ରାମଙ୍କ ନାମରେ ଧର୍ମର ହତ୍ୟା!

News Story - Posted on 2017-04-27

ସୂର୍ଯ୍ୟମଣି ମିଶ୍ର

 

ଆମ ହିନ୍ଦୁ ଶାସ୍ତ୍ରରେ ଠାଏଁ ଭଗବାନ କହିଛନ୍ତି ଯେ, ‘ମୁଁ ବୈକୁଣ୍ଠରେ ନଥାଏ, ମୁଁ ଯୋଗୀ ଋଷିଙ୍କ ପାଖରେ ନଥାଏ, ମୋର ଭକ୍ତ ଯେଉଁଠି ଯେତେବେଳେ ମତେ ଡାକିଥାଏ ମୁଁ ତାଙ୍କ ପାଖରେ ହିଁ ଥାଏ’। ଭଗବାନ ବା ଈଶ୍ୱରଙ୍କର ସତ୍ତା ବା ଉପସ୍ଥିତିର ଉଦାହରଣ ଭାବେ ଓଡ଼ିଶାର ସାଲବେଗ, ଦାସିଆ ବାଉରି, ଶ୍ରୀୟା ଚଣ୍ଡାଳୁଣି ଏବଂ ବନ୍ଧୁମହାନ୍ତିଙ୍କ ଉପାଖ୍ୟାନକୁ ନିଆଯାଇଥାଏ।

 

ପୁରାଣ ବର୍ଣ୍ଣନା ଅନୁଯାୟୀ ଗଜରାଜ ଯେତେବେଳେ କୁମ୍ଭୀରରେ କବଳରେ ପଡ଼ିଛି ସେତେବେଳେ ତା’ର ଡାକକୁ ଶୁଣିଛନ୍ତି ଈଶ୍ୱର। ଯେଉଁ ସମୟରେ ଦ୍ରୌପଦୀ ନିଜର ଲଜ୍ଜା ନିବାରଣ ପାଇଁ ଆକୁଳ ଆବେଦନ କରିଛି ସେଠାରେ ଉପସ୍ଥିତ ହୋଇଛନ୍ତି ଈଶ୍ୱର। ତେବେ ଆଜି ଦିନରେ ଧର୍ମର ବା ଈଶ୍ୱରଙ୍କ ସତ୍ତାର ଉପସ୍ଥିତିକୁ ନେଇ ଯେପରି ବିବାଦ ସଂଘର୍ଷ ଚାଲିଛି ତାହା ଈଶ୍ୱରଙ୍କ ସାନ୍ନିଧ୍ୟ ପ୍ରାପ୍ତି ପାଇଁ ନୁହେଁ। ବରଂ ଧନ ଉପାର୍ଜନ, କ୍ଷମତାପ୍ରାପ୍ତି ପାଇଁ ଏହି ମାନବ ବିକାଶ ଯଜ୍ଞ କରାଯାଉଛି। ଅଯୋଧ୍ୟାର ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁତ୍ୱର ଆତ୍ମଘୋଷିତ ରକ୍ଷକମାନଙ୍କର ମଣିଷ ମାରଣ ଅଭିଯାନ ଉପରେ ଆଖି ପକାଇଲେ ଧର୍ମର ମୂଳ ଓ ମୌଳିକ ବିଚାର ଠାରୁ ଏହି ରକ୍ଷକମାନେ ଯେ ଅନେକ ଦୂରରେ ତାହା ସ୍ପଷ୍ଟ ଜଣାପଡେ଼।

 

ଏହି ହିନ୍ଦୁତ୍ୱର ରକ୍ଷକଙ୍କ ତାଲିକା ମଧ୍ୟରେ ଗୋଟିଏ ନାମ ଓ ତାଙ୍କ ଉଚ୍ଚାରଣକୁ ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ। ବ୍ୟକ୍ତି ଜଣକ ହେଉଛନ୍ତି ଆଜିର କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ। ସେ ସୁପ୍ରିମକୋର୍ଟଙ୍କ ଦ୍ୱାରା ତାଙ୍କ ନାମରେ ବାବ୍ରି ମସ‍୍‌ଜିଦ‍୍‌ ଧ୍ୱସ୍ତ କରିବା ନେଇ ଷଡ଼ଯନ୍ତ୍ର କରିବା ନେଇ ମାମଲା ଚାଲୁ ରଖିବା ପାଇଁ ରାୟ ପ୍ରକାଶ ପାଇଥିଲା। ଏହି ରାୟ ପ୍ରକାଶ ପାଇବା ପରେ ଉମା କହିଥିଲେ ଯେ, ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବ। କେହି ଏହାକୁ ଅଟକାଇ ପାରିବେ ନାହିଁ। କାହାର ଶକ୍ତି ମଧ୍ୟ ନାହିଁ। ସୁପ୍ରିମକୋର୍ଟ ମାମଲା ଚଳାଇ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆମେ ଯେ ଅପରାଧ କରିଛୁ ତାହା ପ୍ରମାଣିତ ହୋଇନାହିଁ। ମୁଁ ଶ୍ରୀରାମ, ଗଙ୍ଗା ଏବଂ ଅଯୋଧ୍ୟା ପାଇଁ ଇନ୍ଦ୍ରପଦକୁ ମଧ୍ୟ ତ୍ୟାଗ କରିପାରେ। ମନ୍ତ୍ରୀ ପଦ ତ ଛାଡ଼। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୬ ଡିସେମ୍ୱର  ୧୯୯୨ରେ ଯାହା କରିଥିଲି ତାହା ଖୋଲାଖୋଲି ଭାବେ କରିଥିଲି। ଉମାଙ୍କ ଏହି ବିବୃତ୍ତି ସାମ୍ପ୍ରଦାୟିକ ସଦ‍୍‌ଭାବନା ପ୍ରତିଷ୍ଠା ଦିଗରେ ଯେ ପ୍ରତିକୂଳ ବାର୍ତ୍ତା ଦେଇଛି ତାହାକୁ ଅସ୍ୱୀକାର କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସୁପ୍ରିମକୋର୍ଟଙ୍କ ନ୍ୟାୟାଧୀଶ ପି.ସି. ଘୋଷ ଏବଂ ନ୍ୟାୟମୂର୍ତ୍ତି ରୋହିଂଟନ ନରିମାନଙ୍କ ଖଣ୍ଡପୀଠ ବାବ୍ରି ମସ‍୍‌ଜିଦ‍୍‌ ଧ୍ୱଂସ ମାମଲାର ଶୁଣାଣି କରି ବିଜେପିର ଉମା ଭାରତୀଙ୍କ ସମେତ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ୧୩ ଜଣଙ୍କ ନାମରେ ଷଡ଼ଯନ୍ତ୍ର କରିଥିବାକୁ ନେଇ ମାମଲା ବିଚାର ହେବ ବୋଲି ରାୟ ଦେଇଛନ୍ତି।

 

ଦେଶର ସମ୍ୱିଧାନ ସମସ୍ତଙ୍କୁ ସମାନ ଭାବେ ବଞ୍ଚିବାର ଅଧିକାର ଦେଇଛି। ଧର୍ମ ଓ ଜାତି ନାମରେ ଘୃଣା ସୃଷ୍ଟି କରିବା, ରକ୍ତପାତ କରିବା ନିଶ୍ଚୟ ଅପରାଧ। ଧର୍ମ ସହନଶୀଳତାର ମାର୍ଗଦର୍ଶନ କରିଥାଏ। ଅସହିଷ୍ଣୁତା ନୁହେଁ। ତେବେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ସୁପ୍ରିମକୋର୍ଟଙ୍କ ରାୟ ପରେ ବିବୃତ୍ତି ସମ୍ୱିଧାନ ସମ୍ମତ ଏବଂ ଧର୍ମର ଅନୁକୁଳ କି ନୁହେଁ ତାହା ସ୍ପଷ୍ଟ କରିବା ଉଚିତ ହେବନାହିଁ। ୧୯୯୨ ଡିସେମ୍ୱର ୬ରେ ବାବ୍ରି ମସ‍୍‌ଜିଦ‍୍‌ ଢାଞ୍ଚାକୁ ଯେପରି ବିଜେପିର ନେତାମାନେ ସଂଘ ପରିବାର ନିର୍ଦ୍ଦେଶରେ ଭାଙ୍ଗିଲେ ତାହା ଦ୍ୱାରା ଦେଶରେ ସେହି ସମୟରେ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲା। ଆଜି ସିବିଆଇ ରିପୋର୍ଟ ଅନୁଯାୟୀ ଏହି ବାବ୍ରି ମସ‍୍‌ଜିଦ‍୍‌ ଧ୍ୱଂସ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲ‍୍‌କୃଷ୍ଣ ଆଡ଼ଭାନୀଙ୍କ ସମେତ ୧୩ ଜଣ ଷଡ଼ଯନ୍ତ୍ରକାରୀ ତାଲିକାରେ ରହିଛନ୍ତି।

 

 ୮ ନଭେମ୍ୱର ୨୦୧୭କୁ ଲାଲକୃଷ୍ଣ ଆଡ଼ଭାନୀଙ୍କର ବୟସ ୯୦ ବର୍ଷ ହେବ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଥିବା ଆଡ଼ଭାନୀ ୧୯୯୦ରେ  ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ମହତ୍ୱର ପ୍ରଚାର ପାଇଁ ପଦଯାତ୍ରା କରିବାର ଘୋଷଣା କରିଥିଲା। କିନ୍ତୁ ଆଡ଼ଭାନୀଙ୍କ ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ତତ୍କାଳୀନ ବିଜେପି ନେତା ପ୍ରମୋଦ ମହାଜନ ପଦଯାତ୍ରା ଦ୍ୱାରା ଦେଶର ସବୁ ଅଞ୍ଚଳବାସୀଙ୍କୁ ରାମମନ୍ଦିର ନିର୍ମାଣର ମହତ୍ୱ ଜଣାଇବା ବହୁଦିନ ଲାଗିବ ବୋଲି ମତ ଦେଇଥିଲେ। ଫଳରେ ପ୍ରମୋଦ ମହାଜନଙ୍କ ମତ ଅନୁସାରେ ପଦଯାତ୍ରା ପରିବର୍ତ୍ତେ ଆଡ଼ଭାନୀ ରଥଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ଛୋଟ ବସ‍୍‌କୁ ରଥଭାବେ ସୁସଜ୍ଜିତ କରାଯାଇ ଏହି ରଥଯାତ୍ରା ଅଭିଯାନ ଆରମ୍ଭ ହୋଇଥିଲା। ୧୯୯୦ରେ  ଏହି ରଥଯାତ୍ରାକୁ ବିହାରର ସମସ୍ତିପୁରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଅଟକାଇବା ସହ ଆଡ଼ଭାନୀଙ୍କୁ ଗିରଫ କରାଇଥିଲେ। ଆଡ଼ଭାନୀ ଗିରଫ ହେବା ପରେ ଆଉ ରଥଯାତ୍ରା ଆଗକୁ ବଢି ପାରିନଥିଲା। କିନ୍ତୁ ବିଜେପି  ୧୯୮୯ରେ ଅଯୋଧ୍ୟାର ରାମମନ୍ଦିରକୁ ପ୍ରସଙ୍ଗ କରି ଲୋକସଭାରେ ୮୫ଟି ଆସନ ପାଇଥିବାବେଳେ ୧୯୯୧ରେ ଦଳର ଆସନ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଥିଲା। ଆଡ଼ଭାନୀଙ୍କ ରଥଯାତ୍ରାର ଦୁଇବର୍ଷ ପରେ ଅଯୋଧ୍ୟାର ବାବ୍ରି ମସ‍୍‌ଜିଦକୁ ଭଙ୍ଗାଗଲା। ଏହା ପରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଭଳି ଘଟଣାକୁ ନେଇ ଯାହା ଘଟିଲା ତାହା ଦେଶ ଓ ବିଶ୍ୱର ଅନେକ ନାଗରିକ ଜାଣନ୍ତି। ନିକଟରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣକୁ ପ୍ରସଙ୍ଗ କରି ୨୦୧୪ରେ ବିଜେପି କେନ୍ଦ୍ର କ୍ଷମତାକୁ ଆସିପାରିଲା। ୨୦୧୭ରେ ଉତ୍ତର ପ୍ରଦେଶରେ ଅଭୂତପୂର୍ବ ବିଜୟ ହାସଲ କରିଛି। ବାବ୍ରି ମସ‍୍‌ଜିଦ‍୍‌ ଢାଞ୍ଚା ଭଙ୍ଗାଯିବାର ୨୫ ବର୍ଷ ପରେ ସୁପ୍ରିମକୋର୍ଟ ବିଜେପିର ୧୩ ଜଣ ନେତା (ଆଡ଼ଭାନୀଙ୍କ ସମେତ)ଙ୍କ ନାମରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରଚନା କରିଥିବା ନେଇ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଏହି ମାମଲା ଦୁଇବର୍ଷ ମଧ୍ୟରେ ଫଇସଲା ହେବ। ଏ ସଂପର୍କୀତ ମାମଲା ଲକ୍ଷ୍ନୌ ଉଚ୍ଚନ୍ୟାୟାଳୟରେ ପ୍ରତିଦିନ ଶୁଣାଣି ହେବ। ହୁଏତ ଏହି ମାମଲା ଶୁଣାଣି ଶେଷ ହେବା ବେଳକୁ ଆଡ଼ଭାନୀ ୯୨ ବର୍ଷରେ ପଦାର୍ପଣ କରିଥିବେ। ଆଜି ଦିନରେ ଆଡ଼ଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କର ରାଷ୍ଟ୍ରପତି ହେବାର ଆଶା ମଉଳି ଯାଇଛି। ଏହା ସତ୍ୟ ଯେ, ନିକଟରେ ସୁପ୍ରିମକୋର୍ଟ ରାମମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଆପୋଷ ବୁଝାମଣା ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାମ ଜନ୍ମଭୂମି-ବାବ୍ରି ମସ‍୍‌ଜିଦ‍୍‌ ବିବାଦ ଏକ ସମ୍ୱେଦନଶୀଳ ପ୍ରସଙ୍ଗ। କୋର୍ଟ କହିଛନ୍ତି ପରସ୍ପର ତ୍ୟାଗ ଭାବନାକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ହେବା ଜରୁରୀ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଏସ‍୍‌. ଖେହାର କହିଛନ୍ତି ଦୁଇପକ୍ଷ ଚାହିଁବେ ତ ଏହି ବିବାଦର ସମାଧାନ ପାଇଁ ସେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ। ସୁପ୍ରିମକୋର୍ଟଙ୍କ ଏହି ମତ ପରେ ଦୁଇପକ୍ଷର ପ୍ରତିକ୍ରିୟା ଯାହା ବିବାଦର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

 

କୌଣସି ଧର୍ମ, ସଂକୀର୍ଣ୍ଣତା, ବିଦ୍ୱେଷତାର କଥା କହିନାହିଁ। କୌଣସି ଧର୍ମର ପ୍ରତିଷ୍ଠାତା ବା ଗୁରୁ ମଧ୍ୟ ଧାର୍ମିକ ଘୃଣା ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇନାହାନ୍ତି। ତେବେ ଆଡ଼ଭାନୀଙ୍କ ଭଳି ବରିଷ୍ଠ ରାଜନେତାଙ୍କ ଏହି ଧର୍ମ ସ୍ଥଳିକୁ ଭିତ୍ତିକରି ହିଂସାର ପରିବେଶ ସୃଷ୍ଟି କରିବା ନିଶ୍ଚୟ ଧର୍ମର ବିରୁଦ୍ଧାଚରଣ। ବିରାଡ଼ି ଯେପରି କ୍ଷୀର ହାଣ୍ଡିରେ ମୁହଁ ପୂରାଇଥିବାବେଳେ ତାର ବେକ ପର୍ଯ୍ୟନ୍ତ ହାଣ୍ଡି ଭିତରେ ପଶିଯାଇଥାଏ, ଆଜି ଦିନରେ ବିଜେପିର ମାତୃସଂଗଠନ ଆର‍୍‌ଏସ‍୍‌ଏସ‍୍‌ର ହିନ୍ଦୁତ୍ୱରକ୍ଷକଙ୍କ ବେକ ବିରାଡି ଭଳି ବାବ୍ରି ମସ‍୍‌ଜିଦରେ ପଶିଯାଇଛି। ବିରାଡ଼ି-ହାଣ୍ଡି ଏବଂ କ୍ଷୀରକୁ ନେଇ ସଂଘ ପରିବାରର ସଦସ୍ୟ ବିଜେପିର କର୍ମକର୍ତ୍ତା ନିଜ ନିଜ ବେକକୁ ବାବ୍ରି ମସ‍୍‌ଜିଦ ମାମଲାରେ ପୂରାଇ ଦେଇଛନ୍ତି। ଏହାର ସୂଚନା ମିଳିଛି ସୁପ୍ରିମକୋର୍ଟଙ୍କ ସଦ୍ୟତମ ମାମଲା ଶୁଣାଣି ରାୟ। ଉମା ଭାରତୀଙ୍କ ଭଳି ଆଉ ଜଣେ ବାବ୍ରି ମସ‍୍‌ଜିଦ‍୍‌  ଭଙ୍ଗା ଘଟଣାର ଷଡ଼ଯନ୍ତ୍ରକାରୀ (ସିବିଆଇ ତଦନ୍ତ ମୁତାବକ) ରାମବିଳାସ ବେଦାନ୍ତୀ କହିଛନ୍ତି ଯେ, ମୁଁ, ଅଶୋକ ସିଙ୍ଘାଲ ଓ ମହନ୍ତ ଅବୈଦ୍ୟନାଥ  ବାବ୍ରି ମସ‍୍‌ଜିଦ‍୍‌ ଭାଙ୍ଗିବା ପାଇଁ ଉସୁକାଇଥିଲୁ। ତାଙ୍କ ସ୍ୱୀକାରୋକ୍ତି ହେଲା, ଆଡ଼ଭାନୀ ନୁହନ୍ତି, ଆମେ କରସେବକଙ୍କୁ ବାବ୍ରି ମସ‍୍‌ଜିଦ‍୍‌ ଭାଙ୍ଗିବା ପାଇଁ କହିଥିଲୁ। ତାଙ୍କର ଦାବି ହେଉଛି ବିବାଦୀୟ ୬୭.୭୭ ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଉ, ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ହେବ।

 

ବେଦାନ୍ତୀ ହେଉଛନ୍ତି ବିଜେପିର ପୂର୍ବତନ  ସାଂସଦ। ସମ୍ୱିଧାନର ନୀତି ନିର୍ଦ୍ଦେଶ ତାଙ୍କୁ ଅଜଣା ନୁହେଁ, କିନ୍ତୁ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମନ୍ଦିର ନିର୍ମାଣ ଭଳି ବିବାଦୀୟ ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଠାରେ  ଶ୍ରୀରାମଙ୍କ ସଂପର୍କରେ ଅବତାରଣା କରିବା ଉଚିତ ହେବ। ଶ୍ରୀରାମଙ୍କ ସ୍ୱରୂପ କେବେବି ହିଂସାତ୍ମକ ନଥିଲା। ଶ୍ରୀରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତାଙ୍କୁ ଓ ତାଙ୍କ ସ୍ୱରୂପକୁ ନେଇ ହିନ୍ଦୁତ୍ୱବାଦୀ ସଂଘ ପରିବାର ସଦସ୍ୟ ନିଜକୁ ଧର୍ମରକ୍ଷକ ଭାବେ ଉପସ୍ଥାପନ କରି ଯେପରି ହିଂସାର ବାତାବରଣ ସୃଷ୍ଟି କରୁଛନ୍ତି ତାହା ଶ୍ରୀରାମଙ୍କ ଆଦର୍ଶର ପରିପନ୍ଥୀ। ରାମ କଥାର ପ୍ରଚାରକ ସନ୍ଥ ମୋରାରୀ ବାପୁ ଗୁଜରାଟର ଭାବନଗର ଜିଲ୍ଲାର ମହୁଆ ନାମକ ସ୍ଥାନରେ (ନିଜ ପୈତୃକ ଜମି ଉପରେ) ନିର୍ମିତ କରିଛନ୍ତି ରାମମନ୍ଦିର। ଏଠାରେ ପ୍ରତିଷ୍ଠା ହୋଇଥିବା ଶ୍ରୀରାମଙ୍କ ହାତରେ କୌଣସି ଅସ୍ତ୍ର ନାହିଁ। କେବଳ ଶ୍ରୀରାମ ନୁହନ୍ତି, ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଅସ୍ତ୍ର ସ୍ଥାନ ପାଇନାହିଁ। ମୋରାରୀ ବାପୁଙ୍କ କହିବା କଥା ଭଗବାନଙ୍କ ଇଚ୍ଛା, କଳ୍ପନା ଓ ଚିନ୍ତାରେ ଅସ୍ତ୍ରର ସ୍ଥାନ ନଥାଏ। ଭବିଷ୍ୟତରେ  ଈଶ୍ୱରଙ୍କର କୌଣସି ଅସ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ। ମୋରାରୀ ବାପୁଙ୍କ ବିଚାର ହିନ୍ଦୁତ୍ୱବାଦୀଙ୍କ ବିଚାରର ସଂପୂର୍ଣ୍ଣ ବିପରିତ। ମୋରାରୀ ବାପୁଙ୍କ ଦୃଷ୍ଟିରେ ରାମଙ୍କ ସ୍ୱରୂପ ହେଲା, ସମାଜରେ ସୌହାର୍ଦ୍ଦ୍ୟ ବଜାୟ ରଖିବା। ଏହା ହେଉଛି ହିନ୍ଦୁଧର୍ମର ମୌଳିକତା।

 

ଧର୍ମର ମୂଳରେ ହିଁ ଅଛି ସଦ‍୍‌ଭାବନା। କିନ୍ତୁ ହିନ୍ଦୁତ୍ୱବାଦୀଙ୍କ ଲକ୍ଷ୍ୟ ହେଲା ଧର୍ମକୁ ଅସ୍ତ୍ରକରି ବିଭାଜନ ମାଧ୍ୟମରେ ରାଜନୈତିକ କ୍ଷମତା ହାସଲ କରିବା। ଯେଉଁ କେତୋଟି ଧର୍ମ  ହିନ୍ଦୁ ଧର୍ମର ଉତ୍ପତ୍ତି ପରେ ହୋଇଛି ସେହି ଧର୍ମଗୁଡ଼ିକ ମଧ୍ୟରୁ ଅଧିକାଂଶ ଧର୍ମର ତଥାକଥିତ ରକ୍ଷକମାନେ ଧର୍ମରକ୍ଷା ନାମରେ ରାଜନୈତିକ କ୍ଷମତା ହାସଲ ପାଇଁ ରକ୍ତପାତକୁ ଆପଣଉଛନ୍ତି। ଯାହା ହିନ୍ଦୁ ଧର୍ମର ପରିପନ୍ଥୀ। ଗାନ୍ଧୀଙ୍କ ଦୃଷ୍ଟିରେ ରାମ, ମୋରାରୀ ବାବୁଙ୍କ ଦୃଷ୍ଟିରେ ରାମ, ସମାଜରେ ଶାନ୍ତି, ସଦ‍୍‌ଭାବନା ଏବଂ ଭାଇଚାରା ପ୍ରତିଷ୍ଠା ସହ ସମାନତାର ବାର୍ତ୍ତା ଦେଉଥିବାବେଳେ ହିନ୍ଦୁତ୍ୱବାଦୀଙ୍କ ରାମ ଅସ୍ତ୍ର ଧାରଣ କରି ଅନ୍ୟ ଧର୍ମାବଲମ୍ୱୀଙ୍କୁ ବିନାଶ କରିବାର ବାର୍ତ୍ତା ଦେଉଛନ୍ତି। ଏହା ଧର୍ମର ପ୍ରତିକୁଳ। ହିଂସା ଧର୍ମର ଭାଷା ନୁହେଁ। ଶ୍ରୀରାମଚନ୍ଦ୍ରଙ୍କର ବିଚାର ମଧ୍ୟ ନୁହେଁ। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ, ଅନ୍ୟ ଦୁଇଟି ଧର୍ମର ଆମିଘୋଷିତ ରକ୍ଷକ ଏହି ହିନ୍ଦୁତ୍ୱବାଦୀଙ୍କ ମୌଳବାଦୀ ବିଚାର ଠାରୁ ପୃଥକ୍ ନୁହନ୍ତି। ବିଦେଶର ଆର୍ଥିକ ସହାୟତାରେ ଏହି ଧର୍ମରକ୍ଷକ କେତେଜଣ ନିଆଁରେ ଘିଅ ଢାଳୁଛନ୍ତି। ଏହା ସତ୍ୟ ଯେ କାଶ୍ମୀର‍୍‌ଠାରୁ ନାଗାଲାଣ୍ଡ ମଣିପୁରଯାଏ ଦେଶର ଅନ୍ୟ କେତେକ ପ୍ରାନ୍ତରରେ ଅରାଜକତା, ଆତଙ୍କବାଦ ଭଳି ପରିସ୍ଥିତି ସୃଷ୍ଟିରେ ନିଜର ଭୂମିକା ପାଳନ କରୁଥିବା ଅଛପା ନୁହେଁ।

 

ଧର୍ମରକ୍ଷା ପାଇଁ ସଂପ୍ରିତି, ସଂହତି ହେଉ ବ୍ରତ ଓ ମନ୍ତ୍ର। ଶ୍ରୀରାମଙ୍କ ନାମରେ, ମନ୍ଦିର ନିର୍ମାଣ ନାମରେ, ମସ‍୍‌ଜିଦ‍୍‌ ସୁରକ୍ଷା ନାମରେ, ଚର୍ଚ୍ଚ ନିର୍ମାଣ ନାମରେ ଧର୍ମର ବିରୁଦ୍ଧାଚରଣ କରାନଯାଉ। କାରଣ ଦେଶର ସାଧାରଣ ନାଗରିକ ଏବେବି  ଦାରିଦ୍ର୍ୟ, ନିରକ୍ଷରତା, କୁପୋଷଣ, ସ୍ୱାସ୍ଥ୍ୟ ଅବ୍ୟବସ୍ଥାରେ ଘାଣ୍ଟି ହେଉଛନ୍ତି। କୃଷକ ଆତ୍ମହତ୍ୟା କରୁଛନ୍ତି। ସମାଜରେ ବଞ୍ଚିତ, ଅବହେଳିତବର୍ଗଙ୍କ ଉପରେ ଚାଲିଥିବା ଅତ୍ୟାଚାର ବଜାୟ ରଖିବା ପାଇଁ ଧର୍ମ ସୁରକ୍ଷା ନାମରେ ଧର୍ମର ବିରୁଦ୍ଧାଚରଣ କରାଯାଇ ରାଜନୀତି କରାନଯାଉ। ଏହାହିଁ ହେବ ଦେଶ ପାଇଁ ପ୍ରକୃତ ରାଷ୍ଟ୍ରବାଦର ସ୍ୱରୂପ।

 

ଭୁବନେଶ୍ୱର, ଫୋନ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top