ଓଡ଼ିଆଙ୍କ ଓଡ଼ିଆ ଶିକ୍ଷା

News Story - Posted on 2017-04-27

ରବି କାନୁନ୍‌ଗୋ

 

The central dilemma in journalism is that you don’t know what you don’t know.- Bob Woodward

 

ଲୁଚିବା ଓ ହଜିବା ଭିତରେ ଆକାଶ ପାତାଳ ପ୍ରଭେଦ। ଇଚ୍ଛା କରି ହଜିଲେ ତାହା ଲୁଚିବା ସାଙ୍ଗରେ ସମାନ ଏବଂ ମନ ଭୁଲେଇ ନିଜେ ଲୁଚିବା ଅସମ୍ଭବ। ଏ ଦୁଇ ଅନ୍ତିମ ବାସ୍ତବତା ଭିତରେ ମଣିଷ ବଞ୍ଚିବାକୁ ବାଧ୍ୟ। ଏ ବ୍ୟବଧାନର କଣ୍ଟା ଜଗି ବାଟ ନ ଚାଲିଲେ କାଲିର ପ୍ରେମ ଆଜି ପ୍ରଳୟରେ ପରିଣତ ହୁଏ।

 

ବବ୍ ଉଡ଼ୱାର୍ଡ଼ ଥିଲେ ୱାଶିଂଟନ୍ ପୋଷ୍ଟର ସମ୍ବାାଦିକ। କାର୍ଲ ବେନ୍‌ଷ୍ଟେନ୍‌ ଓ ସେ ମିଶି 1972ରେ ୱାଟର୍-ଗେଟ୍ ସ୍କାଣ୍ଡାଲ୍ ଲୋକଲୋଚନକୁ ଆଣିଥିଲେ। ପ୍ରେସିଡେଣ୍ଟ୍ ରିଚାର୍ଡ ନିକ୍ସନ୍‌ଙ୍କୁ ସେଥିପାଇଁ ଇସ୍ତଫା ଦେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ବା ପରେ କୌଣସି ରାଷ୍ଟ୍ରପତି ଇସ୍ତଫା ଦେଇ ନଥିଲେ। ଅଲ୍ ଦି ପ୍ରେସିଡେଣ୍ଣସ ମେନ୍ ଥିଲା ସେତେବେଳେର ବହୁଚର୍ଚ୍ଚିତ ଓ ବିବାଦୀୟ ପୁସ୍ତକ।

 

ୱାଟର୍-ଗେଟ୍ ସ୍କାଣ୍ଡାଲ୍ ଯେତେବେଳେ ନ୍ୟାୟିକ ତର୍ଜମା ଭିତରକୁ ପଶିଲା, ଲେଖକଙ୍କୁ ପ୍ରଶ୍ନ କରାଗଲା, ଆଗେ ୟାକୁ ନ ଦେଖି ତାକୁ କାହିଁ ଦେଖିଲ?

 

ତାଙ୍କ ଉତ୍ତର ଥିଲା, ସବୁ ସାମ୍ବାଦିକଙ୍କ ଦୁଃଖ ହିଁ ସେତିକି। ସମୁଦାୟ ପ୍ରସଙ୍ଗରୁ ସେ କ’ଣ ଜାଣି ନ ଥାଏ, ସେତିକି ହିଁ ଜାଣି ନ ଥାଏ। ତେଣୁ ଆଗ ପଛ କିଛି ନ ବାରି ସେ ଯେଉଁଠି ଇଚ୍ଛା ସେଇଠି ମାଡ଼ିବସେ।

 

ସରକାରୀ କାମ ଏଣିକି ଓଡ଼ିଆରେ ହେବ। 2010ରେ ଏମିତି ଘୋଷଣା କରିବାରେ ନବୀନ ପଟ୍ଟନାୟକ ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ। ସବୁଠଁୁ ବଡ଼ ରାଜନୈତିକ ବିରୂପ ଭାଷା ଭିତରେ ହିଁ ଲୁଚି ରହିଥାଏ। ତେଣୁ ଭାଷା କେବଳ ପ୍ରେମ ସୃଷ୍ଟି କରେନି; ପ୍ରଳୟ ବି ରଚେ। ଓଡ଼ିଆ ଏମିତି କିଛି ବିପଦରେ ଥିଲା କି ମୁଖ୍ୟମନ୍ତ୍ରୀ ବା ସରକାରର ହସ୍ତକ୍ଷେପ ହଠାତ ଦରକାର ପଡ଼ିଲା? ସେପରି କିଛି ଆକସ୍ମିକ ବିପଦର ସଙ୍କେତ ତ ଦେଖାଯାଉ ନାହିଁ। ବା, ସରକାର ଦ୍ବାରା ଭାଷାର ଯେ କିଛି ହିତ ସାଧନ ହୋଇପାରେ ଏକଥା କେହି ବିଶ୍ବାସ କରନ୍ତିନି। କାରଣ ସେମାନେ ନିଜେ ଓଡ଼ିଆ ଭାଷା ଜାଣନ୍ତି ନାହିଁ। 

 

ଓଡ଼ିଶା ଓ ଓଡ଼ିଆ ଭାଷାର ସଂପର୍କ ଜଗନ୍ନାଥଙ୍କ ସୃଷ୍ଟି ସହିତ ଯୋଡ଼ି ହୋଇ ଆଗକୁ ଚାଲିଛି। ଜଗନ୍ନାଥ ପଡ଼ନ୍ତି ଓ ଉଠନ୍ତି। ତେବେ ବି ଆଗକୁ ଚାଲନ୍ତି। ଓଡ଼ିଆ ଭାଷା ବି ସେମିତି। ସୁନା ଚାମଚ ଚୁଚୁମି ଜନ୍ମ ହୋଇ ନଥିଲା। ଦେବଦୂତ ପରି କମିସନର ଲର୍ଡ ଏଲଗିନ ଅନୁଭବ କଲେ ଯେ, ହଁ ଇଏ ଏମିତି ଗୋଟେ ଭାଷା ଯାହା ଜଗନ୍ନାଥଙ୍କୁ ନେଇ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୂଚାଇ ପାରେ। ତାହା ବଙ୍ଗଳା, ହିନ୍ଦୀ ବା ତେଲଗୁ ନୁହେଁ। ଏଠି ବି ଜଗନ୍ନାଥ ପିଠିରେ ପଡ଼ିଲେ।

 

ଏଲଗିନ ସାହେବଙ୍କ ଆଦେଶରେ 1895ରେ ସେଣ୍ଟ୍ରାଲ ପ୍ରଭିନ୍ସ ଅଧୀନରେ ସମ୍ବଲପୁର କୋର୍ଟରେ ପ୍ରଥମ ଓଡ଼ିଆ ପ୍ରଚଳନ ହେଲା। ତେଣୁ ଏ ଭାଷାର ଏନ୍ତୁିଶାଳ ସମ୍ବଲପୁର। ଯୁଗର ସୁଯୋଗ ନେଇ ତାହା ନିଜ ଦମ୍ଭରେ ଆଗେଇଛି। ଏହା ଯୁଗର ଆକସ୍ମିକତା ଥିଲା ବା ଜାତିର ଆବଶ୍ୟକତା ଥିଲା, ତାହା ଆଜି କହିବା କଷ୍ଟ।

 

ଆଜି ଭାଷା ରାଜଯୋଗ୍ୟ। ଗଣତନ୍ତ୍ରର ସଫଳତା ପାଇଁ ଲୋକଯୋଗ୍ୟ କିପରି ହେବ? ଏହା ମଧ୍ୟ ସମସ୍ତଙ୍କ ଦାୟିତ୍ବ। ବାହାଘର ନିମନ୍ତ୍ରଣପତ୍ର ଇଂଲିଶରେ ଛାପୁଥିବା ଓଡ଼ିଆଙ୍କ ପରି ଅଭ୍ୟାସ ଦୋଷରେ ସରକାର ବି ଅକ୍ରାନ୍ତ। ଓଡ଼ିଶାର ଶିକ୍ଷିତମାନେ ଓଡ଼ିଆରେ ଲେଖନ୍ତିନି। ଏହାର କାରଣ ନୁହେଁ ଯେ ସେମାନେ ଇଂଲିଶରେ ପଣ୍ଡିତ। ଅଖବା ଅଭ୍ୟାସ ଦୋଷ ଛାଡ଼, ଏହା ସପକ୍ଷରେ ଖାସ୍ କିଛି ଯୁକ୍ତି ନ ଥାଏ।

 

ସିଜିନ ଚାଲିଛି। ଆମେ ଲକ୍ଷ୍ୟ କରୁ ଯେ ଓଡ଼ିଆ ଲୋକେ ବାହା-ବ୍ରତ-ଘରପ୍ରତିଷ୍ଠା ଇତ୍ୟାଦି ନିମନ୍ତ୍ରଣ-ପତ୍ର ଇଂଲିଶରେ ଛାପନ୍ତି। ଦେଶର ଅନ୍ୟ ପ୍ରାନ୍ତରେ ଆଉ କେହି ଏମିତି କରନ୍ତିନି। ଓଡ଼ିଆମାନେ ଏମିତି କରନ୍ତି କାହିଁକି? ଯଦିଓ ହର୍ତ୍ତା, କର୍ତ୍ତା ଏବଂ ଅତିଥିଙ୍କ ଭିତରୁ 99.99% ଓଡ଼ିଆଭାଷୀ। ପୁଣି ସେଥିରେ ଯେଉଁ ବିଛୁଆତି କିସମ ଶବ୍ଦ ପ୍ରୟୋଗ ହୁଏ, ନ କହିବା ଭଲ। ଆଜି ଲେଖା ହେଉଛି ‘ୱେଡିଂ ନଟ୍‌’ (ଶୁଭ ପରିଣୟ) ଓ ‘ଥ୍ରେଡ଼ ସେରିମନି’ (ବ୍ରତୋପନୟନ)। ସମୟାନୁକ୍ରମେ ହୁଏତ ସେଗୁିକ ହ୍ୟାଙ୍ଗିଂ ନଟ୍‌ ଗିଟିନ୍‌ ବା ରୋପ୍‌ରେ ପରିଣତ ହୋଇପାରେ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top