ରାତିରେ ରଙ୍ଗିନ ହେବ କୋଣାର୍କ!

News Story - Posted on 2017-05-01

ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ଖୁବ ଶୀଘ୍ର ଶବ୍ଦ ଓ ରଙ୍ଗିନ ଆଲୋକରେ ଉଦ୍ଭାସିତ ହେବ। ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ ଅଞ୍ଚଳରେ ୬ଟି ବଡ ଓ ୨ଟି ଛୋଟ ଅତ୍ୟାଧୁନିକ ପ୍ରୋଜେକ୍ଟର ମାଧ୍ୟମରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ସମେତ ନାଟ୍ୟମଣ୍ଡକୁ ଉଜ୍ଜଳ ରଙ୍ଗିନ ଆଲୋକରେ ଆଲୋକିତ କରାଯିବା ସହ ସୂର୍ଯ୍ୟମନ୍ଦିର ପ୍ରାଚୀନ ଐତିହ୍ୟ ସଂପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯିବ। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଆଇଟିଡିସିର ମିଳିତ ସହଯୋଗରେ ଗତ ଫେବୃୟାରୀ ମାସରୁ ଶବ୍ଦ ଓ ଆଲୋକ ପ୍ରକଳ୍ପ କାର୍ଯ୍ୟକୁ ହରିଆନା ଗୁରଗାଓଁର ଏକ ଘରୋଇ ସଂସ୍ଥା ଟ୍ରାଇକଲର ସସପେସପୁଲର ଇଞ୍ଜିନିୟରମାନେ କରୁଥିବା ବେଳେ ରକ୍ଷଣାବେକ୍ଷଣାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଶବ୍ଦ ଓ ଆଲୋକ ପ୍ରକଳ୍ପର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚଛି।

 

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଟ୍ରାଇକଲର ସସପେସପୁଲର ଇଞ୍ଜିନିୟରମାନେ ପ୍ରତ୍ୟହ ରାତି ୮ଟା ପରେ ସୂର୍ଯ୍ୟମନ୍ଦିର ଉପରେ ରଙ୍ଗିନ ଆଲୋକ ପକାଇ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସୂର୍ଯ୍ୟ ମନ୍ଦିରର ଏହି ମନୋରମ ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି। ସୂର୍ଯ୍ୟ ମନ୍ଦିର ପରିସରରେ ବିଗତ ୨୦୦୨ ମସିହାରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ତାହା ଏବ ସଫଳ ହେବାକୁ ଯାଉଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ଖାଲିସ୍ଥାନ ଅଞ୍ଚଳରେ ଶବ୍ଦ ଓ ଆଲୋକକୁ ଉପଭୋଗ କରିବା ପାଇଁ ୨୫୦ ଆସନ ବିଶିଷ୍ଟ ମୁକ୍ତାକାଶ ମଞ୍ଚର ବ୍ୟବସ୍ଥା କରାଯାଇଛି। ଏହି ସ୍ଥାନରେ ଏକ ସଙ୍ଗେ ୨୫୦ ଜଣ ପର୍ଯ୍ୟଟକ ଚେୟାରରେ ବସି ୱାଇଫାଇ ହେଡଫୋନ ମାଧ୍ୟମରେ ସୂର୍ଯ୍ୟମନ୍ଦିର ପ୍ରାଚୀନ ଐତିହ୍ୟ ସମେତ ଆମ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ସଂସ୍କୃତି ସଂପର୍କରେ ଅବଗତ ହୋଇପାରିବେ।

 

ଏହି ଅତ୍ୟାଧୁନିକ ପ୍ରକଳ୍ପର ସମସ୍ତ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ଶେଷ ହେବ ବୋଲି ଜଣା ପଡିଛି। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରାଚିନ ଐତିହ୍ୟ ସଂପର୍କରେ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ତଥ୍ୟଭିତ୍ତିକ ବିଶଦ ବିବରଣୀ ସହ ରଙ୍ଗିନ ଆଲୋକରେ ସୂର୍ଯ୍ୟମନ୍ଦିର ଉଦଭାସିତ ହେବ। ଏଥିପାଇଁ ଟିକଟର ବ୍ୟବସ୍ଥା ରହିଛି। ଯେଉଁ ପର୍ଯ୍ୟଟକମାନେ ଟିକଟକିଣି ଚେୟାରରେ ବସି ହେଡଫେନ ଲଗାଇବେ ସେମାନଙ୍କ ବ୍ୟତିତ ଅନ୍ୟ କେହି ଶବ୍ଦ ଶୁଣି ପାରିବେ ନାହିଁ। ଏହି ଡକ୍ୟୁମେଣ୍ଟାରୀ ଶବ୍ଦ ଓ ଆଲୋକ ଦ୍ୱାରା ବହୁ ତଥ୍ୟ ପର୍ଯ୍ୟଟକଙ୍କୁ ମିଳିପାରିବ। ଏହି ପ୍ରକଳ୍ପ ପାଇଁ ଭାରତୀୟ ପର୍ଯ୍ୟଟନ ଉନୟନ ନିଗମ ପକ୍ଷରୁ ୫ କୋଟି ଓ ଓଡିଶା ପର୍ଯ୍ୟଟନ ଉନୟନ ନିଗମ ପକ୍ଷରୁ ୧ କୋଟି ୪୬ ଲକ୍ଷ ମୋଟ ୬ କୋଟି ୪୬ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top