ବିଦାୟ ହ୍ୟାଣ୍ଡସମ‌୍‍!

News Story - Posted on 2017-04-28

ପ୍ରବୀଣ ଅଭିନେତା ତଥା ସାଂସଦ ବିନୋଦ ଖାନ୍ନା ଆଉ ନାହାନ୍ତି। ମୁମ୍ୱାଇର ସାର‌୍‍ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ବିୟୋଗରେ ବଲିଉଡ଼ ଓ ରାଜନୀତି ଜଗତରେ ଶୋକର ଛାୟା ଖେଳି ଯାଇଛି।

 

ଅମର ଆକବର ଆନ୍ଥୋନୀ, କୁର୍ବାନୀ, ଇନ‌୍‍ସାଫ, ମେରେ ଅପନେ, ମେରା ଗାଓଁ ମେରା ଦେଶ, ରେଶମା ଔର ଶେରା, ଏଲାନ, ଦୟାବାନ ଆଦି ଅନେକ ସୁପର ହିଟ‌୍‍ ଫିଲ୍ମରେ ଅଭିନୟ କରି ଚହଳ ସୃଷ୍ଟି କରିଥିବା ବଲିଉଡ଼ର ଏହି ହ୍ୟାଣ୍ଡସମ‌୍‍ ହିରୋ ମାର୍ଚ୍ଚ ୩୧ ତାରିଖରେ ଅସୁସ୍ଥତା ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଜଣାପଡ଼ିଥିଲା ଯେ ସେ ମୂତ୍ରାଶୟ କର୍କଟ ରୋଗରେ ପୀଡ଼ିତ। ଏହି ରୋଗର ଚିକିତ୍ସା ଚାଲିଥିବା ଅବସ୍ଥାରେ ଆଜି ପୂର୍ବାହ୍ନ ୧୧.୨୦ ଘଣ୍ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

 

ଖାନ୍ନା ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ। ସେ ଚତୁର୍ଥ ଥର ପାଇଁ ଏହି ଆସନରୁ ଜିତିଥିଲେ। ତାଙ୍କର ପ୍ରଥମ ପତ୍ନୀ ଗୀତାଞ୍ଜଳୀଙ୍କ ଔରସରୁ ଦୁଇ ଜଣ ପୁଅ ରାହୁଳ ଓ ଅକ୍ଷୟ ଖାନ୍ନା ଏବେ ବଲିଉଡ଼ ସହ ଜଡ଼ିତ ଅଛନ୍ତି। ତାଙ୍କର ଦ୍ୱିତୀୟ ପତ୍ନୀ କବିତା ଖାନ୍ନାଙ୍କଠାରୁ ଦୁଇଟି ସନ୍ତାନ ଅଛନ୍ତି। ସେମାନେ ହେଲେ ପୁଅ ସାକ୍ଷୀ ଓ ଝିଅ ଶ୍ରଦ୍ଧା।

 

ବଲିଉଡ଼ର ସବୁଠୁ ହ୍ୟାଣ୍ଡସମ‌୍‍ ହିରୋର ଖ୍ୟାତି ଅର୍ଜନ କରିଥିବା ବିନୋଦ ଖାନ୍ନା ୧୯୬୮ ମସିହାରେ ମନ କା ମିତ‌୍‍ ନାମକ ଏକ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ସେ ନକରାତ୍ମକ ଚରିତ୍ରରେ ଅଭିନୟ କରୁଥିଲେ। ୧୯୭୧ ମସିହାରେ ଗୁଲଜାରଙ୍କ ମେରେ ଅପନେରୁ ବଲିଉଡ଼ରେ ତାଙ୍କର ଅଭିନୟ ପରାକାଷ୍ଠା ପ୍ରତିଷ୍ଠା ହୋଇଥିଲା। ଅମିତାଭ ବଚ୍ଚନଙ୍କ ସହିତ ତାଙ୍କର ଯୋଡ଼ି ସୁପର ହିଟ‌୍‍ ହୋଇଥିଲା। ଉଭୟେ ଅମର ଆକବର ଆନ୍ଥୋନୀ, ହେରେ ଫେରି, ମୁକଦ୍ଦର କା ସିକନ୍ଦର ପରି ଅନେକ ହିଟ‌୍‍ ଫିଲ୍ମ ଦେଇଥିଲେ।

 

ସେ ଅଭିନୟ ଜୀବନର ସର୍ବୋଚ୍ଚ ସ୍ଥାନରେ ଥିଲାବେଳେ ଓଶୋ ଆନ୍ଦୋଳନର ପ୍ରତିଷ୍ଠାତା ରଜନୀଶଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇ ୧୯୮୨ ମସିହାରେ ଓଶୋଙ୍କ ପୁନା ଆଶ୍ରମରେ ଯୋଗ ଦେଇଥିଲେ। ଏହା ପରେ ୫ ବର୍ଷ ଯାଏଁ ସେ ଆଉ ଫିଲ୍ମ କରି ନଥିଲେ। ଅଶି ଦଶକର ଶେଷ ଭାଗରେ ସେ ପୁଣି ଫିଲ୍ମକୁ ଫେରିଥିଲେ ଓ ଇନ୍‌ସାଫ ଓ ସତ୍ୟମେବ ଜୟତେ ପରି ହିଟ‌୍‍ ଫିଲ୍ମ ଦେଇଥିଲେ। ଶେଷ ଥର ପାଇଁ ତାଙ୍କୁ ୨୦୧୫ରେ ଶାହରୁଖ ଖାଁଙ୍କ ଦିଲୱାଲେ ଫିଲ୍ମରେ ଦେଖିବାକୁ ମିଳିଥିଲା।

 

ତାଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି ତାଙ୍କର ସହକର୍ମୀ ଶତ୍ରୁଘ୍ନ ସିହ୍ନା। ଖାନ୍ନାଙ୍କ ମୃତ୍ୟୁ ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ସିହ୍ନା କହିଛନ୍ତି। ଉଭୟେ ମେରେ ଅପନେ, ବମ୍ୱେ ୪୦୫ ଓ ଦୋ ୟାର ପରି କେତେକ ଫିଲ୍ମରେ ଅଭିନୟ କରିଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ଆଶା ଭୋଁସଲେ ଖାନ୍ନାଙ୍କୁ ଜଣେ ଭଦ୍ରଲୋକ ଓ ଶେଷ ଯାଏଁ ତାରକା ଥିଲେ ବୋଲି କହିଛନ୍ତି। ତାଙ୍କର ଅନ୍ୟତମ ସହକର୍ମୀ ଋଷି କପୁର ତାଙ୍କ ପରି ଜଣେ ବନ୍ଧୁଙ୍କୁ ସବୁଦିନ ପାଇଁ ହରାଇବାର କୋହ ସମ୍ୱରଣ କରିପାରି ନାହାନ୍ତି। ଅମର ଆକବର ଆନ୍ଥୋନୀରେ କପୁର ଖାନ୍ନାଙ୍କର ସାନଭାଇ ଭୂମିକା ନିର୍ବାହ କରିଥିଲେ। ପରେ ଚାନ୍ଦନୀରେ ମଧ୍ୟ ଦୁହେଁ ମିଶି ଅଭିନୟ କରିଥିଲେ। ଚାନ୍ଦନୀ ସୁପର ହିଟ‌୍‍ ହୋଇଥିଲା। ଏହି ଫିଲ୍ମର ଏକ ଗୀତ ‘ଲଗି ଆଜ‌୍‍ ସାୱାନ କି ଫିର‌୍‍ ୱ ଝଡ଼ି ହୈ’ ଆଜି ବି ସମସ୍ତଙ୍କୁ ବିନୋଦଙ୍କ ନିଖୁଣ ଅଭିନୟ ମନେ ପକାଇ ଦିଏ।

ସୁପରଷ୍ଟାର ରଜନୀକାନ୍ତ, ଚିତ୍ର ନିର୍ମାତା କରଣ ଜୋହର, ଅଭିନେତା ଅନୁପମ ଖେର, ଗାୟକ ଉଦିତ ନାରାୟଣ ପ୍ରମୁଖ ବିନୋଦଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବଲିଉଡ଼ ବ୍ୟତିତ ଅନେକ ରାଜନେତା ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ସୁପରଷ୍ଟାର ଅମିତାଭ ବଚ୍ଚନ, ଜ୍ୟାକି ଶ୍ରଫ, ଡାନି ଡେଙ୍ଗଜୋପ୍ପା ପ୍ରମୁଖ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇ ତାଙ୍କର ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଜଣେ ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜନେତା ତାଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top