ଓଡ଼ିଶା ସାମ୍ୱାଦିକ ଶ୍ରେଷ୍ଠ!

News Story - Posted on 2017-05-08

ବୈଷ୍ଣବ ଜେନା

 

ସମଗ୍ର ବିଶ୍ୱରେ ଏବେ ଭାରତୀୟ ଗଣତନ୍ତ୍ର ଅନୁକରଣୀୟ ହୋଇପାରିଥିବା ବେଳେ ସଂସଦ ଭବନ ମଧ୍ୟ ବିଶ୍ୱର ଅନ୍ୟତମ ବିସ୍ମୟ ହୋଇଛି। କାରଣ ଏହି ସଂସଦ ଭବନ ହିଁ ଦେଶର ଗଣତନ୍ତ୍ରକୁ ସୁଦୃଢ କରିଆସୁଛି। ଭାରତବର୍ଷ ହେଉଛି ବହୁବିଧ ବିଚିତ୍ରତାର ସମାବେଶ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦଭାବ ପ୍ରବଳ ଥିଲେ ବି ଦେଶର ସଂସଦ ଭବନରେ ତାହା ମଳିନ ପଡ଼ିଯାଇଥାଏ। ବିଶ୍ୱର ଗଣତନ୍ତ୍ରପ୍ରେମୀଙ୍କ ପାଇଁ ଏହା ଗବେଷଣାର ବିଷୟବସ୍ତୁ ହୋଇଛି। ଏଥିପାଇଁ ବିଶ୍ୱର ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରର ରାଜନେତା ଓ ଅଫିସରମାନେ ଏଠାକୁ ଆସୁଛନ୍ତି। ଅପର ପକ୍ଷରେ ସେହି ସଂସଦୀୟ ଭବନ ନିଜକୁ ଗୁଣାତ୍ମକ କରିବା ପାଇଁ ତାହାର ଉଦ୍ୟମ ବଳବତ୍ତର ରଖିଛି। ଏଠାକୁ ନିର୍ବାଚିତ ହୋଇ ଆସୁଥିବା ସବୁ ନୂତନ ସାଂସଦଙ୍କୁ ଏହା ପ୍ରଶିକ୍ଷିତ କରାଇ ଆସୁଛି। ଉତ୍ତମ ପ୍ରଶିକ୍ଷିତ ସାଂସଦମାନେ ଦେଶବାସୀଙ୍କ ପାଇଁ ଉତ୍ତମ ଆଇନ‌୍‍ ପ୍ରଣୟନ କରିପାରିବେ ଓ ସେବା କରିପାରିବେ ବୋଲି ଏହାର ବିଶ୍ୱାସ ରହିଛି। ଏହି ସାଧୁ ଉଦ୍ୟମ ସଫଳ ହୋଇଆସୁଛି।

 

ଦେଶର ସାଂସଦମାନେ ବିଶ୍ୱର ଅନ୍ୟ ଦେଶର ସାମ୍ୱିଧାନିକ ତଥା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଓ ମୂଲ୍ୟବୋଧ ଉପର ଉନ୍ନତ ମତାମତ ଦେଇ ଆସୁଛନ୍ତି। ଏହି କାରଣରୁ ଆଦୃତ ଓ ପ୍ରଶଂସିତ ମଧ୍ୟ ହୋଇ ଆସୁଛନ୍ତି, ତେବେ ଏହି ସଂସଦ ଭବନ ପକ୍ଷରୁ ଦେଶର ସଂସଦୀୟ ଗଣତନ୍ତ୍ର, ସଂସଦରେ ବିତର୍କ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର ସମତେ ବିଧେୟକ ପ୍ର୍ରକ୍ରିୟାକୁ ଜନସାଧାରଣଙ୍କୁ ଅବଗତ କରାଇବାର ପ୍ରୟାସ ହୋଇଛି। ତେଣୁ ମୁଦ୍ରିତ ଗଣମାଧ୍ୟମକୁ ଏ ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ସଂସଦୀୟ କାର୍ଯ୍ୟ ପଦ୍ଧତି ପ୍ରସଙ୍ଗରେ ପରିଚୟ କାର୍ଯ୍ୟକ୍ରମ। ଏଥିରେ ସାମିଲ‌୍‍ ହେବା ପାଇଁ ଦେଶର ସମସ୍ତ ରାଜ୍ୟକୁ ସାମ୍ୱାଦିକମାନଙ୍କୁ ଆମନ୍ତ୍ରଣ କରାଯାଇ ସଂସଦୀୟ ସମ୍ୱାଦ ପରିବେଷଣକୁ ଗୁଣାତ୍ମକ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଅଭିନବ କାର୍ଯ୍ୟକ୍ରମରେ  ଓଡ଼ଶାରୁ ଯାଇଥିବା ସାମ୍ୱାଦିକମାନେ ଅନୁଭବ ଓ ଅଭିଜ୍ଞତା ପ୍ରକାଶ କରି ଉଚ୍ଚ ପ୍ରଶଂସା ପାଇଥିଲେ।

 

ସଂସଦୀୟ ଅଧ୍ୟୟନ ତଥା ପ୍ରଶିକ୍ଷଣ ବ୍ୟୁରୋ ପ୍ରଥମଥର ପାଇଁ ଏହି ୩ ଦିନିଆ ପରିଚୟ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଏଥିରେ ଓଡ଼ିଶାରୁ ୪୪ ଜଣ ସାମ୍ୱାଦିକ ଯୋଗ ଦେଇଥିଲେ। ବିଶେଷକରି ଯେଉଁମାନେ ବିଧାନସଭା ବିବରଣୀକୁ ସମ୍ୱାଦ ଆକାରରେ ପରିବେଷଣ କରିଆସୁଛନ୍ତି, ସେମାନଙ୍କ ମଧ୍ୟରୁ ଏହି ସାମ୍ୱାଦିକମାନେ ଅନ୍ୟତମ ଅଟନ୍ତି। କହିବା ବାହୁଲ୍ୟ ଯେ, ଓଡ଼ିଶାରୁ ଯେତେ ସାମ୍ୱାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଅନ୍ୟ କୌଣସି ରାଜ୍ୟରୁ ସେତିକି ସାମ୍ୱାଦିକ ଆସିନଥିଲେ। ତେବେ ଓଡ଼ିଶାର ସାମ୍ୱାଦିକମାନେ ଗାଣିତିକ ଦୃଷ୍ଟିରୁ ଓ ଗୁଣାତ୍ମକ ଦୃଷ୍ଟିରୁ ଶ୍ରେଷ୍ଠ ଥିଲେ ବୋଲି ଜଣେ ପଦାଧିକାରୀ କହିଥିଲେ।

 

ଏହି ତିନିଦିନିଆ ପରିଚୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସଂସଦର ବରି  ଅଧିକାରୀ କଳ୍ପନା ଶର୍ମା, ଶ୍ରୀମତୀ ସୁଶେ ଲୁଥରା ଏବଂ ପଙ୍କଜ କ୍ଷୀରସାଗର ସଂସଦୀୟ ପରମ୍ପରା, ବିଭିନ୍ନ କମିଟି ଏବଂ ଗଣମାଧ୍ୟମର ଭୂମିକା ସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ପ୍ରଥମ ଦିନର ସବୁଠାରୁ ଗୁଣାତ୍ମକ ମତ ବିନିମୟ କାର୍ଯ୍ୟକ୍ରମ ରାଜ୍ୟସଭା ସାଂସଦ ଡଃ ବିନୟ ପ୍ରସାଦ ସହସ୍ରବୁଦ୍ଧେଙ୍କ ସହିତ ହୋଇଥିଲା। ବିଷୟବସ୍ତୁ ଥିଲା-ବିଶ୍ୱସନୀୟ ଗଣମାଧ୍ୟମ। ଏହି ପରିପ୍ରେକ୍ଷୀରେ ରାଜନୀତି, ଶିକ୍ଷା, ସମ୍ୱାଦ ତଥା ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ଉପରେ ଗୁଣାତ୍ମକ ଓ ଫଳପ୍ରଦ ଆଲୋଚନା ହୋଇଥିଲା। ଡଃ ସହସ୍ରବୁଦ୍ଧେ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅତ୍ୟନ୍ତ ଖୁସି ହୋଇଥିଲେ। ନିଜେ ବହୁତ କିଛି ଶିଖିବା ସହିତ ଓଡ଼ିଶାର ସାମ୍ୱାଦିକମାନଙ୍କର ଜ୍ଞାନ ଗାରିମାର ଉଚ୍ଚ ପ୍ରଶଂସା କରିଥିଲେ।

 

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଅର୍ଥାତ‌୍‍ ଫେବୃୟାରୀ ୮ ତାରିଖ ବୁଧବାର ଦିନ ଓଡ଼ିଶା ସାଂସଦ ଭର୍ତ୍ତୃହରି ମହତାବ ବୈଧାନିକ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେବାକୁ ଆସିଥିଲେ। ଶ୍ରୀ ମହତାବ ସଂସଦର ରେଳବାଇ କମିଟିର ଅଧ୍ୟକ୍ଷ ଅଛନ୍ତି। ସେ ତାଙ୍କର ଦୀର୍ଘଦିନର ସଂସଦୀୟ ଅଭିଜ୍ଞତା ଆଧାରରେ ବିସ୍ତୃତ ବିବରଣୀ ଦେବା ସହିତ ଭାରତୀୟ ସଂସଦ ବ୍ୟବସ୍ଥା ସମ୍ପ୍ରତି ବିଶ୍ୱର ସର୍ବଶ୍ରେଷ୍ଠ ହୋଇପାରିଛି ବୋଲି କହିଥିଲେ। ତେବେ ଅପରହ୍ନ ଅଧିବେଶନ ସବୁଠାରୁ ଜମାଣିଆ ହୋଇଥିଲା। ସାଂସଦମାନଙ୍କ ସ୍ୱାଧିକାର ପ୍ରସଙ୍ଗରେ ଲୋକସଭା ସଦସ୍ୟ ଶ୍ରୀମତୀ ମିନାକ୍ଷୀ ଲେଖି ମାତ୍ର ୧୫ ମିନିଟ‌୍‍ ପାଇଁ ଆସିଥିଲା ବେଳେ ଓଡ଼ିଶାର ସାମ୍ୱାଦିକମାନଙ୍କର ପ୍ରଜ୍ଞା ଓ ଉପସ୍ଥିତ ବୁଦ୍ଧିରେ ପ୍ରଭାବିତ ହୋଇ ପାଖାପାଖି ଦେଢ ଘଣ୍ଟା କହିଥିଲେ। ଜଣେ ବାଗ୍ମୀ ଭାବରେ ଜଣାଶୁଣା ଶ୍ରୀମତୀ ଲେଖି ଓଡ଼ିଶାର ସାମ୍ୱାଦିକମାନଙ୍କ ଠାରୁ ବହୁତ କିଛି ଶିଖିଲେ ଓ ତଥ୍ୟ ପାଇଲେ ବୋଲି କହିଥିଲେ। ସେ ମୁଖ୍ୟତଃ ସାଂସଦମାନଙ୍କ ସ୍ୱାଧୀକାର ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲେ। ଦିନର ଶେଷ ପର୍ଯ୍ୟାୟରେ ସମ୍ପ୍ରତି ଦେଶର ସବୁଠାରୁ ଅଭିଜ୍ଞ ସାସଂଦ ଓସ୍କାର ଫର୍ଣ୍ଣାଡିଜ ଆସିଥିଲେ। ତାଙ୍କ ପାଇଁ ବିଷୟବସ୍ତୁ ଥିଲା ବ୍ୟବସ୍ଥାପକରେ (ଦଳୀୟ ଲୋକସଭା ଓ ବିଧାନସଭାରେ) ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏକ ଘଣ୍ଟିଆ ଆଲୋଚନା ପରେ ଜ୍ଞାନୀଗୁଣୀ ସାମ୍ୱାଦିକମାନଙ୍କ ଠାରୁ ଦିଗ‌୍‍ଦର୍ଶନ ହିଁ କେବଳ ଆଶା କରାଯାଇପାରେ  ବୋଲି କହିଥିଲେ। ବିଶେଷକରି ଓଡିଶାର ସାମ୍ୱାଦିକମାନେ ବହୁବିଧ ପ୍ରଶ୍ନ ପସ୍ଖରୁଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ।

 

ତୃତୀୟ ଦିନର ମୁଖ୍ୟ ଆଲୋଚକ ଥିଲେ ଦେଶର ସର୍ବବରିଷ୍ଠ ସାମ୍ୱାଦିକ ଶ୍ରୀ ଡି.ପି. କାମାତ‌୍‍। ଶ୍ରୀ କାମାତ ଏବେ ସଂସଦର ଗଣମାଧ୍ୟମ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ପାଇଁ ବିଷୟବସ୍ତୁ ଥିଲା ଗଣମାଧ୍ୟମର ସ୍ୱତନ୍ତ୍ରତା ଏବଂ ସାମ୍ୱାଦିକମାନଙ୍କର ଉତ୍ତରଦାୟିତ୍ୱ। ପ୍ରାୟ ଦେଢଘଣ୍ଟା କାଳ ଶ୍ରୀ କାମାତ ସେଥିରେ ସାମିଲ‌୍‍ ହୋଇଥିଲେ। କେତେକ ପ୍ରସଙ୍ଗରେ ସେ ଓଡ଼ିଶାର ସାମ୍ୱାଦିକମାନଙ୍କର ଯୁକ୍ତିକୁ ଗ୍ରହଣ କରି ନେଇଥିଲା ବେଳେ ପ୍ରତ୍ୟେକ ରାଜ୍ୟରେ ଦକ୍ଷ ଗଣମାଧ୍ୟମ ପରାମର୍ଶଦାତା କମିଟି ଗଠନ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସାମଗ୍ରୀକଭାବେ ଓଡ଼ିଶାର ସାମ୍ୱାଦିକମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଏତଦ‌୍‍ବ୍ୟତୀତ ଲୋକସଭାର ଜଣେ ବରି  ଅଧିକାରୀଙ୍କ କହିବା ଅନୁସାରେ ବିଭିନ୍ନ ରାଜ୍ୟରୁ ଆସିଥିବା ସାମ୍ୱାଦିକମାନଙ୍କ ମଧ୍ୟରୁ ଓଡ଼ିଶାର ସାମ୍ୱାଦିକମାନ ନିଶ୍ଚିତଭାବେ ଶ୍ରେଷ୍ଠ, ଏଥିରେ ଦ୍ୱିମତ ହେବାରେ କୌଣସି କାରଣ ନାହିଁ। ଏହି କାରଣରୁ ଓଡ଼ିଶା ବିଧାନସଭା ବିବରଣୀ ସମ୍ପର୍କରେ ସମ୍ୱାଦ ପରିବେଷଣ ଉଚ୍ଚକୋଟିର ହୋଇଆସୁଛି। ଏହି ଆଧାରରେ ରାଜ୍ୟ ବିଧାନସଭା ଗୁଡ଼ିକରେ ମଧ୍ୟ ଏପରି ସାମ୍ୱାଦିକ ବିନିମୟ କାର୍ଯ୍ୟ ଚାଲିବାର ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ ବୋଲି ସେ କହିଥିଲେ।

 

ସୂଚନାଯୋଗ୍ୟ ଯେ, ବି.ପି.ଏସ‌୍‍.ଟି. ପକ୍ଷରୁ ଏହି ଗଣମାଧ୍ୟମ ପରିଚୟ ତଥା ସଚେତନତା କାର୍ଯ୍ୟର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ବିଧାନସଭା ମହନୀୟ ସହଯୋଗ କରିଥିଲେ। ବିଶେଷକରି ବାଚସ୍ପତି ଶ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାନସଭା ସଚିବ ଅମୀୟ ଷଡ଼ଙ୍ଗୀ ପ୍ରୋତ୍ସାହିତ କରିଥିଲେ।

 

ସାମ୍ୱାଦିକ, ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top