ହଜୁର ଓ କୁକୁର

News Story - Posted on 2017-05-01

ରବି କାନୁନ୍‌ଗୋ

 

ଗତିହୀନ ଶାସନ, ନୀତିହୀନ ଶାସକ, ଦୟାହୀନ ନୀତି, ଚରିତ୍ରହୀନ ଅମାତ୍ୟ,

ଶୃଙ୍ଖଳାହୀନ ରାଜା ଏବଂ ରାଜାହୀନ ରାଜ୍ୟ- ତତ୍ର ବାସଂ ନ କାରୟେତ‌୍‍।- କୌଟିଲ୍ୟ ଅର୍ଥଶାସ୍ତ୍ର

 

ବିଶ୍ୱର ଶ୍ରେଷ୍ଠ  ବ୍ୟବସାୟୀ, ଶ୍ରେଷ୍ଠ  ପୁଞ୍ଜି ନିବେଶକାରୀ ଏବଂ ଶ୍ରେଷ୍ଠ ବଦାନ୍ୟ ବ୍ୟକ୍ତି ୱାରେନ ବଫେଟ‌୍‍ଙ୍କର ଗୋଟିଏ ଉକ୍ତି। ବହୁ ବର୍ଷ ଅକ୍ଳାନ୍ତ ପରିଶ୍ରମରେ ଯେଉଁ ଆସ୍ଥା ଏବଂ ଇଜ୍ଜତ ଉପାର୍ଜିତ ହୁଏ ଠିକ‌୍‍ ଜଗି ନ ପାରିଲେ କ୍ଷଣକରେ ତାହା ଫୁସ‌୍‍କିନା ଉଡ଼ିଯାଏ।।

 

ଆସ୍ଥା ଓ ଇଜ୍ଜତ ଉଭୟ ଅଦୃଶ୍ୟ। ମେଡ଼ାଲ‌୍‍ ବା ପୁରସ୍କାର ପରି ଦେଖେଇ ହୁଏନି; ମାତ୍ର ଅନୁଭବ କରି ହୁଏ।

 

ନିକଟରେ ଦେଖିଥିବା ଗୋଟିଏ ଟିଭି ନିଉଜ। ସାମ୍ୱାଦିକମାନଙ୍କ ବିରୁଦ୍ଧରେ ଯେତେ ଆକ୍ଷେପମୂଳକ ଦୁର୍ନାମ ପ୍ରଚାର କରାଗଲେ ବି ଏପରି ଘଟଣା ମଝିରେ ମଝିରେ ଶୁଣିବାକୁ ମିଳିଥାଏ।

 

ଗୋଟିଏ ସ୍ୱୟଂଶାସିତ କଲେଜର କର୍ମଚାରୀ ଜଣେ ସାମ୍ୱାଦିକଙ୍କ ସହିତ ବୁଲୁଥା’ନ୍ତି। କହୁଥା’ନ୍ତି, ଆଜ୍ଞା ସରକାର ବାହାଦୁରଙ୍କ ସାମ୍ନାରେ ମୁଁ ବଞ୍ଚିଛି ବୋଲି ଟିକେ ପ୍ରମାଣ କରି ଦିଅନ୍ତୁ!

 

ଲାଗିଲା, ମିଲିଟାରି ଜୋକ‌୍‍ ପରି। ଯୁଦ୍ଧାହତ ସୈନିକକୁ ଦଳେ ସଫେଇ କର୍ମଚାରୀ ଉଠାଇବାକୁ ଆସନ୍ତି। ସୈନିକ କହିଲା, ଇଏ କି କଥା, ମୁଁ ତ ବଞ୍ଚିଚି! ଷ୍ଟ୍ରେଚର କି ଆମ୍ୱୁଲାନ୍ସ ନାହିଁ! ତମେସବୁ କୁଆଡେ଼ ଆଇଲ? ସେମାନେ କହିଲେ, ସେକଥା ହବନି। ମରିଛ ବୋଲି ତ ଡକ୍ଟର-ସ୍ଲିପ‌୍‍ ତମଠିଁ ଲାଗିଛି। ବଞ୍ଚିବ କୋଉବାଟେ, କ’ଣ ଜୀବନ-ମରଣ କଥା ଡାକ୍ତରଙ୍କଠୁଁ ତମେ ବେଶି ଜାଣିଚ? ତାକୁ ଟେକି ନେଲେ ଓ ମଢ଼ା ଗଦାରେ ପକେଇ ଜାଳିଦେଲେ।

 

ମଲାବେଳେ ସେ ସୈନିକର ଶେଷ ବାଣୀ ଥିଲା, ରେ ମୂର୍ଖଦଳ, ଜୀବନ ଚିହ୍ନିବାକୁ ଡାକ୍ତରର ପାଠ ନୁହେଁ, ନାକ ତଳର ନିଶ୍ୱାସ ଟିକେ ବାରିବା ଦରକାର ହୁଏ।

 

ସରକାରୀ ବିଭାଗ ବିବାଦ। ମୁଦେଇ, ଗବା, ମୁଦାଲା- କାହାରିକୁ ବିଶ୍ୱାସ କରିବା ନିରାପଦ ନୁହେଁ। ସମସ୍ତେ ଚବିଶ କ୍ୟାରେଟ‌୍‍ ମିଛ ଓ ଦୋ-ନମ୍ୱରୀ ସତ କହିବାରେ ଦୋରସ୍ତ!

 

ଯାହାହେଉ, ଘଟଣାଟି ଥିଲା, କର୍ମଚାରୀ କହୁଛନ୍ତି- ହେଇ ଦେଖନ୍ତୁ, ମୁଁ ବଞ୍ଚିଛି! ଅତୀତରେ ବି ମୁଁ ବଞ୍ଚିଥିଲି- ଏକଥା କେମିତି ପ୍ରମାଣ କରିବି? କିଛି ବର୍ଷ ତଳେ ସେ ଅସୁସ୍ଥ ଥିଲେ। ଅନୁପସ୍ଥିତିର ସୁଯୋଗ ନେଇ ପ୍ରିନ୍ସିପାଲ ତାଙ୍କୁ ମୃତ ଘୋଷଣା କରି ସେ ପୋଷ୍ଟକୁ ଆବୋଲିସ‌୍‍ (ଲୋପ) କରି ଯାହା ସାଧାରଣତଃ ହୁଏ, ସେଇଆ କରିଦେଲେ। ଆଉ ଜଣଙ୍କୁ ଆଉ ଏକ ପୋଷ୍ଟରେ ରଖିଦେଲେ। ଇତିମଧ୍ୟରେ ପୂର୍ବ କର୍ମଚାରୀ କ୍ୟାନସର ପୀଡ଼ିତ ହେଲେ। ପରେ ଅବସର ପ୍ରାପ୍ତ ହେଲେ।

 

ଦରମା ତ ପାଉ ନ ଥଲେ, ଏବେ ପେନସନ କଥା ପଚାରେ କିଏ? ଡାଇରେକ୍ଟରେଟ‌୍‍ କି ସରକାରରେ ତାଙ୍କ କଥା କେହି ବିଶ୍ୱାସ କରୁ ନାହାଁନ୍ତି। କହୁଛନ୍ତି, କିଏ ମନା କରୁଚି କି, ଜୀବନ ତ ତମର ଏବଂ ବଞ୍ଚିଚ! ଆମେ ଦେଖୁଚୁ! ହେଲେ ପ୍ରିନ୍ସିପାଲ ମାରିଦେଲେ ତ ଆମେ ବଂଚେଇବୁ କେମିତି? ନଥିଙ୍ଗ‌୍‍ ଡୁଇଙ୍ଗ‌୍‍। ଶେଷରେ ଅକଲ-ଦଂଶନରୁ ଉଦ୍ଧାର ପାଇଁ ବାବୁମାନେ କହିଦେଲେ, ଆଜ୍ଞା ଆପଣଙ୍କର ପ୍ରାଇଭେଟ‌୍‍ କଲେଜ‌୍‍। ଆମେ ସରକାରୀ କଲେଜ କଥା ବୁଝୁ।

 

ତାଙ୍କୁ ସାଙ୍ଗରେ ଧରି ସମ୍ୱାଦିକ ଝିଅଟି ଦଉଡ଼ି ପହଞ୍ଚିଲା ଶିକ୍ଷା ସଚିବଙ୍କ ପାଖରେ। ସରକାରର ଶେଷ ଶିଉଳିଆ ଶିଖ। ତା ପଛକୁ ବଙ୍ଗେପସାଗର। ସେଠି ସାର‌୍‍ କହିଲେ, ଆମେ ସବୁ ଜାଣିଚୁ। ସେ ବଞ୍ଚିଚି କି ନା, ଯାଞ୍ଚ କରିବାକୁ ଫାଇଲ‌୍‍ ତ ଲ’ ଡିପାର୍ଟମେଣ୍ଟ‌୍‍କୁ ଯାଇଛି। ସେଠୁ ଓପିନିଅନ‌୍‍ ଆସୁ। ଯଦି ବଞ୍ଚିଥାଏ ତାକୁ ମାରିବ କିଏ? ଯଦି ମରିଥାଏ, ଚୁ ଚୁ ଚୁ ତାକୁ ବଂଚେଇବ କିଏ?

 

ଏ ବାକ୍ୟରେ ବିସ୍ମିତ ହେବା ପରି କିଛି ନାହିଁ। କାରଣ ଆମ ଭାଣ୍ଡ ଗଣତନ୍ତ୍ରର ଭଣ୍ଡ ଶାସନରେ ପଣ୍ଡିତ ସାର‌୍‍ମାନଙ୍କ ବିଶେଷତ୍ୱ ହେଲା ଯେ ସେମାନେ ସବୁ ଜାଣିଥା’ନ୍ତି। କିନ୍ତୁ ନେତାଙ୍କୁ ନବେ ଡିଗ୍ରିଆ ନମସ୍କାର ଓ ଜନତାଙ୍କୁ ଶହେଅଶୀ ଡିଗ୍ରିଆ ପ୍ରତ୍ୟାଖ୍ୟାନ କରିବା ଛଡ଼ା ଆଉ ଅଧିକ କିଛି କରି ପାରନ୍ତି ନାହିଁ।

 

ସରକାର ଖୋଜିବାକୁ ସାମ୍ୱାଦିକ ବିଚରା ଆଉ କେତେ ଆଗକୁ ଯିବ? ଷ୍ଟୋର‌୍‍-କିପର‌୍‍ ବାବୁ ଜଣକ ଖବରର ସାଗର ଭିତରେ ଲୋପ ହୋଇଗଲେ। ସରକାର ଆଗକୁ ଚାଲୁଥିବ।

 

ସୈନିକର ଶେଷ ଚିତ୍କାର ଥିଲା, ଜୀବନ ଚିହ୍ନିବାକୁ ଡାକ୍ତରର ପାଠ ନୁହେଁ, ନାକ ତଳର ନିଶ୍ୱାସ ଟିକେ ବାରିବା ଦରକାର! ମହାଶୟ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top