ପ୍ରଫୁଲ୍ଲ ପାଇଲେ ଗୋଲ୍ଡମ୍ୟାନ ପୁରସ୍କାର

News Story - Posted on 2017-04-27

ନିୟମଗିରି ପରିବେଶ ସୁରକ୍ଷାରେ ପ୍ରଂଶସନୀୟ ଭୂମିକା ନିର୍ବାହ କରିଥିବା ସଂଗ୍ରାମୀ ପ୍ରଫୁଲ୍ଲ ସାମନ୍ତରା ପାଇଛନ୍ତି ଗୋଲ୍ଡ ପରିବେଶ ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଷଷ୍ଠ ଭାରତୀୟ। ଏପ୍ରିଲ ୨୪ ତାରିଖ ମଧ୍ୟରାତ୍ରରେ ସାନ‌୍‍ ଫ୍ରାନ୍ସିସ୍କୋଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସାମନ୍ତରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

 

ଜୈବ ବିବିଧତାରେ ସମୃଦ୍ଧ ନିୟମଗିରିକୁ ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତର ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା କ୍ଷେତ୍ରରେ ସ୍ଥାନୀୟ ଡଙ୍ଗରିଆ କନ୍ଧମାନଙ୍କର ଆନ୍ଦୋଳନକୁ ସମର୍ଥନ କରୁଥିଲେ ସାମନ୍ତରା। ତାଙ୍କ ସହଯୋଗ ଓ ସମର୍ଥନରେ ଏହି ଆନ୍ଦୋଳନ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଶେଷରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରାମସଭା ଅନୁଷ୍ଠିତ ହୋଇ ଖଣି ପ୍ରକଳ୍ପ ବନ୍ଦ ହୋଇଥିଲା। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ବି ଚାଲିଛି। ସାମନ୍ତରାଙ୍କୁ ଏବେ ୬୫ ବର୍ଷ ବୟସ।

 

ତାଙ୍କ ପୂର୍ବରୁ ଭାରତରୁ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ମେଧା ପାଟେକର, ଏମସି ମେହେଟା, ରସିଦା ବାଇ, ଚମ୍ପାରନ ଶୁକ୍ଳା ଏବଂ ରମେଶ ଅଗ୍ରୱାଲ। ପ୍ରାକୃତିକ ପରିବେଶର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ତୃଣମୂଳ ସ୍ତରରେ ଲଗାତାର ଉଦ୍ୟମ ଚଳାଇଥିବା ପରିବେଶକର୍ମୀଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଥାଏ। ଚଳିତ ବର୍ଷ ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଆମେରିକାର ମାର୍କ ଲୋପେଜ, ସ୍ଲୋଭେନିଆର ୟୁରୋସ ମାସେର୍ଲ, ଗୁଏତମାଲାର ରୋଡ୍ରିଗୋ ଟୋଟ, କଙ୍ଗୋର ରୋଡ୍ରିଗୁଏ କାଟେମ୍ୱୋ ଏବଂ ଅଷ୍ଟ୍ରେଲିଆର େୱଣ୍ଡି ବୋମ୍ୟାନଙ୍କୁ ଏହି ପୁରସ୍କାର ମିଳିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top