ବଦ୍ଧ ବିହଙ୍ଗ

News Story - Posted on 2017-04-27

ମନୋଜ ପଣ୍ଡା

 

ଶୃଙ୍ଖଳହୀନ ପକ୍ଷୀଟିଏ

କେତେବେଳେ ଉଡିଯାଏ ଉପରକୁ

ଆଉ କେତେବେଳେ ତଳକୁ

ମୁଦ୍ରିତ ପର୍ଣ୍ଣରେ

ଅର୍କର ରକ୍ତାଂଶୁ ରଂଜିତ ଆକାଶ

ଯା’ର ଦଖଲ ପାଇଁ ସଦର୍ପ ପ୍ରୟାସ !

 

କିନ୍ତୁ ସେ ଉଦବିଗ୍ନ

ମୁକ୍ତିର ରାହା ଖୋଜେ

ସଂକୀର୍ଣ୍ଣ ପିଞ୍ଜର ମଧ୍ୟରେ

ହେଲେ କେବେକେବେ ତାର ହୃଦବୋଧ ହୁଏ

ଦୁର୍ଦ୍ଧର୍ଷ ପ୍ରାଚୀର ଭିତରୁ

ସେ ଯେ ପକ୍ଷଚ୍ଛେଦ, ପଦବଦ୍ଧ!

 

ଦୁର୍ନିର୍ବାର ମୂର୍ଚ୍ଛନାର ସ୍ଫୁରଣ

କଣ୍ଠରୁ ଭାବୋଚ୍ଛ୍ବାସର ନୈସର୍ଗିକ ଅବତରଣ।

 

ଗାଇଯାଏ ବିଲଗ୍ନ ବିହଗ

ଭୀତତ୍ରସ୍ତ କମ୍ପିତ ତାର ସ୍ବର

ଅପ୍ରକାଶିତ ଅଭିଳାଷର ଚରିତାର୍ଥ ପାଇଁ

ଗୁଞ୍ଜରି ଉଠେ ତା’ର ଗାନ

ଦୂର ପର୍ବତ ମେଖଳାରେ

ସେ ଯେ ଗାଉଥାଏ

ତା’ର ମୁକ୍ତିର ସଂଗୀତ।

 

ଅନାଗତ ମଳୟର ପ୍ରତୀକ୍ଷାରେ

ମୁକ୍ତ ପକ୍ଷୀ ମଜ୍ଜି ଯାଏ

ମନ୍ଦ ଅନିଳର କୋମଳ ପରଶରେ

ଦୋଳାୟମାନ ତରୁରାଜି ସହ

ଉଷସ ସବୁଜିମାର ପୀନ କୀଟ ଆହାରରେ

ସତେ ଯେପରି ଅନନ୍ତବିସ୍ତାରୀ ନୀଳିମାର

ତା’ର ଏକଛତ୍ରତାର ଅନୌପଚାରିକ ପ୍ରତିପାଦନ।

 

ପରନ୍ତୁ ବଦ୍ଧ ପକ୍ଷୀର ଆଧାର

ସେ ସ୍ବପ୍ନର ମରଣ ବେଦୀକା

ପ୍ରତିଚ୍ଛାୟା ତା’ର ଚିତ୍କାର କରି ଉଠେ

ଏକ ଭୟଙ୍କର ଦୁଃସ୍ବପ୍ନ ଦେଖି

ପକ୍ଷଚ୍ଛେଦ, ପଦବଦ୍ଧ ସେ ଯେ

ବିଳପି ଉଠେ ସେ,

ନିନାଦିତ ହୁଏ ଗଗନ ପବନ

ଅଜଣା ଏକ କୋହଭରା ରାଗିଣୀରେ।

 

ଗାଇଯାଏ ବିଲଗ୍ନ ବିହଗ

ଭୀତତ୍ରସ୍ତ କମ୍ପିତ ତାର ସ୍ବର

ଅପ୍ରକାଶିତ ଅଭିଳାଷର ଚରିତାର୍ଥ ପାଇଁ

ଗୁଞ୍ଜରି ଉଠେ ତାର ଗାନ

ଦୂର ପର୍ବତ ମେଖଳାରେ

ସେ ଯେ ଗାଉଥାଏ

ତାର ମୁକ୍ତିର ସଂଗୀତ।

(ମାୟା ଆଂଜେଲୁଙ୍କ କେଜ୍ଡ ବାର୍ଡ଼ କବିତା ଛାୟାରେ ଲିଖିତ)

 

ବୈଶାଖ କୃଷ୍ଣପକ୍ଷ ଷଷ୍ଠୀ, ସୋମବାର, ୨୦୧୭

ଗେଥର୍ସବର୍ଗ୍, ମେରୀଲାଣ୍ଡ୍


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top