ଲାଞ୍ଚରେ ଯାଇଛି ୬୩୫୦ କୋଟି!

News Story - Posted on 2017-04-29

ଗତ ବର୍ଷ ଦେଶରେ ଛୋଟଛୋଟ ଦୁର୍ନୀତି ଅନେକାଂଶରେ କମିଛି। ତଥାପି ସରକାରୀ ସେବା କ୍ଷେତ୍ରରେ ୧୦ ଟଙ୍କା ଲାଞ୍ଚ ନେବା ପରି ଘଟଣା ସଂପୂର୍ଣ୍ଣ ଦୂର ହୋଇନାହିଁ। ଏହି ବର୍ଷ ଏ କ୍ଷେତ୍ରରେ ୬୩୫୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ଦୁର୍ନୀତି ସଂପର୍କୀତ ଏକ ସର୍ବେକ୍ଷଣରୁ ଏହି ତଥ୍ୟ ପଦାକୁ ଆସିଛି।

 

ସିଏମଏସ-ଭାରତୀୟ ଦୁର୍ନୀତି ଅଧ୍ୟୟନ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଗତ ବର୍ଷ ଦେଶର ପ୍ରାୟ ଏକ ତୃତୀୟାଂଶ ଲୋକ ସରକାରୀ ସେବା ପାଇବାକୁ ଲାଞ୍ଚ ଦେଇଥିଲେ। ୨୦୦୫ ସର୍ବେକ୍ଷଣରେ ଏହି ହାର ଥିଲା ୫୩ ପ୍ରତିଶତ। ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୪୩ ପ୍ରତିଶକଙ୍କ ମତ ହେଲା ଗତ ବର୍ଷ ସରକାରୀ ସେବା କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଇଛି। ପୁଲିସ ଓ ନ୍ୟାୟପାଳିକା କ୍ଷେତ୍ରରେ ଗତ ବର୍ଷ ୨୦୦୫ ତୁଳନାରେ ଦୁର୍ନୀତି ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି।

 

ସାଧାରଣ ସେବା କ୍ଷେତ୍ରରେ ୨୦୦୫ ମସିହାରେ ୨୦,୫୦୦ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ଗତ ବର୍ଷ ଏହି ପରିମାଣ ୬୩୫୦ କୋଟି ଟଙ୍କାକୁ ଖସି ଆସିଛି। ଅନେକ ଅଂଚଳରେ ସରକାରୀ ସେବା ପାଇବା ପାଇଁ ଲୋକମାନେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦-୫୦୦ ଏବଂ ଏପରିକି ୫୦ ହଜାର ଟଙ୍କା ଯାଏଁ ଲାଞ୍ଚ ଦେଇଛନ୍ତି। ଏହି ସର୍ବେକ୍ଷଣ ରିପୋର୍ଟ ଅନୁସାରେ ପୁଲିସ ସେବାରେ ଦୁର୍ନୀତି ହେଉଛି ବୋଲି ୩୪ ପ୍ରତିଶତ ପରିବାର ମତ ଦେଇଥିବାବେଳେ ଜମି/ଗୃହନିର୍ମାଣ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ୨୪ ପ୍ରତିଶତ, ନ୍ୟାୟିକ ସେବା କ୍ଷେତ୍ରରେ ୧୮ ପ୍ରତିଶତ, ଟିକସ କ୍ଷେତ୍ରରେ ୧୫ ପ୍ରତିଶତ ଓ ସାଧାରଣ ବଣ୍ଟନ କ୍ଷେତ୍ରରେ ୧୨ ପ୍ରତିଶତ ପରିବାର ମତ ଦେଇଛନ୍ତି।

 

ଏହି ସର୍ଭେରେ ୨୦ଟି ରାଜ୍ୟର ୨୦୦ ଗାଁ ଓ ସହରର ୩ ହଜାର ପରିବାରଙ୍କୁ ସାମିଲ କରାଯାଇଥିଲା। ୨୦୦୫ ମସିହାରେ ଯେଉଁ କାରଣ ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡ଼ୁଥିଲା ୨୦୧୭ରେ ସେଥିରେ କୌଣସି ପରିବର୍ତ୍ତନ ଘଟିନାହିଁ। ସାଧାରଣ ସେବା ହାସଲ କରିବାକୁ ଗତ ବର୍ଷ କର୍ଣ୍ଣାଟକର ୭୭ ପ୍ରତିଶତ ପରିବାର ଲାଞ୍ଚ ଦେଇଥିିଲାବେଳେ ଆନ୍ଧ୍ର ପ୍ରଦେଶ ପାଇଁ ଏହି ହାର ହେଉଛି ୭୪ ପ୍ରତିଶତ। ସେହିପରି ତାମିଲନାଡ଼ୁର ୬୮ ପ୍ରତିଶତ, ମହାରାଷ୍ଟ୍ରର ୫୭ ପ୍ରତିଶତ, ଜାମ୍ମୁକାଶ୍ମୀରର ୪୪ ପ୍ରତିଶତ ଓ ପଞ୍ଜାବର ୪୨ ପ୍ରତିଶତ ପରିବାର ସରକାରୀ ସେବା କ୍ଷେତ୍ରରେ ଦୁର୍ନୀତି ହେଉଥିବା କହିଛନ୍ତି। ୨୦୦୫ ମସିହାରେ ବିହାରର ୭୪ ପ୍ରତିଶତ, ଜାମ୍ମୁକାଶ୍ମୀରର ୬୯ ପ୍ରତିଶତି, ଓଡ଼ିଶାର ୬୦ ପ୍ରତିଶତ, ରାଜସ୍ଥାନ ଓ ତାମିଲନାଡ଼ୁର ୫୯ ପ୍ରତିଶତ ପରିବାର ସରକାରୀ ସେବା ପାଇବାକୁ ଲାଞ୍ଚ ଦେଇଥିବା ସ୍ୱୀକାର କରିଛନ୍ତି।

 

ଅନ୍ୟପକ୍ଷରେ ଗତ ବର୍ଷ ପାଇଁ ହିମାଚଳ ପ୍ରଦେଶର ମାତ୍ର ୩ ପ୍ରତିଶତ ଦୁର୍ନୀତିକୁ ସ୍ୱୀକାର କରିଥିବାବେଳେ କେରଳର ୪ ପ୍ରତିଶତ ଓ ଛତିଶଗଡ଼ର ୧୩ ପ୍ରତିଶତ ଲୋକ ଏହି ମତ ଦେଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top