ଟଙ୍କିକିଆ ଚାଉଳରେ ୧୦ଟଙ୍କିଆ ଦୁର୍ନୀତି!

News Story - Posted on 2017-05-08

ପ୍ରହଲାଦ କୁମାର ସିଂହ

 

ଟଙ୍କିକିଆ ଚାଉଳରେ ୧୦ ଟଙ୍କିଆ ଦୁର୍ନୀତି। ସାରା ଓଡ଼ିଶାରେ ଯେତେ ଟଙ୍କିକିଆ ଚାଉଳ କାରବାର ହେଉଛି ସେଥିରେ ଦୁର୍ନୀତିର ପରିମାଣ ଅତିକମ‍୍‌ରେ ବର୍ଷକୁ ୨ ହଜାର କୋଟି ଟଙ୍କା ହେବ। ସାରା ଦେଶରେ ଏ ଦୁର୍ନୀତିର ପରିମାଣ ବାର୍ଷିକ ୪୦ ହଜାର କୋଟି ଟଙ୍କାରୁ ଅଧିକ। ଗରିବୀ ରାଜନୀତି ଓ ସାମାଜିକ ସୁରକ୍ଷା ନାମରେ ଅସାମାଜିକ ରାଜନେତା ଓ ସେମାନଙ୍କ ସୁରକ୍ଷାଚକ୍ର ସାଜୁଥିବା ଅସାଧୁ ବ୍ୟବସାୟୀ ଓ ଅଧିକାରୀଙ୍କ ସମ୍ମିଳିତ ଉଦ୍ୟମରେ ଏ ଲୁଟ‍୍‌ ଚାଲୁଛି। ଏଥିରେ ଅଳ୍ପ ବହୁତେ ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବାରୁ ହଜାର ହଜାର କୋଟି ଟଙ୍କାର ଏହି ଦୁର୍ନୀତି ପ୍ରସଙ୍ଗରେ ସେତେଟା ଆଲୋଚନା ହେଉନାହିଁ।

 

ଖାଦ୍ୟ ସୁରକ୍ଷା ଆଳରେ ଆମ ରାଜ୍ୟରେ ଯେଉଁ ଟଙ୍କିକିଆ ଚାଉଳ ଯୋଗାଯାଉଛି ସେହି ଗୁଣମାନର ଚାଉଳ ଖୋଲା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ଉପଲବ୍ଧ। ଆଉ ଯେଉଁଠି ତଥାକଥିତ ହିତାଧିକାରୀ ଏହି ଟଙ୍କିକିଆ ଚାଉଳକୁ ନାକ ଟେକୁଛି କିମ୍ୱା ମଦ ପିଇବାକୁ ବିକି ଦେଉଛି ସେ କ୍ଷେତ୍ରରେ ତ ଏହି ଟଙ୍କିକିଆ ଚାଉଳ କିଲୋ ୧୨ରୁ ୧୫ ଟଙ୍କାରେ ବେପାର ହେଉଛି। ଟଙ୍କିକିଆ ଚାଉଳ ପାଉଥିବା ହିତାଧିକାରୀ ଏଇଥିପାଇଁ ଖୁସି ଯେ କିଲୋ ୨୦-୨୨ ଟଙ୍କା ମୂଲ୍ୟର ଚାଉଳ ସେ ଟଙ୍କାକରେ ପାଉଛି ଆଉ ସ୍ଥଳବିଶେଷରେ ଏହା ୧୦ରୁ ୧୫ ଟଙ୍କାରେ ବି ବିକ୍ରି ହୋଇପାରୁଛି। ତେବେ ଏହି ଟଙ୍କିକିଆ ଚାଉଳର ପ୍ରକୃତ ମୂଲ୍ୟ କେତେ? ବିଧାନସଭାର ଗତ ବଜେଟ‍୍‌ ଅଧିବେଶନ ସମୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାପଡ଼ିଛି ଯେ ଏହି ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର କିଲୋପିଛା ୨୭ ଟଙ୍କା ୯୪ ପଇସା ରିହାତି ବହନ କରି ରାଜ୍ୟକୁ କିଲୋ ୩ ଟଙ୍କାରେ ଏହି ଚାଉଳ ଯୋଗାଉଛନ୍ତି। ଏହା ଉପରେ ରାଜ୍ୟ ସରକାର ୨ ଟଙ୍କା ରିହାତି ଦେବାରୁ ହିତାଧିକାରୀ କିଲୋ ଟଙ୍କାଏରେ ଏହି ଚାଉଳ ପାଉଛି। ଅର୍ଥାତ୍ ଏହି ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କିଲୋ ପିଛା ୨୯ ଟଙ୍କା ୯୪ ପଇସା ରିହାତି ଦେଉଥିବା ବେଳେ ହିତାଧିକାରୀ ଟଙ୍କାଏରେ କିଣୁଥିବାରୁ ଏହି ଚାଉଳ ମୋଟାମୋଟି ଭାବେ ସରକାର ଖରିଦ‍୍‌ କରୁଛନ୍ତି କିଲୋପିଛା ୩୦ ଟଙ୍କା ୯୪ ପଇସା ବା ୩୧ ଟଙ୍କାରେ।

 

ଖୋଲା ବଜାରରେ ଯେଉଁ ଚାଉଳ କିଲୋ ୨୦ରୁ ୨୨ ଟଙ୍କା ଦରରେ ମିଳୁଛି ତାହାକୁ ସରକାର କାହିଁକି କିଲୋ ୩୧ ଟଙ୍କାରେ କିଣୁଛନ୍ତି? କିଲୋପିଛା ବଜାର ଦର ଠାରୁ ପ୍ରାୟ ୧୦ ଟଙ୍କା ଅଧିକ ଦରରେ ସଂଗ୍ରହ କରିବା ପଛରେ କାହା ହାତ କେତେ ଚିକ୍କଣ ହେଉଛି? ଆଉ ଏହି ୩୧ ଟଙ୍କିଆ ଚାଉଳକୁ ଯେଉଁ ବ୍ୟବସାୟୀମାନେ ୧୦ରୁ ୧୨ ଟଙ୍କା ଦରରେ କିଣି ନେଉଛନ୍ତି ସେମାନେ କେତେ ଦରରେ ପୁଣି ତାହା ବଜାରରେ ଓ ସରକାରଙ୍କୁ ବିକୁଛନ୍ତି? ଏହାର ଉତ୍ତର ସମସ୍ତଙ୍କୁ ଜଳ ଜଳ ଦିଶୁଥିବ।

 

ବିଧାନସଭାରେ ଗତ ମାର୍ଚ୍ଚ ୪ ତାରିଖରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୩ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାକୁ ୪,୬୦,୪୧୪.୧୭୯ ମେଟ୍ରିକ୍ ଟନ‍୍‌ ଚାଉଳ ଓ ୭୬,୪୭୭.୪୧୬ ମେଟ୍ରିକ୍ ଟନ‍୍‌ ଗହମ ଆସିଛି। ଏହି ହିସାବରେ ବର୍ଷକୁ ଓଡ଼ିଶା ପାଇଁ ଯେତେ ଚାଉଳ ଆସିବ ସେଥିରେ ସବ‍୍‌ସିଡି ବାବଦରେ ବର୍ଷକୁ କେନ୍ଦ୍ର ସରକାର ୫,୧୪୫ କୋଟି ୫୮ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୩୬୮ କୋଟି ୩୩ ଲକ୍ଷ ଟଙ୍କା ବହନ କରିପାରନ୍ତି। ମୋଟାମୋଟି ଭାବେ ଓଡ଼ିଶାରେ ଏହି ଟଙ୍କିକିଆ ଚାଉଳ ପାଇଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୫,୫୧୪ କୋଟି ଟଙ୍କା ବ୍ୟୟ କରିବେ।

 

ସରକାରୀ ହିସାବ କହୁଛି ଯେ ହାରାହାରି ମାସକ ପାଇଁ ଆମ ରାଜ୍ୟ ଲାଗି ଖାଦ୍ୟ ସୁରକ୍ଷା ଯୋଜନାରେ ୧୫,୪୫,୯୦୭ କ୍ୱିଣ୍ଟାଲ ଚାଉଳ ଓ ୨,୪୭,୮୦୦ କ୍ୱିଣ୍ଟାଲ ଗହମ ଦରକାର। ସରକାର ଯୋଗାଉଥିବା ଟଙ୍କିକିଆ ଚାଉଳ ଦର କିଲୋ ପିଛା ପ୍ରାୟ ୩୧ ଟଙ୍କା ରହୁଥିବା ବେଳେ ବଜାରେ ଏହି ମାନର ଚାଉଳ ୨୦ରୁ ୨୨ ଟଙ୍କା ଦରରେ ମିଳୁଥିବାରୁ ପ୍ରତି କିଲୋ ଟଙ୍କିକିଆ ଚାଉଳରେ ହାରାହାରି ୧୦ ଟଙ୍କାର ହେର‍୍‌ଫେର‍୍‌ ଜଳ ଜଳ କରି ଦିଶୁଛି। ଅର୍ଥାତ୍ ଆମ ରାଜ୍ୟ ପାଇଁ ଯେତେ ଟଙ୍କିକିଆ ଚାଉଳ ଆସୁଛି ସେଥିରେ ମାସିକ ୧୫୪ କୋଟି ୫୯ ଲକ୍ଷ ଟଙ୍କା ଲୁଟ୍‌ରେ ରାଜକୋଷ ବରବାଦ‍୍‌ ହେଉଛି। ବର୍ଷକୁ ଏହି ଲୁଟ‍୍‌ର ପରିମାଣ ୧୮୫୫ କୋଟି ଟଙ୍କାରୁ ଅଧିକ। ଶସ୍ତା ଗହମ ଘୋଟାଲାକୁ ମିଶାଇଲେ ଖାଦ୍ୟ ସୁରକ୍ଷା ଯୋଜନା ଆଢ଼ୁଆଳରେ ହରଲୁଟ‍୍‌ ହେଉଛି ଆମ ରାଜ୍ୟରେ ବାର୍ଷିକ ୨ ହଜାର କୋଟି ଟଙ୍କାରୁ ଅଧିକ। ସାରା ଦେଶରେ ଏହି ଲୁଟ‍୍‌ର ପରିମାଣ ବାର୍ଷିକ ୪୦ ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ।

 

ବିଧାନସଭାର ଗତ ବଜେଟ‍୍‌ ଅଧିବେଶନ ସମୟରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ମୁତାବକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ‍୍‌ ଅନୁଯାୟୀ ଓଡ଼ିଶାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୩,୨୬,୪୧,୮୦୦ ହିତାଧିକାରୀଙ୍କ ପାଇଁ ମୁଣ୍ଡପିଛା ଟଙ୍କାଏ ଦରରେ ୫ କିଲୋ କରି ଚାଉଳ କିମ୍ୱା ଗହମ କିମ୍ୱା ଉଭୟ ପ୍ରତି ମାସରେ ଦେବାକୁ ଲକ୍ଷ୍ୟ ରହିଛି। ତେବେ ସର୍ବଶେଷ ହିସାବ ଅନୁଯାୟୀ ଆମ ରାଜ୍ୟର ୩,୨୩,୨୩,୧୦୮ ବ୍ୟକ୍ତି ଏଥିରେ ଉପକୃତ ହେଉଛନ୍ତି। ଏଥିଲାଗି ୮୩,୨୮,୨୦୩ ନୂଆ ରେସନ‍୍‌ କାର୍ଡ ଯୋଗାଯାଇଛି। ସୁରକ୍ଷିତ ଦୁର୍ନୀତି ବ୍ୟବସ୍ଥାରେ ଟଙ୍କିକିଆ ଚାଉଳରେ ହେଉଥିବା ୧୦ ଟଙ୍କିଆ ଦୁର୍ନୀତି ପଛରେ ଦାରିଦ୍ର୍ୟ ଓ ଅନଗ୍ରସର ରାଜନୀତିର ଚକ୍ରାନ୍ତ ଜଡ଼ିତ। ବୋଫର୍ସ ଠାରୁ କଫିନ‍୍‌, ଖଣି ପାଣିଠାରୁ ପର୍ସେଣ୍ଟେଜ୍‌ ରାଜ୍‌ ଦୁର୍ନୀତି କଥା ଦେଖି ଶୁଣି ଅଭ୍ୟସ୍ତ ହୋଇଯାଇଥିବା ସାଧାରଣ ଲୋକେ ଶାସନ କରୁଥିବା ଲୋକଙ୍କ ପାଇଁ ଦୁର୍ନୀତି ଏକ ମାମୁଲି ବ୍ୟବସାୟ ବୋଲି ଧରି ନେଇଥିବାରୁ ଗରିବ ଲୋକଙ୍କ ଦାନାରେ ଏତେବଡ଼ ଘୋଟାଲା ସଂକ୍ରାନ୍ତରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ମଞ୍ଚରେ ବିଶେଷ ଚର୍ଚ୍ଚା ହେଉନାହିଁ। ଓଲଟା ଏହି ଦୁର୍ନୀତି ବ୍ୟବସ୍ଥା ଭୋଟ‍୍‌ ସଂଗ୍ରହର ଅନ୍ୟତମ ମାଧ୍ୟମ ହୋଇଛି।

 

ରାଜ୍ୟ ସରକାର ତାଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରୁଛନ୍ତି ଯେ ଓଡ଼ିଶାରେ ଦାରିଦ୍ର୍ୟ ଦ୍ରୁତ ହାରରେ ଖସୁଛି। ଲକଡ଼ୱାଲା କମିଟି ଆଧାରରେ ୧୯୭୩-୭୪ର ଆକଳନ ଅନୁଯାୟୀ ଓଡ଼ିଶାରେ କୁଆଡେ଼ ୬୭.୧୮ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ତେନ୍ଦୁଲକର କମିଟିର ସୂତ୍ର ଆଧାରରେ ୨୦୦୪-୦୫ ବର୍ଷରେ କରାଯାଇଥିବା ଆକଳନ ଅନୁଯାୟୀ ଓଡ଼ିଶାରେ କୁଆଡେ଼ ୪୬.୪୦ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ୨୦୧୧-୧୨ ମସିହାରେ ସରକାରୀ ରିପୋର୍ଟରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ହାର ୩୨.୬ ପ୍ରତିଶତକୁ କମି ଆସିଛି ବୋଲି ଦାବି କରାଯାଏ। ଏବେ ବି ରାଜ୍ୟ ସରକାର ଦାରିଦ୍ର୍ୟ ସଂକ୍ରାନ୍ତରେ ଏହି ତଥ୍ୟ ଜାହିର କରି ଓଡ଼ିଶାରେ ଦାରିଦ୍ର୍ୟ ଜାତୀୟ ହାର ଓ ଅନ୍ୟ ବହୁ ରାଜ୍ୟଠାରୁ ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ସଫଳତାର କାହାଣୀ କୁହନ୍ତି। ୧୯୨୦ ମସିହାରେ ଜାତିର ଜନକ ମହାତ୍ମାଗାନ୍ଧୀ କହିଥିଲେ ଯେ ଓଡ଼ିଶା ହେଉଛି ଭାରତବର୍ଷର ଦାରିଦ୍ର୍ୟର ପ୍ରତିଛବି। ଏହା ଦେଶର ସବୁଠାରୁ ଦରିଦ୍ର୍ୟ ରାଜ୍ୟ। କେନ୍ଦ୍ର ସରକାର ବସାଇଥିବା ରଘୁରାମ ରାଜନ‍୍‌ କମିଟି ୨୦୧୩ ମସିହାରେ ତାଙ୍କ ରିପୋର୍ଟରେ ଓଡ଼ିଶା ଦେଶର ସବୁଠାରୁ ଅନଗ୍ରସର ରାଜ୍ୟ ବୋଲି କହିବା ପରେ ଓଡ଼ିଶା ସରକାର ଏହାକୁ ଆଳ କରି ଆମ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରି ଚାଲିଛନ୍ତି।

 

ଗତ ମାର୍ଚ୍ଚ ମାସରେ ଆମ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ୧୯୯୭ ମସିହା ବିପଏଲ‍୍‌ ସର୍ଭେ ଅନୁଯାୟୀ ମୋଟ‍୍‌ ୬୭,୮୪,୧୨୭ ପରିବାର ମଧ୍ୟରୁ ୪୪,୯୩,୪୧୦ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୯୧,୮୪,୭୮୫ ବାସଗୃହ ଥିଲା। ଗତ ମାର୍ଚ୍ଚ ମାସରେ ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ରାଜ୍ୟରେ ୯୬,୩୭,୮୨୦ ବାସଗୃହ ଥିବା ଦର୍ଶାଯାଇଛି। ଏବେ ୮୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଟଙ୍କିକିଆ ଚାଉଳ ପାଇଁ ରେସନ‍୍‌ କାର୍ଡ ଦିଆଯାଇଥିବା ଦର୍ଶାଯିବା ପରେ ପରିବାର ସଂଖ୍ୟା ୧ କୋଟି ୬ ଲକ୍ଷ ବୋଲି ଦାବି କରାଯାଉଛି। ମୋଟାମୋଟି ଭାବେ ୮୦ ପ୍ରତିଶତରୁ ଅଧିକ ପରିବାରଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଦର୍ଶାଇ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରି ପ୍ରତି ପରିବାରରେ ପ୍ରତି ସଦସ୍ୟାଙ୍କ ମୁଣ୍ଡପିଛା ମାସିକ ୫ କିଲୋ କିଲୋ କରି ଚାଉଳ ଯୋଗାଯାଉଛି। ଦରିଦ୍ର୍ୟ ଲୋକଙ୍କ ସଂଖ୍ୟା ଯେତେ ଅଧିକ ବଢ଼ିବ ସେତେ ଅଧିକ କାର୍ଡ ବ୍ୟବସ୍ଥା କରି ଟଙ୍କିକିଆ ଚାଉଳ ଆଳରେ କିଲୋପିଛା ୧୦ ଟଙ୍କିଆ ଲୁଟ‍୍‌ ସୁନିଶ୍ଚିତ ହୋଇପାରିବ। ଅବଶ୍ୟ ଟଙ୍କିକିଆ ଚାଉଳରେ ବହୁ ସଂଖ୍ୟକ ଗରିବ ଲୋକଙ୍କୁ ଦାନା ମିଳୁଛି। କିନ୍ତୁ ସେମାନଙ୍କ ଦାନା  ନାମରେ ଲୁଟିର ପରିମାଣ ବଢ଼ି ଚାଲୁଛି।

 

ଟଙ୍କିକିଆ ଚାଉଳ ପାଇଁ ଖାଦ୍ୟ ସୁରକ୍ଷା ଆଇନ‍୍‌ ଆଧାରରେ ରେସନ‍୍‌ କାର୍ଡ ଯୋଗାଇବା ଲାଗି ୫ଟି ମାନଦଣ୍ଡ ନିର୍ଦ୍ଧାରିତ ହୋଇଥିବା ବେଳେ ବାଦ‍୍‌ ଦେବା ଲାଗି ଥିଲା ୯ଟି ମାନଦଣ୍ଡ। ବାସହୀନ ପରିବାର, ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା ପରିବାର, ସମସ୍ତ ଆଦିମ ଅଧିବାସୀ ପରିବାର ସମୂହ, ପରିବାରର ବିଧବା ପେନ‍୍‌ସନ‍୍‌ ଭୋଗୀ ଓ ପରିବାରରେ ଶତକଡ଼ା ୪୦% କିମ୍ୱା ଅଧିକ ଶାରୀରିକ ବିକଳାଙ୍ଗ ଥିବା ଯେକୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ଭାବେ ବିବେଚନା କରାଯାଇଥାଏ। ସେହିପରି ଏହି ଯୋଜନାରୁ ବାଦ‍୍‌ ଦେବା ଲାଗି ଯେଉଁ ୯ଟି ମାନଦଣ୍ଡ ରଖାଯାଇଛି ତାହା ବି ଗୁରୁତ୍ୱପୂର୍ଣ୍ଣ। ଯେଉଁ ପରିବାର ୩ କିମ୍ୱା ତତୋଧିକ କୋଠରୀ ବିଶିଷ୍ଟ କୋଠାଘରେ ରହୁଥିବେ, ପେନ‍୍‌ସନ‍୍‌ ଭୋଗୀ ହୋଇଥିଲେ ଯାହାଙ୍କର ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର କିମ୍ୱା ସହରାଞ୍ଚଳରେ ୧୫ ହଜାର ଟଙ୍କାରୁ ଅଧିକ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଯେଉଁ ପରିବାରର ସଦସ୍ୟ ଆୟକର କିମ୍ୱା ବୃତ୍ତିକର ଦେଉଥିବେ କିମ୍ୱା ଯେଉଁ ପରିବାରର ୨ କିଲୋୱାଟ କିମ୍ୱା ତଦୁର୍ଦ୍ଧ ବିଦ୍ୟୁତ୍ ସଂଯୋଗ ଲୋଡ୍ ଥିବ ଏବଂ ସେମାନେ ମାସିକ ୩୦୦ ୟୁନିଟ‍୍‌ରୁ ଅଧିକ କରି ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବେ ଅଥବା ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ ନିମନ୍ତେ ଯେଉଁ ପରିବାର ସେମାନଙ୍କ ଉଦ୍ୟୋଗକୁ ସରକାରଙ୍କ ନିକଟରେ ପଞ୍ଜିକରଣ କରିଥିବେ ସେମାନଙ୍କୁ ବି ଏହି ସୁବିଧା ମିଳିବ ନାହିଁ। ନିୟମିତ ସରକାରୀ ଚାକିରିଆ, ନିଗମ କର୍ମଚାରୀଙ୍କ ସମେତ ସହରାଞ୍ଚଳରେ ମାସିକ ୧୫ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କାରୁ ଅଧିକ ବେତନ ପାଉଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପରିବାର ବି ଏହି କାର୍ଡ ପାଇପାରିବେ ନାହିଁ। ଏହାଛଡ଼ା ଯେଉଁ ପରିବାରରେ ୩/୪ ଚକିଆ ମୋଟରଯାନ, ଭାରିଯାନ, ପଞ୍ଜିକୃତ ମାଛଧରା ଡଙ୍ଗା, ଟ୍ରାକ୍ଟର ସମେତ ୩/୪ ଚକିଆ କୃଷି ଯନ୍ତ୍ରପାତି ଆଦି ଉପଲବ୍ଧ ସେ ପରିବାରଗୁଡ଼ିକ ମଧ୍ୟ ଖାଦ୍ୟ ସୁରକ୍ଷା ପରିସରରୁ ବାଦ‍୍‌ ପଡ଼ିବା କଥା।

 

ଏ ସବୁ ସତ୍ତ୍ବେ ଓଡ଼ିଶା ଜନସଂଖ୍ୟାର ପାଖାପାଖି ୭୫ ପ୍ରତିଶତ ଦରିଦ୍ର ବୋଲି ପ୍ରମାଣିତ କରୁଛି ଖାଦ୍ୟ ସୁରକ୍ଷା ଆଇନ‍୍‌ ଆଧାରରେ ବଣ୍ଟା ଯାଇଥିବା ୮୩ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ରେସନ‍୍‌ କାର୍ଡ। ଏଥିରୁ ବି ପ୍ରମାଣିତ ହେଉଛି ୧୯୯୭ର ବିପିଏଲ‍୍‌ ଗଣନା ବେଳେ ଓଡ଼ିଶାରେ ଯେତେ ଦରିଦ୍ର ପରିବାର ଥିଲେ ଏବେ ସେହି ସଂଖ୍ୟା ପାଖାପାଖି ଦୁଇଗୁଣ ବୃଦ୍ଧି ପାଇଛି। ୨୦୧୪ର ସାଧାରଣ ନିର୍ବାଚନ ବେଳେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପକ୍ଷରୁ ଜାରି ଇସ୍ତାହାରରେ ରାଜ୍ୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀ ପରିବାର ଟଙ୍କିକିଆ ଚାଉଳ ପାଉଥିବା ଦର୍ଶାଯାଇଥିବା ବେଳେ ଏବେ ଏହା ତିନିବର୍ଷରେ ୮୩ ଲକ୍ଷରେ ପହଞ୍ଚିବା ଘଟଣାରୁ ରାଜ୍ୟରେ ଦାରିଦ୍ର୍ୟ ଦ୍ରୁତ ଗତିରେ ବଢ଼ୁଥିବା ଏକ ପ୍ରମାଣିକ ତଥ୍ୟ। ଏହା ସତ୍ତ୍ବେ ବି ଆମ ସରକାର କହୁଛନ୍ତି ଓଡ଼ିଶାରେ ଦାରିଦ୍ର୍ୟ ଦ୍ରୁତ ଗତିରେ କମୁଛି। ଏହି ଦାରିଦ୍ର୍ୟ ରାଜନୀତି ସହିତ ସାମାଜିକ ସୁରକ୍ଷାର ମଧୁର ସ୍ଲୋଗାନ ଯୋଡ଼ି ଯେ କେତେ ହଜାର କୋଟି ଟଙ୍କା ସର୍ବସମ୍ମୁଖରେ ଲୁଟ‍୍‌ ହେଉଛି ତାହାର ହିସାବ ଦେବ କିଏ, ମାଗିବ ବା କିଏ?

 

ସଂପର୍କ-୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top