ମୁକ୍ତି

News Story - Posted on 2017-04-27

ଶ୍ବେତା ରାଉତ

 

ଘନଘମା କୁହୁଡ଼ିର ବଳୟରେ ଠିଆ ହୋଇ

ତୁମେ ଯଦି କୁହ

ଆର ପଟେ କିଛି ନାହିଁ, ଶୂନ୍ୟର ବଳୟ

ତାହା କି ତୁମର ଅଜ୍ଞାନତା ନୁହଁ?

 

ବେଳେବେଳେ ବିଜ୍ଞତାରେ

ଲୁଚିଥାଏ ଅଜ୍ଞାନତା

ମାୟାମୃଗ ପଛେ ଧାଇଁଥିଲେ

ରାମଚନ୍ଦ୍ର, କହିଥିଲେ ସୀତା।

 

ବେଳେବେଳେ ସୁପର୍ଣ୍ଣଖା ରୂପରେ ବି

ଆସନ୍ତି ସୁନ୍ଦରୀ କରିବାକୁ କ୍ଷତାକ୍ତ କାହାକୁ

ବେଳେବେଳେ ନ୍ୟାୟ ଦେବାବେଳେ

ସମାଜ ବି ପାଲଟଇ ମୂକ

ଅସମର୍ଥ କୁରୁସଭା ପରି।

 

ତୁମେ ଜାଣ କ’ଣ ଆଦରିବ-

ଅର୍ଜୁନ ତୂଣୀର ଅବା ପାଂଚାଳିର ସ୍ବାଭିମାନ,

ଶ୍ରୀକୃଷ୍ଣଙ୍କ ଆବିଳତା, ଅଭିମନ୍ୟୁ ସାହସ, ସଂଘର୍ଷ?

 

ମୁଁ କିନ୍ତୁ କୁନ୍ତଭୋଜ କନ୍ୟା ହେବି

ଅବିରତ ଦୁଃଖର ନଈ ପହଁରିବି

ମୋହଗ୍ରସ୍ତ କୌରବଙ୍କ ଗହଳି ଭିତରେ

ଶୀତଳଯୁଦ୍ଧଟେ ମନେ ପାଞ୍ଚୁଥିବି

ନ୍ୟାୟ ପାଇଁ, ନିଷ୍ପେଷିତ ପାଣ୍ଡବଙ୍କ ପାଇଁ

ମୁକୁଳା କବରୀ ବାନ୍ଧିବାର

ଅପେକ୍ଷାରେ ରହିଥିବା ପାଞ୍ଚାଳିଙ୍କ ପାଇଁ।

 

ତୁମେ ଯଦି ଭୀଷ୍ମ ହେବ କ୍ଷମତାର ପଙ୍ଗୁ

ବିବସ ଓ ଅସହାୟ ଦ୍ରୋଣ?

ମୁଁ କ’ଣ କରିବି କୁହ?

ତୁମେ କି ପିଲାଟିଏ ଦୁଷ୍ଟ?

ବୁଝେଇବି ବତେଇବି ବାଟ?

 

କୁହୁଡ଼ି ହଟିଲେ ତୁମେ ନିଜେ ଜାଣିଯିବ

ଆର ପଟେ ଅଛି କ’ଣ?

ଶୂନ୍ୟତା ନା ବସ୍ତୁର ସହର?

ଫୁଲର ବଗିଚା ନା

କଂକ୍ରିଟ ଜଙ୍ଗଲ?

 

ତୁମକୁ ମୁଁ ଶିଖେଇବି କ’ଣ?

ତୁମେ ପଡ଼ିବ, ଉଠିବ, ଦିଗ ହଜାଇବ,

ପରିସ୍ଥିତିର ଚୋଟରେ ବିବ୍ରତ ହେବ,

ଅସହିଷ୍ଣୁତାରେ ଚିତ୍କାର କରିବ,

ଅସ୍ବାଭାବିକତାରେ ସ୍ଥାଣୁ ପାଲଟିବ,

ପୁଣି କେବେ ଅଣ୍ଟା ସଳଖିବ।

 

ତୁମକୁ ମୁଁ ହାରିବାକୁ ଏକା ଛାଡ଼ିବିନି,

ଥିବି ପାଖେ କୃଷ୍ଣ ପରି

ଶିଖେଇବି କୌଶଳ ଯୁଦ୍ଧର,

ଶେଷ ଦୃଶ୍ୟ ଯାଏଁ ରହିଥିବି

କଥା ତ ଦେଇଛି-

ତୁମେ ତୁମ ଅଧିକାର ପାଇବ

ଓ ମୁଁ ପାଇବି ମୋ ଇପ୍ସିତ ମୁକ୍ତି।

 

ପ୍ଲଟ ନମ୍ବର-୨୩୬, ରାଉତ କଂପ୍ଲେକ୍ସ

କଟକ ରୋଡ଼, ଭୁବନେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top