ପରିବେଶ ପାଇଁ ଉତ୍ସର୍ଗୀକୃତ ପ୍ରଫୁଲ୍ଲ

News Story - Posted on 2017-05-09

ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଗୋଲଡ଼‌୍‍ମ୍ୟାନ‌୍‍ ଏନ‌୍‍ଭିରନ‌୍‍ମେଂଟ‌୍‍ାଲ ପ୍ରାଇଜ‌୍‍ ତଥା ଗ୍ରୀନ‌୍‍ ନୋବେଲ ପୁରସ୍କାର ଗ୍ରହଣ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ଓଡ଼ିଶା ଫେରିଛନ୍ତି। ଫେରିବା ପରେ ସେ ଲୋହିଆ ଏକାଡେମୀରେ  ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ପୁରସ୍କାର ମୋର ବ୍ୟକ୍ତିଗତ ସଫଳତା ପାଇଁ ନୁହଁ। ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଚାଲିଥିବା ଜନ ଆନ୍ଦୋଳନମାନଙ୍କ ସଂଗ୍ରାମରେ ସାମିଲ ହୋଇଥିବା ଲୋକଶକ୍ତି ଅଭିଯାନର ଏହା ଏକ ସଫଳତା, ଯାହାର ପଛରେ ଏହାର ପ୍ରତିଷ୍ଠାତା ସମାଜବାଦୀ ନେତା ସ୍ୱର୍ଗତ ରବି ରାୟଙ୍କ ପ୍ରେରଣା ରହିଛି।

 

ନିୟମଗିରି ସୁରକ୍ଷା ଆନ୍ଦୋଳନ ଏକ ସଫଳ ଆନ୍ଦୋଳନ, ଯାହାକୁ ବିନାଶକରୀ ବିକାଶ ମୋଡେଲର ପ୍ରତିରୋଧ କରି ବିଶ୍ୱ ଜଳବାୟୁ ପରିବର୍ତନର ପ୍ରତିକାର ରୂପେ ଆନ୍ତର୍ଜାତିକ ସ୍ୱୀକୃତି ମିଳିଛି। ପୁରସ୍କାର ପାଇବା ପାଇଁ ମୋର ଯୋଗ୍ୟତା ନିର୍ମାଣ କରିପାରିଛି ରବି ରାୟଙ୍କ ମୂଲ୍ୟବୋଧ ରାଜନୀତି ଓ ସମାଜବାଦୀ ବିଚାର ଉପରେ ଗଠିତ ଲୋକଶକ୍ତି ଅଭିଯାନ।

 

ବର୍ତ୍ତମାନ ଲୋକଶକ୍ତି ଅଭିଯାନ ଜଳ, ଜମି, ଓ ଜଙ୍ଗଲର ସୁରକ୍ଷା ସହ ଚାଷୀ, ଆଦିବାସୀ, ଦଳିତଙ୍କ ଅଧିକାର ପାଇଁ ଜନଜାଗରଣକୁ ବ୍ୟାପକ କରିବ ଓ ଯୁବଛାତ୍ରଙ୍କୁ  ସଚେତନ କରିବାକୁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

 

ମହାତ୍ମାଗାନ୍ଧୀ ଓ ସନ୍ଥକବି ଭୀମଭୋଇଙ୍କ ପ୍ରକୃତି ଓ ପରିବେଶ ପ୍ରତି ବିଚାର ଓ ଦର୍ଶନ ଆଧାରରେ ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତିର ସୁରକ୍ଷା ପାଇଁ ପ୍ରଶିକ୍ଷଣ ଓ ପରିବେଶ ସାହିତ୍ୟ ଦ୍ୱାରା ଲୋକଶକ୍ତି ଅଭିଯାନ ତରଫରୁ ସଚେତନ କାର୍ଯ୍ୟକ୍ରମ ନିଆଯିବ। ଓଡ଼ିଶାର ନଦୀ ସୁରକ୍ଷା ଅଭିଯାନ ସହ ଖଣ୍ଡାଧାର ପରି ଜଳ ଉତ୍ସର ସୁରକ୍ଷା ପାଇଁ କାର୍ଯ୍ୟ କରାଯିବ।

 

ଶ୍ରୀ ସାମନ୍ତରା କହିଛନ୍ତି ଯେ ପୁରସ୍କାରପ୍ରାପ୍ତ ରାଶି ମୋର ବ୍ୟକ୍ତିଗତ ସମ୍ପତ୍ତି ହେବ ନାହିଁ। ଏହା ଦେଶର ପ୍ରାକୃତିକ ସମ୍ପଦର ସୁରକ୍ଷା ଅଭିଯାନ, ବିସ୍ଥାପିତଙ୍କୁ ନ୍ୟାୟ ଦେବାକୁ ଓ ନିୟମଗିରି ଆଦିବାସୀଙ୍କ ସଂସ୍କୃତି, ଭାଷା ଓ ସାମାଜିକ ବିକାଶ ପାଇଁ ବିନିଯୋଗ ହେବ। ଲୋକଶକ୍ତି ଅଭିଯାନର ପ୍ରତିଷ୍ଠାତା ରବିରାୟଙ୍କ ସ୍ମାରକୀ କାର୍ଯ୍ୟକ୍ରମ ନିଆଯିବ। ଏହି ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି।

 

ପ୍ରକୃତିର ସୁରକ୍ଷା ପାଇଁ ଆମ ଦେଶର  ବିକାଶ ମୋଡେଲ‌୍‍ରେ ପରିବର୍ତ୍ତନକରି କର୍ପୋରେଟ‌୍‍ ଲୁଟ‌୍‍କୁ ବନ୍ଦ କରାଯାଉ। ବାୟୁମଣ୍ଡଳର ପରିବର୍ତ୍ତନ ବିଶ୍ୱପାଇଁ ସବୁଠାରୁ ବିପଦ ଯାହାକି ଆମ ଦେଶରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ। ପୃଥବୀର ବିଭିନ୍ନ ଦେଶରେ  ଆମ ଦେଶ ପରି ସାଧାରଣ ଜନତା ବିଶେଷ କରି ଆଦିବାସୀ  ପ୍ରଚଳିତ ବିଶ୍ୱପୁଞ୍ଜିବାଦର ଶିକାର ହୋଇ ବିସ୍ଥାପନ ବିରୋଧରେ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ଜୀବନଦେଇ ସଂଗ୍ରାମ କରୁଛନ୍ତି। ଏହି ପୁରସ୍କାର ସେହି ଜନ ଆନ୍ଦୋଳନମାନଙ୍କ ମହତ‌୍‍ ଉଦେଶ୍ୟକୁ ସ୍ୱୀକୃତି ଦେଇଛି। ତେଣୁ ଆମ ଦେଶ ଓ ରାଜ୍ୟର ଶାସକ ଗୋଷ୍ଠୀ, ରାଜନୈତିକ ଦଳ, ଶିକ୍ଷାବିତ‌୍‍ ତଥା ପ୍ରଚଳିତ ବିକାଶ  ଢାଂଚାକୁ ଗ୍ରହର କରୁଥିବା ବ୍ୟକ୍ତି ଓ ସଗଂଠନମାନଙ୍କୁ ମୋର ନିବେଦନ ଯେ ପ୍ରଚଳିତ ବିକାଶନୀତିରେ ପରିବର୍ତ୍ତନ ଆଣି ଏକ ବିକଳ୍ପ ନିରନ୍ତର ବିକାଶ ପାଇଁ ପ୍ରାକୃତିକ ସଂପଦର ସୀମିତ ଭାବେ ସଦ‌୍‍ ଉପଯୋଗ ସହ ତାର ସୁରକ୍ଷା ପାଇଁ ଏକ ଜାତୀୟ ପ୍ରାକୃତିକ ସଂପଦ ବ୍ୟବହାର ନୀତି ପ୍ରତି ବିଚାର କରନ୍ତୁ। ଯୁବ ସମାଜ ଏଥି ପ୍ରତି ସଚେତନ ହେବାକୁ  ଆହ୍ୱାନ। ପ୍ରକୃତିର ସୁରକ୍ଷା ମାନବତାର ସୁରକ୍ଷା।

 

ରାଜ୍ୟ ସରକାର ନିୟମଗିରିର ଆଦିବାସୀଙ୍କୁ ପୋଲିସ ଦମନରୁ ମୁକ୍ତ କରନ୍ତୁ। ସେମାନଙ୍କ ଅଧିକାର ର ସୁରକ୍ଷା ପାଇଁ ଆଜି ବିଶ୍ୱରେ ଜନମତ ସୃଷ୍ଟି ହୋଇଛି। ଜଙ୍ଗଲ ଅଧକାର  ଆଇନକୁ ପ୍ରତ୍ୟେକ ଜଙ୍ଗଲ ଗ୍ରାମରେ ଲାଗୁ କରିବାକୁ ନିବେଦନ।

 

ଏହି ସାମ୍ୱାଦିକ ସମ୍ମିଳୀରେ ଅନ୍ୟମାନଙ୍କ ମଧ୍ୟରେ ଲୋକଶକ୍ତି ଅଭିଯାନର ଉପସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତି, ସମ୍ପାଦକ କଲ୍ୟାଣ ଆନନ୍ଦ,  ତ୍ରିଲୋଚନ ପୁଞ୍ଜି ଏବଂ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top