କେବେ ବନ୍ଦ ହେବ ପାଣି ପାଉଚ?

News Story - Posted on 2017-05-01

 

ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପକ୍ଷରୁ ବାରମ୍ୱାର ପାଣି ପାଉଚ‌୍‍ ବ୍ୟବହାରକୁ ନିଷିଦ୍ଧ କରାଯାଇଥିବା କୁହାଯାଉଥିଲେ ସୁଦ୍ଧା ପାଣି ପାଉଚ‌୍‍ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ବ୍ରହ୍ମପୁର ସହରରେ ଏହାର ବହୁଳ ଭାବେ ବିକ୍ରୀ ଚାଲିଛି। ପ୍ରତିଦିନ ବିଭିନ୍ନ ଭୋଜି, ଛୋଟମୋଟ କାର୍ଯ୍ୟକ୍ରମ ଏବଂ ଖୋଦ‌୍‍ ସରକାରୀ କାର୍ଯ୍ୟକ୍ରମ ଏବଂ ଭୋଜିମାନଙ୍କରେ ମଧ୍ୟ ପାଣି ପାଉଚ‌୍‍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ବ୍ରହ୍ମପୁର ମହାନଗର ନିଗମ ଏବଂ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। ତତ୍କାଳୀନ ମହାନଗର ନିଗମ କମିଶନର‌୍‍ ସହରରେ ପାଣିପାଉଚ‌୍‍ ବିକ୍ରୀ ହେଉଥିବା ଦୋକାନ‌୍‍ ମାନଙ୍କରେ ଚଢ଼ାଉ କରି ଏହାର ବିକ୍ରୀକୁ ରୋକିବାକୁ ଉଦ୍ୟମ ଜାରି ରହିଛି ବୋଲି ଗଣମାଧ୍ୟମ ନିକଟରେ ବାରମ୍ୱାର ପ୍ରକାଶ କରିଥିଲେ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଏମ‌୍‍ସି କମିଶନର‌୍‍ଙ୍କ ଜ୍ଞାତସାରରେ ବହୁ ବେଆଇନ‌୍‍ ଏବଂ ବିନା ଲାଇସେନ୍ସରେ ପାଣି ପାଉଚ‌୍‍ କାରଖାନା ଖୋଲୁଥିବା ଅଭିଯୋଗ ହୋଇ ଆସୁଛି। ଉକ୍ତ ପାଉଚ‌୍‍ ପାଣିର ମାନ୍ୟତା ଯାଞ୍ଚ କରାଯାଉନାହିଁ। ଅନ୍ୟପକ୍ଷରେ ସହରରେ ପାଣିପାଉଚ‌୍‍ ବିକ୍ରୀକୁ ନିଷିଦ୍ଧ କରାଯାଇଥିବା ବିଏମ‌୍‍ସି ଏବଂ ପ୍ରଶାସନ ପକ୍ଷରୁ ବାରମ୍ୱାର କୁହାଯାଉଥିବା ସ୍ଥଳେ ବିଏମ‌୍‍ସି ପକ୍ଷରୁ ସହରର କିଛି ଛୋଟଛୋଟ ପାନ ଦୋକାନମାନଙ୍କରେ ଚଢ଼ାଉ କରି ପାଣି ପାଉଚ‌୍‍ ବିକ୍ରୀକୁ ବାରଣ କରୁଥିବା ବେଳେ ବଡ଼ବଡ଼ ଦେକାନ‌୍‍ ଏବଂ ପାଣି ପାଉଚ‌୍‍ କାରଖାନା ଉପରେ ଚଢ଼ାଉ କରାଯାଉନାହିଁ। ଯଦି ମଧ୍ୟ ଖରାଦିନରେ ଚଢ଼ାଉ କରାଯାଉଛି ତେବେ କିଛି କାରଖାନା ମାଲିକ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀମାନଙ୍କୁ ହାତବାରିସି ଭାବେ ବ୍ୟବହାର କରି କିଛି ଛୋଟ କାରଖାନା ଉପରେ ଚଢ଼ାଉ କରାଉଥିବା ସ୍ଥଳେ ଅନ୍ୟ କିଛି କାରଖାନା ମାଲିକ ମାଲାମାଲ‌୍‍ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

 

ଏଣେ ଲୋକମାନେ ମଧ୍ୟ ବାରମ୍ୱାର ସଚେତନ କରାଗଲେ ସୁଦ୍ଧା ସଚେତନ ଅଭାବରୁ ଦିନକୁ ଦିନ ପାଣି ପାଉଚ‌୍‍ କାରଖାନା ସଂଖ୍ୟା ବୃଦ୍ଧି ପାଉଛି। କିଛି ସଚେତନ ଲୋକେ ଭୋଜିଭାତରେ ବର୍ତ୍ତମାନ ପାଣି ବୋତଲ ବ୍ୟବହାର କରୁଥିବା ସ୍ଥଳେ ଅଧିକଂଶରେ ପାଉଚ‌୍‍ ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତଳଦିନେ ପାଉଚ‌୍‍ ପାଣିରେ ଇବୋଲା ଭାଇରସ‌୍‍କୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। କିଛିଦିନ କିଛି ସଚେତନ  ଲୋକେ ଏହାର ବ୍ୟବହାର କରିନଥିଲେ କିନ୍ତୁ ଏହାର ବ୍ୟବହାର ବଢ଼ୁଛି କିନ୍ତୁ କମୁନାହିଁ। ଅନ୍ୟପକ୍ଷରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଉଥିବା ବେଳେ କରଖାନା ମାଲିକମାନେ ବହୁ ପରିମାଣରେ ପାଣିପାଉଚ‌୍‍ ବଜାରକୁ ଛାଡ଼ି ମାଲାମାଲ‌୍‍ ହେଉଛନ୍ତି। ପ୍ରଶାସନ ତରଫରୁ ବେଆଇନ‌୍‍ ଖାରଖାନା ପ୍ରତି କୌଣସି ପଦକ୍ଷେପ ନେବା ତ ଦୂରର କଥା ପାଣିର ମାନ୍ୟତାକୁ ମଧ୍ୟ ଯାଞ୍ଚ କରାଯାଉନାହିଁ।

 

ଏହି ବ୍ୟବସାୟୀମାନେ ଖୋଲାପାଣିକୁ ପ୍ୟାକେଟ‌୍‍ କରି ବିଭିନ୍ନ କମ୍ପାନୀର ନାମ ଦେଇ ବଜାର‌୍‍ରେ ଅବାଧରେ ବିକ୍ରୀ କରି ଚାଲିଛନ୍ତି। ତଳଦିନେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ପାଣି ପାଉଚ‌୍‍ ନିଷିଦ୍ଧକୁ ନେଇ ଘୋଷଣା କରାଯାଇଥିଲା। କିନ୍ତୁ ବିଏମ‌୍‍ସିର ପାତର ଅନ୍ତର ନୀତି ଯୋଗୁଁ ସହରର ଛୋଟ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଖେଲାଖୋଲି ଭାବେ କହିବାକୁ ଗଲେ ବିଏମ‌୍‍ସିର ତତ୍ତ୍ବାବଧାନରେ ଚାଲିଛି ବେଆଇନ‌୍‍ ପାଣି ପାଉଚ‌୍‍ ବ୍ୟବସାୟ। ଯାହାଫଳରେ ବିଭିନ୍ନ ଜନସାଧାରଣ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ସେହିଭଳି ବ୍ରହ୍ମପୁର ଏମ‌୍‍କେସିଜି ମେଡ଼ିକାଲ‌୍‍ ପରିସରରେ ଥିବା ଦୋକାନମାନଙ୍କରେ ବିଭିନ୍ନ ମାଦକ ଦ୍ରବ୍ୟ ତଥା ଗୁଟ‌୍‍ଖା, ସିଗାରେଟ‌୍‍ ପ୍ରଭୃତିକୁ ବେଆଇନ‌୍‍ କରାଯାଇଥିବା ମଧ୍ୟ ତତ୍କାଳୀନ ବିଏମ‌୍‍ସି କମିଶନର‌୍‍ ଘୋଷଣା କରିଥିଲେ। ଏନେଇ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଏହା ମଧ୍ୟ ଦୁଇଦିନିଆ ଭାଗବତରେ ପରିଣତ ହୋଇଥିବା ଜଣାପଡ଼ିଛି।

 

ତେଣୁ ଏଠାରେ ଘୋଷଣା ପାଣିର ଗାର ସଦୃଶ ହୋଇଛି। ସହରରେ ବହୁ ଘୋଷଣା ହେଉଥିବା ବେଳେ କାର୍ଯ୍ୟକାରୀ କମ‌୍‍ ହେଉଥିବା ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚିତ ହେଉଛି। ତେବେ ବର୍ତ୍ତମାନ ଜଣେ ଦକ୍ଷ ଆଇଏଏସ‌୍‍ ତଥା ବ୍ରହ୍ମପୁରର ପୂର୍ବତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିବା ନିଖିଲ‌୍‍ ପୱନ କଲ୍ୟାଣ ବିଏମ‌୍‍ସି କମିଶନର‌୍‍ ଭାବେ ନିଯୁକ୍ତ ହୋଇଥିବା ସ୍ଥଳେ ସହର ବାସୀ ପାଣିପାଉଚ‌୍‍ ନିଷିଦ୍ଧ କରାଯିବା ନେଇ ଆଶା ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ଥିବା ସମୟରେ ଶ୍ରୀ ପୱନ କଲ୍ୟାଣ ବ୍ରହ୍ମପୁରବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ବେଳେ ବର୍ତ୍ତମାନ ସେ ଏକ ପ୍ରମୁଖ ପଦରେ ନିଯୁକ୍ତ ହୋଇଥିବାରୁ ତାଙ୍କଠାରୁ ମହାନଗର ବାସିନ୍ଦା ବହୁ ଉନ୍ନତି ଏବଂ ପରିବର୍ତ୍ତନର ଆଶା ରଖିଥିବା ପ୍ରକାଶ ପାଇଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top