ବିଷ୍ଣୁ ବିଷ୍ଣୁ ... ଛି ଛି

News Story - Posted on 2017-04-28

ରବି କାନୁନ୍‌ଗୋ

 

Modesty only begins with the knowledge of evil.- Rousseau

 

ପାଠୁଆ ଭାରତରେ ଏବେ ପଡ଼ିଛି ନୈତିକତାର ବିପାକ। ବାପା ନାଁ ଭୁଲିବାକୁ ଉଚିତ ମନେ କରୁଥିବା ପିଢ଼ିର ବେଳେବେଳେ ସାତ ପିଢ଼ି ତଳର ମୂଳ ନାଁଗୁଡାକ ମନେ ପକାଇବା ଦରକାର ହେଉଛି। ଏ ଅବସ୍ଥାର ସାମାଜିକ ଚିତ୍ରଗୁଡ଼ିକ କି ବିଚିତ୍ର ନ ଲାଗୁଥିବ ଟି!

 

‘ବେଗ ହିଁ ଉନ୍ନତିର ଲକ୍ଷଣ’ ଏବଂ ‘ଧୀର ପାଣି ପଥର କାଟେ’- ଏ ଦୁଇଟି ଜଙ୍କ‌୍‍ସନ ମଝିରେ ଠିଆ ହେବା ଗହନ ବିପଦ। ବାତ୍ସାୟନଙ୍କ ‘କାମସୂତ୍ର’ର ଚୋରା ସଂସ୍କରଣ ଗୁପ୍ତରେ ପଢ଼ି ଏବଂ ସେଥିରୁ ‘ଯଥେଷ୍ଟ’ ବୁଝି ଯେଉଁ ପିଢ଼ି ସମାଜରେ ପ୍ରେମର ଆଦର୍ଶ ବିସ୍ତାର କରୁଛି ତାହା ଭ୍ୟାଲେଣ୍ଟାଇନ-ଡେ’ର ଅନଭ୍ୟସ୍ତ  ଆୟୋଜନଗୁଡ଼ିକୁ ହାବୁଡ଼ିଲେ ନିଶ୍ଚୟ ଚମକିବ।

 

ଆଈ ପଚାରନ୍ତି ନାତୁଣୀକୁ। ‘ଏତେ ଆଉ ଫିଜିକ୍ସ ବୁଝନା ଲୋ ହୁଣ୍ଡୀ, ଧିଅ ଖରାପ ହବ। ଶୋଇପଡ଼।’

 

ସମସ୍ତଙ୍କଠୁଁ ଦୂରଛଡ଼ା ହୋଇ ବନ୍ଦ ଘରେ ଲାଇଟ ଅଫ‌୍‍ କରି ନାତୁଣୀ ଯେମିତି ଫୁସ‌୍‍ଫୁସ‌୍‍ ହୋଇ ‘ଫିଜିକ୍ସ’ ବୁଝୁଚି କି ବୁଝୋଉଚି ସେଗୁଡ଼ାକ ତା ଦେହ (ଓ ମନ) ପାଇଁ ଭଲ ନୁହେଁ, ଏକଥା ଆଈ ଜାଣିଲେ କେମିତି? କାରଣ ସେ ବି ଦିନେ ପ୍ରେମ କରିଥିଲେ। ଦି’ ଚାରିଟା ଗୋଲାପୀ ଚିଠି ଦିଆନିଆ ଉପରକୁ କଥା ଆଗକୁ ଯାଇ ନଥିଲା। ବାଡୁଅ ପାହି ଗଲା ପଛେ, କେହି କାହାରିକି ମନ କଥା କହି ପାରିଲେନି। ତା’ପରେ ଯିଏ ଯେଝା ବାଟରେ ସଂସାର ଧରି ଆଗକୁ ଯାଇଛନ୍ତି। ପରସ୍ପର ମନେ ରଖିବାକୁ ବି ଇଚ୍ଛା କରନ୍ତିନି। ଏକା ହେଜିବାକୁ ରୋମାଣ୍ଟିକ ଲାଗେ, କିନ୍ତୁ ଦେଖା-ଜଗତରେ ସେ ସ୍ମୃତିର ପ୍ରବେଶ ନିଷେଧ। ସ୍ମୃତି ଝରେଇ ଗପ କି କବିତା ଲେଖିବା ଲୋକଙ୍କ ସଂଖ୍ୟା କମ, ମାତ୍ର ପ୍ରେମ ବିରୁଦ୍ଧରେ ରାଉରାଉ ହେଉଥିବା ନରନାରୀଙ୍କ ସଂଖ୍ୟା ସର୍ବଦା ଅଧିକ।

 

ନିୟମ ମାନି ପ୍ରେମ କରିବା ଧର୍ମରେ ଏକଦମ‌୍‍ ଅସମ୍ଭବ ଜାଣି ସୁଦ୍ଧା ପ୍ରେମ-ବିରୋଧୀ ଆଚରଣ ଅନେକଙ୍କୁ ‘ଧାର୍ମିକ’ ପ୍ରାୟ ଲାଗେ। ତେଣୁ ତାହା ସବୁଠୁଁ ଅଧିକ ସମାଜିକ ଅସହନଶୀଳତାର ଶିକାର ହୁଏ।

             

୨୦୦୭ର ଏକ ବିବାହ ଗତ ସପ୍ତାହରେ ଦିଲ୍ଲୀ କୋର୍ଟ ଆଦେଶରେ ବିଚ୍ଛେଦରେ ପରିଣତ ହୋଇଛି। ଉଭୟ ପାଠୁଆ ଏବଂ ରୋଜଗାରିଆ। ତିନି ବର୍ଷ ପରେ ଝିଅଟିଏ କୋଳକୁ ଆସେ। ବିବାଦ ହେଲା ତା’ପରେ। ନିଜ ତନୁର ଲୋଭନୀୟ ଅଂଶଗୁଡ଼ିକୁ ଈଷତ, ଅଧିକ, ଅତି ଅଧିକ ଏବଂ ସଂପୂର୍ଣ୍ଣ ଅନାବୃତ୍ତ ଦେଖେଇବା ପ୍ରବୃତ୍ତି ସ୍ତ୍ରୀଙ୍କୁ କ୍ରମେକ୍ରମେ ଭଲ ଲାଗିଲା। ତାହା ସ୍ୱାମୀଙ୍କୁ ଭଲ ଲାଗିଲା ନାହିଁ। ସେ କୋର୍ଟରେ ନିବେଦନ କଲେ, ମୋ ସ୍ତ୍ରୀ ପ୍ରେମରେ ଅପୂର୍ବା। ସବୁଠୁଁ ସୁନ୍ଦରୀ। ଏ ଛୋଟିଆ ବଦଭ୍ୟାସ ଛାଡ଼ିଦେଲେ, ଆମ ଜୀବନ ମଧୁମୟ ହୁଅନ୍ତା। ସ୍ୱାମୀ ହୋଇ କେମିତି ମୋ ଦେହ ସହିବ ହଜୁର?

 

ଅଭିଯୋଗକୁ ମହିଳା ଅସ୍ୱୀକାର କଲେ ନାହିଁ। ମତେ ପୁରୁଷମାନେ ଡାହାଣାଙ୍କ ପରି ଅନାନ୍ତି, ଖୁସି ଲାଗେ। ଏକଥା ସ୍ୱାମୀଙ୍କୁ କାହିଁକି ବାଧେ, ଇଏ ତାଙ୍କର ପ୍ରବ‌୍‍ଲେମ। ମୋ ସ୍ୱାଧୀନତାରେ ହସ୍ତକ୍ଷେପ କରିବାକୁ ବା ମତେ ଡ୍ରେସ‌୍‍-କୋଡ‌୍‍ ଶିଖେଇବାକୁ ସିଏ କିଏ?

 

ଜଜ‌୍‍ ସାହେବ ଏତେ ଜଞ୍ଜାଳରେ ନ ପଶି ସ୍ୱାମୀ-ପେଟିସନରଙ୍କୁ କହିଲେ, ‘ରେଷ୍ଟିଚୁସନ‌୍‍’ରୁ କ’ଣ ପାଇବ? ପେଟିସନ ବଦଳେଇ ମାନସିକ ନିର୍ଯାତନା ଗ୍ରାଉଣ୍ଡରେ ଛାଡ଼ପତ୍ର ନେଇ ଘରକୁ ଯା।

 

‘ମୋ ଝିଅ?’ ଆଇନ ପାଖରେ ଜଣେ ବାପର ଏପରି ନିବେଦନର ମାନେ କିଛି ନ ଥାଏ।

 

ସଂସ୍କାର। ଏକ ନିରାପଦ ପ୍ରତିରକ୍ଷା ଶବ୍ଦଭାବେ ଏହା ବାରମ୍ୱାର କୁହାଯାଏ। ଲୋକଙ୍କ ଭିତରେ ବହୁବିଧ ସଂସ୍କାର ଥାଏ। ଆଗେ ସେସବୁରେ ‘ଭାରତ’ ଟ୍ୟାଗ‌୍‍ ଲାଗି ନଥିଲା। ଏବେଏବେକୁ ବହୁତ ଦରକାର ହେଉଛି। ପ୍ରେମର ନିରାପତ୍ତା ପାଇଁ ଅତୀତର ମାପଗୁଡ଼ିକ ଭଲ ଥିଲା ବୋଲି ଯେତେବେଳେ ମନକୁ ଆସେ, ସେତେବେଳେ ଆମର ସଂସ୍କାର ମନେପଡେ଼। ଅସଂଖ୍ୟରୁ ଗୋଟିଏ ସ୍ଥିର ଚିତ୍ରକୁ ଧରି ତା ଚାରିପଟେ ସଂକୀର୍ତ୍ତନ କରୁ। େଧ୍ୟୟ ବୋଲି କହୁ। ଯିଏ ଆମକୁ ଟାଣି ଏତେ ଆଗକୁ ଆଣି ନିଜେ ଆଉ ଆମ ସାଙ୍ଗରେ ଚାଲି ପାରୁନି, ତା ପ୍ରଶଂସାରେ ଶତମୁଖ ହେଉ।

 

ତେଣୁ ଗଣତାନ୍ତ୍ରିକ ରୀତିରେ ପ୍ରେମ କରୁଛୁ ଓ ବୈଦିକ ରୀତିରେ ବାହା ହେଉଛୁ। ନାରୀ ଭାବୁଛି, ଏଣିକି ତା ପ୍ରେମକୁ ସୁରକ୍ଷା ଦେବାକୁ ମହିଳା କମିସନ ଅଛନ୍ତି, ଆଇନ ଅଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top