କେବେ ଦୂର ହେବ ଅନ୍ଧବିଶ୍ବାସ?

News Story - Posted on 2017-04-29

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣିଗାରେଡି ସନ୍ଦେହରୁ ଗୋଟିଏ ପରିବାରର ମା’-ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବାବେଳେ ବାପ-ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ୨୮ ତାରିଖ ଗୁରୁବାର ବିଳମ୍ୱିତ ରାତିରେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ଏଭଳି କାଣ୍ଡ ଘଟିଛି।

 

ମିଳିଥିବା ସୂଚନା ମୁତାବକ ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ରୁଗୁଡିସାହିରେ ରହୁଥିବା ଭୁବନାନନ୍ଦ ଦଳନାୟକଙ୍କ ପରିବାରକୁ ଶେଷ କରି ଦେବା ପାଇଁ ସ୍ଥାନୀୟ ଅଂଚଳରେ ରହୁଥିବା ପ୍ରଶାନ୍ତ ସାହୁଙ୍କ ପୁଅ ରିଙ୍କୁ ସାହୁ(୩୬) ଗୁରୁବାର ବିଳମ୍ୱିତ ରାତିରେ ତାଙ୍କ ଘରେ ପଶିଥିଲା। ଭୁବନାନନ୍ଦଙ୍କ ପତ୍ନୀ କଳାବତୀ ଦଳନାୟକ(୪୫) ଏବଂ ଝିଅ ସୀମାରେଖା ଦଳନାୟକ(୧୫) ଘର ବାରଣ୍ଡାରେ ଶୋଇଥିବାବେଳେ ଟାଙ୍ଗିଆରେ ହାଣି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ଭୁବନାନନ୍ଦ ଓ ପୁଅ ବିଜୟ ଦଳନାୟକ(୧୭)ଙ୍କୁ ବି ସେ ଟାଙ୍ଗିଆରେ ଚୋଟ ପକାଇଥିଲା। ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଛି। ଭୁବନାନନ୍ଦଙ୍କ ପରିବାର ଲୋକେ ଗୁଣିଗାରେଡି କରୁଥିବା କାରଣରୁ ରିଙ୍କୁ ସାହୁଙ୍କ ପରିବାରରେ ସବୁବେଳେ ଅଶାନ୍ତି ଏବଂ ରୋଗବ୍ୟାଧି ଲାଗି ରହିଥିବା ସେ ସନ୍ଦେହ କରି ଆସୁଥିଲା। ଏନେଇ ଥାନାରେ କେସ‍୍‌ ନଂ-୪୭ ତା ୨୮/୦୪/୨୦୧୭ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

 

ବାସ୍‌। କଥାଟା ଏଇଠି ଅଟକିଯାଇ ପାରେ। ତଦନ୍ତ ସରିବ, ଦୋଷି ଦଣ୍ଡ ପାଇବ। ଏ ବିଶ୍ବାସ ଲୋକଙ୍କର ଥିଲେ ବି ସବୁବେଳେ ଆଇନ ତା’ ବାଟରେ ଯାଏନି। କେଉଁଠି କେଉଁଠି ବାଟଭୁଲି ଅନ୍ୟ ଆଡ଼େ ପଳାଏ। କେଉଁଠି ଆଇନ ଯିବା ପାଇଁ ପୁଲିସ ଓ ନ୍ୟାୟପାଳିକାର ବାବୁମାନେ ବିଲ୍‌କୁଲ୍‌ ବାଟ ହିଁ ଛାଡ଼ନ୍ତି ନାହିଁ। ନହେଲେ ନକ୍ସଲଙ୍କ ପରି ଲ୍ୟାଣ୍ଡ ମାଇନ୍‌ ନହେଲେ ବି ଲ’ ମାଇନ୍ ବ୍ୟବହାର କରି ଆଇନର ବାଟ ଉଡ଼ାଇ ଦିଅନ୍ତି।

 

ଏମିତି ବର୍ଷ ପରେ ବର୍ଷ ଗଡ଼ି ଯାଏ। ଓଡ଼ିଶାର ଆଦିବାସୀ ବହୁଳ ଅଂଚଳେର ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ବନ୍ଦ ହୁଏ ନାହିଁ। ସତର ବର୍ଷ ହେଲା ଶାସନ କ୍ଷମତାରେ ଥିବା ଲୋକ ରାଜ୍ୟର ଯେତେ ବିକାଶ ହୋଇଛି ବୋଲି ଦାବି କଲେ ଏବଂ ବୋକା ଓ ଭକୁଆମାନେ ସେଥିପାଇଁ ସେମାନଙ୍କୁ ଯେତେ ସମର୍ଥନ କଲେ ବି ଗୁଣିଗାରେଡ଼ିରେ ବିଶ୍ବାସ କରୁଥିବା ଏବଂ ତାହାକୁ ନେଇ ପ୍ରତିବର୍ଷ ଗଣ୍ଡାଗଣ୍ଡା ମଣିଷଙ୍କୁ ହତ୍ୟା କରାଯାଉଥିବା ଏକ ପ୍ରଦେଶ କେତେ ବିକଶିତ ତାହା ଜଳଜଳ ହୋଇ ଦେଖାଯାଉଛି। ଯେଉଁ ସମାଜ ଶିକ୍ଷିତ, ସଚେତନ, ସମୃଦ୍ଧ ସେଠି କ’ଣ ଏମିତି ଘଟଣା ଘଟେ? ଯେଉଁଠି ଆଇନର ଶାସନ ଚାଲେ, ସରକାର ସର୍ବଦା ସକ୍ରିୟ, ସେଠି କ’ଣ ଏହା ସମ୍ଭବ?

 

ଗୁଣିଗାରେଡି ହତ୍ୟାର ଅନ୍ୟତମ ଜିଲ୍ଲା ମୟୂରଭଞ୍ଜର ଜଣେ ମହିଳା ସମାଜସେବୀଙ୍କ କଥାରେ ପଡ଼ି ଓଡ଼ିଶା ସରକାର ୨୦୧୩ ମସିହାରେ ଏହା ବିରୋଧରେ ଏକ ଆଇନ ପ୍ରଣୟନ କରିଥିଲେ। କୁହାଗଲା ସେହି ଆଇନ ଯୋଗୁଁ ରାଜ୍ୟରେ ଗୁଣିଗାରେଡି ଓ ତଜ୍ଜନିତ ହତ୍ୟାକାଣ୍ଡ କମିଯିବ। କିନ୍ତୁ ହେଲା କ’ଣ? ସରକାର ଆଇନ ପ୍ରଣୟନ କରି ନିଜର ପ୍ରଚାର କରାଇଲେ। ମହିଳା ସମାଜସେବୀ ଜଣଙ୍କୁ ଏକ ସାମ୍ବିଧାନିକ ପଦବୀରେ ଥଇଥାନ କରାଗଲା। ଆଦିବାସୀମାନେ ଯେଉଁ ତିମିରେକୁ ସହି ତିମିରେ ରହିଗଲେ। ଏବେ ବି ସେମାନେ ଗୁଣିଗାରେଡ଼ିରେ ବିଶ୍ବାସ କରୁଛନ୍ତି-ମରୁଛନ୍ତି ଓ ମାରୁଛନ୍ତି।

 

ଏ ଆଇନ ପ୍ରଣୟନ ହେବାର ଦୁଇ ବର୍ଷ ପରେ ୨୦୧୫ ଜୁଲାଇ ୧୩ ତାରିଖରେ ସେହି କେନ୍ଦୁଝର ଜିଲ୍ଲାରେ ଘଟିଥିଲା ଏକ ଲୋମର୍ଷଣକାରୀ ହୃଦୟ ବିଦାରକ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ଲହଣ୍ଡା ଗାଁର ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ନିହତଙ୍କ ମଧ୍ୟରେ ଥିଲେ ୪ ଜଣ ନିଷ୍ପାପ ଶିଶୁ।

 

ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଏକବିଂଶ ଶତାବ୍ଦୀର ବିଜ୍ଞାନ ଓ ପ୍ରଯୁକ୍ତି ସମୃଦ୍ଧ ଯୁଗରେ ମଧ୍ୟ ଏଭଳି ଅନ୍ଧବିଶ୍ବାସ ଓ ଏହାକୁ ନେଇ ହତ୍ୟାକାଣ୍ଡ ଚାଲିଛି। ଏହା କ’ଣ ବିକାଶ ଓ ସମୃଦ୍ଧିର ଲକ୍ଷଣ? ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ଏଭଳି ହତ୍ୟାକାଣ୍ଡ ଘଟିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ। ପ୍ରଥମ ସ୍ଥାନରେ ରହିଛି ଝାଡ଼ଖଣ୍ଡ, ଦେଶର ଅନ୍ୟ ଏକ ଆଦିବାସୀ ବହୁଳ ରାଜ୍ୟ।

 

ଓଡ଼ିଶାରେ ୨୦୧୦ ମସିହାରେ ଗୁଣିଗାରେଡ଼ି ସନ୍ଦେହ ଯୋଗୁଁ ୩୧ ଜଣଙ୍କୁ ହତ୍ୟା କରାଯାଇଥିଲା। ୨୦୧୧ ମସିହାରେ ଏହି ସଂଖ୍ୟା ୩୯ରେ ପହଂଚିଲା। ୨୦୧୨ ମସିହାରେ ଗୁଣିଗାରେଡ଼ି ସନ୍ଦେହରେ ୩୨ ଜଣଙ୍କୁ ହତ୍ୟା କରାଗଲା। ୨୦୧୩ ମସିହାରେ ଏଭଳି ଅନ୍ଧବିଶ୍ବାସରେ ବଳି ପଡ଼ିଲେ ଆଉ ୨୪। ୨୦୧୪ ମସିହାରେ ୩୨ ଓ ୨୦୧୫ ମସିହାରେ ୨୬ ଜଣ ହେଲେ ଏଭଳି ହତ୍ୟାର ଶିକାର। ୨୦୧୬ ମସିହାର ହିସାବ ଆମ ପାଖରେ ନାହିଁ। ତଥାପି ଏହା ଯେ ୩୦ ତଳକୁ ଖସିଥିବା ତାହା ବିଶ୍ବାସଯୋଗ୍ୟ ନୁହେଁ।

 

କାଳି ସାଧନା ପାଇଁ ବଳି, ମନ୍ତ୍ରଶକ୍ତି ହାସଲ ପାଇଁ ବଳି, ଗୁପ୍ତଧନ ପାଇବାକୁ ବଳି, ରାଜନୀତିକ କ୍ଷମତା ପାଇବାକୁ ବଳି ଆଦି କୁତ୍ସ ଓ ଅବୈଜ୍ଞାନିକ ବିଶ୍ବାସ ଆଜି ବି ଓଡ଼ିଶାରେ ବେଶ୍‌ ସୁଦୃଢ଼। କେତେକ କ୍ଷେତ୍ରରେ ଶିକ୍ଷିତ ଓ ସମୃଦ୍ଧ ଲୋକମାନେ ମଧ୍ୟ ଏଭଳି ଅପରାଧ ଉପରେ ଆସ୍ଥା ସ୍ଥାପନ କରିଥାନ୍ତି। ଏହି ଅନ୍ଧବିଶ୍ବାସ ଦୂର କରିବାକୁ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉ ନାହିଁ। ମଝିରେ ମଝିରେ ଏଭଳି ଘଟଣା ଘଟିଲେ ଟିଭି ଚାନେଲକୁ ପୁଲିସ ବିଭାଗର ହାକିମମାନେ ବାଇଟ୍‌ ଦିଅନ୍ତି, ଆମେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛୁ। ୨୦୧୩ ମସିହାର ଆଇନ ସଂପର୍କରେ ଲୋକଙ୍କ ଜଣାଇବାକୁ ଉଦ୍ୟମ ହେଉଛି। ନେତାମାନେ ମଧ୍ୟ ସେହି ଦାବି କରନ୍ତି। ହେଲେ, କିଛି ବଦଳେ ନାହିଁ। ସରକାରଙ୍କର ଟଙ୍କା ଖର୍ଚ୍ଚ ହୋଇଯାଏ, ଗୁଣିଗାରେଡ଼ି ବିରୋଧରେ ସଚେତନତା ସୃଷ୍ଟି ହୁଏ ନାହିଁ।

 

ଆଦିବାସୀ ବହୁଳ ଅଂଚଳରେ ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ଅନୁପସ୍ଥିତି ବା ଅତ୍ୟନ୍ତ ଦୁର୍ବଳ ଶିକ୍ଷାସେବା ଯୋଗୁଁ ପିଲାଏ ଶିକ୍ଷିତ ହେଉ ନାହାନ୍ତି। ଯେଉଁ ସମାଜ ଶିକ୍ଷାରେ ପଛୁଆ ତାହାର ସଚେତନତାର ସ୍ତର ମଧ୍ୟ ସେତିକି ଦୁର୍ବଳ। ସେହିପରି ସ୍ବାସ୍ଥ୍ୟ ବ୍ୟବସ୍ଥାର ଘୋର ଅଭାବ ମଧ୍ୟ ଅଶିକ୍ଷିତ ତଥା ଅସହାୟ ଲୋକଙ୍କୁ ଏଭଳି ଅନ୍ଧବିଶ୍ବାସ ଉପରେ ଭରସା କରିବାକୁ ବାଧ୍ୟ କରୁଛି। ସରକାର ଏଯାଏଁ କିଛି କରି ନାହାନ୍ତି। ଆଦିବାସୀଙ୍କ ଭୋଟ ପାଇଁ ବିଭିନ୍ନ ଯୋଜନା ହେଉଛି ସତ, ସେମାନଙ୍କ ବିକାଶ ପାଇଁ ଯୋଜନା ଘର ଶୂନ। ସେଥିପାଇଁ ମୂର୍ଖ ଲୋକଙ୍କ କ୍ରୋଧର ଶିକାର ହେଉଛନ୍ତି ତଥାକଥିତ ଅନେକ ଗୁଣିଆ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top