ନବୀନବାବୁ, କେତେ ଗରୀବ?

News Story - Posted on 2017-05-08

ଗୋଲକ ମହାପାତ୍ର

 

ଆମକୁ ଗରିବ କହିଲେ ବାଧେ। ଆମ ଛାତିରେ ଆଘାତ ହୁଏ। ଆମ ଆତ୍ମସମ୍ମାନ ଉପରେ ଆଂଚ ଆସେ। ଆମେ ଜାତୀୟ ମାନଚିତ୍ରରେ ଉପହସିତ ହେଉ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ବି ଆକ୍ଷେପ କରିବାକୁ ପଛାଉ ନାହୁଁ। ହେଲେ ଆମ ରାଜ୍ୟ ଓଡ଼ିଶାର ଅସଲ ଚିତ୍ର କ’ଣ ? ଦେଶର ଦାରିଦ୍ର୍ୟ ସୀମାରେଖାର ଶୀର୍ଷରେ ରହିଛି ଓଡ଼ିଶା। ପୁଣି ତଥ୍ୟରେ ରହିଛି ବିରାଟ ବିଭ୍ରାନ୍ତି। ଏବେକାର ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ସଂଖ୍ୟା ମୋଟ ଜନସଂଖ୍ୟାର ୩୨.୮୫ ପ୍ରତିଶତ। ହେଲେ ନିକଟ ଅତୀତର ସର୍ଭେ ରିପୋର୍ଟକୁ ଦୋହରାଇଲେ ଦେଖାଯାଏ ଯେ ଓଡ଼ିଶାର ଜନସଂଖ୍ୟା ୪୩୭.୦୩ ଲକ୍ଷ ହୋଇଥିବା ବେଳେ ନ୍ୟାସନାଲ ଫୁଡ‌୍‍ ସିକ୍ୟୁରିଟି ଆକ୍ଟ(ନାଫ‌୍‍ସା) ଅନୁସାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ଥିଲା ୩୨୬.୨୧। ଅର୍ଥାତ‌୍‍ ସେତେବେଳେ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ ୭୪.୫୯ ପ୍ରତିଶତ ରାଜ୍ୟବାସୀ। ଦରିଦ୍ର, ଗରିବ ବା ଦୁର୍ବଳ; ସେସବୁ କଥା ପରେ, ଏପର୍ଯ୍ୟନ୍ତ ଆମେ ଆମ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ସଠିକ‌୍‍ ତଥ୍ୟ ଦେଇଛୁ କି ? ଏଭଳି ସମ୍ୱେଦନଶୀଳ ଓ ସହାନୁଭୂତି ସମ୍ପନ୍ନ ପ୍ରସଙ୍ଗରେ ବି ଆମ ତଥ୍ୟରେ ସତ୍ୟତା ସନ୍ଦୀହାନ। କୁହନ୍ତୁ ପ୍ରିୟ ଓଡ଼ିଶାର ନୀରିହ ଜନତା, ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତାଙ୍କ ସଂଖ୍ୟା କେତେ ? ସର୍ଭେ ରିପୋର୍ଟ(ତେନ୍ଦୁଲକର କମିଟି) ଓ ରାଜ୍ୟ ସରକାର ଦେଇଥିବା ରିପୋର୍ଟ(ନଫ‌୍‍ସା ପାଇଁ) ମଧ୍ୟରୁ କେଉଁ ତଥ୍ୟ ଠିକ‌୍‍?

 

ଯୋଜନା ପରେ ଯୋଜନା। ଏ ସମସ୍ତ ଯୋଜନା କିନ୍ତୁ ବାଟବଣା। କେବଳ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ୧୧ଟି ଯୋଜନା। ଏହାବ୍ୟତୀତ ଓଡ଼ିଶାର ସ୍ୱନାମଧନ୍ୟ ସନ୍ଥ, ସଂଗ୍ରାମୀ, କବି ପ୍ରମୁଖଙ୍କ ନାଁରେ ୯ଟି ଏବଂ ଜାତୀୟସ୍ତରର ଦୁଇଜଣ ସଂଗ୍ରାମୀଙ୍କ ନାଁରେ ୨ଟି ଏବଂ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ନାଁରେ ୪ଟି ଯୋଜନା ଘୋଷଣା ହୋଇଛି। ମୋଟ ୨୨ଟି ଯୋଜନା ଓଡ଼ିଶାବାସୀଙ୍କ କଲ୍ୟାଣ ନିମନ୍ତେ ସରକାର ଘୋଷଣା କରିଥିଲେ ମଧ୍ୟ ଏ ସମସ୍ତ ଯୋଜନା ନାମକୁମାତ୍ର ସାବ୍ୟସ୍ତ ହୋଇଛି। କାରଣ ଏତେସବୁ ଯୋଜନାର ଫଳପ୍ରଦ ପ୍ରତିଫଳନ ହେଉଛି ‘ରାଜ୍ୟରେ ବଢ଼ିଥିବା ଦାରିଦ୍ର୍ୟ ସଂଖ୍ୟା’। ନିକଟରେ ଏକ ସର୍ଭେ ରିପୋର୍ଟରୁ ପ୍ରକାଶିତ ‘ଓଡ଼ିଶାର ଦାରିଦ୍ର୍ୟ ଚିତ୍ର’ରେ ଓଡ଼ିଶାର ଜନସଂଖ୍ୟା ୪୩୭.୦୩ ଲକ୍ଷ ଥିବାବେଳେ ନ୍ୟାସନାଲ ଫୁଡ‌୍‍ ସିକ୍ୟୁରିଟି ଆକ୍ଟ ଅନୁସାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ରହିଛି ୩୨୬.୨୧। ଅର୍ଥାତ‌୍‍ ସେତେବେଳେ ରାଜ୍ୟରେ ଦାରିଦ୍ର୍ୟର ସୀମାରେଖା ତଳେ ଥିଲେ ୭୪.୫୯ ପ୍ରତିଶତ ଲୋକ। ହଠାତ‌୍‍ ଏହି ସଂଖ୍ୟା ଏତେ କମିଗଲା କେମିତି ? ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକସଂଖ୍ୟା ୭୪.୫୯ରୁ ୩୨.୮୫ ପ୍ରତିଶତରେ ପହଂଚିଲା କେମିତି? ଏତେ ଅଳ୍ପଦିନ ମଧ୍ୟରେ ଓଡ଼ିଶାର ଦାରିଦ୍ର୍ୟ ଓ ଦୁଃସ୍ଥିତି କ’ଣ ବିଜୁଳି ବେଗରେ କମିଗଲା ? ଏହାର ପରିଣାମ ବି ଭଲ ନୁହେଁ। ଏହି ରିପୋର୍ଟ ପାଇଁ ଓଡ଼ିଶାବାସୀଙ୍କୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ିବ। କାରଣ କେନ୍ଦ୍ର ସରକାର ଏହି ସର୍ଭେ ରିପୋର୍ଟ ଆଧାରରରେ ଓଡ଼ିଶା ପାଇଁ ଯଥେଷ୍ଟ ‘ନାଫ‌୍‍ସା’ ଅନୁଦାନ କାଟ‌୍‍ କରିବା ସମ୍ଭାବନାକୁ ମଧ୍ୟା ଏଡ଼ାଇ ଦିଆ ଯାଇନପାରେ !!!

 

ଦେଶରେ ହାରାହାରି ୨୧. ୯୨% ଲୋକ ଦାରିଦ୍ର୍ୟ ସୀମରେଖା ତଳେ ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୨.୮୫%। ଓଡ଼ିଶାଠାରୁ ବିହାର, ଅରୁଣାଚଳ ପ୍ରଦେଶ, ମଣିପୁର, ଝାଡ଼ଖଣ୍ଡ, ଦାଦ୍ରା ଓ ନଗରହାବେଳି, ଛତିଶିଗଡ଼ରେ ଦାରିଦ୍ର୍ୟ ଅଧିକ। ତେନ୍ଦୁଲକର କମିଟି ରିପୋର୍ଟ ଆଧାରରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଜନା ଓ ସମନ୍ୱୟ ମନ୍ତ୍ରୀ। ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ୧୧ଟି ରାଜ୍ୟରେ ଗରିବ ସଂଖ୍ୟା ୧୦%ରୁ କମ‌୍‍ ଏବଂ ସବୁଠାରୁ କମ‌୍‍ ୧% ଗରିବ ଆଣ୍ଡାମାନ ଓ ନିକୋବର ଉପଦ୍ୱୀପରେ ଅଛନ୍ତି। ସେହିପରି ଲାକ୍ଷାଦ୍ୱୀପରେ ୨.୭୭%, ଗୋଆରେ ୫.୦%, କେରଳରେ ୭.୦୫%, ହିମାଚଳ ପ୍ରଦେଶରେ ୮.୦୬%, ସିକିମ‌୍‍ରେ ୮.୧୯%, ପଞ୍ଜାବରେ ୮.୨୬%, ଆନ୍ଧ୍ର ପ୍ରଦେଶରେ ୯.୨%, ପୁଡୁଚେରୀରେ ୯.୬୯%, ଡାମନଡ୍ୟୁରେ ୯.୮୬% ଏବଂ ଦିଲ୍ଲୀରେ ୯.୯୧% ଗରିବ ରହିଛନ୍ତି।

 

ଅନୁରୂପ ଭାବରେ ୧୧ଟି ରାଜ୍ୟରେ ଗରିବଙ୍କ ସଂଖ୍ୟା ୨୦%ରୁ କମ‌୍‍। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଜମ୍ମୁକଶ୍ମୀର, ହରିଆଣା, ଉତରାଖଣ୍ଡ, ତାମିଲନାଡ଼ୁ, ମେଘାଳୟ, ତ୍ରିପୁରା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ନାଗାଲାଣ୍ଡ ଏବଂ ପଶ୍ଚିମବଙ୍ଗ। ଅପରପକ୍ଷରେ ମିଜୋରାମ, କର୍ଣ୍ଣାଟକ, ଚଣ୍ଡୀଗଡ଼, ଉତରପ୍ରଦେଶ ପ୍ରମୁଖ ରାଜ୍ୟଗୁଡ଼ିକରେ ୨୧%ରୁ ୨୯% ପର୍ଯ୍ୟନ୍ତ ଲୋକ ଗରିବ ଥିବାବେଳେ ୩୦%ରୁ ୪୦% ମଧ୍ୟରେ ଥିବା ୯ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ମଧ୍ୟପ୍ରଦେଶରେ ୩୧.୬୫%, ଆସାମ ୩୧.୯୮% ଏବଂ ଏହାପରେ ଓଡ଼ିଶାର ସ୍ଥାନ ରହିଛି ୩୨.୫୯%।

 

ସେତେବେଳେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଦେଇଥିବା ରିପୋର୍ଟରେ ଦର୍ଶାଇଥିଲେ ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକସଂଖ୍ୟା  ୭୪.୫୯ ପ୍ରତିଶତ। ଏବେ ପୁଣି ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟବାସୀଙ୍କ ଲୋକସଂଖ୍ୟାର ଦର୍ଶାଇଛନ୍ତି ୩୨.୮୫ ପ୍ରତିଶତ। କେଉଁ ତଥ୍ୟ ଠିକ‌୍‍? ରାଜ୍ୟର ସବୁଠୁ ସମ୍ୱେଦନଶୀଳ ଓ ସହାନୁଭୂତି ସମ୍ପନ୍ନ ପ୍ରସଙ୍ଗ ‘ଦାରିଦ୍ର୍ୟର ସୀମାରେଖା ତଳେ ଓଡ଼ିଶା’ ସମ୍ପର୍କରେ ବି ରାଜ୍ୟ ସରକାର ଦେଇଥିବା ତଥ୍ୟ ଅତ୍ୟନ୍ତ ଅସ୍ପଷ୍ଟ ଓ ବିଭ୍ରାନ୍ତିକର।

 

ମୋବଇଲ ନଂ-୯୪୩୭୦୧୨୯୩୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top