ଫାଲକେ ପାଇବେ ବିଶ୍ୱନାଥ

News Story - Posted on 2017-04-27

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଅଭିନେତା କାଶୀନାଧୁନି ବିଶ୍ୱନାଥଙ୍କୁ ୨୦୧୬ ବର୍ଷ ପାଇଁ ୪୮ତମ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ‌୍‍ ଭେଙ୍କେୟା ନାଇଡ଼ୁ ଦାଦାସାହେବ ଫାଲକେ ପୁରସ୍କାର କମିଟିର ସୁପାରିସକୁ ଅନୁମୋଦନ କରିଛନ୍ତି। ଭାରତୀୟ ସିନେମାର ବିକାଶ ଏବଂ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାର ସ୍ୱରୂପ ସ୍ୱର୍ଣ୍ଣ କମଳ, ଦଶ ଲକ୍ଷ ଟଙ୍କାର ଅର୍ଥରାଶି ଏବଂ ଏକ ଉତ୍ତରୀୟ ପ୍ରଦାନ କରାଯିବ। ଆସନ୍ତା ମେ ୩ ତାରିଖ ୨୦୧୭ରେ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସମାରୋହରେ ଭାରତର ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।

 

ଶାସ୍ତ୍ରୀୟ ଏବଂ ପାରମ୍ପାରିକ କଳାରେ ନିପୁଣ କେ. ବିଶ୍ୱନାଥ ଭାରତୀୟ ଚଳଚ୍ଚିତ୍ର ଜଗତରେ ଜଣେ ମାର୍ଗଦର୍ଶକ। ୧୯୬୫ରୁ ଅଦ୍ୟାବଧି ୫୦ଟି ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ବଳି  ବିଷୟବସ୍ତୁ, ଭଲ କାହାଣୀକୁ ସାଂସ୍କୃତିକ ପ୍ରାମାଣିକତା ସହିତ ନିଚ୍ଛକ ଭାବେ ଉପସ୍ଥାପନ କରିବା ଲାଗି ସେ ପ୍ରସିଦ୍ଧ। ବ୍ୟାପକ ସାମାଜିକ ଏବଂ ମାନବୀୟ ପ୍ରସଙ୍ଗ ଉପରେ ଆଧାରିତ ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ସାଧାରଣ ଦର୍ଶକଙ୍କୁ ଭଲ ବାର୍ତ୍ତା ଦେଇଥାଏ।

 

ଆନ୍ଧ୍ର ପ୍ରଦେଶର ଗୁଡିଭାଡାଇନ‌୍‍ ଠାରେ ୧୯୩୦ ମସିହା ଫେବୃଆରୀ ମାସରେ କେ. ବିଶ୍ୱନାଥ ଜନ୍ମଗ୍ରହଣ କରିଥିଲେ। କଳା ପ୍ରତି ଅତ୍ୟଧିକ ଆଗ୍ରହ ଯୋଗୁ ସେ କଳା, ସଙ୍ଗୀତ ଏବଂ ନୃତ୍ୟ ବିଷୟବସ୍ତୁକୁ ନେଇ ଏକାଧିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ସାହସ ଏବଂ ଦୁର୍ବଳତା, ଆକାଂକ୍ଷା ଏବଂ ପ୍ରତିବଦ୍ଧତା, ଦୃଢ଼ତା ଏବଂ ବ୍ୟାକୁଳତା, ସାମାଜିକ ଚାହିଦା ଏବଂ ବ୍ୟକ୍ତିଗତ ସଂଘର୍ଷ ତଥା ମାନବୀୟ ଭାବନାର ଭଲ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି। ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ସ୍ୱରୂପ ୧୯୯୨ରେ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା। ସେ ମଧ୍ୟ ୫ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୨୦ଟି ନନ୍ଦୀ ପୁରସ୍କାର (ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା), ଜୀବନବ୍ୟାପୀ ସାଧନା ପୁରସ୍କାରକୁ ମିଶାଇ ୧୦ଟି ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ସ୍ୱାତୀମୁତ୍ୟମ‌୍‍ ୫୯ତମ ଓସ୍କାର ପୁରସ୍କାର ପାଇଁ ଶ୍ରେ  ବିଦେଶୀ ଚଳଚ୍ଚିତ୍ର ବର୍ଗରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ନାମାଙ୍କନ ହାସଲ କରିଥିଲା।

 

ଶ୍ରୀ ବିଶ୍ୱନାଥନ‌୍‍ ନିଜ ଚଳଚ୍ଚିତ୍ର ମାଧ୍ୟମରେ କହୁଥିବା କାହାଣୀ ଅତ୍ୟନ୍ତ ସହଜ। ସେଗୁଡ଼ିକ ଦର୍ଶକମାନଙ୍କୁ ପ୍ରତ୍ୟକ୍ଷ ଏବଂ ସୁଖଦ ଅନୁଭବ ଦେଇଥାଏ। ଏଥିସହିତ ଏହି କାହାଣୀଗୁଡ଼ିକ ଦର୍ଶକଙ୍କୁ ବାରମ୍ୱାର ତାଙ୍କ ଚଳଚ୍ଚିତ୍ରକୁ ଉପଭୋଗ କରିବା ଏବଂ ବିଷୟବସ୍ତୁକୁ ଭଲ ଭାବେ ବୁଝିବା ଲାଗି ଆକର୍ଷିତ କରିଥାଏ।

 

ତାଙ୍କର ସ୍ମରଣୀୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ସିରିଭେନେଲାବାସ‌୍‍, ଏଥିରେ ଜଣେ ଅନ୍ଧ ବଂଶୀବାଦକ ଏବଂ ମୂକ ଚିତ୍ରକର କିଭଳି ପରସ୍ପରର ପ୍ରେମରେ ପଡ଼ୁଛନ୍ତି ତାହା ଦର୍ଶାଯାଇଛି। ଏହା ଭିନ୍ନକ୍ଷମଙ୍କ ପ୍ରତି ଦର୍ଶକଙ୍କ ଚିନ୍ତାଧାରା ବଦଳାଇବାରେ ସହାୟକ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକ ଏବେବି ଶ୍ରୁତିମଧୁର ମନେ ହୋଇଥାଏ। ତାଙ୍କ ଚଳଚ୍ଚିତ୍ର ‘ଶଙ୍କରବରଣମ‌୍‍’ ଭାରତର ଶ୍ରେ  ତଥା କାଳଜୟୀ ଚଳଚ୍ଚିତ୍ର ଭାବେ ପରିଗଣିତ ହେବା ସହ ବିଶ୍ୱ ଦରବାରରେ ମଧ୍ୟ ପ୍ରସିଦ୍ଧି ହାସଲ କରିଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top