ସ୍ମାର୍ଟ ସିଟି, ମଇଳା ସହର!

News Story - Posted on 2017-05-05

ସ୍ମାର୍ଟ ସିଟିରେ ଏକ ନମ୍ୱର। ସ୍ୱଚ୍ଛତାରେ ୯୪। ଏଇ ହେଲା ଭୁବନେଶ୍ୱରର ବାସ୍ତବ ଚେହେରା। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୧୭ର ଫଳାଫଳ ଅନୁସାରେ ଓଡ଼ିଶାର କେବଳ ଭୁବନେଶ୍ୱର ସହର ଦେଶର ପ୍ରଥମ ୧୦୦ ସ୍ୱଚ୍ଛ ସହର ଭିତରେ ରହିଛି। ଓଡ଼ିଶାର ଅନ୍ୟ କୌଣସି ସହର ତାଲିକାର ୧୦୦ ନମ୍ୱର ଭିତରେ ଆସି ନାହାନ୍ତି। ତେବେ ଭୁବନେଶ୍ୱରକୁ ପୂର୍ବଭାରତର ଦ୍ରୁତ ଜନବହୁଳ ସହରର ମାନ୍ୟତା ମିଳିଛି। ଏହାର ଜନସଂଖ୍ୟା ଏବେ ୧୦ ଲକ୍ଷ ଟପିଲାଣି। ସେଥିପାଇଁ ଭୁବନେଶ୍ୱର ମେୟର ଏକ ସ୍ମୃତିଫଳକ ଓ ପ୍ରଶଂସାପତ୍ର ପାଇଛନ୍ତି।

 

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଏମ. ଭେଗ୍ଧେୟାହ ନାଇଡ଼ୁ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବା ସହିତ ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ୱର ପରେ ରାଉରକେଲାକୁ ୨-୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପୂର୍ବାଂଚଳର ଦ୍ରୁତ ଜନବହୁଳ ସହରର ମାନ୍ୟତା ମିଳିଛି। କିନ୍ତୁ ସ୍ୱଚ୍ଛ ସର୍ବେକ୍ଷଣରେ ଏହି ସହରର ରାଙ୍କ ହେଉଛି ୧୬୮। ଓଡ଼ିଶାର ଅନ୍ୟ କେତେକ ସହର ଏହି ତାଲିକାରେ ସ୍ଥାନ ପାଇଥିଲେ ବି ସ୍ୱଚ୍ଛତାରେ ସେସବୁ ସହର ଭାରତର ଅନ୍ୟାନ୍ୟ ସହରର ତୁଳନାରେ ଯଥେଷ୍ଟ ପଛରେ। ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ବ୍ରହ୍ମପୁର ୧୮୭ ନମ୍ୱର ସ୍ଥାନରେ ରହିଥିବାବେଳେ ବାଲେଶ୍ୱର ୧୯୦, ପୁରୀ ୧୯୪, କଟକ ୨୦୪, ବାରିପଦା ୨୬୧, ସମ୍ୱଲପୁର ୩୨୨ ଏବଂ ଭଦ୍ରକ ୩୪୯ ନମ୍ୱର ସ୍ଥାନରେ ରହିଛି।

 

ଭାରତୀୟ ମାନକ ପରିଷଦ ବା କ୍ୱାଲିଟି କାଉନ୍ସିଲ ଅଫ‌୍‍ ଇଣ୍ଡିଆ ତରଫରୁ ଚଳିତ ବର୍ଷ ଜାନୁଆରୀ-ଫେବୃଆରୀ ମାସ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିପାଇଁ ୪୩୪ ସହରର ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣ କାର୍ଯ୍ୟରେ ୪୨୧ ଜଣ ସର୍ବେକ୍ଷକ ନିୟୋଜିତ ହୋଇଥିଲେ। ଅନ୍ୟ ୫୫ ଜଣ କର୍ମଚାରୀ ସର୍ବେକ୍ଷଣ ତଦାରଖ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ଦଳ ୪୩୪ ସହରର ୧୭,୫୦୦ ସ୍ଥାନ ପରିଦର୍ଶନ କରି ସେଗୁଡ଼ିକର ସ୍ୱଚ୍ଛତା ଆକଳନ କରିଥିଲେ। ଏହି ସର୍ବେକ୍ଷଣରେ ଖୋଲାରେ ମଳତ୍ୟାଗ, ପ୍ରତି ଘରୁ ମଇଳା ସଂଗ୍ରହ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଭୃତି ମାନକ ବ୍ୟବହାର କରାଯାଇଥିଲା। ସ୍ୱଚ୍ଛତା ରାଙ୍କ ପାଇଁ ମୋଟ ୨୦୦୦ ମାର୍କ ରଖାଯାଇଥିଲା। ସେଥିରୁ ୯୦୦ ମାର୍କ ଖୋଲାରେ ମଳତ୍ୟାଗ ବନ୍ଦ ଓ ବର୍ଜ୍ୟବସ୍ତୁ ପରିଚାଳନା, ୬୦୦ ମାର୍କ ନାଗରିକଙ୍କ ମତାମତ ଓ ୫୦୦ ମାର୍କ ନିରପେକ୍ଷ ପର୍ଯ୍ୟବେକ୍ଷଣ ପାଇଁ ରହିଥିଲା।

 

ସର୍ବେକ୍ଷଣ ରିପୋର୍ଟ ଅନୁସାରେ ମଧ୍ୟ ପ୍ରଦେଶର ଦୁଇଟି ସହର ଇନ୍ଦୋର ଓ ଭୋପାଳ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଥିବାବେଳେ ଆନ୍ଧ୍ର ପ୍ରଦେଶର ଦୁଇଟି ସହର ବିଶାଖାପାଟଣା ୩ ଓ ତିରୁପତି ୯ ନମ୍ୱର ସ୍ଥାନ ପାଇଛନ୍ତି। ସେହିପରି ଗୁଜରାଟର ସୁରାଟ ୪ ଓ ବଡ଼ୋଦରା ୧୦ ନମ୍ୱର ସ୍ଥାନ ଅଧିକାର କରିଛନ୍ତି। ତାଲିକାର ପ୍ରଥମ ୧୦ ସ୍ଥାନରେ ଥିବା ଅନ୍ୟ ଚାରିଟି ସହର ହେଲେ କର୍ଣ୍ଣାଟକର ମହୀଶୂର(୫), ତାମିଲନାଡ଼ୁର ତିରୁଚିରାପଲ୍ଲୀ(୬), ନୂଆଦିଲ୍ଲୀ ମହାନଗର ନିଗମ(୭) ଏବଂ ମହାରାଷ୍ଟ୍ରର ନବି ମୁମ୍ୱାଇ(୮)।

 

ଏହି ସର୍ବେକ୍ଷଣ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନାରେ ଉନ୍ନତ ପ୍ରକଳ୍ପ ଦେଇ ୧ ନମ୍ୱର ସ୍ଥାନ ହାସଲ କରିଥିବା ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସ୍ୱଚ୍ଛତାରେ ମାନକରେ ବହୁତ ପଛରେ ପଡ଼ିଯାଇଛି। ଏ ସହରରେ ଏବେ ବି ସବୁ ଆବାସିକ କଲୋନିରୁ ସବୁଦିନ ମଇଳା ସଫା ହେଉନାହିଁ କି ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ଏଯାଏଁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଏବେ ବି ଏଇ ସହରର ବସ୍ତିଗୁଡ଼ିକରେ ରହୁଥିବା ଲକ୍ଷାଧିକ ଲୋକ ଖୋଲା ଜାଗାରେ ମଳତ୍ୟାଗ କରୁଛନ୍ତି। ସହର ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ଅଧିକାଂଶ ଅଂଚଳରେ ବିଫଳ। ସାମାନ୍ୟ ବର୍ଷାରେ ସହରର ନର୍ଦ୍ଦମା ଜଳ ରାସ୍ତାରେ ଲହଡ଼ି ଭାଙ୍ଗେ। ସହରର କୌଣସି ବ୍ୟବସାୟିକ ଅଂଚଳ ସଂପୂର୍ଣ୍ଣ ମଇଳାମୁକ୍ତ ନୁହେଁ। ସବୁ ମାର୍କେଟ, ହାଟ ଓ ବଜାରରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଜମା ହୋଇଥିବାର ଦେଖିବାକୁ ମିଳେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top