ଶ୍ରୀଜଗନ୍ନାଥ, ଓଡ଼ିଆ ଜାତି ଓ ମଧୁବାବୁ

News Story - Posted on 2017-04-27

ପ୍ରହଲାଦ କୁମାର ସିଂହ

 

କୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକ ତ୍ରାହି ଜଗନ୍ନାଥ,

ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ।

ସୁଦର୍ଶନ ଚକ୍ର ଗରଜି ଉଠିବ ବଳିୟାର ବାହୁ କରେ,

ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ ଶତ୍ରୁ ପଳାଇବେ ଡରେ।

 

ଯାହାଙ୍କୁ ଖୀରସ୍ତାନ କହି ମନ୍ଦିର ତ ଦୂରର କଥା ନିଜ ଘରେ ପୂରାଇବାକୁ ପରିବାର ଅମଙ୍ଗ ଥିଲେ ସେହି ଜାତିପ୍ରାଣ ଉତ୍କଳ ଗୌରବ ମଧୁସୂଦନଙ୍କ ଶ୍ରୀଜଗନ୍ନାଥଙ୍କ ଉପରେ ଅଖଣ୍ଡ ବିଶ୍ୱାସର ଏ କେଇ ଧାଡ଼ି ହେଉଛି ଅମୃତମୟ ନିର୍ଝରିଣୀ। ଅବସ୍ଥା ଚକ୍ରରେ ପଡ଼ି ଅବଶ୍ୟ ମଧୁବାବୁ ଧର୍ମାନ୍ତରିତ ହୋଇଥିଲେ, କିନ୍ତୁ ତାଙ୍କ ପାଇଁ ସବୁଠାରୁ ବଡ଼ ଧର୍ମ ଥିଲା ମାନବ ଧର୍ମ। ତାଙ୍କର ଆରାଧ୍ୟା ଦେବୀ ଥିଲେ ଉତ୍କଳ ଜନନୀ। ଆଉ ଉତ୍କଳୀୟ ସଂସ୍କୃତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଇଷ୍ଟ।

 

ଆଜକୁ ପ୍ରାୟ ୧୩୦ ବର୍ଷର ତଳର ଘଟଣା। ପୁରୀ ଶ୍ରୀମନ୍ଦିରକୁ ନିଜ କବ‍୍‌ଜାକୁ ନେବା ପାଇଁ ବ୍ରିଟିଶ‍୍‌ ସରକାର ଏକ ମିଥ୍ୟା ମାମଲାରେ ସେତେବେଳର ଗଜପତି ଦିବ୍ୟସିଂହ ଦେବଙ୍କୁ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ କରିଥାନ୍ତି। ତାଙ୍କ ପୁଅ ଜଗନ୍ନାଥ ଜେନାମଣି ଶିଶୁ। ଏ ପରିପ୍ରେକ୍ଷୀରେ ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣୀ ପାଟ୍ଟମହାଦେଈ ଅଣ୍ଟା ଭିଡ଼ିଲେ ଗଜପତି ପରମ୍ପରାର ସୁରକ୍ଷା ସହିତ ଶ୍ରୀମନ୍ଦିରକୁ ବ୍ରିଟିଶ‍୍‌ ଚକ୍ରାନ୍ତରୁ ମୁକାଳିବା ପାଇଁ। କିନ୍ତୁ ନଛୋଡବନ୍ଧା ପ୍ରଶାସନ ରାଜମାତାଙ୍କୁ ଉପେକ୍ଷା କରି କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟରୁ ଏକ ମାମଲାରେ ଡିଗ୍ରୀ ଆଣି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭାଙ୍ଗି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଜଉମୁଦଦିଆ କରାଇଲେ। ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜାମାତଙ୍କ ଅନୁରୋଧକୁ ସେତେବେଳର ବହୁ ନାମୀଦାମୀ ଓକିଲ ଏଡ଼ାଇଗଲେ। ତାଙ୍କ ନିମନ୍ତ୍ରଣ କ୍ରମେ ମଧୁବାବୁ ଆସିଲେ ଶ୍ରୀନଅରକୁ। ଶ୍ରୀଜଗନ୍ନାଥ ଓ ଗଜପତି ପରମ୍ପରାକୁ ନେଇ ଗର୍ବ କରୁଥିବା ଓଡ଼ିଆମାନଙ୍କ ନୀରବତା ଖୁବ‍୍‌ ବାଧିଥିଲା ରାଜମାତାଙ୍କୁ। ରାଜମାତା କ୍ଷୋଭର ସହ ମଧୁବାବୁଙ୍କୁ କହିଲେ ପରିଣତ ବୟସରେ ଏବେ ବି ଅଶ୍ୱପୃଷ୍ଠରେ ବ୍ରିଟିଶ‍୍‌ ବାହିନୀ ବିରୁଦ୍ଧରେ ଅସୀଚାଳନା କରିବାକୁ ମୁଁ ପ୍ରସ୍ତୁତ। ଆପଣ କଲିକତା ହାଇକୋର୍ଟରେ ମାମଲା ରୁଜୁ କରନ୍ତୁ। ଯଦି ସେଥିରେ ଆମେ ହାରିଯିବା ତେବେ ସମ୍ମୁଖ ସଂଗ୍ରାମ କରି ଲଢ଼େଇର ମଇଦାନରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ମୁଁ ଜୀବନ ବାଜି ଲଗାଇବାକୁ ପଛାଇବି ନାହିଁ। ରାଜମାତା ସୂର୍ଯ୍ୟମଣି ପାଟ୍ଟମହାଦେଈଙ୍କ ଏହି ସୌର୍ଯ୍ୟଦୀପ୍ତ ଆହ୍ୱାନ ଗ୍ରହଣ କଲେ ମଧୁବାବୁ। ଶ୍ରୀମନ୍ଦିର ଓ ଗଜପତି ପରମ୍ପରା ସମ୍ପର୍କରେ ବ୍ୟାପକ ଅନୁଧ୍ୟାନ କରି ଏକ ଐତିହାସିକ ଅର୍ଜି ପ୍ରସ୍ତୁତ ହେଲା। ମଧୁବାବୁଙ୍କ ଖର୍ଚ୍ଚରେ କଲିକତା ହାଇକୋର୍ଟରେ ଆଉ କେତେଜଣ ନାମୀଦାମୀ ଓକିଲ ଏ ମାମଲାରେ ସହାୟତା କଲେ। ଶେଷରେ ଶ୍ରୀଜଗନ୍ନାଥଙ୍କର ଅପାର କରୁଣାରୁ ମଧୁବାବୁ କଲିକତା ହାଇକୋର୍ଟରେ ଗଜପତି ପରମ୍ପରା ପାଇଁ ବିଜୟ ତିଳକ ଆଣିପାରିଲେ। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଠାରୁ ସୂର୍ଯ୍ୟମଣୀ ପାଟ୍ଟମହାଦେଈଙ୍କ ଏହି ଅଦାଲତି ଅଭିଯାନ କୌଣସି ଗୁଣରେ କମ‍୍‌ ନଥିଲା।

 

ଏହି ଘଟଣା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ହାଇକୋର୍ଟର ରାୟ ଧରି ବିଜୟୀ ବୀର ମଧୁବାବୁ ଫେରିଲେ ଓଡ଼ିଶା। ସେତେବେଳେ ପୁରୀକୁ ରେଳ କିମ୍ୱା ବସ‍୍‌ ସେବା ନଥିଲା। କଟକରୁ ପାଲିଙ୍କିରେ ମଧୁବାବୁ ପୁରୀ ଆସିବା ବାଟରେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଲୋକେ ତାଙ୍କୁ ଯେପରି ସମ୍ୱର୍ଦ୍ଧନା ଜଣାଇଥିଲେ ତାହା ଅଦ୍ଭୁତପୂର୍ବ। ଏମିତିକି ସାକ୍ଷୀଗୋପାଳରୁ ପୁରୀ ପର୍ଯ୍ୟନ୍ତ ଜନଗହଳି ଏତେ ବଢ଼ିଯାଇଥିଲା ଓ ଲୋକେ ଏତେ ଭାବବିହ୍ୱଳ ହୋଇପଡ଼ିଥିଲେ ଯେ ବହୁ ସ୍ଥାନରେ ସେମାନେ ମଧୁବାବୁଙ୍କୁ ପାଲିଙ୍କିରୁ ଟେକି ନେଇ କାନ୍ଧରେ ବସାଇ ବସାଇ ପୁରୀ ଅଭିମୁଖେ ସଂକୀର୍ତ୍ତନ ଏବଂ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ପାଛୋଟି ନେଇଥିଲେ। ଯେକୌଣସି ଦିଗ୍‌ବିଜୟୀ ସମ୍ରାଟଙ୍କ ବିଜୟ ଉତ୍ସବ ତୁଳନାରେ ଏ ସମ୍ୱର୍ଦ୍ଧନା କମ‍୍‌ ନଥିଲା। ଏ ଘଟଣା  ଥିଲା ୧୮୮୭ ମସିହାର। ମଧୁବାବୁଙ୍କ ଏହି ସଂଗ୍ରାମ ଯୋଗୁ ଶ୍ରୀମନ୍ଦିରର ସମ୍ପତ୍ତି ସହିତ ଗଜପତି ପରମ୍ପରା ସୁରକ୍ଷିତ ରହିପାରିଲା ଏବଂ ସୂର୍ଯ୍ୟମଣି ପାଟ୍ଟମହାଦେଈଙ୍କ ନାତି ଜଗନ୍ନାଥ ଜେନାମଣି ମୁକୁନ୍ଦ ଦେବ ନାମରେ ନାମିତ ହୋଇ ଗଜପତି ଆସନ ଅଳଙ୍କୃତ କରିଥଲେ। କଥା ଏଇଠି ସରିନି। ପୁରୀ ରାଜନଅର ନିଲାମ ହେବାକୁ ଯାଉଥିବା ବେଳେ ମଧୁବାବୁ ଏହାର ସୁରକ୍ଷା ବି କରିଥିଲେ। ମନ୍ଦିର ପରିଚାଳନା କ୍ଷେତ୍ରରେ ବରାବର ତାଙ୍କର ପରାମର୍ଶ ଲୋଡ଼ା ଯାଉଥିଲା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଓ ଗଜପତି ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସବୁବେଳେ ମଧୁବାବୁ ଆଗେଇ ଆସିଛନ୍ତି।

 

ଶ୍ରୀଜଗନ୍ନାଥଙ୍କ ପ୍ରତି ମଧୁବାବୁଙ୍କ ଅନ୍ୟ ଏକ ଭକ୍ତି ଅର୍ଘ୍ୟ ଦେଖିବାକୁ ମିଳେ ୧୯୦୦ ମସିହାରେ। ତାଙ୍କ ନିମନ୍ତ୍ରଣ କ୍ରମେ ଭାରତର ବଡ଼ଲାଟ ଲର୍ଡ କର୍ଜନ ପୁରୀ ଓ ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ। ପୁରୀରେ ରାଧାବଲ୍ଲଭ ମଠ ଛାତରୁ ଶ୍ରୀମନ୍ଦିର ଦର୍ଶନ କରିବା ପରେ କର୍ଜନଙ୍କୁ ମଧୁବାବୁ ଉପଢୌକନ ଭାବେ ଶ୍ରୀମନ୍ଦିରର ପ୍ରତିକୃତି ପ୍ରଦାନ କରିଥିଲେ। ଏଥିସହିତ ସୁନା, ରୁପାରେ ଖୋଦେଇ ଯେଉଁ ଅଭିନନ୍ଦନ ପତ୍ର ଦିଆଯାଇଥିଲା ସେଥିରେ ଲେଖାଥିଲା- ଦ୍ୱାର ମୁକୁଳ ଦେଶସ୍ୟ ଜଗନ୍ନାଥସ୍ୟ ମନ୍ଦିରମ‍୍‌, ଐତିହାସିକତତ୍ତ୍ୱସ୍ୟ ଜ୍ଞାପକଞ୍ଚ ବିଶେଷତଃ।

 

ଦିଲ୍ଲୀର ଇମ୍ପିରିଆଲ‍୍‌ କାଉନ‍୍‌ସିଲ‍୍‌ ବୈଠକରୁ ଫେରୁଥିବା ମଧୁବାବୁଙ୍କୁ ୧୯୧୩ ଫେବୃଆରୀ ମାସରେ କଟକ ରେଳ ଷ୍ଟେସନରେ ସମ୍ୱର୍ଦ୍ଧନା ଜଣାଇବା ପାଇଁ ବିପୁଳ ଜନସମାଗମ ହୋଇଥିଲା। ଲୋକେ ଏକ ଘୋଡ଼ାବିହୀନ ଘୋଡ଼ାଗାଡ଼ିରେ ମଧୁବାବୁଙ୍କୁ ବସାଇ ଟାଣି ଟାଣି ସହର ପରିକ୍ରମା କରିବା ଯୋଜନାରେ ଥାଆନ୍ତି। ଜନତାର ଭାବାବେଗକୁ ନମ୍ରତାର ସହ ଗ୍ରହଣ କରିଥିଲେ ମଧ୍ୟ ମଧୁବାବୁ କିନ୍ତୁ ମଣିଷ ଟଣା ଗାଡ଼ିରେ ବସିଲେ ନାହିଁ। ଉପସ୍ଥିତ ଜନତାଙ୍କୁ ସମ୍ୱୋଧନ କରି ସେଦିନ ମଧୁବାବୁ ଯେଉଁ କେଇପଦ ଚୁମ୍ୱକୀୟ କଥା କହିଥିଲେ ତାହାକୁ ମଧୁପ୍ରେମୀ ସୁରସିଂହ ପଟ୍ଟନାୟକ ତାଙ୍କ ପ୍ରଣୀତ ଆମ ମଧୁସୂଦନ ପୁସ୍ତକରେ ଏପରି ଲେଖିଛନ୍ତି-ହେ ଶ୍ରୋତୃମଣ୍ଡଳୀ। ଆପଣମାନେ ମହିମାମୟ ଶ୍ରୀଜଗନ୍ନାଥଙ୍କର ପୁଣ୍ୟ ରଥକୁ ବାହି ନେବା ପାଇଁ ଏକାନ୍ତ ଅଧିକାରୀ। ଏହା ଆପଣଙ୍କର ଜନ୍ମସିଦ୍ଧ ଅଧିକାର। ମାତ୍ର ସ୍ମରଣ ରଖ, କେବେହେଲେ ମନୁଷ୍ୟର ଦାସ ହେବା ପାଇଁ ପ୍ରୟାସ କରିବ ନାହିଁ।

 

ଉତ୍କଳ ସମ୍ମିଳନୀ ଠାରୁ ଆରମ୍ଭ କରି ଇମ୍ପିରିଆଲ‍୍‌ କାଉନ‍୍‌ସିଲ‍୍‌ ଏମିତିକି ଇଂଲଣ୍ଡରେ ବିଭିନ୍ନ ଭାଷଣରେ ମଧୁବାବୁ ଶ୍ରୀଜଗନ୍ନାଥଙ୍କ ଜୟ ଜୟକାର କରିବାକୁ ଭୁଲିନାହାନ୍ତି। ବାରମ୍ୱାର ସେ ଚେତାଇ ଦେଇଛନ୍ତି ଯେ ଓଡ଼ିଆ ଶିଶୁଟିଏ ଜନ୍ମ ହେବା ପରେ ତା’ର ଜାତକ ପ୍ରସ୍ତୁତ ହୁଏ ଶ୍ରୀଜଗନ୍ନାଥ ଓ ଗଜପତିଙ୍କ ନାମରୁ। ସୁପ୍ତ ଓଡ଼ିଆ ଜାତିକୁ ଜଗାଇବା ପାଇଁ ବାରମ୍ୱାର ମଧୁବାବୁ ଜଗନ୍ନାଥ ସଂସ୍କୃତିର ଗୌରବାବହ ଇତିହାସର ସ୍ମୃତି ରୋମନ୍ଥନ କରାଇଛନ୍ତି। ବାଲିରେ ପୋତି ହୋଇଥିବା ବଡ଼ଦେଉଳ ରାଜାଙ୍କ ଘୋଡ଼ା ଟାପୁରେ ବାଜି ଯେଭଳି ପୁନରୁଦ୍ଧାର ହେଲା ସହିଭଳି ଏ ଜାତିର ବଡ଼ଦେଉଳକୁ ପୁନରୁଦ୍ଧାର କରିବା ପାଇଁ ସବୁ ଓଡ଼ିଆ ନିଜ ଦେଶ ମାତୃକା ପାଇଁ ଦିନକୁ ମାତ୍ର ୫ ମିନିଟ‍୍‌ ଭାବିବାକୁ ୧୯୦୮ର ଉତ୍କଳ ସମ୍ମିଳନୀରେ ତାଙ୍କ ଆହ୍ୱାନ ଥିଲା ଅନନ୍ୟ। ଉତ୍କଳ ଜନନୀ ଓ ଭାରତ ଜନନୀ ବାବଦରେ କୌଣସି ପ୍ରଭେଦ ଦେଖୁନଥିବା ମଧୁବାବୁ କହୁଥିଲେ ଯେ ଉତ୍କଳର ଚିକିତ୍ସା ଉଦ୍ଦେଶ୍ୟ ହେଉଛି ଭାରତର ଉନ୍ନତି। ଦେଶ ମାତୃକା ପାଇଁ ତାଙ୍କ ବ୍ୟଥିତ ପ୍ରାଣ ଗାଉଥିଲା-

 

ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି

ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ

ଆଶା ଥିଲା ମନେ ଦେଖିବି ଜୀବନେ

ଉତ୍କଳମାତାର ସହାସ୍ୟ ବଦନ

ସେ ଆଶା ତୁଟିଲା ସ୍ୱପନ ଭାଙ୍ଗିଲା

ନଦେଖି ଉତ୍କଳେ କରତବ୍ୟ ଜ୍ଞାନ।

----

କାନ ଦେଇ ଶୁଣ, ମାତା କହୁଛନ୍ତି

ଆସ ଆସ ବତ୍ସ୍ୟ ନୀର ପାନ କର

ଏହି ନୀର ସେହି, ବୀର ମୋ ସନ୍ତାନେ

ବୀର ପ୍ରସବିନୀ କ୍ଷୀର ଏହି ନୀର

ଛାଡ଼ରେ ଆଳସ୍ୟ ବଢ଼ାଅ ସାହାସ

ଜାତି ନନ୍ଦିଘୋଷ କର ଅଗ୍ରସର।

 

ଓଡ଼ିଆ ଜାତିର ପୁନରୁଥାନ ସହିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁଙ୍କ ସମଗ୍ର ଜୀବନ ଥିଲା ସମର୍ପିତ। ଏଥିପାଇଁ ନିଜ ରୋଜଗାରରୁ ଖର୍ଚ୍ଚ କରି କରି ସେ ହୋଇଯାଇଥିଲେ ସର୍ବସ୍ୱାନ୍ତ, ଦେବାଳିଆ। ତଥାପି ବି ସେ ଓଡ଼ିଆ ଜାତିକୁ ଗୁରୁ ମନ୍ତ୍ର ଦେବାରେ କେବେ କାର୍ପଣ୍ୟ କରିନାହାନ୍ତି। ତାଙ୍କର ସେହି କାଳଜୟୀ ମନ୍ତ୍ର-

 

ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର ସ୍ୱାର୍ଥକୁ ଦିଅ ଆହୁତି

ସ୍ୱାର୍ଥମେଧ ଯଜ୍ଞେ ଚାରିଆଡେ଼ ନାଚ ଛାତିକୁ ମିଶାଇ ଛାତି।

 

କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ

ତୃଷ୍ଣାରେ କାତର ଜନନୀକୁ ଚାହିଁ ଯେସନେ ଡାକେ ଚାତକ।

 

ମଧୁବାବୁଙ୍କ ଏ ସବୁ ମର୍ମସ୍ପର୍ଶୀ ଆହ୍ୱାନ ସତ୍ତ୍ବେ ସେତେବେଳେ ବି କିଛି ସ୍ୱାର୍ଥନ୍ୟେଷୀ, ଇର୍ଷା ପରାୟଣ ବ୍ୟକ୍ତି ତାଙ୍କୁ ସୁବିଧା ଉଣ୍ଡି ଆଘାତ କରିବାକୁ ପଛାଉନଥିଲେ। ଏମାନଙ୍କୁ ଚେତାଇ ଦେଇ ବାରମ୍ୱାର ମଧୁବାବୁ ଜଗନ୍ନାଥ ଚେତନାର ସ୍ମୃତିଚାରଣ କରି କହିଛନ୍ତି-

 

ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ

ଟାଣେକିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ?

 

ପର ଧନରେ ପୁନେଇ କରିବା ମଧୁବାବୁଙ୍କ ସ୍ୱପ୍ନର ବାହାରେ। ତାଙ୍କ ଭାଷାରେ ପ୍ପଉତ୍କଳର ଦେଶ ମିଶ୍ରଣ ଆନ୍ଦୋଳନ ପାଇଁ ମୁଁ ବ୍ୟାକୁଳ ଓ ଉତ୍କଣ୍ଠିତ। ମୋର ଅବସ୍ଥାକୁ ଘେନି ମୁଁ ବିଦୁରର ଖୁଦ ଗଣ୍ଡିଏ ମାତ୍ର ଦେଇଛି। ପରଠାରୁ ମାଗି ଦେଶସେବା କାର୍ଯ୍ୟ ମୁଁ ଜାଣେନାହିଁ। ଆମର ପାପ ଦୂର ନହେଲେ ଉତ୍କଳ ମାତାଙ୍କର ଦୁର୍ଦ୍ଦଶା ଦୂର ହେବନାହିଁ।ଡ୍ଗ ପର ଧନ ଉପରେ ଆଶ୍ରିତ ମାଗଣା ଖିଆ ଲୋକ କେବେ ଜାତିର ଉନ୍ନତି କରିପାରିବ ନାହିଁ। ସେଥିଲାଗି ମଧୁବାବୁଙ୍କ ଗୁରୁମନ୍ତ୍ର ଆଜିର ଦିନରେ ବିଶେଷ ପ୍ରାସଙ୍ଗିକତା। ତାଙ୍କ ଭାଷାରେ, ପ୍ପଯେଉଁ ହାତରେ ରୁଟି ଖାଉଛ, ସେହି ହାତର ପରିଶ୍ରମରେ ସେହି ରୁଟିକୁ ଉପାର୍ଜନ କରିବାକୁ ପଡ଼ିବ।

 

ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ମାଧ୍ୟମରେ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ସେ ତାଙ୍କ ଶେଷ ବାର୍ତ୍ତାରେ କହିଥିଲେ ପ୍ପଓଡ଼ିଶାର ଲୋକଙ୍କୁ କହିବ ପେଟରେ ଯାହାକିଛି ମଇଳା ଅଛି ପରିଷ୍କାର କରନ୍ତୁ। ତା’ ହେଲେ ଆମିା ସହଜରେ ପରିଷ୍କାର ହୋଇଯିବ--- ମୁଁ ତ ଯାଉଛି ମନେ ରଖିଥିବ ଜଣେ ଓଡ଼ିଆ ଥିଲା।ଡ୍ଗ ୧୯୪୮ ଅପ୍ରେଲ ୨୮ ତାରିଖରେ ସତ୍ୟଭାମାପୁର ଗାଁରେ ଜନ୍ମ ହୋଇଥିବା ଏହି ମହାମନିଷୀଙ୍କ ଜୀବନଦୀପ ନିର୍ବାପିତ ହୋଇଥିଲା ୧୯୩୪ ଫେବୃଆରୀରେ ତାଙ୍କ ଆବର୍ତ୍ତମାନର ୮୧ ବର୍ଷ ଭିତରେ କେତେ ମଇଳା ସଫା ହୋଇଛି ଓ ଏ ଜାତିର ଆମିା କେତେ ପରିଷ୍କାର ହୋଇଛି, ଆଜି ତାଙ୍କର ୧୬୮ତମ ଜନ୍ମଦିବସରେ ସମୀକ୍ଷା କରିବା କଥା। ତାଙ୍କ ସମସାମୟିକ ବ୍ୟାସକବି ଫକୀରମୋହନ ସ୍ମୃତିଚାରଣରେ କହିଥିଲେ, ଯାଉଥିଲା ଗୋଟେ ଜାତିଟା ଭାସି/ ରକ୍ଷାକରି ଅଛ ସ୍ୱର୍ଗରୁ ଆସି --- ପତିତ ଉତ୍କଳ ଦେଶ ଉଦ୍ଧାର କାରଣ/ ଅବତାର ରୂପେ ଜନ୍ମି ଅଛ ନାରାୟଣ।

 

ଯେଉଁ ସ୍ୱାଭିମାନୀ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଜ ଜୀବନଦୀପକୁ ତିଳତିଳ କରି ମଧୁବାବୁ ଜାଳି ଦେଇଥିଲେ ସେହି ରାଜ୍ୟରେ ସ୍ୱାଭିମାନ ଓ ସମୃଦ୍ଧି  ଏବେ ବି ଅପହଞ୍ଚ। ଓଡ଼ିଶାର ଭାଷା, ସଂସ୍କୃତି ଉପରେ ପ୍ରଶ୍ନବାଚୀ ଲାଗିଛି। ଦାରିଦ୍ର୍ୟ, ବେକାରୀ, ତୋଷାମଦି,  ଆଳସ୍ୟ, ବେରୋଜଗାରୀ, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ବ୍ୟାଧିରେ ଏବେ ବି ଉତ୍କଳ ଜନନୀ ଜର୍ଜରିତା। ସ୍ୱାଭିମାନ ଓ ସ୍ୱାବଲମ୍ୱନ ଏଠାରେ ଯେମିତି ବନ୍ଧା ପଡ଼ିଛି। ଅନ୍ଧକାରାଚ୍ଛନ୍ନ ଉପତ୍ୟକାରୁ ଏକ ଆଲୋକ ଦୀପ୍ତ ଗିରିଶୃଙ୍ଗ ଆଡ଼କୁ ମଧୁବାବୁ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ବି ଅଧୁରା ରହିଛି। ଏଥିପାଇଁ ଆହୁରି ଅନେକ ସଂଗ୍ରାମ ଲୋଡ଼ା। କିନ୍ତୁ ମଧୁବାବୁଙ୍କ ଭଳି ଜୀବନପଣ କରି ଏ ସଂଗ୍ରାମ ଚଳାଇବ କିଏ? ଜାତି ନନ୍ଦିଘୋଷ ଟାଣିବ କିଏ? ଜାତିର ଉନ୍ନତି ପାଇଁ ଅନ୍ତଃକରଣରୁ ଜଗନ୍ନାଥଙ୍କୁ ଡାକିବ କିଏ? ମଧୁବାବୁଙ୍କ ଭାଷାରେ, ପ୍ପଯିଏ ମରିବା ପାଇଁ ପ୍ରସ୍ତୁତ ନୁହେଁ, ବଞ୍ଚିବା ପାଇଁ ସେ ସଂଗ୍ରାମ କରିପାରିବ କିପରି?ଡ୍ଗ ଓଡ଼ିଆ ଜାତି, ଓଡ଼ିଆ ଭାଷା ଓ ଓଡ଼ିଶା ରାଜ୍ୟ ଥିବା ପର୍ଯ୍ୟନ୍ତ ଏବଂ ଯେତେଦିନ ଧରି ଶ୍ରୀଜଗନ୍ନାଥ ପୂଜା ପାଉଥିବେ ସେତେଦିନ ପର୍ଯ୍ୟନ୍ତ ମଧୁବାବୁଙ୍କ ନାମ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ, ଆଉ ଜାତିର ବିପତ୍ତି ବେଳେ ମନେ ପଡ଼ୁଥିବ ବିପେତ୍ତୗ ମଧୁସୂଦନ ମନ୍ତ୍ର।

 

ସଭାପତି, ଉତ୍କଳ ଗାନ୍ଧି ସ୍ମାରକ ନିଧି

ମୋ-୯୪୩୭୦୧୭୩୯୫


ପ୍ରତିକ୍ରିୟା

Chinmayee panda - Email: chinmayeepanda819@gmail.com - Posted on 2017-04-27 19:04:01

Very nice and worth sharing. Thanks to the author and samanya kathana.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top