା କ୍ରିୟାଶୀଳ ହେବାକୁ ଅପେକ୍ଷା କରିଥିଲେ ମଧ୍ୟ, ଓଡିଶାର ପ୍ରଥମ ନିର୍ବାଚିତ ବିଧାନସଭାର ଜରାୟୁରୁ ନିର୍ଗତ ହେଇଥିବା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ ତାର ଜନ୍ମଲଗ୍ନରୁ ହିଁ ଓଡିଶା ପ୍ରଶାସନରେ ଇଂରାଜୀ ଭାଷାର ସତ୍ତା ସଂହାର କରିସାରିଥିଲା। ଏହାର ତାତ୍ପର୍ଯ୍ୟ ଅବଗତି ପାଇଁ ଭାରତୀୟ ସମ୍ୱିଧାନର ସରକାରୀ ଭାଷା ବ୍ୟବସ୍ଥା ଭିତରକୁ ଯିବାକୁ ହେବ। ଆମ ପାଇଁ ୩୪୫ ଧାରାର ଅନୁଧ୍ୟାନ ଆବଶ୍ୟକ। ଏହା ହେଲା –

 

Subject to the provisions of Article 346 and 347, the Legislature of a State may by law adopt any one or more of the Languages in use in the State or Hindi as the Language or Languages to be used for all or any of the official purpose of that State.

Provided that, until the Legislature of the State otherwise provides by law, the English Language shall continue to be used for those official purposes within the State for which it was being used immediately before the commencement of this Constitution.

ଆମ ଭାଷାରେ ଏହାର ପ୍ରଯୁଜ୍ୟ ଅର୍ଥ ହେଲା, ଯେଉଁ ପର୍ଯ୍ୟନ୍ତ ଭାରତର କୌଣସି ପ୍ରଦେଶ ତାର ପ୍ରାଦେଶିକ ଭାଷାକୁ ସରକାରୀ ଭାଷା ଭାବେ ଧାର୍ଯ୍ୟ କରି ନିଜର ସରକାରୀ ଭାଷା ଆଇନ ନକରିଛି , ସେପର୍ଯ୍ୟନ୍ତ ସମ୍ୱିଧାନ ପ୍ରବର୍ତ୍ତନ ପୂର୍ବରୁ ଯେଉଁ ଯେଉଁ କ୍ଷେତ୍ରରେ ଇଂରାଜୀ ଭାଷା ବ୍ୟବହୃତ ହେଉଥିଲା, ସେହି କ୍ଷେତ୍ରରେ ଇଂରାଜୀ ଭାଷା ବ୍ୟବହୃତ ହୋଇଚାଲିବ।

 

ଏତଦୃଷ୍ଟିରୁ, ଓଡିଶା ସରକାରୀ ଭାଷା ବିଧେୟକ, ୧୯୫୪ ଓଡିଶା ବିଧାନସଭାରେ ପାରିତ ହୋଇ, ଆଇନର ରୂପ ନେବା ମୁହୂର୍ତ୍ତରୁ ହିଁ ଆଇନ ସମ୍ମତ ସରକାରୀ ଭାଷା ଭାବେ ଇଂରାଜୀ ଭାଷା ଲୋପ ହୋଇସାରିଥିଲା। ଅତଏବ, ଓଡିଶା ସରକାରୀ ଭାଷା ଆଇନ, ୧୯୫୪ ସଂଶୋଧନ କରାଇ ଇଂରାଜୀ ଭାଷାକୁ ପୁନଃ ପ୍ରବର୍ତ୍ତିତ କରିବାର ଅଧିକାର ବିଜୁ ପଟ୍ଟନାୟକଙ୍କର ନଥିଲା।

 

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା

ସଂପର୍କ : ୯୪୩୭୩୦୮୫୮୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top