ବାଲିପଡ଼ିଆରୁ ବଲିଉଡ଼‌୍‍

News Story - Posted on 2017-05-05

ଶ୍ରୀ ଜଗନ୍ନାଥଙ୍କ ନବକଳେବର ଯାତ୍ରାକୁ ନେଇ ‘ଦି ଲର୍ଡ଼ ଅଫ‌୍‍ ଦ ୟୁନିଭର୍ସ’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଗତକାଲି ଆୟୋଜିତ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ସର୍ବଶ୍ରେଷ୍ଠ କଳା ଓ ସାଂସ୍କୃତିକ ଫିଲ୍ମ ବର୍ଗରେ ଏହି ଚଳଚ୍ଚିତ୍ରର ନିର୍ମାତା ଓ ପ୍ରଯୋଜକ ଶିବୁ ପୃଷ୍ଟିଙ୍କୁ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମ୍ମାନଜନକ ରଜତକମଳ ପୁରସ୍କାର ସହ ନଗଦ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି। ଉଭୟ ନିର୍ମାତା ଓ ପ୍ରଯୋଜକ ଭାବେ ତାଙ୍କୁ ମିଳିଛି ଦୁଇଟି ପୁରସ୍କାର।

 

ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ସ୍ୱର୍ଗତଃ ଅରକ୍ଷିତ ପୃଷ୍ଟି ଓ ଶାନ୍ତିଲତା ପୃଷ୍ଟିଙ୍କ ସୁପୁତ୍ର ହେଉଛନ୍ତି ୩୫ ବର୍ଷ ବୟସ୍କ ଏହି ପ୍ରତିଭାବାନ ଯୁବ ସିନେମାଟୋପ୍ରାଫର। କଟକର ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ଇନ‌୍‍ଷ୍ଟିଚ୍ୟୁଟ‌୍‍ରେ ସିନେମାଟୋଗ୍ରାଫିରେ ଡିପ୍ଳୋମା ପାଠ୍ୟକ୍ରମ ଶେଷ କରିଥିବା ଶିବୁ ଏବେ ନିଜର ଧର୍ମପତ୍ନୀ ଓ ପୁତ୍ର ସହ ମୁମ୍ୱାଇରେ ରହୁଥିବାବେଳେ ଅନେକଗୁଡ଼ିଏ କଳାତ୍ମକ ଚଳଚ୍ଚିତ୍ର, ବ୍ୟବସାୟିକ ଚଳଚ୍ଚିତ୍ର ଓ ବିଜ୍ଞାପନରେ ମୁଖ୍ୟତଃ କ୍ୟାମେରାମ୍ୟାନ‌୍‍ ଭାବେ କାମକରି ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟସ୍ଥ ବାଲିପଡ଼ିଆ ଗାଁରୁ ଯାଇ ବଲିଉଡ଼‌୍‍ରେ ନିଜପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରି ଜାତୀୟ ପୁରସ୍କାର ପାଇଥିବା ଏହି ଯୁବ ପ୍ରତିଭାଙ୍କ ପାଇଁ ସମଗ୍ର ଜିଲ୍ଲାରୁ ଅଭିନନ୍ଦନର ଶୁଭେଚ୍ଛା ଛୁଟିଛି।

 

ପୁରସ୍କାର ଗ୍ରହଣ କରିବାପରେ ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କର ନବକଳେବର ଯାତ୍ରା ମହାନ ପରମ୍ପରାକୁ ନେଇ ତିଆରି ହୋଇଥିବା ଚଳଚ୍ଚିତ୍ର ଜାତୀୟ ସ୍ୱୀକୃତି ପାଇବା ଏକ ଗୌରବର କଥା। ଜଗନ୍ନାଥଙ୍କ ଧର୍ମ-ସଂସ୍କୃତି ମନୁଷ୍ୟ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥାଏ। ତାହା ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଛି। ଇଂରେଜୀ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ସେ କହିଥିଲେ ଯେ ଏହାଦ୍ୱାରା ଜଗନ୍ନାଥଙ୍କ ଅନୁପମ ସଂସ୍କୃତି ସଂପର୍କରେ ଦେଶ ବିଦେଶରେ ସମସ୍ତେ ଜାଣିପାରିବେ। ନିଜ ଗାଁ ବାଲିପଡ଼ିଆର ଦଧିବାମନଜୀଉ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ଶିବୁ କହିଥିଲେ ଯେ, ଓଡ଼ିଶା ବାହାରେ ରହିଆସୁଥିଲେ ମଧ୍ୟ ନିଜ ଗାଁ ମାଟିର ପାଣି ଓ ପବନ ଏବେବି ମୋର ମନେପଡେ଼। ରାଜ୍ୟର କଳା, ସଂସ୍କୃତି, ପରମ୍ପରାକୁ ଦେଶ ବିଦେଶରେ ପହଂଚାଇବା ମୋର ମୁଖ୍ୟ କାର୍ଯ୍ୟ ହେବ ବୋଲି ସେ କହିଥିଲେ।

 

ଶିବୁଙ୍କୁ ଜାତୀୟ ପୁରସ୍କାର ମିଳିବା ପରେ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ରଂଜନ କୁମାର ଦାସ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ସାମ୍ୱାଦିକ ଶୁଭେନ୍ଦୁ କୁମାର ଭୂୟାଁ, ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ ସ୍ମୃତି ସଂସଦ ପକ୍ଷରୁ ସାମ୍ୱାଦିକ ବିରୂପାକ୍ଷ ତ୍ରିପାଠୀ, ଯୁବନେତା ଶ୍ରୀକାନ୍ତ ସାମଲ, ଶିକ୍ଷାବିତ‌୍‍ ଶରତ ଚନ୍ଦ୍ର ପ୍ରଧାନ ଓ ସମାଜସେବୀ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top