ଆଧାରକୁ ବାଧ୍ୟତାମୂଳକ କଲ କାହିଁକି?
News Story - Posted on 2017-04-27
ପର୍ମାନେଣ୍ଟ ଆକାଉଣ୍ଟ ନମ୍ୱର ବା ପ୍ୟାନ୍ କାର୍ଡ଼ ପାଇବାକୁ ଆଧାର ନମ୍ୱର ବାଧ୍ୟତାମୂଳକ କରାଯାଇଥିବାରୁ ତାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ଆଧାର ବାଧ୍ୟତାମୂଳକ ହୋଇପାରିବ ନାହିଁ ବୋଲି ବାରମ୍ୱାର ନିଦ୍ଦେର୍ଶ ଦେବା ସେତ୍ତ୍ୱ ସରକାର ଏପରି କାହିଁକି କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ବିଚାରପତି ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଗଣ୍ଡପୀଠ ଆଗରେ ହାଜର ହୋଇ ଆଟର୍ଣ୍ଣି ଜେନେରାଲ ମୁକୁଳ ରୋହତଗୀ କହିଛନ୍ତି ଯେ ଅନେକ ଲୋକ ଜାଲ୍ ତଥ୍ୟ ଦେଇ ପ୍ୟାନ୍ କାର୍ଡ଼ ହାସଲ କରିଥିବା ଧରାପଡ଼ିଛି। ତେଣୁ ସରକାର ପ୍ୟାନ୍ କାର୍ଡ଼ ପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ କରିଛନ୍ତି। ଏଭଳି ଜାଲ ପ୍ୟାନ୍ କାର୍ଡ଼ ବ୍ୟବହାର କରି ଖୋଳପା ବା ଶେଲ୍ କମ୍ପାନୀଗୁଡ଼ିକ ବେଆଇନ ଭାବେ ଅର୍ଥ ଚାଲାଣ କରୁଛନ୍ତି ବୋଲି ରୋହତଗୀ ଯୁକ୍ତି କରିଛନ୍ତି।
ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ପଚାରିଥିଲେ, ଏହି କାରଣରୁ ତୁମେ ପ୍ୟାନ୍ କାର୍ଡ଼ ପାଇଁ ଆଧାରକୁ ଏକ ସମାଧାନ ଭାବେ ଗ୍ରହଣ କରିଛ କି? ଏହାକୁ ବାଧ୍ୟତାମୂଳକ କରିଛ କାହିଁକି? ଏହି ପ୍ରଶ୍ନର ଉତ୍ତର ଦେଇ ରୋହତଗୀ କହିଥିଲେ ଯେ ଆଗରୁ ଅନେକ ଲୋକ ଜାଲ୍ ପରିଚୟପତ୍ର ଦେଇ ମୋବାଇଲ୍ ସିମ୍ କାର୍ଡ଼ କିଣୁଥିଲେ। ସେତେବେଳେ କୋର୍ଟ ଏହା ଯାଞ୍ଚ କରିବାକୁ ନିଦ୍ଦେର୍ଶ ଦେଇଥିଲେ।
ଏହା ପରେ କୋର୍ଟ ଏ ବିଷୟରେ ଅଧିକ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୨୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପ୍ୟାନ୍ କାର୍ଡ଼ ପାଇଁ ଆଧାର ବାଧ୍ୟତାମୂଳକ ହୋଇଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ୨୦୧୭ ଜୁଲାଇ ପହିଲା ପରଠୁଁ ଯିଏ ବି ପ୍ୟାନ୍ କାର୍ଡ଼ ପାଇଁ ଆବେଦନ କରିବେ ଆଧାର ନମ୍ୱର ଦେବା ବାଧ୍ୟତାମୂଳକ ହେବ। ସରକାର ଏହି ନିଷ୍ପତ୍ତି ନେଇସାରିଛନ୍ତି।
ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ମଧ୍ୟ ଆଧାର ନମ୍ୱର ଦରକାରୀ ହୋଇଯାଇଛି। ଏହା ସପକ୍ଷରେ ଯୁକ୍ତି କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ ଯେ ଖୁବଶୀଘ୍ର ଭୋଟର ପରିଚୟ ପତ୍ର ଓ ପ୍ୟାନ୍ କାର୍ଡ଼ ବଦଳରେ ଆଧାର ଭାରତୀୟ ନାଗରିକମାନଙ୍କର ଏକମାତ୍ର ପରିଚୟପତ୍ର ହେବ।